Home Top News ଘାତକ ଚାଟୁକାରୀ: ଧର୍ମେନ୍ଦ୍ର V/s ଅପରାଜିତା ବିବାଦ: ବେଇଜତ୍ ହେଲେ ସଙ୍ଗୀତା

ଘାତକ ଚାଟୁକାରୀ: ଧର୍ମେନ୍ଦ୍ର V/s ଅପରାଜିତା ବିବାଦ: ବେଇଜତ୍ ହେଲେ ସଙ୍ଗୀତା

266

ଭୁବନେଶ୍ୱର: କୁହାଯାଏ ସମାଲୋଚକ ବା ନିନ୍ଦୁକ ଠାରୁ ଅଧିକ ଭୟଙ୍କର ହୋଇ ଥାଆନ୍ତି ଚାଟୁକାର ବା ତୋଷାମଦକାର। ନିନ୍ଦୁକ ହେଲେ ପଛପଟୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ବିକଳ ହୋଇପଡ଼େ। କିନ୍ତୁ, ତୋଷାମଦକାରୀ ସମ୍ମୁଖରୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ନିଜର ଚେତନା ହରାଇ ବସେ। ଚାପୁଲୁସି ଓଡ଼ିଶା ବିଜେପିର ବିଫଳତାର ପ୍ରମୂଖ କାରଣ ବୋଲି କୁହାଯାଏ। ଚାଟୁକାରୀ ବା ଚାପୁଲୁସି ଓଡ଼ିଶା ବିଜେପିକୁ ଭୟଙ୍କର ଭାବରେ ଗ୍ରାସ କରିଯାଇଛି। ଆଉ ଓଡ଼ିଶା ବିଜେପିରେ ଚାଲିଥିବା ଏହି ଚାଟୁକାରୀ ବା ଚାପୁଲୁସିର ଜନକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କୁହାଯାଏ। ଯୋଗ୍ୟତା ନଥାଇ କେବଳ ଚାଟୁକାରୀ କରି ପଦପଦବୀ ମାଡ଼ି ବସିଥିବା ଏହି ଚାଟୁକାର ଗୋଷ୍ଠୀଙ୍କ ପାଇଁ ଓଡ଼ିଶାରେ ବିଜେପି ଶାସନ କ୍ଷମତାକୁ ଆସିବା ବଡ଼ କଥା ନୁହେଁ, ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବା ବଡ଼ କଥା। ଯେପରି ଏକ ଢେଗ ଅଛି, “ମୂଳରୁ ମାଇପ ନାହିଁ ନାଁ ପୁଅ ନାଁ ଗୋପାଳିଆ”। ଧର୍ମେନ୍ଦ୍ର ପ୍ରଧାନଙ୍କର ଏମାନେ ଏପରି ଚାଟୁକାରୀ କରନ୍ତି ଯେ ତାଙ୍କୁ ବାସ୍ତବରେ ତଳେ ପକାଇ ଦିଅନ୍ତି। ଲୋକହସାର ପାତ୍ର କରାଇ ଦିଅନ୍ତି। ନୂଆ ଓଡ଼ିଶାର ଧର୍ମପଦ ଧର୍ମେନ୍ଦ୍ର କହି ଭିଡ଼ି ଟାଣି ସବୁ କଥାରେ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦିଅନ୍ତି। କିଏ କେଉଁଠି ଜଣେ ଓଡ଼ିଆ ରାଜ୍ୟପାଳ ହୋଇଗଲେ ତାହା ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ହେଲା କହି ଡେଙ୍ଗୁରା ପିଟନ୍ତି। ଏମାନେ ଧର୍ମେନ୍ଦ୍ରଙ୍କ ଏପରି ଚାପୁଲୁସି କରନ୍ତି ଯେ ହୁଏତ କେବେ ଚନ୍ଦ୍ରାୟନର ସଫଳ ଯାତ୍ରା ହୋଇଗଲେ ତାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁଁ ସମ୍ଭବ ହେଲା ବୋଲି କହିପାରନ୍ତି। ବାସ୍ତବରେ ଏମାନେ ଧର୍ମେନ୍ଦ୍ର ପ୍ରଧାନଙ୍କର ଭଲ ଯେତିକି ଚାହାଁନ୍ତି ନାହିଁ ବରଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ଭଲେଇ ହେବା ପାଇଁ ଅଧିକ ଚାହାଁନ୍ତି। ଏମାନେ ସବୁ ଏପରି କିଛି କରି ବସନ୍ତି ଯେ ଅଯଥାଟାରେ ଧର୍ମେନ୍ଦ୍ରଙ୍କ ଶତୃ ସୃଷ୍ଟି କରି ପକାନ୍ତି। ଏହିପରି କେତେ ଜଣଙ୍କ ଯୋଗୁଁ ଧର୍ମେନ୍ଦ୍ରଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଲୋକ କ୍ରମଶଃ ଧର୍ମେନ୍ଦ୍ରଙ୍କୁ ନାପସନ୍ଦ କରିବା ଆରମ୍ଭ କରିଦିଅନ୍ତି। ବାସ୍ତବରେ ଏହିମାନେ ସବୁ ଧର୍ମେନ୍ଦ୍ରଙ୍କ ପାଇଁ ଘାତକ ଅଟନ୍ତି। ଏବେ ଏହିପରି ଏକ ଚାଟୁକାରୀ, ଚାପୁଲୁସିର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଅବଶ୍ୟ ଏଠି ଧର୍ମେନ୍ଦ୍ର ନୁହେଁ ତା’ର ଶୀକାର ହୋଇଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ। ଉଭୟ ସଙ୍ଗୀତା ସିଂହଦେଓ ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତି ବିଜେପି ଦଳ ଭିତରେ ଏକ ସ୍ୱତନ୍ତ୍ର ଶ୍ରଦ୍ଧା, ସମ୍ମାନ ଏବଂ ଗୁରୁତ୍ୱ ରହିଛି। ଉଭୟଙ୍କୁ ଦଳ ଭିତରେ ଖୁବ୍ ଖାତିର ମଧ୍ୟ କରାଯାଏ। କିନ୍ତୁ, ଆଜି ସେହି ଚାଟୁକାରୀର ଶୀକାର ହୋଇଛନ୍ତି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ।

ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲି ଆସିଥିବା ଶୀତଳ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚି ସାରିଛି। ଦଳ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଉଭୟଙ୍କ ସମର୍ଥକ ନିଜ ନିଜ ନେତୃତ୍ୱଙ୍କୁ ଶ୍ରେଷ୍ଠ ଭାବରେ ଦେଖାଇବାକୁ ଚଲାଇଛନ୍ତି ନିରନ୍ତର ଉଦ୍ୟମ। ସୋସିଆଲ୍ ମିଡିଆରେ ଉଭୟଙ୍କ ସମର୍ଥକ ମାନଙ୍କ ମଧ୍ଯରେ ଚାଲିଛି ଯୁଦ୍ଧ। ତେବେ ଭୁବନେଶ୍ୱର ଜିଲ୍ଲାର ଜଣେ ଧର୍ମେନ୍ଦ୍ରଙ୍କ ସମର୍ଥକ ସୁଶାନ୍ତ ସାବତ ଅପରାଜିତା ଷଡ଼ଙ୍ଗୀଙ୍କୁ ପରୋକ୍ଷରେ ନିଚା ଦେଖାଇବାକୁ ଏପରି ଏକ ପୋଷ୍ଟ୍ କରିଛନ୍ତି, ଯାହାକୁ ନେଇ ତେଣେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ହୋଇଛନ୍ତି ବଦନାମ୍। ସୁଶାନ୍ତ ସାବତ ପୂର୍ବରୁ ଥିଲେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ। ଜିଲ୍ଲା ସଭାପତି ଥିଲେ ହରେକୃଷ୍ଣ ଖୁଣ୍ଟିଆ। ମନ୍ତ୍ରୀଙ୍କ ପାଖଲୋକ ବୋଲି ଏମାନଙ୍କର ଥିଲା ଅଖଣ୍ଡ ପ୍ରଭାବ। ହରି ଖୁଣ୍ଟିଆ ଜଣେ ଜିଲ୍ଲା ସଭାପତି ହୋଇ ମଧ୍ୟ ରାଜ୍ୟ ସ୍ତରର ନେତାଙ୍କ ପାଖରେ ତାଙ୍କର ଥିଲା ତାଙ୍କର ଖୁବ୍ ଖାତିର। କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କର ଚାଟୁକାରୀ କରି ଏମାନଙ୍କର ଏକ ଗୋଷ୍ଠୀ ଭୁବନେଶ୍ୱରରେ ଚଲାଇ ଥିଲେ ନିଜର ମନମାନୀ। ମନ ଇଚ୍ଛା ଯାହାକୁ ଯେତେବେଳେ ପାରୁଥିଲେ ରାତି ଅଧିଆ ପଦପଦବୀରୁ ହଟାଇ ଦେଉଥିଲେ ଆଉ ଯାହାକୁ ଚାହୁଁଥିଲେ ରାତିଅଧିଆ ପଦପଦବୀରେ ବସାଇ ଦେଉଥିଲେ। କହିବାକୁ କେହି ନଥିଲା। ତେବେ, ଏ’ ଭିତରେ ଆସିଗଲେ ଅପରାଜିତା ଷଡ଼ଙ୍ଗୀ। ସବୁ କିଛି ଓଲଟପାଲଟ ହୋଇଗଲା। ଯାହା କେବେ ଆଶା କରାଯାଉ ନଥିଲା ତାହା ଘଟିଗଲା। ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ଇଙ୍ଗିତରେ ଓଡ଼ିଶା ବିଜେପିରେ ପତ୍ରଟିଏ ହଲେନି, ସେହି ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ ହରି ଖୁଣ୍ଟିଆଙ୍କ ଉପରେ ପଡ଼ିଲା ଚଡ଼କ। ସତ ଚେଷ୍ଟା କରି ମଧ୍ୟ ସେ ପୁନର୍ବାର ହୋଇ ପାରିଲେ ନାହିଁ ଭୁବନେଶ୍ୱର ଜିଲ୍ଲା ସଭାପତି। ମନ୍ତ୍ରୀ ମଧ୍ୟ କିଛି କରିପାରିଲେ ନାହିଁ ତାଙ୍କର ଏହି ଖାସ୍ ଅନୁଗତ ହରି ଖୁଣ୍ଟିଆଙ୍କ ପାଇଁ। ଏପରିକି ଅପରାଜିତା ଷଡ଼ଙ୍ଗୀଙ୍କ ଖାସ୍ ଅନୁଗତ ଦେବାଶିଷ ନାୟକ ଏବଂ ହରି ଖୁଣ୍ଟିଆଙ୍କ ମଧ୍ୟରେ ହେଲା ଗଣ୍ଡଗୋଳ। ଲୋକ ଲଗାଇ ହରି ଖୁଣ୍ଟିଆଙ୍କ ଅଫିସରେ ପସି ତାଙ୍କୁ ମାଡ଼ ମାରି ଗୋଡ଼ ଭାଙ୍ଗିଦିଆ ଗଲା ବୋଲି ଅଭିଯୋଗ ହେଲା। କଥା ଯାଇ ଥାନାରେ ପହଞ୍ଚିଲା। ନିଜେ କିଛି କରି ପାରିଲେ ନାହିଁ ହରି ଖୁଣ୍ଟିଆ, କି ତାଙ୍କ ପାଇଁ କିଛି କରି ପାରିଲେ ନାହିଁ ଧର୍ମେନ୍ଦ୍ର ପ୍ରଧାନ। ଯାହା କେବେ ଘଟି ନଥିଲା ଓଡ଼ିଶା ବିଜେପିରେ ତାହା ଘଟିଗଲା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଗୋଷ୍ଠୀଙ୍କୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ଏ’ ନେଇ ଜିଲ୍ଲା ସଭାପତି ଥିବା ବେଳେ ହରି ଖୁଣ୍ଟିଆଙ୍କ ଲେଟର୍ ପ୍ୟାଡରେ ସୁଶାନ୍ତ ସାବତ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ଲେଖିଥିଲେ ଚିଠି। ଯାହା ସେତେବେଳେ ହୋଇଥିଲା ଖୁବ୍ ଭାଇରାଲ୍। କିନ୍ତୁ, କିଛି ମିଳିଲାନି ଫଳ। ଏହାପର ଠାରୁ କେତେବେଳେ ସିଧାସଳଖ ତ’ କେତେବେଳେ ପରୋକ୍ଷରେ ଅପରାଜିତାଙ୍କୁ ଆକ୍ଷେପ କରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲେଖି ଆସୁଛନ୍ତି ସୁଶାନ୍ତ ସାବତ ଏବଂ ସେହି ଗୋଷ୍ଠୀ।

ଏବେ ଅପରାଜିତାଙ୍କ ବଢ଼ୁଥିବା ଲୋକପ୍ରିୟତା ଏବଂ ତାଙ୍କୁ ଯେ କାହିଁକି ଜଣେ ଲୋକପ୍ରିୟ ସାଂସଦ ଭାବରେ ଉପସ୍ଥାପନ କରାଯିବାକୁ ସହ୍ୟ କରି ନପାରି ପରୋକ୍ଷରେ ଅପରାଜିତାଙ୍କୁ ନୀଚା ଦେଖାଇବା ପାଇଁ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ପ୍ରଶଂସା କରି ତାଙ୍କ ଫଟୋ ସହ ସୋସିଆଲ୍ ମିଡିଆରେ ସୁଶାନ୍ତ ସାବତ ଲେଖିଲେ, “ଇଏ ବି ଜଣେ ବିଜେପିର ସାଂସଦ। ମାନନୀୟା ଶ୍ରୀମତୀ ସଙ୍ଗୀତା ସିଂହଦେଓ ହେଉଛନ୍ତି ଓଡ଼ିଶା ପ୍ରଦେଶର ଜଣେ ବରିଷ୍ଠ ସୁନାମଧନ୍ୟା ସାଂସଦ, ଯିଏ ସବୁବେଳେ ଦଳୀୟ ନୀତି ଆଦର୍ଶକୁ ସମ୍ମାନ ଜଣେଇ ନିଜର ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦୈନନ୍ଦିନ କାର୍ଯ୍ୟ କରିଥାଆନ୍ତି। କିନ୍ତୁ କେବେ ବି ନିଜର ଆତ୍ମପ୍ରଚାର କି ସ୍ୱାର୍ଥ ହାସଲ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତା କି ନିଜ ଅଞ୍ଚଳର ଜନତାଙ୍କୁ ନିଜ ପାଖରୁ ଦୁରେଇ ରଖିନାହାଁନ୍ତି। ତିଳେ ମାତ୍ର ଅହଙ୍କାର କି ଗର୍ବ କେବେ ବି ତାଙ୍କ ପାଖ ଛୁଇଁନାହିଁ। ଦଳର ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ଆଦି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିଜର କରି ଦଳୀୟ ଶୃଙ୍ଖଳା ଭିତରେ ରହି ଦଳର ମାନ ବଢ଼େଇଛନ୍ତି। କେବେ ବି ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୁବକ ସଂଘ, ମହିଳା ସମିତିକୁ ପ୍ରାଧାନ୍ୟ ଦେଇ ଦଳୀୟ ସଙ୍ଗଠନକୁ ନୀଚ ଦେଖେଇବାର ପ୍ରୟାସ କରି ନାହାଁନ୍ତି। ଯେତେବେଳେ ଦଳର ଯାହା କାମ ମିଳିଛି ସବୁକିଛି କାର୍ଯ୍ୟକୁ ନିଷ୍ଠାର ସହିତ ଆତ୍ମବିଶ୍ବାସର ସହିତ ସମ୍ପାଦନ କରି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦଳର ସମସ୍ତ ନେତୃତ୍ୱ, ସାନବଡ଼ କାର୍ଯ୍ୟକର୍ତ୍ତା ଏବଂ ଦଳୀୟ ବିଚାରକୁ ସମ୍ମାନ ଜଣାଇ ରାଜ୍ୟ ବିଜେପିରେ କାମ କରୁଛନ୍ତି। ଆମ ପାଇଁ ସେ ସବୁବେଳେ ପ୍ରେରଣାଦାୟୀ ଓ ନମସ୍ୟ ହୋଇ ରହିଛନ୍ତି ଆମ ମନ, ହୃଦୟ ଭିତରେ। ପ୍ରଭୁ ଜଗନ୍ନାଥ ସବୁବେଳେ ଶ୍ରୀମତୀ ସଙ୍ଗୀତା ସିଂହଦେଓଙ୍କର ଚଲାପଥକୁ କୁସୁମିତ କରୁ ଥାଆନ୍ତୁ, ମୋର ହାର୍ଦ୍ଦିକ ପ୍ରାର୍ଥନା। ଆମେ ସବୁବେଳେ ତାଙ୍କ ପ୍ରେରଣା ଓ ଆଦର୍ଶକୁ ଅନୁସରଣ କରି ଆଗକୁ ବଢ଼ିବା ଏବଂ ବିଜେପିକୁ ସାରା ଓଡ଼ିଶାରେ ପ୍ରତିଟି ଘରେ ଘରେ ଆଦୃତ କରେଇବା ସଙ୍ଗେ ସଙ୍ଗେ ବିଜେପିର ରାଷ୍ଟ୍ର ନିର୍ମାଣ ତଥା ଅଖଣ୍ଡ ଭାରତ ଗଠନର ମୂଳ ମନ୍ତ୍ରକୁ ସଫଳ କରେଇବା। ଜୟ ମା’ ଭାରତୀ।

ତେବେ, ସୁଶାନ୍ତ ସାବତଙ୍କର ଏହି ପୋଷ୍ଟ୍ ଉପରେ ଆସିଛି ଅନେକ ଗୁଡ଼ିଏ ପ୍ରତିକ୍ରିୟା। ଏକରେ ତ’ ପରୋକ୍ଷରେ ଅପରାଜିତାଙ୍କୁ ଆକ୍ଷେପ କରିବା ପାଇଁ ସଙ୍ଗୀତା ସିଂହଦେଓଙ୍କୁ ବ୍ୟବହାର କରି ଏପରି ପୋଷ୍ଟ୍ କରି ସେ ଅଯଥାଟାରେ ସଙ୍ଗୀତା ସିଂହଦେଓଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଭୁବନେଶ୍ୱର ଅଞ୍ଚଳର ଅପରାଜିତାଙ୍କ ସମର୍ଥକ ଗୋଷ୍ଠୀଙ୍କ ଭିତରେ ସଙ୍ଗୀତାଙ୍କ ପ୍ରତି ଏକ ବିରୋଧାଭାସ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଦୂତୀୟରେ ସଙ୍ଗୀତା ସିଂହଦେଓ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ସେପରି କିଛି ଅସୂୟା ଭାବ ଥିଲା ପରି ଅନୁଭବ ହୁଏ ନାହିଁ। କିନ୍ତୁ, ଉଭୟଙ୍କ ମଧ୍ୟରେ ଏକ ଅସହିଷ୍ଣୁ ଭାବ ତିଆରି କରିବାକୁ ସୁଶାନ୍ତ ଚେଷ୍ଟା କରିଛନ୍ତି। ସେହିପରି ପ୍ରତ୍ୟେକ ରାଜନୈତିକ ଲୋକର କିଛି ସକାରାତ୍ମକ କଥା ସହିତ କିଛି ନକରାତ୍ମକ କଥା ମଧ୍ୟ ରହିଥାଏ। ସଙ୍ଗୀତା ସିଂହଦେଓଙ୍କର ରହିଥିବା ନକରାତ୍ମକ ଦିଗ କଥା ଗୁଡ଼ିକ ଯାହା ହୁଏତ କେବଳ ତାଙ୍କ ସଂସଦୀୟ କ୍ଷେତ୍ର ଲୋକ ଜାଣିଥିଲେ, ଆଜି ତାକୁ ସାରା ଓଡ଼ିଶାକୁ ଜଣାଇଦେଲେ ସୁଶାନ୍ତ ସାବତ। ସୁଶାନ୍ତ ସାବତଙ୍କ ପୋଷ୍ଟ୍ ଉପରେ ସଙ୍ଗୀତାଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ତାଙ୍କ ସଂସଦୀୟ କ୍ଷେତ୍ରର ଲୋକ ମନ୍ତବ୍ୟ ଦେଲେ। ଯେପରିକି, ସାଂସଦଙ୍କ ଦବଙ୍ଗଗିରି, ସାମ୍ବାଦିକଙ୍କୁ ନନସେନ୍ସ କହିଲେ ସଙ୍ଗୀତା ସିଂହଦେଓ। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରି କ୍ୟାମେରା, ମୋବାଇଲ୍ ଛଡ଼ାଇ ନେଲେ। ଉଠା ଯାଇଥିବା ଫଟୋ ଡିଲିଟ୍ କରିବା ପରେ ଫେରାଇଲେ। କେସ୍ ଠୁଙ୍କି ଦେବି ବୋଲି କହିଲେ। ସୁଶାନ୍ତ ସାବତଙ୍କ ପୋଷ୍ଟ୍ ଉପରେ ଏହିପରି ଏକ ଖବର ପ୍ରକାଶିତ ହୋଇଥିବା ଖବରକାଗଜର କର୍ଟ ପୋଷ୍ଟ୍ କରାଗଲା। ତାହା ଥିଲା ବଲାଙ୍ଗୀର ସଂସ୍କରଣ ଖବରକାଗଜ। ପ୍ରକାଶିତ ଖବରଟିକୁ ହୁଏତ ସେହି ଅଞ୍ଚଳ ଲୋକ ଦେଖିଥିଲେ ବା ପଢ଼ିଥିଲେ। କିନ୍ତୁ ସୁଶାନ୍ତଙ୍କ ଯୋଗୁଁ ଏବେ ଏହି କଥା ସାରା ଓଡ଼ିଶା ଜାଣିଗଲା। ସେହିପରି ଯେଉଁ କଥାକୁ ନେଇ ଅପରାଜିତାଙ୍କୁ ପରୋକ୍ଷରେ ସମାଲୋଚନା କରି ସଙ୍ଗୀତାକୁ ପ୍ରଶଂସା କରି ସୁଶାନ୍ତ ଲେଖିଥିଲେ, ତାର ବି ଉତ୍ତର ମିଳିଲା ସେହି ପୋଷ୍ଟ୍ ଉପରେ। ପ୍ରବୀଣ ମହାକୁର ନାମକ ଜଣେ ବିଜେପି ସମର୍ଥକ ସୁଶାନ୍ତ ସାବତଙ୍କ ତେଲମରା ନୀତିକୁ ନେଇ ଲେଖିଲେ, “ଆଜ୍ଞା ଟିକିଏ ବଲାଙ୍ଗୀର ଜିଲ୍ଲାକୁ ଆସନ୍ତୁ, ବୁଝନ୍ତୁ ତା’ପରେ ତେଲ ଫୁଲ ଯାହା ମାରିବେ ଚଳିବ। ମେଣ୍ଟ ଦୟାରୁ ଥରେ ଅଟଳ ବିହାରୀଙ୍କ ଧର୍ମରୁ ପୁଣି ଏବେ ନରେନ୍ଦ୍ର ମୋଦିଙ୍କ ଧର୍ମରୁ ସାଂସଦ ହୋଇଥିବା ମାଡାମ ଓ ଲଗାତାର ମନ୍ତ୍ରୀ ହୋଇଥିବା ତାଙ୍କର ସ୍ୱାମୀଙ୍କୁ ଛାଡ଼ିଦେଲେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଆଉ କେହି ଜଣେ ବି ବିଧାୟକ ହୋଇ ପାରିଲେ ନାହିଁ। ଅନବରତ ଭାବେ କେବଳ ସ୍ୱାମୀ ସ୍ତ୍ରୀ ଦୀର୍ଘ ୩୦ ବର୍ଷ ଧରି ପ୍ରତିଭା ହତ୍ୟା କରି ଚାଲିଛନ୍ତି। ପ୍ରଥମେ ଲଳିତ ନାଏକ, ଗୁରୁମିତ ସିଂ, ପ୍ରେମରାଜ ସିଂ ହଂସପାଳ, ସାନ୍ତାନୁ ନାଏକ, ଗିରିସ ପୁରୋହିତ, ସୁଧୀର ପରିଚ୍ଛା, ଅଶୋକ ରଥ, ଅଜୟ ଦାସ, ପ୍ରଭାସ ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀଙ୍କ ଠାରୁ ଆରମ୍ଭ କରି କେତେ ନେତା ବଲାଙ୍ଗୀର ମାଟିର ପୁଣି, ପାଟଣାଗଡ଼ର ଡାକ୍ତର ଓଁ ପ୍ରକାଶ ଯୋଶୀ, ବିକ୍ରମ ପାଣିଗ୍ରାହୀ, ସୁନୀଲ ଗୋୟଲ, ପୂର୍ବତନ ଚେଆରମେନ ଗୋପବନ୍ଧୁ ମେହେର, କଣ୍ଟାବାଞ୍ଜି, ଲୋଇସିଙ୍ଘା, ଟିଟିଲାଗଡ଼ ଇତ୍ୟାଦି ମାଟିର ସହ ସହ ନେତାଙ୍କୁ ଦୁର୍ବ୍ୟବହାର କରି ବିଜେପିରୁ ବିତାଡ଼ିତ କରିଛନ୍ତି। ସବୁ ନିର୍ବାଚନରେ ବିଧାୟକ ଟିକଟ ବିକ୍ରି କରିବା ଓ ଥରେ ଟିକଟ ଦେଇ ପୁଣି ଆଗାମୀ ନିର୍ବାଚନରେ ତାକୁ ଟିକଟ ନଦେଇ ହୁଡାକୁଦା କରିବା ଏବଂ ଏ ୟୁ ସିଂହଦେଓ ଓ ନରସିଂହ ମିଶ୍ରଙ୍କ ସାଙ୍ଗରେ ଫିକ୍ସିଂ କରି କେବଳ ପାଟଣାଗଡ଼ ଓ ଏମପି ଜିତି ବାକି ସମସ୍ତଙ୍କୁ ହରାଇଦେବା ୟାଙ୍କର ପୁରୁଣା ଅଭ୍ୟା। ବିଜେପିରେ ରହି ବିଜେପିକୁ ଦୁର୍ବଳ କରି ରଖିବା ଓ ଯେତିକି ନୂଆ ନେତା ବାହାରିବେ ସେମାନଙ୍କୁ ରାଜନୈତିକ ହତ୍ୟା କରିବା ଏମାନଙ୍କ କାମ। ଦୀର୍ଘ ୩୦ ବର୍ଷ କ୍ଷମତାରେ ପତି ଓ ପତ୍ନୀ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦି ବଲାଙ୍ଗୀର ଓ ସୋନପୁରରେ ଦୁଇଟି ସଭା କଲେ, ଅମିତ ଶାହାଙ୍କ ବଲାଙ୍ଗୀର ସଭା, କେନ୍ଦ୍ରମନ୍ତ୍ରୀ ରାମକୃପାଳ ଯାଦବଙ୍କ ସଭା ପରେ ମଧ୍ୟ ୭ ବିଧାୟକ ସିଟ ମଧ୍ୟରୁ ନିଜେ କେଭି ସିଂ ହାରିଗଲେ ଓ ଅନ୍ୟ ପାଞ୍ଚଟି ସିଟ ମଧ୍ୟ ହାରିଯିବା ଅର୍ଥ କଣ। ଟିକଟ ବିକ୍ରି କରି ବ୍ୟବସାୟ କରନ୍ତି ଏମାନେ ଓ ନୂଆ ପ୍ରତିଭାକୁ ସହନ୍ତି ନାହିଁ। ଏବଂ ଦୁଃଖର କଥା ହେଲା ଏମାନଙ୍କୁ ଏହି ଅସାମାଜିକ କାର୍ଯ୍ୟରେ ବିଜେପିର ସମସ୍ତ ରାଜ୍ୟର ନେତା ନୀରବ ସମର୍ଥନ କରନ୍ତି। ଯଦି ଜାଣିନାହାନ୍ତି ଜାଣନ୍ତୁ, ବୁଝନ୍ତୁ, ଗବେଷଣା କରନ୍ତୁ ଓ ଲେଖନ୍ତୁ। ନହେଲେ ଏଠାକାର ହଜାର ହଜାର ନୀରିହ ଗରୀବ କାର୍ଯ୍ୟକର୍ତା ମାନଙ୍କ ନିଶ୍ୱାସ ପଡ଼ିଯିବ ଆଜ୍ଞା।” ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଛି ତ’ ବିବାଦ। ଏଥିରେ କିଏ କାହାକୁ ସମର୍ଥନ କଲା, କିଏ କାହାକୁ ବିରୋଧ କଲା ତାହା ଭିନ୍ନ କଥା। କିନ୍ତୁ, ଏଥିରେ ଭଲା ସଙ୍ଗୀତା ସିଂହଦେଓଙ୍କର ବା ଯା’ ଆସ କଣ। କିନ୍ତୁ, ଅପରାଜିତାଙ୍କୁ ବିରୋଧ କରିବା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ଭଲେଇ ହବା ପାଇଁ ଏଥିରେ ସଙ୍ଗୀତା ସିଂହଦେଓଙ୍କୁ ଭିଡ଼ିଟାଣି ତାଙ୍କ ଚାପୁଲୁସି କରିବାର ଅବା କି ଆବଶ୍ୟକତା ଥିଲା। ଅଯଥାଟାରେ ସିନା, ସଙ୍ଗୀତା ସିଂହଦେଓଙ୍କ ଚାଟୁକାରୀ କରି ଓଲଟି ତାଙ୍କ ନାଁ ତଳେ ପକାଇ ଦିଆଗଲା। ସେଥିପାଇଁ ତ’ କୁହାଯାଏ ସମାଲୋଚକ ବା ନିନ୍ଦୁକ ଠାରୁ ଅଧିକ ଭୟଙ୍କର ହୋଇ ଥାଆନ୍ତି ଚାଟୁକାର ବା ତୋଷାମଦକାର। ନିନ୍ଦୁକ ହେଲେ ପଛପଟୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ବିକଳ ହୋଇପଡ଼େ। କିନ୍ତୁ, ତୋଷାମଦକାରୀ ସମ୍ମୁଖରୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ନିଜର ଚେତନା ହରାଇ ବସେ।
“ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି ସହଜେ ଚିହ୍ନା ନ’ ଯାଏ,
ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.