Home Coronavirus Outbreak କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ଘଂଟା ପ୍ରତି ୧୨ ମିନିଟକୁ ବୃଦ୍ଧି କରିବା ଲାଗି ଆଲୋଚନା...

କମ୍ୟୁନିଟି ରେଡିଓରେ ବିଜ୍ଞାପନ ସମୟ ଘଂଟା ପ୍ରତି ୧୨ ମିନିଟକୁ ବୃଦ୍ଧି କରିବା ଲାଗି ଆଲୋଚନା କରାଯାଉଛି : ଶ୍ରୀ ପ୍ରକାଶ ଜାଭଡେକର

190

– କମ୍ୟୁନିଟି ରେଡିଓରେ ନ୍ୟୁଜ ବୁଲେଟିନ ପ୍ରସାରଣ ପ୍ରସ୍ତାବ ବିଚାର କରାଯିବ
– କମ୍ୟୁନିଟି ରେଡିଓ ସଂଖ୍ୟା ବୃଦ୍ଧି ପାଇଁ ରହିଛି ଯୋଜନା : ଶ୍ରୀ ଜାଭଡେକର

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି କହିଛନ୍ତି ଯେ କମ୍ୟୁନିଟି ରେଡିଓରେ ବିଜ୍ଞାପନ ପ୍ରସାରଣ ସମୟ ବର୍ତମାନର ଘଂଟାପ୍ରତି ୭ ମିନିଟରୁ ୧୨ ମିନିଟକୁ ବୃଦ୍ଧି କରିବା ଲାଗି ସେ ଆଗ୍ରହୀ ଅଛନ୍ତି। ଯାହାଦ୍ୱାରା ଏଗୁଡ଼ିକୁ ଟିଭି ଚ୍ୟାନେଲ ସହିତ ସମାନ କରାଯାଇପାରିବ। ଅଭିନବ ସମାନ୍ତରାଳ ପ୍ରସାରଣ ମାର୍ଗରେ କେନ୍ଦ୍ର ମନ୍ତ୍ରୀ ସମସ୍ତ କମ୍ୟୁନିଟି ରେଡିଓ ଷ୍ଟେସନର ଶ୍ରୋତାମାନଙ୍କୁ ଉଦବୋଧନ ଦେଇଥିଲେ। ଏହା ଦୁଇଟି ସମାନ ସ୍ଲଟରେ ସନ୍ଧ୍ୟା ୭ଟାରୁ ସାଢ଼େ ସାତଟା ମଧ୍ୟରେ ପ୍ରସାରିତ ହୋଇଥିଲା।

ଶ୍ରୀ ଜାଭଡେକର କରିଥିଲେ ଯେ କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାର ବୃହତ ଭାଗ ୭୫% ବ୍ୟୟଭାର ବହନ କରିଥାନ୍ତି। ଦୈନନ୍ଦିନ କାର୍ଯ୍ୟର ଖର୍ଚ୍ଚ ଷ୍ଟେସନ ବହନ କରିଥାଏ। ବର୍ତମାନ ଟିଭି ଚ୍ୟାନେଲଗୁଡ଼ିକ ପ୍ରତି ୧ ଘଂଟାରେ ୧୨ ମିନିଟ ବିଜ୍ଞାପନ ପ୍ରସାରଣ କରୁଥିବା ବେଳେ କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକ ଘଂଟାପ୍ରତି ୭ମିନିଟ ବିଜ୍ଞାପନ ପ୍ରସାରଣ କରୁଛନ୍ତି। ସମସ୍ତ ରେଡିଓ ଷ୍ଟେସନକୁ ବିଜ୍ଞାପନ ପ୍ରସାରଣ ପାଇଁ ଟିଭି ଚ୍ୟାନେଲ ସହିତ ସମାନ ସମୟ ଦେବା ଲାଗି ସେ ଆଗ୍ରହୀ ଅଛନ୍ତି ଯାହା ଫଳରେ ଏଗୁଡ଼ିକର ପାଣ୍ଠି ଆବଶ୍ୟକତା ପୂରଣ ହୋଇପାରିବ। ଏଥିସହିତ ସ୍ଥାନୀୟ ବିଜ୍ଞାପନଗୁଡ଼ିକ କମ୍ୟୁନିଟି ରେଡିଓ ଷ୍ଟେସନ ଉପରେ ଅଧିକ ନିର୍ଭରଶୀଳ ହୋଇପାରିବ।

ପ୍ରାରମ୍ଭରେ ମନ୍ତ୍ରୀ କହିଥିଲେ ଯେ କମ୍ୟୁନିଟି ରେଡିଓ ଏକ କମ୍ୟୁନିଟି ବା ସମୁଦାୟ ଭଳି। ଏଗୁଡ଼ିକୁ ସେ ‘ପରିବର୍ତ୍ତନର ବାହକ’ ଭାବେ ବର୍ଣ୍ଣନା କରି କହିଥିଲେ ଯେ ପ୍ରତିଦିନ କମ୍ୟୁନିଟି ରେଡିଓ ଷ୍ଟେସନ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଁଚିପାରୁଛି। ଏପରି ଅଧିକ ଷ୍ଟେସନ ପ୍ରତିଷ୍ଠା ଲାଗି ମନ୍ତ୍ରଣାଳୟ ଯୋଜନା କରୁଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

ଲୋକମାନଙ୍କୁ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିବା ନିମନ୍ତେ ଆହ୍ୱାନ କରି ମନ୍ତ୍ରୀ କହିଥିଲେ ଯେ ଅନ୍ୟ ରୋଗକୁ ପରାସ୍ତ କରିବା ଭଳି ଆମେ ଏହି ରୋଗକୁ ମଧ୍ୟ ହରାଇଦେବା। ତେବେ, ଏଥିପାଇଁ ଆମକୁ ୪ଟି ନିୟମ ମାନିବାକୁ ପଡ଼ିବ-ଯଥାସମ୍ଭବ ଘରେ ରହିବା, ନିୟମିତ ହାତ ସଫା କରିବା, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା।

ସାମାଜିକ ଦୂରତା ଓ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ “ଜାନ ଭି ଜାହାନ ଭି” ମନ୍ତ୍ରକୁ ଦୋହରାଇଥିଲେ ଏବଂ କହିଥିଲେ ଯେ ଅବରୋଧ ଅଂଚଳରେ କଟକଣା ଜାରି ରହିଥିବା ବେଳେ ଗ୍ରୀନ ଜୋନରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି।

କମ୍ୟୁନିଟି ରେଡିଓରେ ନ୍ୟୁଜ ବୁଲେଟିନ (ଖବର) ପ୍ରସାରଣ ସଂକ୍ରାନ୍ତରେ ହେଉଥିବା ଦାବି ଦ୍ୱାରା ମନ୍ତ୍ରୀ ପ୍ରଭାବିତ ହୋଇଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ଏଫଏମ ଚ୍ୟାନେଲ ଭଳି କମ୍ୟୁନିଟି ରେଡିଓ ଷ୍ଟେସନରେ ମଧ୍ୟ ଖବର ପ୍ରସାରଣ ଆରମ୍ଭ କରିବା ପ୍ରସ୍ତାବକୁ ସେ ଗମ୍ଭୀରତାର ସହ ବିଚାର କରିବେ। ମିଛ ଖବରର ପର୍ଦ୍ଦାଫାଶ କରିବା ନିମନ୍ତେ ନିଜସ୍ୱ ଉତ୍ସ ଉପଯୋଗ କରିବା ଏବଂ ସେଗୁଡ଼ିକୁ ଅଲଇଣ୍ଡିଆ ରେଡିଓ ସହିତ ବାଂଟିବା ଲାଗି ସେ କମ୍ୟୁନିଟି ରେଡିଓ ଷ୍ଟେସନଗୁଡ଼ିକୁ ଆହ୍ୱାନ କରିଥିଲେ। ଏହାଦ୍ୱାରା ସତ୍ୟ ସାମ୍ନାକୁ ଆସିପାରିବ। ସେ କହିଥିଲେ ଯେ ପିଆଇବି ଅଧୀନରେ ମନ୍ତ୍ରଣାଳୟ ପକ୍ଷରୁ ଏକ ଫ୍ୟାକ୍ଟ ଚେକ ସେଲ ଗଠନ କରାଯାଇଛି ଏବଂ କମ୍ୟୁନିଟି ରେଡିଓଗୁଡ଼ିକ ଏଥିରେ ସହଯୋଗ କରିପାରିବେ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଜାରି କରାଯାଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ସମ୍ପର୍କରେ ଶ୍ରୀ ଜାଭଡେକର କହିଥିଲେ ଯେ ଏହା ଏକ ବିସ୍ତୃତ ପ୍ୟାକେଜ। ଏଥିରେ କୃଷିଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପାଇଁ ସହାୟତା ଘୋଷଣା କରାଯାଇଛି। ଏହି ପ୍ୟାକେଜ ଆମଦାନୀ ହ୍ରାସ କରିବା ସହିତ ରପ୍ତାନି ବଢ଼ାଇବ। ସେ କହିଥିଲେ ଯେ ଏହି ପ୍ୟାକେଜକୁ ଜନସାଧାରଣ ଗ୍ରହଣ କରିଛନ୍ତି ଏବଂ ସହାୟତାକୁ ନେଇ ସେମାନେ ଖୁସି ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.