ଥରେ ଜଣେ ରାଜା ରାଜ ଦରବାରରେ ଉପସ୍ଥିତ ଥିବା ସମସ୍ତ ବିଦ୍ୱାନ ମାନଙ୍କୁ ପ୍ରଶ୍ନ କଲେ, “ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର?” ଜଣେ କହିଲେ ବିରୁଡ଼ିର ସବୁଠାରୁ ତୀବ୍ର କାମୁଡ଼ା। ଆଉ ଜଣେ କହିଲେ, ବିଛାର ସବୁଠାରୁ ତୀବ୍ର କାମୁଡ଼ା। କେହି କେହି ସାପ, ମହୁମାଛି ଆଦିଙ୍କର କାମୁଡ଼ା ତୀବ୍ର ବୋଲି କହିଲେ।
ମାତ୍ର ରାଜା ଏ’ ସବୁ ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ। ଜିଜ୍ଞାସାପୂର୍ଣ୍ଣ ଦୃଷ୍ଟିରେ ରାଜା ଦରବାରରେ ଉପସ୍ଥିତ ଥିବା ବୃଦ୍ଧ ମନ୍ତ୍ରୀଙ୍କ ଆଡ଼କୁ ଚାହିଁଲେ। ବୃଦ୍ଧ ମନ୍ତ୍ରୀ ଜଣଙ୍କ ଏ’ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ତର ନୀରବରେ ଶୁଣୁଥିଲେ। ରାଜାଙ୍କର ଜିଜ୍ଞାସାପୂର୍ଣ୍ଣ ଚାହାଣୀ ଦେଖି ସେ ତାଙ୍କ ଉଦ୍ଦେଶ୍ୟ ବୁଝି ପାରିଲେ, ଏବଂ କହିଲେ, “ହେ ରାଜନ୍ ଆପଣ ତ’ ସମସ୍ତଙ୍କ ଠାରୁ ଉତ୍ତର ଶୁଣି ସାରିଲେଣି।” ରାଜା କହିଲେ, ” ନାଁ, ଏ’ ସବୁ ଉତ୍ତର ସମସ୍ତେ କହୁଥିବା ଉତ୍ତର ଅଟେ। ମୁଁ ଆପଣଙ୍କଠାରୁ ଅନୁଭବସିଦ୍ଧ ଉତ୍ତର ଚାହୁଁଛି।”
ବୃଦ୍ଧ ମନ୍ତ୍ରୀ ଜଣଙ୍କ ହାତ ଯୋଡ଼ି କହିଲେ, ହେ ରାଜନ୍, ସତ କଥା ହେଉଛି ସଂସାରରେ ସବୁଠାରୁ ତୀବ୍ର ଭାବରେ କାମୁଡ଼ୁଥିବା ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି। ସେମାନେ ହେଲେ ନିନ୍ଦୁକ ଏବଂ ତୋଷାମଦକାରୀ। ନିନ୍ଦୁକ ହେଲେ ପଛ ପଟୁ କାମୁଡ଼େ, ଯାହାର କାମୁଡ଼ାରେ ଆତ୍ମା ବିକଳ ହୋଇପଡ଼େ। କିନ୍ତୁ, ତୋଷାମଦକାରୀ ସମ୍ମୁଖରୁ କମୁଡ଼େ, ଯାହାର କାମୁଡ଼ାରେ ଆତ୍ମା ନିଜର ଚେତନା ହରାଇ ବସେ।” -ଦେବଦତ୍ତ ରଥ
ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି ସହଜେ ଚିହ୍ନା ନ’ ଯାଏ,
ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।