Home Top News ପୂରୁଣା ପାଠର ଆଲୋଚନା: ଅପଡେଟ୍ ନାହାଁନ୍ତି କି ନଡ୍ଡା ..

ପୂରୁଣା ପାଠର ଆଲୋଚନା: ଅପଡେଟ୍ ନାହାଁନ୍ତି କି ନଡ୍ଡା ..

82

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ଆଜି ପ୍ରଥମ ଦିନରେ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ଶକ୍ତିକେନ୍ଦ୍ର ପ୍ରମୂଖ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ ଜେ. ପି ନଡ୍ଡା। ତେବେ, ସାମଗ୍ରିକ ଭାବରେ ଦେଖିଲେ ନଡ୍ଡାଙ୍କ ଭାଷଣରେ ସେପରି କିଛି ନୂଆ କଥା ନଥିଲା। କେବଳ ପୂରୁଣା ପାଠର ଆଲୋଚନା ଯାହା ଥିଲା। ମୋଦୀ ସରକାରଙ୍କ ଗୁଣଗାନ, ମୋଦୀ ସରକାରଙ୍କ ଓଡ଼ିଶା ପାଇଁ ଉପଲବ୍ଧି, ଓଡ଼ିଶାରେ କୁଶାସନ, ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରିବା, ହଡ଼ପ କରିବା, ଏ’ ସରକାରକୁ ଓପାଡ଼ି ଫିଙ୍ଗିବା ଆଦି କହି ଆସୁଥିବା କଥାର କେବଳ ପୁନରାବୃତ୍ତି ଥିଲା। ସୂଚନାଯୋଗ୍ୟ ଯେ, ଏହା କୌଣସି ସାଧାରଣ ସଭା ନଥିଲା। ଏହା ଶକ୍ତିକେନ୍ଦ୍ର ପ୍ରମୂଖ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଥିଲା। ନଡ୍ଡା ଆଜି କହିଥିବା କଥା ତ’ କାର୍ଯ୍ୟକର୍ତ୍ତା ଶୁଣି ଆସୁଛନ୍ତି। ସେହିସବୁ କଥା ସେମାନେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଆସୁଛନ୍ତି। ନୂଆ କ’ଣ ଥିଲା? କହିବାକୁ ଗଲେ ନଡ୍ଡା ବୋଧେ ଓଡ଼ିଶା ବାବଦରେ ଅପଡେଟ୍ ନଥିଲେ! କାରଣ, ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ ନଡ୍ଡା ତାଙ୍କ ଭାଷଣରେ କହିଥିଲେ ମତେ ବଡ଼ ଦୁଃଖର ସହ କହିବାକୁ ପଡ଼ୁଛି, ଏଠି ରକ୍ଷକ ହିଁ ଭକ୍ଷକ ସାଜିଛି। ତିନି, ତିନି ଜଣ ମନ୍ତ୍ରୀ ରହିଥିବା ଲୋକଙ୍କ ବାବଦରେ ଚର୍ଚ୍ଚା ହେଉଛି ସେମାନେ ହତ୍ୟା ଅଭିଯୁକ୍ତ। ଯେତେବେଳେ ସରକାରରେ ବସିଥିବା ବ୍ୟକ୍ତି ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇଯାଏ, ଏଥିରୁ ବୁଝିଯିବା କଥା ପ୍ରଶାସନ କେତେ କୁଶାସିତ। ତେବେ, ଏଠାରେ ନାଁ’ ନେଇ ନଥିଲେ ମଧ୍ୟ ନଡ୍ଡାଙ୍କର ଏହି ଆକ୍ଷେପ ନିଶ୍ଚିତ ଭାବରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା, ମମିତା ମେହେର ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏବଂ ପରୀ ହତ୍ୟା ଘଟଣାରେ ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ଉଦିଷ୍ଟ ଥିଲା ବୋଲି ଜଣା ପଡ଼ିଯାଉଛି। ବିଜେପି ଏମାନଙ୍କ ବିରୋଧରେ ସବୁ ବ୍ୟାପକ ଆନ୍ଦୋଳନ କରିଥିଲା। ତେବେ, ସେ ସମୟରେ ରାଜ୍ୟ ସରକାର ଉପରେ ଏ’ ଆନ୍ଦୋଳନର କୌଣସି ପ୍ରଭାବ ପଡ଼ିନଥିଲା। ବରଂ ନବୀନ ସରକାର ତାଙ୍କ ନିଜସ୍ୱ ଢଙ୍ଗରେ ପରବର୍ତ୍ତୀ ମୁହୂର୍ତ୍ତରେ ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ କଲା ବେଳେ ଅନ୍ୟ କିଛି ଜଣଙ୍କ ଭିତରେ ଏମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍ ଦେଲେ। ବିଜେପି କିଛି ଫାଇଦା ପାଇଲା ନାହିଁ। ଏବେ ପରୋକ୍ଷରେ ନଡ୍ଡା ସେହି ମାନଙ୍କ କଥା ଉଠାଇଛନ୍ତି। କିନ୍ତୁ, ଏବେ ଯେଉଁ କଥା ଉଠାଇବା କଥା ତାହା ନଡ୍ଡା ଭୁଲି ଯାଇଛନ୍ତି ବା ଅପଡେଟ୍ ନାହାଁନ୍ତି!ଏବେ ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା/ହତ୍ୟାକାଣ୍ଡ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସଂପୃକ୍ତି ଅଭିଯୋଗ ଉଠିଛି। ଖୋଦ୍ ବିଜେପି ଉଠାଇଛି ଏକଥା। ସମୀର ଦାସଙ୍କ ବିରୋଧରେ ଆନ୍ଦୋଳନ, ରାସ୍ତାରୋକ, କୁଶପୁତ୍ତଳିକା ଦାହ ଆଦି ଚଲାଇଛି ବିଜେପି। ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କରି ସ୍ଥାନୀୟ ବିଜେପି ନେତ୍ରୀ ତଥା ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର- କଟକ ପୋଲିସ କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏବେ ଏହି ନଗଦ ଘଟଣାକୁ ଛାଡ଼ି ଦେଲେ କାହିଁକି ନଡ୍ଡା? ନବୀନ ସରକାରକୁ ଟାର୍ଗେଟ୍ କରିବାର ଥିଲା ତ’ ଏଠି ତ’ ସିଧାସଳଖ ଆକ୍ଷେପ କରିବାର ଥିଲା। ବୁଝି ହେଲାନି ଏ’ ଘଟଣା ନେଇ ନଡ୍ଡା ଅପଡେଟ୍ ନଥିଲେ ନାଁ, ତାଙ୍କୁ ଅବଗତ କରାଯାଇ ନଥିଲା?
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.