ad
ଓଡ଼ିଶା

ଆର୍ଥିକ ସମୀକ୍ଷା ରିପୋର୍ଟ – ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା କରିବା ଲକ୍ଷ୍ୟ

– ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା କରିବା ଲକ୍ଷ୍ୟ
– ଅଭିବୃଦ୍ଧି ହାର ନିରନ୍ତର ୮ ପ୍ରତିଶତ ରଖିବା ଉପରେ ଗୁରୁତ୍ୱ
– ବିଗତ ୫ ବର୍ଷରେ ଉତମ ପ୍ରଦର୍ଶନ କରିଛି ଭାରତୀୟ ଅର୍ଥବ୍ୟବସ୍ଥା
– ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଲାଗି ଏକ ଗୁଣାତ୍ମକ ଓ ସନ୍ତୁଳିତ ଅର୍ଥନୀତି ଉପରେ ଗୁରୁତ୍ୱାରୋପ

ନୂଆ ଦିଲ୍ଲୀ ୫ ଜୁଲାଇ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଆର୍ଥିକ ବିକାଶ ଲାଗି ଉନ୍ନତ ସମ୍ଭାବନାର ପୂର୍ବାନୁମାନ କରାଯାଇଛି। ସମୀକ୍ଷାରେ କୁହାଯାଇଛି ଯେ ୨୦୨୪-୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ସମୀକ୍ଷାର ବିଷୟବସ୍ତୁ ‘ଏକ ଗୁଣାତ୍ମକ ଚକ୍ରରେ ପ୍ରବେଶ କରିବାର ଅଭିନବ ଆରମ୍ଭ’। ଏଥିରେ କୁହାଯାଇଛି ଏଥିପାଇଁ ଭାରତକୁ ନିଜର ବାସ୍ତବ ଜିଡିପି ହାର ୮ ପ୍ରତିଶତରେ ସ୍ଥିର ରଖିବାର ଆବଶ୍ୟକତା ରହିଛି। ସମୀକ୍ଷାରେ କୁହାଯାଇଛି ଯେ ଭାରତ ନୂତନ ବିକାଶ ମଡେଲ ପାଇଁ ନିଜକୁ ପାରମ୍ପରିକ ଚିନ୍ତାଧାରା ଠାରୁ ପୃଥକ କରୁଛି, ଯେଉଁଠି ଅର୍ଥବ୍ୟବସ୍ଥାକୁ ଏକ ଉକ୍ରୃଷ୍ଟ ଅଥବା ନିନ୍ଦନୀୟ ପର୍ଯ୍ୟାୟରେ ନୁହେଁ ବରଂ ଗୁଣାତ୍ମକ ଓ ସନ୍ତୁଳିତ ଦୃଷ୍ଟିକୋଣରେ ଦେଖୁଛି।

ସମୀକ୍ଷାରେ କୁହାଯାଇଛି ଯେ ଏହା “ନିବେଶ, ବିଶେଷ କରି ଘରୋଇ ନିବେଶକୁ ଏକ ପ୍ରମୁଖ ବାହକ ରୂପରେ ଦେଖୁଛି, ଯାହା ଚାହିଦା, କ୍ଷମତା ସୃଷ୍ଟି କରିବା ସହିତ, ଶ୍ରମ ଉତ୍ପାଦକତା ବଢ଼ାଇଥାଏ, ନୂତନ ପ୍ରଯୁକ୍ତିର ଆରମ୍ଭ କରିଥାଏ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ରପ୍ତାନି ବିକାଶ ମଡେଲର ଏକ ଅଭିନ୍ନ ଅଙ୍ଗ ହେବା ଆବଶ୍ୟକ, କାରଣ ଅନ୍ତିମ ଚାହିଦାର ବାହକ ରୂପରେ ଅଧିକ ସଂଚୟ, ଘରୋଇ ଉପଯୋଗରେ ବାଧା ଉତ୍ପନ୍ନ କରିଥାଏ।”

ସମୀକ୍ଷାରେ ପରାମର୍ଶ ଦିଆଯାଇଛି ଯେ ଚାହିଦା, ନିଯୁକ୍ତି ଓ ରପ୍ତାନିର ବିଭିନ୍ନ ଆର୍ଥିକ ଆହ୍ୱାନ ସହ ମୁକାବିଲା କରିବା ଲାଗି ଏଗୁଡ଼ିକୁ ଭିନ୍ନ ସମସ୍ୟା ଭାବେ ନୁହେଁ, ବରଂ ସମାନତା ଭାବେ ଦେଖିବା ଆବଶ୍ୟକ। ସମୀକ୍ଷାରେ କୁହାଯାଇଛି ଯେ ଏହି ବୃହତ ଅର୍ଥନୈତିକ ତତ୍ୱ ଗୁରୁତ୍ୱପୂର୍ଣ୍ଣ ସମାନତାକୁ ଦର୍ଶାଉଛି ଏବଂ ଅର୍ଥବ୍ୟବସ୍ଥାକୁ ଏକ ଉକ୍ରୃଷ୍ଟ ପର୍ଯ୍ୟାୟରେ ପରିବର୍ତିତ କରିବା ଲାଗି ଏହା ଉତପ୍ରେରକ ଭାବେ କାର୍ଯ୍ୟ କରିବ। ସମୀକ୍ଷାରେ “ଜନକଲ୍ୟାଣ, ଆଇନଗତ ସୁଧାର, ନୀତିଗତ ଯୌକ୍ତିକତା ଏବଂ ବ୍ୟବହାରିକ ଅର୍ଥବ୍ୟବସ୍ଥାର ସିଦ୍ଧାନ୍ତର ଉପଯୋଗ କରି ତଥ୍ୟଗୁଡ଼ିକର ବ୍ୟବହାରିକ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା ରୂପରେ ଉପସ୍ଥାପନ କରାଯାଇଛି।

ଅର୍ଥନୈତିକ ସମୀକ୍ଷାରେ ଉଲ୍ଲେଖ କରାଯାଇଛି ଯେ ପ୍ରମୁଖ ଉପାଦାନରେ ‘ସେହି ନୀତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଉଚିତ, ଯେଉଁଥିରେ ଏମଏସଏମଇ କ୍ଷେତ୍ରର ବିକାଶ ହେଉଥିବ, ଯାହାଦ୍ୱାରା ନିଯୁକ୍ତି ସୃଷ୍ଟି ହୋଇପାରିବ ଏବଂ ଏହାକୁ ଅଧିକ ଉପଯୋଗୀ କରାଯାଇପାରିବ, ପୁଞ୍ଜି ବ୍ୟୟକୁ କମ କରାଯାଇପାରିବ ଏବଂ ଆର୍ଥିକ ବଜାରରେ ନିବେଶର ବିପଦ ତଥା ସେଥିରୁ ସମ୍ଭାବ୍ୟ ଲାଭ ମଧ୍ୟରେ ସମ୍ପର୍କକୁ ଯୁକ୍ତିସଂଗତ କରାଯାଇପାରିବ।

ଉପଲବ୍ଧି :

ଆର୍ଥିକ ସମୀକ୍ଷାରେ ଏହା ଉଲ୍ଲେଖ କରାଯାଇଛି ଯେ ଗତ ୫ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି ଏବଂ ସରକାର ବିକାଶ ଓ ବୃହତ ଅର୍ଥବ୍ୟବସ୍ଥାରେ ଅନ୍ତର୍ନିହିତ ସ୍ଥିରତାର ଲାଭକୁ ସମାଜର ନିମ୍ନ ଶ୍ରେଣୀ ପର୍ଯ୍ୟନ୍ତ ପହଁଚାଇବା ସୁନିଶ୍ଚିତ କରିଛନ୍ତି।

ଆର୍ଥିକ ସମୀକ୍ଷାରେ ଏଥିପ୍ରତି ମଧ୍ୟ ଆଲୋକପାତ କରାଯାଇଛି ଯେ ୨୦୧୪ ଏବଂ ୨୦୧୮ ବର୍ଷରେ ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷେତ୍ରରେ ୩.୬ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଭାରତ ଚୀନ ଠାରୁ ମଧ୍ୟ ଅଧିକ ଆର୍ଥିକ ବିକାଶ ହାର ବଜାୟ ରଖି ଷଷ୍ଠ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲା। ସମୀକ୍ଷାରେ କୁହାଯାଇଛି ଯେ ଏହି ପାଂଚ ବର୍ଷରେ ହାରହାରି ମୁଦ୍ରାସ୍ଫିତି ଏହା ପୂର୍ବ ପାଂଚ ବର୍ଷର ମୁଦ୍ରାସ୍ଫିତି ହାର ତୁଳନାରେ କମ ରହିଥିଲା ଏବଂ ଏହି ଆଧାରରେ ଏହା ଦେଶର ସ୍ୱାଧୀନତା ପରବର୍ତ୍ତୀ ଇତିହାସର ସର୍ବନିମ୍ନ ମୁଦ୍ରାସ୍ଫିତି ହାର ସହ ସମାନ ଥିଲା। ଚଳନ୍ତି ଖାତା ନିଅଂଟ (ସିଏଡି) ସନ୍ତୋଷଜନକ ସ୍ତରରେ ରହିଥିଲା ଏବଂ ବିଦେଶୀ ମୁଦ୍ରା ବିନିମୟ ଭଣ୍ଡାର ବର୍ତମାନର ସର୍ବାଧିକ ଉଚ୍ଚସ୍ତରରେ ପହଁଚିଥିଲା।

ଆର୍ଥିକ ସମୀକ୍ଷାରେ ଏହି ସୂଚନା ମଧ୍ୟ ଦିଆଯାଇଛି ଯେ ଏହା ନୂଆ ସଂସ୍ଥାଗତ ରୂପରେଖ କାରଣରୁ ହିଁ ସମ୍ଭବ ହୋଇପାରିଛି। ଯାହା ଅନ୍ତର୍ଗତ ଫେବୃଆରୀ ୨୦୧୫ରେ “ମୁଦ୍ରା ନୀତି ସମିତି”ର ଗଠନ କରାଯାଇଥିଲା ଏବଂ ଏହାକୁ ମୁଦ୍ରାସ୍ଫିତି ହାରକୁ ଦୁଇ ପ୍ରତିଶତର ହ୍ରାସ-ବୃଦ୍ଧି ସହିତ ୪ ପ୍ରତିଶତ ସ୍ତରରେ ବଜାୟ ରଖିବା ଲାଗି ଲକ୍ଷ୍ୟ ଦିଆଯାଇଥିଲା। ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ଏହି ବ୍ୟବସ୍ଥା ମୋଟ ରାଜକୋଷ ନିଅଂଟ (ଜିଏଫସି) କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଥିଲା। ରାଜକୋଷ ଉତରଦାୟିତ୍ୱ ଏବଂ ବଜେଟ ପରିଚାଳନା (ଏଫଆରବିଏମ) ଅଧିନିୟମ, ୨୦୦୩, ଯାହାର ଅନ୍ତର୍ଗତ ୩ ପ୍ରତିଶତର ମୋଟ ରାଜକୋଷ ନିଅଂଟ ଏବଂ ଜିଡିପିର ଅନୁପାତର ଲକ୍ଷ୍ୟ ଲାଗି ବିଶେଷ ଦିଗ ନିର୍ଦ୍ଧାରଣ କରାଯାଇଛି। ଏହି ଅଧିନିୟମକୁ ୨୦୧୬ ପରଠାରୁ ଅଧିକ ଶକ୍ତି ମିଳିଛି ଏବଂ ଏହି ଅନୁପାତ ୨୦୧୩-୧୪ର ୪.୫%ରୁ ହ୍ରାସ ପାଇଁ ୨୦୧୮-୧୯ରେ ୩.୪ ପ୍ରତିଶତ ସ୍ତରକୁ ଖସିଆସିଛି। ଆର୍ଥିକ ସମୀକ୍ଷାରେ କୁହାଯାଇଛି ଯେ ଏପରି ଅନ୍ୟ ବୃହତ ଆର୍ଥିକ ସଂକେତକଗୁଡ଼ିକରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି।

ହିତାଧିକାରୀଙ୍କ ଉପରେ ଫୋକସ ଏବଂ ଲକ୍ଷ୍ୟବଦ୍ଧ ଡେଲିଭରୀ

ଆର୍ଥିକ ସମୀକ୍ଷା ରିପୋର୍ଟରେ ସୂଚନା ଦିଆଯାଇଛି ଯେ ‘ଆଧାର ଅଧିନିୟମ, ୨୦୧୬ ଫଳରେ ବିକାଶର ଲାଭ ସାମାଜିକ-ଆର୍ଥିକ ଦୃଷ୍ଟିରୁ ସବୁଠୁ ତଳେ ଥିବା ଲୋକଙ୍କ ନିକଟରେ ପହଁଚିବାର ମାର୍ଗ ପ୍ରଶସ୍ତ ହୋଇଛି। ଆର୍ଥିକ ସମୀକ୍ଷାରେ ଆହୁରି କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଏବଂ ଜନଧାନ, ଆଧାର, ମୋବାଇଲ (ଜ୍ୟାମ)ର ତିନୋଟି ସୁବିଧାରେ ବିଭିନ୍ନ ଯୋଜନା ଯେପରିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଂଟି ଯୋଜନା (ମନରେଗା), ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି), ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି), ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଆଦିର ଅନ୍ତର୍ଗତ ୭.୩ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ ଅର୍ଥରାଶିର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସୁନିଶ୍ଚିତ କରିଛି। ବର୍ତମାନ ୫୫ କେନ୍ଦ୍ରୀୟ ମନ୍ତ୍ରଣାଳୟ ୩୭୦ଟି ନଗଦ ଆଧାରିତ ଯୋଜନା ଜରିଆରେ ବିଭିନ୍ନ ଲାଭକୁ ଡିବିଟି ବ୍ୟବସ୍ଥା ଅଧୀନରେ ହସ୍ତାନ୍ତରିତ କରୁଛନ୍ତି।

ମୌଳିକ ଭିତିଭୂମି ସୁବିଧା

ଆର୍ଥିକ ସମୀକ୍ଷାରେ କୁହାଯାଇଛି ଯେ ୨୦୧୪ ଠାରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ମୌଳିକ ଭିତିଭୂମି ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଭାରତରେ ୨୦୧୮ ଏପ୍ରିଲ ସୁଦ୍ଧା ସବୁ ଘରେ ବିଦ୍ୟୁତ ସଂଯୋଗ ପହଁଚିପାରିଛି। ଦ୍ରୁତ ଗତିରେ ଜାତୀୟ ରାଜପଥ ନିର୍ମାଣ ହୋଇଛି ଏବଂ ବର୍ତମାନ ରହିଥିବା ୧, ୩୨, ୦୦୦ କିମି ଲମ୍ବ ରାଜପଥର ୨୦ ପ୍ରତିଶତରୁ ମଧ୍ୟ ଅଧିକ ନିର୍ମାଣ ବିଗତ ଚାରି ବର୍ଷରେ କରାଯାଇଛି। ଟାୟର ୩ ଏବଂ ଟାୟର ୪ ସହରରେ ବିମାନ ସଂଯୋଗ ସୁନିଶ୍ଚିତ କରିବାର ଯୋଜନା ୨୦୧୭ରେ ଆରମ୍ଭ କରାଯାଇଥିଲା।

ସଂଘୀୟ ବ୍ୟବସ୍ଥା

ରାଜକୋଷ ସଂଘୀୟ ବ୍ୟବସ୍ଥା ସେତେବେଳେ ଖୁବ ସୁଦୃଢ଼ ହୋଇଥିଲା ଯେତେବେଳେ ଚତୁର୍ଦ୍ଦଶ ଅର୍ଥ ଆୟୋଗ କେନ୍ଦ୍ରୀୟ ଟିକସର ବଂଟନ ଯୋଗ୍ୟ ଅର୍ଥରାଶିରେ ରାଜ୍ୟଗୁଡ଼ିକର ଭାଗକୁ ୩୨ ପ୍ରତିଶତରୁ ବଢ଼ାଇ ୪୨ ପ୍ରତିଶତ କରି ଦେଇଥିଲେ। ଜୁଲାଇ ୨୦୧୭ରେ ଜିଏସଟି ଲାଗୁ କରାଯିବା ସହିତ ଜିଏସଟି ପରିଷଦର ଅଭିଜ୍ଞତା ଅନ୍ୟାନ୍ୟ କ୍ଷେତ୍ର ଯେପରିକି ଶ୍ରମ ଏବଂ ଭୂମି ନିୟମନ କ୍ଷେତ୍ରରେ ମଧ୍ୟ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଲାଗୁ କରିବା ଲାଗି ଆବଶ୍ୟକ ପ୍ରେରଣା ପ୍ରଦାନ କଲା।

କର୍ପୋରେଟ ପ୍ରସ୍ଥାନ

ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି) ୨୦୧୭ରେ ଲାଗୁ କରାଯାଇଥିଲା ଏବଂ ବୃହତ ସଂଖ୍ୟାରେ ଅଚଳ ପରିସମ୍ପତି ଅଥବା ଅଟକି ରହିଥିବା ଋଣକୁ ଏହାର ପରିଧି ମଧ୍ୟକୁ ଅଣାଯାଇଥିଲା। ସମାଧାନ ଅଥବା ପରିସମାପନ ଜରିଆରେ ଋଣଦାତାମାନେ ବୃହତ ପରିମାଣର ଅର୍ଥରାଶି ଅସୁଲ କରିବା କାରଣରୁ ଦେଶରେ ବ୍ୟବସାୟ କରିବାର ସଂସ୍କୃତି ଅନୁକୂଳ ହେଲା।

ବିକାଶ ଏବଂ ନିଯୁକ୍ତି ଲାଗି ବ୍ଲୁ ପ୍ରିଂଟ – ପରବର୍ତ୍ତୀ ପାଂଚ ବର୍ଷ

ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ “ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଲାଗି ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା ଭାବେ ବିକଶିତ ହେବା ଲାଗି ଲକ୍ଷ୍ୟ ରଖିଛି।”

ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ “ଭାରତ ବିକାଶ ମଡେଲକୁ ରେଖାଙ୍କିତ କରି ପାରମ୍ପରିକ ଧାରଣା ଠାରୁ ଊଦ୍ଧ୍ୱର୍କୁ ଯାଉଛି- ଯେଉଁଥିରେ ଅର୍ଥବ୍ୟବସ୍ଥାକୁ ନିରନ୍ତର ଅସନ୍ତୁଳନର ସ୍ଥିତିରେ ଦେଖାଯାଇଥାଏ-ଭଲ ସ୍ଥିତି କିମ୍ବା ଖରାପ ସ୍ଥିତି।” ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ଅର୍ଥବ୍ୟବସ୍ଥା ଭଲ ସ୍ଥିତି କିମ୍ବା ପର୍ଯ୍ୟାୟ ଦେଇ ଗତି କରିଥାଏ ସେତେବେଳେ ନିବେଶ, ଉତ୍ପାଦକତାରେ ବୃଦ୍ଧି, ନିଯୁକ୍ତି ସୃଷ୍ଟି, ଚାହିଦା ଏବଂ ରପ୍ତାନି ପରସ୍ପର ଲାଗି ଲାଭପ୍ରଦ ସାବ୍ୟସ୍ତ ହୋଇଥାନ୍ତି। ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେବା ଲାଗି ଆତ୍ମ-ପ୍ରେରିତ ପରିବେଶ ଉତ୍ପନ୍ନ କରିଥାଏ। ଆର୍ଥିକ ସମୀକ୍ଷାରେ ଚୀନ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ଦକ୍ଷିଣ କୋରିଆରେ ବିକାଶ କାହାଣୀ ବିଷୟରେ ଆଲୋଚନା କରାଯାଇଛି, ଯାହାଦ୍ୱାରା ଏସବୁ ଦେଶଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଯୋଗଦାନ ଦେଉଥିବା ମୋଟ ପୁଞ୍ଜି ନିର୍ମାଣ-ସଂଚୟ ଏବଂ ନିବେଶର ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇପାରିବ।

ନିଯୁକ୍ତି

ଆର୍ଥିକ ସମୀକ୍ଷା ରିପୋର୍ଟରେ ଚୀନର ଅଭିଜ୍ଞତାକୁ ଉଦ୍ଧୃତ କରାଯାଇ କୁହାଯାଇଛି ଯେ, ଯେତେବେଳେ ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ଉପରେ ଗମ୍ଭୀରତା ପୂର୍ବକ ଦୃଷ୍ଟିପାତ କରାଗଲା, ଜଣାପଡ଼ିଲା ଯେ ପୁଞ୍ଜିଗତ ନିବେଶ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହନ ମିଳିଥାଏ। କାରଣ ପୁଞ୍ଜିଗତ ସାମଗ୍ରୀ ଉତ୍ପାଦନ ଏବଂ ଗବେଷଣା ଓ ବିକାଶ ସହିତ ଯୋଗାଣ ଶୃଙ୍ଖଳା (ସପ୍ଲାଇ ଚେନ) ମଧ୍ୟ ନିଯୁକ୍ତି ସୃଷ୍ଟି କରିଥାଏ।

ରପ୍ତାନି

ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଦେଶର ଆର୍ଥିକ ବିକାଶ ଲାଗି ରପ୍ତାନିର ଗୁରୁତ୍ୱ ଉପରେ ଜୋର ଦିଆଯାଇ ଏଥିପ୍ରତି ରେଖାଙ୍କିତ କରାଯାଇଛି ଯେ ବୈଶ୍ୱିକ ରପ୍ତାନିରେ ଭାରତର ଅଂଶଧନ ଅପେକ୍ଷାକୃତ କମ ରହିଛି, ତେଣୁ ଭାରତକୁ ନିଜ ବଜାରର ଭାଗୀଦାରୀ ଉପରେ ଦୃଷ୍ଟିପାତ କରିବାର ଆବଶ୍ୟକତା ଡ. ସୁର୍ଜିତ ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ପରାମର୍ଶଦାତା ଗୋଷ୍ଠୀ ଜୁନ ୨୦୧୯ରେ ଏ ବିଷୟରେ ନିଜର ରିପୋର୍ଟ ଦେଇଥିଲା ଯେ ଭାରତ ନିଜ ରପ୍ତାନି କିପରି ବଢ଼ାଇପାରିବ ଏବଂ ଯେଉଁଠି ସମ୍ଭବ ଉଚିତ ଉପାୟ କାର୍ଯ୍ୟକାରୀ କରିପାରିବ।

ଅର୍ଥବ୍ୟବସ୍ଥାରେ ସନ୍ତୁଳନ ଏବଂ ଅସନ୍ତୁଳନ

ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟତଃ ସନ୍ତୁଳନ ରୂପରେଖ ଉପଯୋଗ କରୁଥିବା ପଂଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ଲାଗି ପୂର୍ବରୁ କରାଯାଇଥିବା ପ୍ରୟାସ ବିଫଳ ହୋଇଥିଲା କାରଣ ଏଥିରେ ଏପରି ଏକ ବିଶ୍ୱ ଲାଗି ଲମ୍ବା ଚଉଡ଼ା ଉପାୟ କୁହାଯାଇଥିଲା, ଯାହା ବିଷୟରେ ଅନୁମାନ କରାଯିବା ଅତ୍ୟନ୍ତ କଠିନ ଥିଲା। ତେଣୁ ଅସନ୍ତୁଳନପୂର୍ଣ୍ଣ ଏହି ଅନିଶ୍ଚିତ ବିଶ୍ୱରେ ଏପରି ଭାବରେ ଆଗକୁ ବଢ଼ିବା ଲାଗି ତିନୋଟି ଉପାଦାନ ଅତ୍ୟନ୍ତ ଆବଶ୍ୟକ- ୧- ଏକ ସ୍ପଷ୍ଟ ଦୃଷ୍ଟିକୋଣ, ୨-ଦୃଷ୍ଟିକୋଣକୁ ସାକାର କରିବା ଲାଗି ଏକ ସାଧାରଣ ରଣନୀତି ଏବଂ ୩-ଅପ୍ରତ୍ୟାଶିତ ସ୍ଥିତିର ମୁକାବିଲା କରିବାର ଉପାୟରେ ନିରନ୍ତର ପରିବର୍ତ୍ତନ ସୁନିଶ୍ଚିତ କରିବା ଲାଗି ନମନୀୟତା ଓ ଇଚ୍ଛାଶକ୍ତି।

ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଏହି ପରାମର୍ଶ ଦିଆଯାଇଛି ଯେ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବାର ସ୍ୱପ୍ନକୁ ସାକାର କରିବାର ଉପାୟ ଲାଗି ଏହା ଆବଶ୍ୟକ ଯେ ଆମେ କଲ୍ୟାଣକାରୀ କାର୍ଯ୍ୟକ୍ରମର ଉତ୍ପାଦକତା ଏବଂ ପ୍ରଭାବଶୀଳତାକୁ ବଢ଼ାଇବା ପାଇଁ ବ୍ୟବହାରିକ ଅର୍ଥନୀତି ଭଳି ସାଧନର ଉପଯୋଗ କରିବା ସହିତ ଅନ୍ୟ ନୂଆ ଅବଧାରଣାକୁ କାର୍ଯ୍ୟକାରୀ କରି ସମନ୍ୱିତ ଢଙ୍ଗରେ ଅର୍ଥବ୍ୟବସ୍ଥାର ବିଭିନ୍ନ ଉପାଦାନକୁ ଏକ ସଙ୍ଗେ ଆଦର୍ଶ ରୂପ ପ୍ରଦାନ କରିବା।

ତଦନୁସାରେ, ଆର୍ଥିକ ସମୀକ୍ଷାରେ କୁହାଯାଇଛି ଯେ ୫ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବାର ସ୍ୱପ୍ନକୁ ସାକାର କରିବା ଲାଗି ଏହାର ବିଭିନ୍ନ ଅଧ୍ୟାୟରେ ଡାଟା ଆଧାରିତ ପ୍ରମାଣ ଜରିଆରେ ବ୍ୟବହାରିକ ଅର୍ଥନୀତିର ଦିଗଗୁଡ଼ିକ ସହିତ ନୀତିରେ ନିରନ୍ତର ପରିବର୍ତ୍ତନର ଆବଶ୍ୟକତା ରହିଛି।

ବିକାଶ ସହିତ ନିଯୁକ୍ତିରେ ବୃଦ୍ଧି କରିବାର ଲକ୍ଷ୍ୟ ହାସଲ କରିବା ଲାଗି ପରବର୍ତ୍ତୀ ପାଂଚ ବର୍ଷର ବ୍ଲୁ ପ୍ରିଂଟର ଏକ ଅଂଶ ରୂପରେ ଆର୍ଥିକ ସମୀକ୍ଷାରେ ଏହି ପରାମର୍ଶ ଦିଆଯାଇଛି, ‘ଆଇନଗତ ବ୍ୟବସ୍ଥାରେ ସୁଧାର ହେଉଛି ସର୍ବୋତମ ଉପାୟ ଯାହା ଭାରତୀୟ ସୁଧାରକମାନେ କରିପାରିବେ।

ପ୍ରମୁଖ କାରକ, ସୁଧାର ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ଲାଗି ବିପଦ

ଜନସଂଖ୍ୟାର ଭୂମିକା

ଆର୍ଥିକ ସମୀକ୍ଷାର ଗୋଟିଏ ଅଧ୍ୟାୟରେ ଜନସଂଖ୍ୟାର ଭୂମିକା ବିଷୟରେ ସମ୍ପୂର୍ଣ୍ଣ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି କାରଣ ଜନସଂଖ୍ୟା ବ୍ୟାପାରରେ ହୋଇଥିବା ବୃଦ୍ଧିର ବର୍ଷ ୧୯୬୦ ଏବଂ ୧୯୯୦ ମଧ୍ୟରେ ସାରା ଏସିଆରେ ଆର୍ଥିକ ବିକାଶ ଉପରେ ଉଲ୍ଲେଖନୀୟ ସକାରାତ୍ମକ ପ୍ରଭାବ ପଡ଼ିଥିଲା। ଆର୍ଥିକ ସମୀକ୍ଷାରେ କୁହାଯାଇଛି ଯେ ଏହାର ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ସଂଚୟ ବଢ଼ାଇବାରେ ଜନସଂଖ୍ୟାର ସ୍ୱରୂପ ସହିତ ଖର୍ଚ୍ଚର ପ୍ରବୃତିକୁ ସମ୍ଭବତଃ ପ୍ରୋତ୍ସାହନ ମିଳିପାରିବ ନାହିଁ। ତେଣୁ ବାସ୍ତବ ଅଭିବୃଦ୍ଧି ହାର ସକାରାତ୍ମକ ହେବା ଜରୁରି। ଏହା ସହିତ ବାସ୍ତବିକ ସୁଧ ଦରରେ ହ୍ରାସରୁ ନିବେଶକୁ ପ୍ରୋତ୍ସାହନ ମିଳିପାରିବ, ଯେଉଁଥିରେ ନିବେଶ, ବିକାଶ, ରପ୍ତାନି, ନିଯୁକ୍ତିର ଉତମ ଚକ୍ର କିମ୍ବା ପର୍ଯ୍ୟାୟ ଆରମ୍ଭ ହୋଇପାରିବ।

ଏମଏସଏମଇର ଆକାର, ପରିଚାଳନା ଅବଧି, ପ୍ରୋତ୍ସାହନ ଏବଂ ଶ୍ରମ ଆଇନ

ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ଏପରି କମ୍ପାନୀଗୁଡ଼ିକ ସମୟକ୍ରମେ ବଡ଼ କମ୍ପାନୀ ହେବାରେ ସମର୍ଥ, ଏଗୁଡ଼ିକ ଅର୍ଥବ୍ୟବସ୍ଥାରେ ନିଯୁକ୍ତି ଏବଂ ଉତ୍ପାଦକତାରେ ସର୍ବାଧିକ ଯୋଗଦାନ କରିଥାନ୍ତି।

ଆର୍ଥିକ ସମୀକ୍ଷା ରିପୋର୍ଟରେ ପରବର୍ତ୍ତୀ ୧୦ ବର୍ଷ ଲାଗି କମ ପରିଚାଳନା ଅବଧି ବିଶିଷ୍ଟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବା ପ୍ରତି ଫୋକସ କରାଯାଇଛି ଏବଂ ଏହାସହିତ ଏମଏସଏମଇଗୁଡ଼ିକୁ ଦିଆଯାଉଥିବା ପ୍ରୋତ୍ସାହନର ବର୍ତମାନର ସ୍ଥିତିକୁ ପ୍ରତିବନ୍ଧକପୂର୍ଣ୍ଣ ଶ୍ରମ ନିୟମନ ଠାରୁ ମୁକ୍ତ ରଖିବା ଲାଗି କୁହାଯାଇଛି।

ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ନିବେଶ ନେତୃତ୍ୱାଧୀନ ବିକାଶ ମଡେଲ ଦ୍ୱାରା ଆର୍ଥିକ ପ୍ରଣାଳୀ ଅର୍ଥାତ ବ୍ୟାଙ୍କ ଓ ପୁଞ୍ଜି ବଜାର ଉଭୟର ତ୍ୱରିତ ବିସ୍ତାର ସମ୍ଭବ ହୋଇପାରିବ। କିନ୍ତୁ ଏହା ସହିତ କୁହାଯାଇଛି ଋଣ ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ମଧ୍ୟ କରଜର ଗୁଣବତା ହ୍ରାସ ପାଇଛି। ତେଣୁ ବ୍ୟାଙ୍କଗୁଡ଼ିକର ଫସି ରହିଥିବା ଋଣ ଅସୁଲ କରିବା ଲାଗି ଆବଶ୍ୟକ ଉପାୟ କରିବା ନିମନ୍ତେ ଏଥିରେ କୁହାଯାଇଛି।

ଆର୍ଥିକ ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ଭାରତ ବର୍ତମାନ ଷ୍ଟାର୍ଟଅପ ପରିଦୃଶ୍ୟରେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଏଥିସହିତ ଘରୋଇ ନିବେଶ ଉଦ୍ଦେଶ୍ୟରେ ଏପରି ପରିଦୃଶ୍ୟ ଲାଗି ଅନୁକୂଳ ପରିସ୍ଥିତି ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ, ଯାହାଦ୍ୱାରା ନିବେଶ, ଚାହିଦା, ରପ୍ତାନି, ବିକାଶ ଏବଂ ନିଯୁକ୍ତିର ଉତମ ଚକ୍ର କିମ୍ବା ପର୍ଯ୍ୟାୟ ସମ୍ଭବ ହୋଇପାରିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top