Home Top News ଧର୍ମେନ୍ଦ୍ର ଭଲ; କିନ୍ତୁ ବିଜେପି ଗୋଟେ ଦେଶଦ୍ରୋହୀ ଦଳ! ଉତ୍ତର ରଖିବେ କି ଧର୍ମେନ୍ଦ୍ର, ବିଜେପି...

ଧର୍ମେନ୍ଦ୍ର ଭଲ; କିନ୍ତୁ ବିଜେପି ଗୋଟେ ଦେଶଦ୍ରୋହୀ ଦଳ! ଉତ୍ତର ରଖିବେ କି ଧର୍ମେନ୍ଦ୍ର, ବିଜେପି ଆଉ କଂଗ୍ରେସ ?

144

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ (ସୁର ରାଉତରାୟ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବାର ଅନେକ ଥର ଦେଖାଯାଇଛି। ତେଲ ମାରୁନି ବୋଲି ନିଜକୁ ନିଜେ କହି, ତେଣେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେଲ ମାରି ତେଲରେ ପୂରା ଗାଧୋଇ ଦେଇ ପ୍ରଶଂସାରେ ପୋତି ପକାନ୍ତି ସୁର ରାଉତରାୟ। ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୁର ରାଉତରାୟଙ୍କୁ ପ୍ରଶଂସା କରୁଥିବାର ଦେଖାଯାଏ। ନିକଟରେ ଭୁବନେଶ୍ୱର, ବିନ୍ଦୁସାଗର କାର୍ଯ୍ୟକ୍ରମରେ ମଧ୍ୟ ଧର୍ମେନ୍ଦ୍ର ସୁର ରାଉତରାୟଙ୍କ ପ୍ରଶଂସା କରିଥିଲେ। ତେବେ ଏହି ପ୍ରଶଂସା କରିବାର ତ’ ଏକ ଭିନ୍ନ କାରଣ ରହିଛି ଯାହା ଆମେ ପରେ ଆଲୋଚନା କରିବା। ଏଠି କିନ୍ତୁ ପ୍ରସଙ୍ଗ ହେଲା ସୁର ରାଉତରାୟ ଧର୍ମେନ୍ଦ୍ରଙ୍କୁ ଯେତିକି ପ୍ରଶଂସାରେ ପୋତି ପକାନ୍ତି, ସେହି ପରିମାଣରେ ସେ ବିଜେପି, ମୋଦି ଏବଂ ଶାହାଙ୍କୁ ତୀବ୍ର ସମାଲୋଚନା କରି କଟାକ୍ଷ କରନ୍ତି। ମୋଦିଙ୍କ ପ୍ରତ୍ୟେକ ପଦକ୍ଷେପକୁ ନିନ୍ଦା କରନ୍ତି। ନିକଟରେ ଧର୍ମେନ୍ଦ୍ର ପ୍ରଧାନ କରନା ପଜେଟିଭରୁ ଶୀଘ୍ର ସୁସ୍ଥ ହେବେ ବୋଲି କାମନା କରିବା ସହ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଶାହାଙ୍କ ପଛରେ ଗୋଡ଼ାଇ ଧର୍ମେନ୍ଦ୍ରଙ୍କୁ କରୋନା ହୋଇଗଲା ବୋଲି କହିଥିଲେ ସୁର ରାଉତରାୟ। ବିଜେପି, ମୋଦି ଏବଂ ଶାହାଙ୍କ ବାବଦରେ କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା ସହ ତୁ, ତା’ କରି କଥା କଥାକେ ହା, ଥୁ .. କହି ଛେପ ପକାନ୍ତି ସୁର। ଆଉ ସେହି ଅପମାନକୁ ଢୋକି ଦିଅନ୍ତି ଓଡ଼ିଶା ବିଜେପି ନେତୃତ୍ୱ!

ଧର୍ମେନ୍ଦ୍ର ମାନେ ବିଜେପି, ବିଜେପି ମାନେ ଧର୍ମେନ୍ଦ୍ର –
ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାରୀ କରିବା ଉଦ୍ଦେଶ୍ୟରେ ଦଳ ଭିତରେ ଏକ ଚାଟୁକାର ମୋର୍ଚ୍ଚା ଅଛନ୍ତି। ଯେଉଁମାନେ ବିଜେପି ଆଜି ବିରୋଧୀ ଦଳ ଭୂମିକାକୁ ଆସିବା ଠାରୁ ଆରମ୍ଭ କରି ଯେତେସବୁ ସାଂସଦ ଏବଂ ବିଧାୟକ ଜିତିବା ଆଦିର ସବୁ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦିଅନ୍ତି। ଏମାନେ ଓଡ଼ିଶାରୁ କିଏ ରାଜ୍ୟପାଳ ହେଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦିଅନ୍ତି। ଏମାନେ ଏପରି ଚାଟୁକାରୀ କରନ୍ତି ଯେ ହୁଏତ କେବେ ଚନ୍ଦ୍ରାୟନର ସଫଳ ଯାତ୍ରା ହେଲେ ତା’ର ଶ୍ରେୟ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇପାରନ୍ତି! ମାତ୍ରାଧିକ ଚାଟୁକାରୀ କରି ବାସ୍ତବରେ ଏମାନେ ନିଜେ ତ’ ଲୋକହସା ହୁଅନ୍ତି, ସାଙ୍ଗରେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଲୋକହସାର ପାତ୍ର କରାଇ ଦିଅନ୍ତି। ମୋଦି ଓଡ଼ିଶାକୁ କେତେ ଟଙ୍କାର ଅନୁଦାନ ଦେଲେ ତାହା ଏମାନଙ୍କ ପାଇଁ ଏକ ସାଧାରଣ ଖବର। କିନ୍ତୁ, ସେହି କଥାକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ହୋଇଯାଏ ବ୍ରେକିଂ ନ୍ୟୁଜ୍। ସବୁ କଥାରେ ସବୁ ବିଭାଗର ଓଡ଼ିଶା ପ୍ରତି ଅନୁଦାନରେ ଏମାନେ ଭିଡ଼ିଟାଣି ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେଇ ପୂର୍ବ ଭାରତର ବିକାଶ ଦିଗରେ ମୋଦିଙ୍କ ପ୍ରୟାସର ଗୁରୁତ୍ୱ କମାଇ ଦିଅନ୍ତି। ନୂଆ ଓଡ଼ିଶାର ଧର୍ମପଦ ଧର୍ମେନ୍ଦ୍ର, ନୂଆ ଓଡ଼ିଶାର ସୂତ୍ରଧର ଧର୍ମେନ୍ଦ୍ର, ଓଡ଼ିଶାର ଗର୍ବ ଆଉ ଗୌରବ ଧର୍ମେନ୍ଦ୍ର, ବିକାଶ ପୁରୁଷ ଧର୍ମେନ୍ଦ୍ର, ବଦଳୁଥିବା ଓଡ଼ିଶାର ନାୟକ ଧର୍ମେନ୍ଦ୍ର, କେନ୍ଦ୍ରରେ ନରେନ୍ଦ୍ର ଓଡ଼ିଶାରେ ଧର୍ମେନ୍ଦ୍ର ଏହିପରି କେତେ କ’ଣ ଉପମା ଲଗାଇ ଆଉ କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୀଳକଣ୍ଠ ଅବତାର ରୂପେ ମଧ୍ୟ ବର୍ଣ୍ଣନା କଲେଣି ତାଙ୍କ ଚାଟୁକାର। ଧର୍ମେନ୍ଦ୍ର ନଥିଲେ ଓଡ଼ିଶାରେ କୁଆଡ଼େ ବିଜେପିର କୌଣସି ଅସ୍ତିତ୍ୱ ନଥାନ୍ତା, ଓଡ଼ିଶା ବିଜେପିର ଅନ୍ୟ ନାମ କୁଆଡ଼େ ଧର୍ମେନ୍ଦ୍ର ବୋଲି ମଧ୍ୟ ଏମାନେ କୁହନ୍ତି। ଓଡ଼ିଶା ବିଜେପି କହିଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଏ। ତାଙ୍କୁ ବିରୋଧ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ବିନା ସଙ୍କୋଚରେ ବିଜେପି ବିରୋଧି ବୋଲି କୁହାଯାଇ ପାରିବ ବୋଲି କୁହନ୍ତି। କିନ୍ତୁ ବିଜେପି, ମୋଦି, ଶାହାଙ୍କ ବିରୋଧରେ କହୁଥିବା କଥା ଏମାନେ ହଜମ କରି ଦିଅନ୍ତି। ସଂଘ (ଆରଏସ୍ଏସ୍)କୁ ଶକୁନି ମାମା କହିଥିବା ଲୋକକୁ ରାଜ୍ୟ ପ୍ରବକ୍ତା କରି ଦିଅନ୍ତି! ବାଜପେୟୀଙ୍କ ସରକାରକୁ ଗୋଟିଏ ଭୋଟରେ ଭାଙ୍ଗିଥିବା ଲୋକକୁ ଦଳରେ ସାମିଲ କରାନ୍ତି ଏବଂ ବାଜପେୟୀଙ୍କ ଅସ୍ତି କଳସ ଯାତ୍ରା ସମୟରେ ତାଙ୍କୁ ବାଜପେୟୀଙ୍କ ଅସ୍ତି କଳସ ପାଖରେ ବସାନ୍ତି!

ଉତ୍ତର ରଖିବେ କି ଧର୍ମେନ୍ଦ୍ର, ବିଜେପି ଆଉ କଂଗ୍ରେସ ?
ଏବେ ପୁଣି ସେହି ସୁର ରାଉତରାୟ ଧର୍ମେନ୍ଦ୍ରଙ୍କୁ ଭଲ ବୋଲି କହି ପ୍ରଶଂସାରେ ପୋତି ପକାଇ ଦେଇଥିବା ବେଳେ ନିର୍ବାଚନ ଲଢ଼ିଲେ ଆମେ ତାଙ୍କୁ ସାହାଯ୍ୟ କରିବୁ ବୋଲି କହିଛନ୍ତି ସୁର ରାଉତରାୟ। ଏ’ ନେଇ କ’ଣ କହିବ ଓଡ଼ିଶା କଂଗ୍ରେସ? କ’ଣ ସୁର ରାଉତରାୟଙ୍କ କଥାରେ କଂଗ୍ରେସ ଏକମତ? ଜଗତସିଂହପୁର ଜିଲ୍ଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଯିଏ କଂଗ୍ରେସ ପାର୍ଥି ଥିଲେ ତାଙ୍କୁ ଆଣି ଏଇ ନିକଟରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ଦଳରେ ସାମିଲ କରାଇଲା ବିଜେପି। ଏଥିରେ, ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରି, ନିର୍ବାଚନ ଲଢ଼ିଲେ ତାଙ୍କୁ ସମର୍ଥନ କରିବୁ କହି ସୁର ରାଉତରାୟ କ’ଣ ଦଳୀୟ ଶୃଙ୍ଖଳା ଭାଙ୍ଗି ନାହାଁନ୍ତି କି? ଏହା କ’ଣ କଂଗ୍ରେସ ଦଳ ଭିତରେ ନେତାନେତ୍ରୀ ଏବଂ କର୍ମୀଙ୍କ ମନୋବଳ ଭାଙ୍ଗିବ ନାହିଁ କି? କ’ଣ ରାଜ୍ୟ କଂଗ୍ରେସ ସୁର ରାଉତରାୟଙ୍କୁ ଏ’ ନେଇ ସ୍ପଷ୍ଟୀକରଣ ମାଗିବାର କ୍ଷମତା ରଖୁଛି ନାଁ, ଓଡ଼ିଶା କଂଗ୍ରେସ ମୁକ୍ତ ହୋଇଗଲାଣି ବୋଲି ଭାବି ନେବାକୁ ହେବ? ସେହିପରି, ସୁର ରାଉତରାୟ ଧର୍ମେନ୍ଦ୍ରଙ୍କୁ ଭଲ ବୋଲି କହି ପ୍ରଶଂସାରେ ପୋତି ପକାଇ ଦେଇଥିବା ବେଳେ ନିର୍ବାଚନ ଲଢ଼ିଲେ ଆମେ ତାଙ୍କୁ ସାହାଯ୍ୟ କରିବୁ ବୋଲି କହିବା ସହ ବିଜେପିକୁ ଏକ ଦେଶଦ୍ରୋହୀ ଦଳ ବୋଲି କହିଛନ୍ତି ସୁର। ଆଉ ଏଠି ଲଜ୍ଜାଜନକ କଥା ଓଡ଼ିଶା ବିଜେପି ଭିତରେ ଥିବା କେତେକ ଚାଟୁକାର ଗୋଷ୍ଠୀ ସୁରଙ୍କ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିବାର ସେହି ଭିଡିଓଟିକୁ ଭାରି ଗର୍ବରେ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି। ବିଜେପିକୁ ଦେଶଦ୍ରୋହୀ ଦଳ କହିଥିବା କଥାରେ ସେମାନଙ୍କର ଯାଏ ଆସ ନାହିଁ। ଲକ୍ଷ ଗୋଟିଏ, ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବା ଏବଂ ନିଜ ପ୍ରତି ଧର୍ମେନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣ କରି କିଛି ଗୋଟେ ଲାଭ ପାଇବା! ତେବେ ଏହି ଚାଟୁକାର ମାନଙ୍କ କଥା ଛାଡ଼ନ୍ତୁ, ଦଳ ପ୍ରତି ନିଷ୍ଠା ରଖିଥିବା ନେତୃତ୍ୱମାନେ ଏହା ଉପରେ ନିରବ କାହିଁକି? ନିଜେ ଧର୍ମେନ୍ଦ୍ର ପ୍ରଧାନ ନିରବ କାହିଁକି? କ’ଣ ଏମାନେ ସମସ୍ତେ ସୁରଙ୍କ କଥାରେ ଏକମତ? ଦଳ ପ୍ରତି ନିଷ୍ଠା ରଖୁଥିବା କାର୍ଯ୍ୟକର୍ତ୍ତା କେହି ଏହାର ଉତ୍ତର ଦେବେକି? ଯଦି ଏହାର ଉତ୍ତର ଦେବାରେ ସେମାନେ ନିଜକୁ ଅସହାୟ ମନେ କରୁଛନ୍ତି, ତେବେ ଏହି ପ୍ରଶ୍ନ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରନ୍ତୁ କିମ୍ବା ସେତିକି ନ’ପାରିଲେ ପ୍ରଶ୍ନଟିକୁ ସେମାନେ ଅନ୍ୟ ଯେ କୌଣସି ନେତୃତ୍ବଙ୍କ ପାଖକୁ ପଠାଇ ଦିଅନ୍ତୁ ଏବଂ ପ୍ରଶ୍ନର ଜବାବ୍ ମାଗନ୍ତୁ। ଯଦି ଜବାବ୍ ନ’ମିଳୁଛି ତେବେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀ’ ଙ୍କର ସେହି ସୁନ୍ଦର ଉକ୍ତିଟିକୁ ମନେ ପକାଇ ଦିଅନ୍ତୁ ..

“ଏକଦା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଜୀ’ଙ୍କ ବାବଦରେ ଜଣେ କହିଥିଲେ ଯେ ବାଜପେୟୀ ଜଣେ ଉତ୍ତମ ବ୍ୟକ୍ତି, ଜଣେ ଷ୍ଟେଟ୍ସମ୍ୟାନ୍, ବୈଦେଶିକ ନୀତିରେ ପାରଦର୍ଶୀ। କିନ୍ତୁ, ତାଙ୍କ ମଧ୍ୟରେ ଏକ ମାଇନସ୍ ପଏଣ୍ଟ ରହିଛି।ସେ ଲୋକ ଭଲ କିନ୍ତୁ ଭୁଲ ପାର୍ଟିରେ ଅଛନ୍ତି। ଏହାର ଉତ୍ତରରେ ବାଜପେୟୀଜୀ କହିଥିଲେ, “ଯଦି ମୁଁ ପ୍ରକୃତରେ ଜଣେ ଭଲ ମଣିଷ ତେବେ ମୁଁ କିପରି ଏକ ଭୁଲ ପାର୍ଟିରେ ରହିପାରିବି ଏବଂ ଯଦି ମୁଁ ଏକ ଭୁଲ ପାର୍ଟିରେ ଅଛି, ତେବେ ମୁଁ ଜଣେ ଭଲ ମଣିଷ ହୋଇପାରେନା। ଯଦି ଫଳ ଭଲ ତେବେ ଗଛ କେବେ ଖରାପ ହୋଇ ପାରେନା।”

ଯଦି ଫଳ ଭଲ, ତେବେ ଗଛ କେବେ ଖରାପ ହୋଇ ପାରେନା ..


/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.