Home ଓଡ଼ିଶା COVID ଭଳି ସଙ୍କଟ ସମୟରେ କେନ୍ଦ୍ର ସହାୟତା ଅତ୍ୟାବଶ୍ୟକ – ୱାଇ. ଭି. ରେଡ୍ଡି

COVID ଭଳି ସଙ୍କଟ ସମୟରେ କେନ୍ଦ୍ର ସହାୟତା ଅତ୍ୟାବଶ୍ୟକ – ୱାଇ. ଭି. ରେଡ୍ଡି

74

ଭୁବନେଶ୍ୱର ୦୫-୦୯ (ଓଡ଼ିଆ ପୁଅ) ବାଣୀବିହାର ଅର୍ଥନୀତି ବିଭାଗର ପୁରାତନ ଛାତ୍ରସଂଘ ତରଫରୁ ଗତ ୦୪ ତାରିଖ ଦିନ ଆଭାସୀ ମାଧ୍ୟମ ଜରିଆରେ ତୃତୀୟ ପ୍ରଫେସର ବିଦ୍ୟାଧର ମିଶ୍ର ସ୍ମାରକୀ ଭାଷଣ ଆୟୋଜିତ ହୋଇଥିଲା। ଏହି ଭାଷଣରେ ଭାରତୀୟ ରିଜର୍ଭ ବ୍ୟାଙ୍କ ର ପ୍ରାକ୍ତନ ଗଭର୍ନର ଓ ୧୪ ବିତ୍ତ ଆୟୋଗ ର ଅଧକ୍ଷ ପଦ୍ମ ବିଭୂଷଣ ଡକ୍ଟର ଶ୍ରୀଯୁକ୍ତ ୱାଇ. ଭି. ରେଡ୍ଡି ଯୋଗ ଦେଇ କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଏହି ଆଭାସୀ କାର୍ଯ୍ୟକ୍ରମରେ ୨୭୦ ରୁ ଅଧିକ ଛାତ୍ର-ଛାତ୍ରୀ ଓ ଅନ୍ୟ ସୁଧୀବୃନ୍ଦ ଯୋଗ ଦେଇଥିଲେ।

ଅର୍ଥନୀତି ପୁରାତନ ଛାତ୍ରସଂଘ ସ୍ବର୍ଗତ ପ୍ରଫେସର ବିଦ୍ୟାଧର ମିଶ୍ର ଙ୍କ ସ୍ମରଣରେ ପ୍ରତିବର୍ଷ ଏହି ଆଲୋଚନାଚକ୍ର ଓ ଭାଷଣ ଆୟୋଜନ କରିଥାଏ। ଏହିବର୍ଷର ଭାଷଣ କେନ୍ଦ୍ର-ରାଜ୍ୟ ସମ୍ପର୍କର ଆଧାର ଓ ଭବିଷ୍ୟତ କୁ ନେଇ ଆୟୋଜିତ ହୋଇଥିଲା। ପୁରାତନ ଛାତ୍ରସଂଘର ସମ୍ପାଦକ ପ୍ରଫେସର ଶ୍ରୀମତୀ ମିତାଲି ଚିନାରା ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀମତୀ ସବିତା ଆଚାର୍ଯ୍ୟ ଆୟୋଜକ ମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହ ଓଡ଼ିଶାର ବରପୁତ୍ର ଓ ଖ୍ୟାତନାମା ଆର୍ଥନୀତିଜ୍ଞ ପ୍ରଫେସର ବିଦ୍ୟାଧର ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତି ଚାରଣ କରିଥିଲେ। ଆଲୋଚନାକୁ ଆଗକୁ ନେଇ ମୁଖ୍ୟ ଵକ୍ତା ପ୍ରଫେସର ୱାଇ. ଭି. ରେଡ୍ଡି ଭାରତବର୍ଷର ସଂଘୀୟ ବ୍ୟବସ୍ତା ଓ ରାଜନୈତିକ ଅର୍ଥଶାସ୍ତ୍ରର ବିସ୍ଲେସଣ କରିଥିଲେ। ସେ କହିଲେ, ଯେହେତୁ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପାଖରେ ଅଧିକ ଶକ୍ତି ଓ ସମ୍ବଳ ରହିଛି, ସଙ୍କଟ ସମୟରେ ରାଜ୍ୟମାନଙ୍କର ଆର୍ଥିକ ସମସ୍ୟାର ନିରାକରଣ ପାଇଁ କେନ୍ଦ୍ରକୁ ଆଗେଇ ଆସିବା ଉଚିତ। କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ଆଲୋଚନା କରି ସେ କହିଲେ ଯେ ଆଗରୁ ରାଜ୍ୟ ମାନଙ୍କର ସମସ୍ୟା ଉପସ୍ଥାପନ ପାଇଁ ଉଭୟ ଯୋଜନା ଆୟୋଗ ଓ ବିତ୍ତ ଆୟୋଗର ପ୍ରବନ୍ଧନ ଥିଲା। କିନ୍ତୁ ୨୦୧୪ ରେ ଯୋଜନା ଆୟୋଗର ବିଲୟ ପରେ ରାଜ୍ୟ ସରକାର ଗୁଡିକପାଇଁ ଉପଲବ୍ଧ ପରିସରରେ କ୍ଷୟ ଘଟିଛି। ସେଥିପାଇଁ କରୋନା ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟ ମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ରୀୟ ତତ୍ପରତାର ଅଧିକ ଆବଶ୍ୟକତା ରହିଛି। ଅତ୍ୟନ୍ତ ସାରଗର୍ଭକ ଏହି ଆଲୋଚନାରେ ସହଭାଗୀ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ରେଡ୍ଡି କହିଲେ ଯେ କେନ୍ଦ୍ର-ରାଜ୍ୟ ସମ୍ପର୍କର ଉନ୍ନତି ପାଇଁ ନୂଆ ଅନୁଷ୍ଠାନ ତିଆରି କରିବା ପରିବର୍ତେ ସ୍ଥାପିତ ଅନୁଷ୍ଠାନ ମାନଙ୍କର ସୁଚାରୁ ଉପଯୋଗ କରିବା ଅଧିକ ବାଞ୍ଛାନିୟ।

ପୁରାତନ ଛାତ୍ରସଂଘ ର ଅଧକ୍ଷ ଶ୍ରୀଯୁକ୍ତ ସୁବାସ କୁମାର ଆଲୋଚନାର ସାରାଂଶ କହିଥିଲେ। ବିଭାଗ ଅଧ୍ୟକ୍ଷ ଡକ୍ଟର ହିମାଂଶୁ ଶେଖର ରାଉତ ଔପଚାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.