Home ଓଡ଼ିଶା ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ନୟାଗଡ଼-ଭୁବନେଶ୍ୱର ଟ୍ରେନ ଚଳାଚଳ ପାଇଁ ରେଳବିଭାଗ ଅଧିକାରୀଙ୍କୁ ବାଦିପତ୍ର ପ୍ରଦାନ

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ନୟାଗଡ଼-ଭୁବନେଶ୍ୱର ଟ୍ରେନ ଚଳାଚଳ ପାଇଁ ରେଳବିଭାଗ ଅଧିକାରୀଙ୍କୁ ବାଦିପତ୍ର ପ୍ରଦାନ

120

ନୟାଗଡ଼, (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ): ନୟାଗଡ଼ ନାଗରିକ ମଞ୍ଚ ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୟାଗଡ଼-ଭୁବନେଶ୍ୱର ଟ୍ରେନ ଚଳାଚଳ ପାଇଁ ରେଳବିଭାଗ ଅଧିକାରୀଙ୍କୁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଗସ୍ତରେ ଆସିଥିବା ପୂର୍ବତଟ ରେଳବାଇର ମୁଖ୍ୟ ସୁରକ୍ଷା ଅଧିକାରୀ ଏ.କେ.ରାୟଙ୍କୁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା। ଏହି ପ୍ରତିନିଥି ମଣ୍ଡଳୀରେ ସମାଜସେବୀ ଅରୁଣ କୁମାର ମହାନ୍ତି, ବିଶ୍ୱନାଥ ମହାପାତ୍ର, ପ୍ରଦୀପ କୁମାର ସାହୁ, ସାମ୍ବାଦିକ ଉମାକାନ୍ତ ମିଶ୍ର, ରାମକୃଷ୍ଣ ରଥ, ଲକ୍ଷ୍ମୀଧର ସାହୁ, ଅଶୋକ ସାଥୁଆ, ଗୋକୁଳ ଷଢ଼ଙ୍ଗୀ, ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏହାର ସଭାପତି ଗୋଦାବରୀ ସାହୁଙ୍କ ନେତୃତ୍ୱରେ ନିରଂଜନ ମିଶ୍ର, ତ୍ରିନାଥ ସାହୁ, ଗୋବିନ୍ଦ ମିଶ୍ର ପ୍ରମୁଖ ଙ୍କ ପକ୍ଷରୁ ଅନୁରୁପଭାବେ ଦାବି ପତ୍ର ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାରେ ରେଳ ସେବା ଉଦଘାଟନ ହେବାର ଦୁଇବର୍ଷ ଅତିବାହିତ ହୋଇ ସାରିଥିବା ଏଠାରୁ ରାଜଧାନୀ ଭୁବନେଶ୍ୱରକୁ କୌଣସି ଟ୍ରେନ ଚଳାଚଳ କରୁ ନଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଏ ନେଇ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ଅଭିଯୋଗ କରାଯାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଏ ନେଇ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ମୁଣ୍ଡ ଟେକୁଥିବା ଜଣାପଡ଼ିଛି। ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ମାତ୍ର ୮୭ କିମି ଦୂରତା ହୋଇଥିବା ବେଳେ ଏଠାରୁ ଟ୍ରେନ ସେବା ଯୋଗାଇବାରେ ବିଭାଗର ଟାଳଟୁଳ ନୀତିକୁ ନେଇ ଜିଲ୍ଲାବାସୀ ଘୋର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ନୟାଗଡ଼ରୁ ଦୈନିକ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ କାମରେ ଭୁବନେଶ୍ୱର କଟକ ଆଦି ସ୍ଥାନକୁ ଯାଆସ କରୁଥିବା ବେଳେ ଟ୍ରେନ ସୁବିଧା ନଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟ ପକ୍ଷରେ ନୟାଗଡ଼ରୁ ଯାତ୍ରା କରୁଥିବା କେବଳ ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ସିଧାସଳଖ ପୁରୀ ଯାଉଥିବା ବେଳେ ଅନ୍ୟଟି ଖୋର୍ଦ୍ଧାରୋଡ଼ଠାରେ ରହି ବହୁ ବିଳମ୍ବରେ ପୁରୀ ଯାଉଛି। ଏପରିକି ନୟାଗଡ଼ଠାରୁ ରାଜଧାନୀ ଭୁବନେଶ୍ୱରର ଦୂରତା ମାତ୍ର ୮୭ କିମି ହୋଇଥିବା ବେଳେ ରାଜଧାନୀକୁ ସିଧାସଳଖ କୌଣସି ଟ୍ରେନ ନାହିଁ। କେବଳମାତ୍ର ଦୁଇଟି ଟ୍ରେନରେ ନୟାଗଡ଼ ବାସୀଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଏହାବାଦ ଆଉଦିନ ଯାକ କୌଣସି ଟ୍ରେନ ନୟାଗଡ଼ରେ ଦେଖିବାକୁ ମିଳୁନି। ଅନ୍ୟପକ୍ଷରେ ବାଣିଜ୍ୟିକ କାରବାର, ଅଫିସକାର୍ଯ୍ୟ, ପରିଭ୍ରମଣ ତଥା ଅନ୍ୟାନ୍ୟ କାର୍ଯ୍ୟପାଇଁ ମୁଖ୍ୟତଃ ଯାତ୍ରୀମାନେ ଭୁବନେଶ୍ୱର, କଟକ, ପାରାଦୀପ, ବ୍ରହ୍ମପୁର, ହାୱାଡ଼ା, ବିଶାଖାପାଟଣା ଆଦି ସ୍ଥାନ ଉପରେ ବିଶେଷଭାବରେ ନିର୍ଭର କରୁଥିବା ବେଳେ ଏହିସବୁ ସ୍ଥାନକୁ ଯିବାପାଇଁ କୌଣସି ଟ୍ରେନର ବ୍ୟବସ୍ଥା ରେଳବାଇ ପକ୍ଷରୁ କରାଯାଉ ନାହିଁ। ନୟାଗଡ଼ବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବିଭିନ୍ନ ସମୟରେ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରି ଭୁବନେଶ୍ୱରରୁ ହାୱଡ଼ା ଏବଂ ବିଶାଖାପାଟଣାକୁ ଯାଉଥିବା ଦୁଇଟି ଟ୍ରେନକୁ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ଅନୁରୋଧ କରିଥିଲେ। ତେବେ ଏନେଇ ରେଳ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ। ଅନ୍ୟପକ୍ଷରେ ନୟାଗଡ଼ରୁ ଯେଉଁ ଦୁଇଟି ଟ୍ରେନ ପୁରୀ ଏବଂ ଖୋର୍ଦ୍ଧାରୋଡ଼ ଯାଉଛି ସେଥିରେ ଯାତ୍ରୀ ମାନେ ଯିବା ପାଇଁ ଷ୍ଟେସନରେ ଆନୁସଙ୍ଗୀକ ସୁବିଧା ସୁଯୋଗ ନଥିବାରୁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉନାହିଁ। ଭୁବନେଶ୍ୱରକୁ ରେଳ ଚଳାଚଳ ନେଇ ଆଗାମୀ ଦିନରେ ରେଳ ରୋକ କରାଯିବାସହ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.