ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟର ଶାସନ କ୍ଷମତାରେ କଂଗ୍ରେସ ଓ ବିଜେଡି ଓଡ଼ିଶାକୁ ଅବହେଳା କରି ଆସୁଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପୂର୍ବ ଭାରତର ବିକାଶ ପାଇଁ ଆରମ୍ଭ କଲେ ମିଶନ ପୂର୍ବୋଦୟ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପାରାଦ୍ୱୀପର ପବିତ୍ର ମାଟିରୁ କହିଥିଲେ ‘ଓଡ଼ିଶା ହିଁ ହେବ ପୂର୍ବ ଭାରତର ବିକାଶ ପଥ‘। ପାରାଦ୍ୱୀପରୁ ହିଁ ଖୋଦ୍ ପ୍ରଧାନମନ୍ତ୍ରୀ ଜାତୀୟତାରେ ଆଞ୍ଚଳିକ ରାଜ୍ୟର ବିକାଶର ଗାଥା ଦୋହରାଇଥିଲେ। ଅନ୍ୟ ପଟେ ଜାତୀୟ ଦଳ ମାନଙ୍କର ମୁଖ୍ୟ ଲକ୍ଷ ହେଉଛି ମେନଷ୍ଟ୍ରିମ୍ ଏଜେଣ୍ଡା ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ମେନଷ୍ଟ୍ରିମ ଏଜେଣ୍ଡାରେ ଗରିବ ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ ହିଁ ରହିଛି। ଏହାର ହିସାବ ସବୁ ଭାରତବାସୀ ଏବଂ ଓଡ଼ିଶାବାସୀ ମଧ୍ୟ ଭଲରେ ବୁଝିଛନ୍ତି ଓ ଜାଣିଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ‘ପରୀକୁ ନ୍ୟାୟ ପାଇଁ ପଦଯାତ୍ରା’ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ମାନଙ୍କୁ ଉଦ୍ବୋଧନ ଦେଇ ସମୀର ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଥିବା ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହିଛନ୍ତି। ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାରରେ ଥାଇ ମଧ୍ୟ ଓଡ଼ିଶାକୁ ଦେଶର ବିକଶିତ ରାଜ୍ୟ ଭାବରେ ପରିଣତ କରିବାରେ ବିଫଳ ହୋଇଛନ୍ତି ଏବଂ ନିଜ ଦଳର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଆଞ୍ଚଳିକ ଭାଷାର ପରିଚୟ ପ୍ରସଙ୍ଗ ଉଠାଇ ଓଡ଼ିଶାର ଯୁବକଙ୍କୁ ଉସୁକାଉଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଅର୍ଥ କମିଶନ ଦ୍ୱାରା କିଛି ମାପଦଣ୍ଡ ଧାର୍ଯ୍ୟ କରାଯାଇଛି। ଏହି ମାପଦଣ୍ଡ ଗୁଡ଼ିକ ହେଲା ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳ, ଅଳ୍ପ ଜନସଂଖ୍ୟା ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ସୀମାବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ, ଆର୍ଥିକ ଓ ଭିତିଭୂମି ବିକାଶରେ ପଛୁଆ ଅଞ୍ଚଳ, ରାଜ୍ୟ ଅର୍ଥନୀତିରେ ପଛୁଆ ଅଞ୍ଚଳ। ତେବେ ୨୦ ବର୍ଷ ଧରି ଥିବା ମୁଖ୍ୟମନ୍ତ୍ରୀ କ’ଣ ଜାଣିନାହାଁନ୍ତି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତାର ମାପଦଣ୍ଡ କ’ଣ ନାଁ ସବୁ ଜାଣି ମଧ୍ୟ ଅଜଣା ହେଉଛନ୍ତି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ନ୍ତି। ମୋଦି ସରକାରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ଓ ଅଧିକ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଛି। ଯେଉଁଥିପାଇଁ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଗୁରୁତ୍ୱ ରଖୁନାହିଁ। ତ୍ରୟୋଦଶ ଅର୍ଥ କମିଶନରେ ଓଡ଼ିଶାକୁ ରାଜ୍ୟ ମାନଙ୍କର ସେୟାର ଆକାରରେ କେନ୍ଦ୍ରୀୟ ଟିକସ ଆକାରରେ ୬୮,୧୧୯.୧୯ କୋଟି ଟଙ୍କା ମିଳିଥିଲା। ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହା ୧୧୮.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା ଅର୍ଥାତ୍ ଓଡ଼ିଶାକୁ ଏହି ଅର୍ଥ କମିଶନରେ ୧,୪୮,୯୭୪.୨୪ କୋଟି ଟଙ୍କା ଦିଆଯାଇଥିଲା। ସେହିପରି ପଞ୍ଚଦଶ ଅର୍ଥ କମିଶନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୨୨୫୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ପୌର ସଂସ୍ଥାକୁ ୧୦୮୭ କୋଟିର କେନ୍ଦ୍ରୀୟ ଅନୁଦାନ ଦେବା ପାଇଁ ସୁପାରିଶ କରିଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ଅସ୍ମିତା କଥା କହୁଛନ୍ତି। ତେବେ କାହିଁକି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ୨୦ ବର୍ଷର ସମୟ ନେଲେ? ପୁରୀର ସତ୍ୟବାଦୀ ଠାରେ ତାଙ୍କ ଦ୍ୱାରା ଭିତିପ୍ରସ୍ତର ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠା ହେବ? ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କେବେ କରାଯିବ ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଆ ଭାଷାକୁ ପ୍ରାଥମିକତା ଦେଇ ଆସିଛନ୍ତି। ଓଡ଼ିଶାର ବିଶିଷ୍ଟ ସ୍ଥାପିତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭାରେ ସର୍ବଦଳୀୟ ପାର୍ଥି କରିବା ପରେ ବାହାର କରିଥିଲେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟସଭା ପାହ୍ୟା ଦେଇ ତାଙ୍କୁ ଓ ଓଡ଼ିଶାବାସୀଙ୍କୁ ସମ୍ମାନିତ କରିଛନ୍ତି। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ’ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ ନାମରେ ନାମିତ କରାଯାଇଛି। ଓଡ଼ିଆ ଭାଷା, କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରସାର କରିବା ପାଇଁ ବିହିତ ପଦକ୍ଷେପ ନେଇଛନ୍ତି। ମାଣବସା ଗୁରୁବାର, ମୟୂରଭଞ୍ଜ ଛଉ ଏବଂ ରାବଣ ଛାୟା ନୃତ୍ୟ ଭଳି ଓଡ଼ିଶାର ଅନନ୍ୟ ପରମ୍ପରା ଓ ସଂସ୍କୃତିକୁ ଜାତୀୟ କାଳଜୟୀ ସଂସ୍କୃତି ଐତିହ୍ୟ ତାଲିକାରେ ସ୍ଥାନିତ କରାଯାଇଛି। ଗଣପର୍ବ ରଜ, ନୂଆଁଖାଇ, ଓଡ଼ିଆ ନବବର୍ଷ, ରଥଯାତ୍ରା ଭଳି ପବିତ୍ର ଦିନରେ ଓଡ଼ିଆ ଭାଷାରେ ଟ୍ୱିଟ୍ କରି ଓଡ଼ିଆ ଭାଷାକୁ ଜାତୀୟ ସ୍ତରରେ ସମ୍ମାନ ଦେଇଛନ୍ତି। ମୋଦିଙ୍କ ଶାସନ କାଳରେ କମଲା ପୂଜାରୀ, ହଳଦର ନାଗ, ଜିତେନ୍ଦ୍ର ହରପାଲ, ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ଦେଇ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରିଛନ୍ତି। ଓଡ଼ିଶାର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର ।
ପାଇକ ବିଦ୍ରୋହକୁ ଜାତୀୟ ସ୍ୱୀକୃତିର ମାନ୍ୟତା ଦିଆଯାଇଛି। ପାଇକ ବିଦ୍ରୋହ ସହ ଜଡ଼ିତ ବିଷୟର ବିକାଶ କରାଯାଇଛି ଯଥା ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପାଇକ ଚେୟାର ପ୍ରତିଷ୍ଠା, ଏନଏସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହକୁ ଉଲ୍ଲେଖ କରାଯାଇଛି। ପାଇକ ବିଦ୍ରୋହ ସ୍ମୃତିପୀଠ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିଲା ଏବଂ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରି ଜାତୀୟ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିକାଶ ପାଇଁ ଭାରତକୁ ଏକଜୁଟ କରି କେବେ ମଧ୍ୟ ରାଜ୍ୟର ସାମାଜିକ – ସାଂସ୍କୃତିକ ବିବିଧତାକୁ ଅଣଦେଖା କରିନାହାଁନ୍ତି ବୋଲି ସମୀର ମହାନ୍ତି କହିଛନ୍ତି। ନବକଳେବର ଅନୁଦାନ ସମେତ ଅମୃତ ଯୋଜନା ଅନ୍ତର୍ଗତ ପୁରୀର ବିକାଶ, କୋଣାର୍କ ବ୍ୟାଖ୍ୟା କେନ୍ଦ୍ରର ବିକାଶ ତଥା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅନ୍ତର୍ଜାତୀୟ କାର୍ଯ୍ୟ ଆରମ୍ଭ କରି ରାଜ୍ୟକୁ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରି କେନ୍ଦ୍ର ଓଡ଼ିଶାର ଧାର୍ମିକ ତଥା ଐତିହାସିକ ପରମ୍ପରାକୁ ସମ୍ମାନ ଜଣାଇଛି। ରଘୁରାଜପୁର ହସ୍ତଶିଳ୍ପ ଗ୍ରାମ ଏବଂ ଗୋଲଡେନ୍ ବିଚ୍ ପୁରୀର ବ୍ଲୁ ଫ୍ଲାଗକୁ ଆଖ୍ୟା ଦିଆଯାଇଛି। ମାତ୍ର ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଂସ୍କୃତିକୁ ଭଲ ପାଉଥିବା କଥା କହୁଥିବା ବେଳେ ଚଳିତ ବର୍ଷ ରଥଯାତ୍ରା କରାଇନଦେବା ପାଇଁ କିଏ ଷଡ଼ଯନ୍ତ୍ର କରିଥିଲେ ଏବଂ କିଏ ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ ରଥଯାତ୍ରା କରିବା ପାଇଁ ନିରନ୍ତର ଉଦ୍ୟମ କରିଥିଲେ। ସେହିପରି ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ବିବାଦ, ପୁରୀ ବଗଲା ଧର୍ମଶାଳାର ଜମି ରାଜ୍ୟ ସରକାର କାହାକୁ ବିକ୍ରି କଲେ ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ମହାନଦୀ ଆମ ଜୀବନ ରେଖା କହୁଛନ୍ତି, କିନ୍ତୁ ମହାନଦୀ ନଦୀ ଜଳ ସମସ୍ୟାର ସମାଧାନ ପାଇଁ କେତେଥର ବୈଠକ ଡାକିଛନ୍ତି ଓ ଏହାର ସମୀକ୍ଷା କରିଛନ୍ତି ତାହାର ଉତ୍ତର ରଖନ୍ତୁ। ଏଥିରୁ ସ୍ପଷ୍ଟ ଯେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସେମାନଙ୍କୁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ଅପେକ୍ଷା ଓଡ଼ିଶାର ସ୍ୱାର୍ଥକୁ ରାଜନୀତିକରଣ କରିବାକୁ ଅଧିକ ଆଗ୍ରହୀ। ଅପରପକ୍ଷରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ନଦୀ ଜଳ ବିବାଦ ଦୂର କରିବା ପାଇଁ ତଥା ଜଳ ବିବାଦର ସମାଧାନ ପାଇଁ ଏକ ଆନ୍ତରାଜ୍ୟ ଜଳ ବିବାଦ ଟ୍ରିବ୍ୟୁନାଲ- ୧୯୫୬ ଗଠନ କରାଯାଇଛି ବୋଲି ସମୀର ମହାନ୍ତି କହିଛନ୍ତି।
ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଗତ ତିନି ବର୍ଷରେ ମୋଦି ସରକାର ସବୁବେଳେ ଚିନ୍ତା କରିଛନ୍ତି। ଓଡ଼ିଶା ଆଦିବାସୀ ଅଞ୍ଚଳର ଆଦିବାସୀ ମହିଳା ଦୌପଦି ମୁର୍ମୁ ରାଜ୍ୟପାଳ ହେଉ କିମ୍ବା ଗିରିଶ ମୁର୍ମୁଙ୍କୁ ଭାରତ ସରକାରର ବଡ଼ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି। ଟ୍ରାଇବାଲ୍ ଆଡଭାଇଜରୀ କମିଟି ବର୍ଷକୁ ଦୁଇରୁ ତିନିଥର ବସିବାର ବ୍ୟବସ୍ଥା ଥିବା ବେଳେ ଦୀର୍ଘ ୨୧ ବର୍ଷରେ ମାତ୍ର ୮ ଥର ବସିଛି। ଏଥିରୁ ଜଣାପଡ଼ୁଛି ଆଦିବାସୀ ସମାଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱବୋଧ। ଅପରପକ୍ଷରେ ମୋଦି ସରକାର ଓଡ଼ିଶାରେ ଆଦିବାସୀଙ୍କ ବିକାଶ ପାଇଁ ୧୬୫୮.୮ କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶାରେ ୨୦ ବର୍ଷର ଶାସନରେ ସେମାନଙ୍କୁ ଅବହେଳିତ କରାଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଗଠିତ କମ୍ପା ପାଣ୍ଠିର ଅଧିକ ଲାଭ ପାଉଥିବା ରାଜ୍ୟ ଓଡ଼ିଶାକୁ ୫ ହଜାର ୯୩୪ କୋଟି ଟଙ୍କା ଆବଣ୍ଟନ ହୋଇଥିବା ବେଳେ ଜିଲ୍ଲା ଖଣିଜ ପାଣ୍ଠିରେ ଆବଣ୍ଟନ ହୋଇଛି ୬ ହଜାର ୪୩୮ କୋଟି ଟଙ୍କା ବୋଲି ସମୀର ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ କହୁଛନ୍ତି ଯୁବଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ଼ ସମ୍ପତ୍ତି। ତେବେ ଆଜି ଦିନରେ କ’ଣ ପାଇଁ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରୁ ଲକ୍ଷ ଲକ୍ଷ ଯୁବକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି? ମୁଖ୍ୟମନ୍ତ୍ରୀ ଏହାର ଜବାବ୍ ଦେବେ କି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। ନନ୍ ମିଲିୟନ ପ୍ଲସ ସହର ଗୁଡ଼ିକ ପାଇଁ ପ୍ରଥମ କିସ୍ତିରେ ଓଡ଼ିଶାକୁ ମୌଳିକ ଅନୁଦାନ ଆକାରରେ ୨୭୧.୭୫ କୋଟି ଟଙ୍କା ମିଳିଛି। ମାତ୍ର ରାଜ୍ୟ ସରକାରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ୟୁଏଲବି ଅନୁଦାନ ପାଇବାକୁ ସକ୍ଷମ ହୋଇ ନାହିଁ। ଜିଏସଟି କ୍ଷତିପୂରଣ ବାବଦକୁ ଓଡ଼ିଶା ୧୪ ହଜାର ୧୧୩ କୋଟି ଟଙ୍କା ପାଇଥିବା ବେଳେ କୋଭିଡ୍ -୧୯ କାରଣରୁ ଟିକସ ରାଜସ୍ୱ ହ୍ରାସ ପାଇବା ଯୋଗୁଁ କ୍ୟାପିଟାଲ ଏକ୍ସପାଣ୍ଡିଚରକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୩୮୮ କୋଟି ଟଙ୍କା ସ୍ୱତନ୍ତ୍ର ସହାୟତା ଭାବରେ ଓଡ଼ିଶା ଗ୍ରହଣ କରିଛି। ଜିଏସଟି ଲାଗୁ ହେତୁ ଦେଖା ଦେଇଥିବା ଅଭାବକୁ ପୂରଣ କରିବା ପାଇଁ ମୋଟ ରାଜ୍ୟ ଘରୋଇ ଉତ୍ପାଦରେ ଓଡ଼ିଶାକୁ ଅତିରିକ୍ତ ୨୮୫୮ କୋଟି ଟଙ୍କା ୦.୫ ପ୍ରତିଶତରେ ଋଣ କରିବା ପାଇଁ ଅନୁମତି ଦିଆଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ମଧ୍ୟ ଓଡ଼ିଶାକୁ ୨୦୨୦- ୨୧ ବର୍ଷ ପାଇଁ ୨ ହଜାର ୧୩୯ କୋଟି ଟଙ୍କା ଦିଆଯାଇଥିବା ବେଳେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୨୦୧୫ ସୁଦ୍ଧା ଓଡ଼ିଶା ପାଇଛି ୪,୯୧୪.୩୨ କୋଟି ଟଙ୍କା। ସେହିପରି ଓଡ଼ିଶାରେ ପେଟ୍ରୋଲିୟମ, ଇସ୍ପାତ, ରେଳ ଏବଂ ଏନଏଚଏଆଇ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରାଯାଇଛି ବୋଲି ସମୀର ମହାନ୍ତି କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା କରୋନା ସଙ୍କଟ ସର୍ବଦା ଓଡ଼ିଶାବାସୀଙ୍କ ସୁଖଦୁଃଖରେ ପ୍ରଧାନମନ୍ତ୍ରୀ ଚଟାଣ ଭଳି ଛିଡ଼ା ହୋଇଛନ୍ତି। ଓଡ଼ିଶାର ୧୦ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲାରେ ସାମିଲ କରି ଏହାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ଗୋଟିଏ ପଟେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଦରମା, ପେନସନ ଦେବା ପାଇଁ ଋଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ବିକାଶକୁ ପ୍ରଧାନ୍ୟ ଦେଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି।
-@Dr