Home ଅପରାଧ ଡାର୍ଟି ପଲ୍ଟିକ୍ସ୍: ଓଡ଼ିଶା ରାଜନୀତିରେ ଗୋଳକଧନ୍ଦା; ଧଳା ପୋଷାକ ତଳର କଳା କାରନାମା ..

ଡାର୍ଟି ପଲ୍ଟିକ୍ସ୍: ଓଡ଼ିଶା ରାଜନୀତିରେ ଗୋଳକଧନ୍ଦା; ଧଳା ପୋଷାକ ତଳର କଳା କାରନାମା ..

75

ଭୁବନେଶ୍ୱର: ରାଜନୀତି ସହିତ ଅପରାଧ ସଂପର୍କ ବହୁ ପୂରୁଣା। ହତ୍ୟା, ଲୁଟ୍, ଠକେଇ, ଭ୍ରଷ୍ଟାଚାର, ଅପହରଣ, ଦାଦା ବଟି ଆଦାୟ, ଜମି ହଡ଼ପ ଆଦି ଭଳି ଅପରାଧିକ ଘଟଣା ସହିତ ଦୁଷ୍କର୍ମ, ସେକ୍ସ୍ ଆଦି ପରି ଘଟଣା ରାଜନୀତି କ୍ଷେତ୍ରରେ ଅନେକ ସମୟରେ ଦେଖିବାକୁ ମିଳେ। ଓଡ଼ିଶା ରାଜନୀତିରେ ଏବେ ଏପରି ଏକ ଜଘନ୍ୟ ଅପରାଧିକ ଘଟଣା ବାବଦରେ ଖବର ଆସିଛି। ଯେଉଁଠି ରହିଛି ଦୁଷ୍କର୍ମ, ବନ୍ଧକ ରଖିବା ଆଉ ସେକ୍ସ୍ ପରି ଘଟଣା। ଯେଉଁଠି ଜଣେ ବାପା, ମା’ ଛେଉଣ୍ଡ ଯୁବତୀ ଚିଠି ଲେଖି ଆକୁଳ ନିବେଦନ କରିଛନ୍ତି ମତେ ଏଠୁ ଉଦ୍ଧାର କର। ଓଡ଼ିଶା ରାଜନୀତିରେ ଏ’ ଯେଉଁ ଗୋଳକଧନ୍ଦା ତଥା ଧଳା ପୋଷାକ ତଳର କଳା କାରନାମା କଥା ନେଇ ଅଭିଯୋଗ ଆସିଛି, ତାହା ସତ ହୋଇଥିଲେ ତ’ ସାଙ୍ଘାତିକ ନିଶ୍ଚିତ। ଏପରି ଏକ ଜଘନ୍ୟ ଅପରାଧିକ ଘଟଣା ଘଟିଥିବା ନେଇ ଖବର ଆସିଛି ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅଞ୍ଚଳରୁ। ତାହା ପୁଣି ଏଇ ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ସମୟରେ। ବାଲେଶ୍ଵର ସଦର ଉପନିର୍ବାଚନକୁ ନେଇ ଏଣେ ରାଜନୈତିକ ବାତାବରଣ ସରଗରମ ଚାଲିଥିବା ବେଳେ, ତେଣେ ଏକ ନିର୍ଦ୍ଦିଷ୍ଟ ପ୍ରମୂଖ ରାଜନୈତିକ ଦଳର କିଛି ନେତାନେତ୍ରୀଙ୍କର ନିର୍ବାଚନ ପ୍ରଚାର ଆଢୁଆଳରେ ଚାଲିଥିଲା ଗନ୍ଦା କାମ। ସ୍ଥାନୀୟ ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ କଟକରେ ରହୁଥିବା ଦେବଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ଆଣି ଚାନ୍ଦିପୁର ନିକଟବର୍ତ୍ତୀ ଏକ ଅଞ୍ଚଳରେ ରଖି ତାଙ୍କ ସହିତ ଚାଲିଥିଲା ଦୁଷ୍କର୍ମ। ଦେହର ଭୋକ ମେଣ୍ଟାଇବା ପାଇଁ ସଂପୃକ୍ତ ଦଳର କିଛି ନେତା ଏବଂ ଅଧିକାରୀ ସେଠାକୁ ଯାଇ ସଂପୃକ୍ତ ଯୁବତୀଙ୍କୁ କରୁଥିଲେ ଉପଭୋଗ। ଖବର ମୁତାବକ ସମ୍ପୃକ୍ତ ଯୁବତୀ ଜଣକ ଏ’ ବାବଦରେ ବାଲେଶ୍ୱର ଜିଲ୍ଲାପାଳ, ଏସପି, ଚାନ୍ଦିପୁର ଥାନା ଏବଂ ତିନୋଟି ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀଙ୍କୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ନିମନ୍ତେ ନିବେଦନ କରିଥିଲେ।

ଅଭିଯୋଗ ଅନୁସାରେ ବାପା, ମା’ ଛେଉଣ୍ଡ ଯୁବତୀ ଜଣଙ୍କ କଟକରେ ରହୁଥିବା ବେଳେ ତାଙ୍କ ଅସହାୟତାର ସୁଯୋଗ ନେଇ ତଥା ପ୍ରଲୋଭନ ଦେଖାଇ ସେହି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ଜିଲ୍ଲା ସ୍ତରୀୟ ନେତା ତାଙ୍କୁ ବାଲେଶ୍ୱରକୁ ଆଣି ଚାନ୍ଦିପୁର ଠାରେ ପ୍ରଥମେ ଏକ ହୋଟେଲରେ ରଖିଥିଲେ। ସେଠାରେ ସଂପୃକ୍ତ ନେତାଙ୍କ ସମେତ ବାହାରୁ ଯାଇଥିବା କିଛି ନେତା ମିଶି ତାଙ୍କୁ ଉଲଗ୍ନ କରି ତାଙ୍କ ଫଟୋ ଉଠାଇ ତାଙ୍କ ସହିତ କରିଥିଲେ ଦୁଷ୍କର୍ମ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କୁ ସେହି ହୋଟେଲରୁ ନେଇ ଏକ ଚିଙ୍ଗୁଡ଼ି ଝିଲି/ଘେରି ପାଖରେ ଏକ ଘରେ ରଖିଥିଲେ। ସେଠାକୁ ସଂପୃକ୍ତ ଦଳର ଆଉ କିଛି ନେତା ଏବଂ ଅଧିକାରୀ ଯାଇ ସେଠାରେ ମଧ୍ୟ ତାଙ୍କ ସହିତ କରିଥିଲେ ଦୁଷ୍କର୍ମ। ଏହା ଭିତରେ ସେଠାକୁ ଯାଇଥିଲେ ସଂପୃକ୍ତ ଦଳର ଦୁଇ ଜଣ ମହିଳା ନେତ୍ରୀ। ସେମାନଙ୍କୁ ଦେଖି ଯୁବତୀ ଜଣଙ୍କ ସେମାନଙ୍କ ପାଖରେ ଏ’ ବାବଦରେ ଜଣାଇଥିଲେ। କିନ୍ତୁ, ଏବେ ନିର୍ବାଚନ ଯୋଗୁଁ ବ୍ୟସ୍ତ ଥିବାରୁ ୧୦ ତାରିଖ ପରେ ସେମାନେ ତାଙ୍କୁ ସେଠାରୁ ନେଇଯିବେ ବୋଲି କହିଥିଲେ। ଯଦି ତାଙ୍କ ସହିତ କେହି ନେତା ଦୁଷ୍କର୍ମ କରିଛନ୍ତି, ତେବେ ଯୁବତୀ ଜଣଙ୍କୁ ସେହି ନେତା ତା’ର ଉଚିତ୍ ପ୍ରାପ୍ୟ ଦେବେ ବୋଲି ସେମାନେ କହିଥିଲେ। ଖବର ମୁତାବକ ସଂପୃକ୍ତ ଯୁବତୀ ଜଣଙ୍କୁ କେଉଁ କେଉଁ ନେତା ଏବଂ ଅଧିକାରୀ ଭେଟିଛନ୍ତି ଏବଂ ତାଙ୍କ ପାଖକୁ କେଉଁ ନମ୍ବର ବିଶିଷ୍ଟ ଗାଡ଼ି ଯାଇଛି, ସେ ବାବଦରେ ମଧ୍ୟ ସେ ଉଲ୍ଳେଖ କରିଛନ୍ତି। ଏ’ ସବୁ କାଣ୍ଡରେ ଲିପ୍ତ ଥିବା ସଂପୃକ୍ତ ଦଳର ପ୍ରାୟ ଡଜନେ ନେତାନେତ୍ରୀଙ୍କ ନାମ ଯୁବତୀ ଜଣଙ୍କ ଉଲ୍ଲେଖ କରିଥିବା କୁହାଯାଉଛି। ଯେଉଁଥିରେ ସେହି ନିର୍ଦ୍ଦିଷ୍ଟ ଦଳର ଜିଲ୍ଲା ସ୍ତରୀୟ କିଛି ନେତାନେତ୍ରୀଙ୍କ ସମେତ ରାଜ୍ୟ ସ୍ତରୀୟ ଜଣେ ପ୍ରଭାବଶାଳୀ ନେତା ଏବଂ ନେତ୍ରୀଙ୍କ ନାମ ରହିଛି। ଖବର ମୁତାବକ ପିଡ଼ିତା ଯୁବତୀ ଜଣଙ୍କ ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସମ୍ପୃକ୍ତ ଯୁବତୀ ଜଣଙ୍କ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିବା ସହ ତାଙ୍କୁ ଯଦି ଉଦ୍ଧାର କରାନଯାଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଥିବା ଉଲ୍ଲେଖ କରାଯାଇଛି। ଘଟଣାର ସତ୍ୟାସତ୍ୟ କେତେ ତାହା ଜଣାପଡ଼ି ନାହିଁ କିନ୍ତୁ, ସ୍ଥାନୀୟ ସେହି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଯଦି ଘଟଣା ସତ୍ୟ ହୋଇଥାଏ ତେବେ ତାହା ତ’ ସାଙ୍ଘାତିକ ନିଶ୍ଚିତ। ଆଉ ପ୍ରକାଶିତ ଖବର ଯଦି ମିଥ୍ୟା ହୋଇଥାଏ ତେବେ ସଂପୃକ୍ତ ଗଣମାଧ୍ୟମର ଏହା ସାଙ୍ଘାତିକ ତୃଟି। ଏହାର ଉଚିତ୍ ଅନୁସନ୍ଧାନ ହେବା ଉଚିତ୍।

/[email protected]

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.