Home ଉପ ନିର୍ବାଚନ ଅମାନିଆ ତୁଣ୍ଡ: କହୁ କହୁ କହିଦେଲେ ନାଁ ଜାଣିଶୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲେଖାଶ୍ରୀ ?

ଅମାନିଆ ତୁଣ୍ଡ: କହୁ କହୁ କହିଦେଲେ ନାଁ ଜାଣିଶୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲେଖାଶ୍ରୀ ?

157

ଭୁବନେଶ୍ୱର: କହୁ କହୁ କହିଦେଲେ ନାଁ ଜାଣିଶୁଣି ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଲେଖାଶ୍ରୀ ? ସାଧାରଣରେ ଏବେ ଏହିପରି କିଛି ଆଲୋଚନା ହେଉଛି। କେବଳ ବିରୋଧୀ ନୁହେଁ ନିଜ ଦଳ ବିଜେପି ଏବଂ ସାଧାରଣରେ ମଧ୍ୟ ଅନେକ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ପିପିଲି ନିର୍ବଚନୀ ମଣ୍ଡଳୀରେ ଡେଲାଙ୍ଗ ଅଞ୍ଚଳରେ ଆୟୋଜିତ ଏକ ସଭାରେ ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର। ପୁରୀ ଓଡ଼ିଶାରେ ନୁହେଁ କଲିକତାରେ ବୋଲି କୁଆଡ଼େ ଲୋକ ଭାବୁଥିଲେ। ଆଉ, ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଠିଆ ହେବା ପରେ ପୁରୀ ଓଡ଼ିଶାରେ ବୋଲି ଲୋକ ଜାଣିଥିଲେ ବୋଲି କହିଥିଲେ ଲେଖାଶ୍ରୀ। ବିଜେପି ପକ୍ଷରୁ ଚାଲିଥିବା ଏକ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଡାଃ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମ୍ବିତ ପାତ୍ରଙ୍କ ବାବଦରେ କହିବାକୁ ଯାଇ ମାତ୍ରାଧିକ ଚାଟୁକାରୀ କରି ଲେଖାଶ୍ରୀ କହିଥିଲେ, “ଅନେକ ଲୋକ ଅଛନ୍ତି, ଆମକୁ କହୁଛନ୍ତି ପୁରୀ କ୍ୟା କଲିକତା ମେ ହେ (ପୁରୀ କ’ଣ କଲିକତାରେ)। ସେମାନେ ଭାବୁଛନ୍ତି କି ପୁରୀ କଲିକତାରେ। ମୁଁ ତ’ ଭାବୁଛି ସମ୍ବିତ ଭାଇ ପୁରୀ ଲୋକସଭା ଆସନରୁ ଛିଡ଼ା ହେବାପରେ ବୋଧେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ ବୋଲି। ନ’ହେଲେ ଅଧେ ଲୋକ ଭାବୁଥିଲେ ଯେ ପୁରୀ କଲିକତାରେ। ଆଉ କଲିକତାକୁ ସେମାନେ ଗୋଟେ ରାଜ୍ୟ ବୋଲି ଭାବନ୍ତି। ପଶ୍ଚିମବଙ୍ଗ ନୁହେଁ, କଲିକତା। ପୁରୀ କଲିକତାରେ।” ଲେଖାଶ୍ରୀଙ୍କ ଏପରି ଏକ ଭାଷଣର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ନେଇ ବିଭିନ୍ନ ମହଲରୁ ଲେଖାଶ୍ରୀଙ୍କୁ ଭର୍ତ୍ସନା କରାଯାଉଛି। ଏପରିକି କେହି ଲେଖାଶ୍ରୀଙ୍କୁ କଳା ପାହାଡ଼ର ଭଉଣୀ ବୋଲି ମଧ୍ୟ କହିଲେଣି। ଏହା ପୁରୀ ଏବଂ ଜଗନ୍ନାଥଙ୍କ ଅପମାନ ବୋଲି କହି ଲେଖାଶ୍ରୀ ଭୁଲ୍ ମାଗନ୍ତୁ ବୋଲି ବିଭିନ୍ନ ମହଲରୁ ଦାବୀ ହେଉଛି।

ପିପିଲି ଉପ ନିର୍ବାଚନରେ ବିଜେପିକୁ ଭୋଗିବାକୁ ପଡ଼ିବ କି ପରିଣାମ –
ତେବେ, ଲେଖାଶ୍ରୀ ଭୁଲ୍ ମାନିବାକୁ ନାରାଜ। ତାଙ୍କ ନଜରରେ ସେ କିଛି ଭୁଲ୍ କହି ନାହାଁନ୍ତି। ବିରୋଧୀ ତାଙ୍କ ଉପରେ ଅସହ୍ୟ ହୋଇ ଅର୍ଥକୁ ଅନର୍ଥ କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ବୋଲି କହି ଓଲଟି ବିଭିନ୍ନ କଥା ଉପରେ ରାଜ୍ୟ ସରକାରଙ୍କୁ ଆକ୍ଷେପ କରୁଛନ୍ତି ଲେଖାଶ୍ରୀ। ଏହା ଲେଖାଶ୍ରୀଙ୍କ ଔଦ୍ଧତାମୀ ବୋଲି ଅନେକ କହୁଛନ୍ତି। ଆଗକୁ ପିପିଲି ଉପ- ନିର୍ବାଚନ ହେବାକୁ ଯାଉଛି। ଲେଖାଶ୍ରୀଙ୍କ ଏପରି ମନ୍ତବ୍ୟର ପରିଣାମ ପିପିଲି ଉପ- ନିର୍ବାଚନରେ ବିଜେପିକୁ ଭୋଗିବାକୁ ପଡ଼ିବ ବୋଲି କୁହାଯାଉଛି। ଲେଖାଶ୍ରୀଙ୍କ ଏପରି ମନ୍ତବ୍ୟ ତାଙ୍କୁ ସିନା ଚର୍ଚ୍ଚାକୁ ଆଣିଛି, କିନ୍ତୁ ତାହା ବିଜେପି ଏବଂ ବିଶେଷ କରି ସମ୍ବିତ ପାତ୍ରଙ୍କ ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ଲେଖାଶ୍ରୀ ଏବେ ବିଜେପି ପୁରୀ ଜିଲ୍ଲା ପ୍ରଭାରୀ ଅଛନ୍ତି। ଅର୍ଥାତ୍ ଆଗକୁ ହେବାକୁ ଥିବା ପିପିଲି ଉପ- ନିର୍ବାଚନରେ ଲେଖାଶ୍ରୀଙ୍କର ନିର୍ବାଚନ ପରିଚାଳନା ପରି ଗୁରୁଦାୟିତ୍ୱ ରହିବ। ଯାହା କି ବିଜେପି ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ଆକଳନ କରାଯାଉଛି। ପୁରୀକୁ ନେଇ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଉପୁଜିବା ପରେ ଅବଶ୍ୟ ସମ୍ବିତ ପାତ୍ର ଏ’ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରି, ଓଡ଼ିଶାର ପରିଚୟ ହେଉଛନ୍ତି ଜଗନ୍ନାଥ। ମୁଁ ଏକ ସାଧାରଣ ଘରର ପିଲା ମୋତେ କିଏ ଚିହ୍ନିଥିଲା, ମୁଁ ପୁରୀରୁ ହିଁ ପରିଚୟ ପାଇଛି ବୋଲି କହିଥିବା ବେଳେ, ଏଣେ କିନ୍ତୁ ଭୁଲ୍ କହିଥିବା ସତ୍ତ୍ୱେ ଭୁଲ୍ ନ’ମାଗି କିମ୍ବା ଭୁଲ୍ ସ୍ୱୀକାର ନକରି ଚୋର ମୁହଁ ଟାଣ ପରି ଯୁକ୍ତି କରି ଲେଖାଶ୍ରୀ ଓଲଟି ଅନ୍ୟକୁ ଦୋଷାରୋପ କରିବାକୁ ନେଇ କେବଳ ବିପକ୍ଷ ଦଳ ନୁହେଁ ସାଧାରଣରେ ମଧ୍ୟ ଅନେକ ନାପସନ୍ଦ କରୁଛନ୍ତି।

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଦଳରେ ଦ୍ବିମତ –
ଦଳ ଭିତରେ ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦ୍ବିମତ ରହିଥିବା ଜଣାପଡ଼ିଛି। ଦଳେ ବାସ୍ତବ ସ୍ଥିତିକୁ ବୁଝିପାରି ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନାପସନ୍ଦ କରୁଛନ୍ତି। ଏପରି ମନ୍ତବ୍ୟର ପ୍ରଭାବ ବିଜେପି ଉପରେ ବିଶେଷ କରି ଆଗକୁ ହେବାକୁ ଥିବା ପିପିଲି ଉପନିର୍ବାଚନ ଉପରେ ପଡ଼ିପାରେ ବୋଲି ଆକଳନ କରି ଲେଖାଶ୍ରୀ କ୍ଷମା ମାଗିଦେବା ଉଚିତ୍ ବୋଲି ଅନେକ ଭାବୁଛନ୍ତି। ସେହିପରି ଏପରି ଭୁଲ୍ କଥା ଉପରେ ଦଳ ତାଙ୍କୁ ସମର୍ଥନ ଦେବା ଉଚିତ ନୁହେଁ, ଯାହା ଦଳ ପାଇଁ କ୍ଷତିକାରକ ବୋଲି ସେମାନେ ଭାବୁଛନ୍ତି। ସେହିପରି ଦଳର ମଙ୍ଗଳ ପାଇଁ ଲେଖାଶ୍ରୀଙ୍କୁ ପିପିଲି ନିର୍ବାଚନ ଠାରୁ ସଂପୂର୍ଣ୍ଣ ଦୂରେଇ ରଖିବା ଏପରିକି ଆବଶ୍ୟକ ପଡ଼ିଲେ ପୁରୀ ପ୍ରଭାରୀ ଦାୟିତ୍ବରୁ ହଟାଇ ଦେବା ଉଚିତ୍ ବୋଲି ଅନେକଙ୍କ ମନରେ ଥିଲେ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଲକଧନ୍ଦା ଭିତରେ ଦଳୀୟ ଶୃଙ୍ଖଳା ନାମରେ ଏମାନଙ୍କ ସ୍ୱର ଚାପି ହୋଇଯାଉଛି। ଅପରପକ୍ଷରେ ଦଳ ପଛେ ଚୁଲିକୁ ଯାଉ, କିନ୍ତୁ ଚାଟୁକାରୀ କରି ଦଳ ଭିତରେ କିଛି ପଦ ପଦବୀ ଜାବୁଡ଼ି ଧରି ବସିଥିବା କିମ୍ବା ପଦପଦବୀ ଆଶାରେ ଥିବା କିଛି ନେତୃତ୍ୱ ଲେଖାଶ୍ରୀ କ’ଣ ଭୁଲ୍ କହିଦେଇଛନ୍ତି କି କହି ତାଙ୍କୁ ସମର୍ଥନ ଦେଉଛନ୍ତି।

କାହିଁକି ଏପରି କହିଲେ ଲେଖାଶ୍ରୀ –
ନିକଟରେ ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିଜେପିର ତୃଣମୂଳ ସଙ୍ଗଠନ ସ୍ତରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରାଯାଉଛି। ଏହି ଦୁଇ ନିର୍ବାଚନରେ ବିଫଳତା ପାଇଁ ଧର୍ମେନ୍ଦ୍ରଙ୍କୁ ନିଜ ଦଳ ଭିତରେ ତୃଣମୂଳ ସ୍ତରରୁ ପ୍ରବଳ ସମାଲୋଚନା କରାଯାଉଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରେ ବିଜେଡି ଜିତିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ବିଜେପି ପାର୍ଥି ସମ୍ବିତ ପାତ୍ର। ତେବେ ଏହାସହ ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ପୁରୀ ଏବଂ ବ୍ରହ୍ମଗିରୀରେ ବିଜେପି ବିଜୟ ଲାଭ କରିଥିବା ବେଳେ ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ଼ ଆଦି ଆସନ ଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ଭଲ ପ୍ରଦର୍ଶନ କରିଥିଲା ବିଜେପି। ବିଜେପିର ଏହି ଭଲ ପ୍ରଦର୍ଶନରେ ସମ୍ବିତ ପାତ୍ରଙ୍କ ଭୂମିକା ଅଧିକ ବୋଲି କୁହାଯାଏ। ଏବେ ହେବାକୁ ଥିବା ପିପିଲି ଉପନିର୍ବାଚନ ଦାୟିତ୍ୱ ସମ୍ବିତ ପାତ୍ରଙ୍କ ଉପରେ ରହିବ ବୋଲି ଜଣାପଡ଼ିଛି। ସେଥିପାଇଁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏବେଠୁ ଆସି ପ୍ରାକ୍ ନିର୍ବଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ସମ୍ବିତ। ଏମିତିରେ ପିପିଲି ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ସେହିପରି ସମ୍ବିତ ପାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ୱ ମିଳିବ, ନିର୍ବାଚନ ପରିଚାଳନା ପାଇଁ ଆସୁଥିବା ଟଙ୍କା କେବଳ କିଛି ଜଣଙ୍କ ଭିତରେ ଭିତରେ ସୀମିତ ନରହି ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ପାଖରେ ପହଞ୍ଚି ତାର ସଠିକ୍ ବିନିଯୋଗ ହୋଇପାରିବ। ସେହିପରି ସମ୍ବିତ ପାତ୍ର ଦାୟିତ୍ୱ ସମ୍ଭାଳିଲେ ରାଜ୍ୟ ବିଜେପିର ପ୍ରମୂଖ ନେତା ମାନଙ୍କୁ ଗୁରୁତ୍ୱ ଦିଆଯାଇ ପାରେ। ଏପରି ହେଲେ ସେମାନେ ସବୁ ନିର୍ବାଚନ ଜିତିବା ଉଦ୍ଦେଶ୍ୟରେ ପୂର୍ଣ୍ଣ ଉଦ୍ୟମ ମଧ୍ୟ କରିବେ। ଯାହା ହୁଏତ ବିଜେପିକୁ ଏକ ବଡ଼ ସଫଳତା ଦେଇପାରେ। ଆଉ ଏପରି ହୋଇଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମର୍ଯ୍ୟଦା ହାନି ହେବ। ତାଙ୍କର ଗୁରୁତ୍ୱ ଏବଂ ପ୍ରଭାବ ହ୍ରାସ ପାଇଯିବ। ତେଣୁ ଏପରି ନଘଟୁ ବୋଲି ଉଦ୍ଦେଶ୍ୟମୂଳକ ଭାବରେ ପ୍ରାୟୋଜିତ ଭାବରେ ଲେଖାଶ୍ରୀ ଏପରି ବିବାଦୀୟ ମନ୍ତବ୍ୟ ଦେଇଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। କହୁ କହୁ କହିଦେଇ ନାହାଁନ୍ତି। ଜାଣିଶୁଣି ଲେଖାଶ୍ରୀ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବୋଲି କୁହାଯାଉଛି। ଯାହାଦ୍ୱାରା ଉଭୟ ବିଜେପି ସମେତ ସମ୍ବିତ ପାତ୍ରଙ୍କ ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି ହେବ। ଏପରି ଚାଲ୍ ମନ୍ତ୍ରୀଙ୍କ ଇସାରାରେ କିମ୍ବା ନିଜ ଆଡୁ ଏପରି କରି ମନ୍ତ୍ରୀଙ୍କ ପ୍ରିୟ ଭାଜନ ହେବା ଉଦ୍ଦେଶ୍ୟରେ ଲେଖାଶ୍ରୀ ଏପରି କରିଥାଇ ପାରନ୍ତି ବୋଲି କୁହାଯାଉଛି। ଏମିତିରେ ଲେଖାଶ୍ରୀ ନିଜେ ମଧ୍ୟ ପିପିଲିରୁ ପାର୍ଥି ହେବା ନେଇ ତାଙ୍କ ମନରେ ଏକ ଇଚ୍ଛା ଥିବା କୁହାଯାଏ। ତେବେ ସେ ଯାହା ହେଉ, କିନ୍ତୁ ଏପରି ଅଭିଯୋଗ ଯଦି ସତ ହୋଇଥାଏ ତେବେ ତାହା ବିଜେପି ପାଇଁ ନିଶ୍ଚିତ ସାଙ୍ଘାତିକ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.