Home ଆନ୍ତର୍ଜାତୀୟ ଗାଲଓ୍ୱାନ ଉପତ୍ୟକାରେ ସଂଘର୍ଷ : ୨୦ ଭାରତୀୟ ସୈନିକ ସହିଦ, ଚୀନ୍‌ ସେନାର ମୃତାହତଙ୍କ ସଂଖ୍ୟା...

ଗାଲଓ୍ୱାନ ଉପତ୍ୟକାରେ ସଂଘର୍ଷ : ୨୦ ଭାରତୀୟ ସୈନିକ ସହିଦ, ଚୀନ୍‌ ସେନାର ମୃତାହତଙ୍କ ସଂଖ୍ୟା ୪୩

1380

ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) ପୂର୍ବ ଲଦ୍ଦାଖର ଗାଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହେବା ଫଳରେ ଅତି କମରେ ୨୦ ଜଣ ଭାରତୀୟ ଯବାନ ସହିଦ୍‌ ହୋଇଛନ୍ତି। ଚୀନ୍‌ ପକ୍ଷରୁ ଅତିକମ୍‌ରେ ୪୩ ଜଣ ମୃତାହତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଭାରତୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

ସୋମବାର ରାତିରେ ଲଦ୍ଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ୨ ଯବାନ ହାବିଲଦାର କେ. ପାଲାନି ଓ ସୁନୀଲ କୁମାରଙ୍କ ସମେତ ଜଣେ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ୍‌ ହୋଇଥିଲେ ବୋଲି ଭାରତୀୟ ସେନା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ବାବଦରେ ବୟାନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ବୟାନରେ କୁହାଯାଇଛି ଯେ ଜୁନ୍‌ ୧୫ ରାତିରେ ଚୀନ୍‌ ସେନା ପକ୍ଷରୁ ଏଲଏସିର ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିଲା। ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ଦୃଢ ପ୍ରତିବାଦ କରାଯିବାରୁ ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଯଦି ଚୀନ୍‌ ପକ୍ଷ ପୂର୍ବ ବୁଝାମଣାକୁ ପାଳନ କରିଥାନ୍ତେ ତେବେ ଏହି ଘଟଣାକୁ ଅତି ସହଜରେ ଏଡ଼ାଇ ଦିଆଯାଇପାରିଥାନ୍ତା। ଭାରତ ସବୁବେଳେ ଏଲଏସି ଏପଟେ ରହି ଦାୟିତ୍ୱସମ୍ପନ୍ନ ଦେଶଭାବରେ ନିଜର କାର୍ଯ୍ୟ କରିଆସିଛି। ଚୀନ୍‌ ପକ୍ଷରୁ ମଧ୍ୟ ଏହାକୁ ଯଥାରୀତି ସମ୍ମାନ ଦିଆଯିବା ଉଚିତ୍‌।

ସୀମାରେ ଦେଖାଦେଇଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଭାରତ ଉଦ୍ୟମ କରୁଥିବା ବେଳେ ଚୀନ୍ ପକ୍ଷରୁ ଭାରତୀୟ ଅଞ୍ଚଳଗୁଡ଼ିକୁ ଦଖଲ କରିବାର ଅପଚେଷ୍ଟା କରାଯାଉଛି। କିନ୍ତୁ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତ ପାଇଁ ସମସ୍ତ ବିକଳ୍ପ ଉନ୍ମୁକ୍ତ ରହିଛି ବୋଲି ପ୍ରକାଶ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ।

ଗତକାଲି ସନ୍ଧ୍ୟାରେ ଭାରତୀୟ ସେନା ଏହା ପୁଷ୍ଟି କରିଛି। ସେନା ଏକ ବିବୃତ୍ତିରେ କହିଛି ଯେ, ଜୁନ୍ ୧୫ ଏବଂ ୧୬ ର ମଧ୍ୟବର୍ତ୍ତୀ ରାତିରେ ଗାଲଭାନ୍ ଅଞ୍ଚଳରେ ଉଭୟ ପାର୍ଶ୍ୱର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ସେନାଧିକାରୀଙ୍କ ସମେତ ଅନ୍ୟ ଦୁଇଜଣ ସୈନିକଙ୍କର ମୃତ୍ୟୁ ହୋଇସାରିଥିଲା ​​ଏବଂ ପରେ ୧୭ ଜଣ ଆହତ ସୈନିକ ମଧ୍ୟ ସହିଦ ହୋଇଛନ୍ତି।

୧୭ ଜଣ ଭାରତୀୟ ସୈନିକ ଗୁରୁତର ଆହତ ହୋଇଥିଲେ ଏବଂ ପରେ ମୃତ୍ୟୁ ବରଣ କରିଥିଲେ। ସେହି ଅଞ୍ଚଳର ତାପମାତ୍ରା ଶୂନରୁ କମ୍ ଅଟେ। ଏହିପରି ଭାବରେ ଏହି ସଂଘର୍ଷରେ ଭାରତର ମୋଟ ୨୦ ସୈନିକ ପ୍ରାଣ ହରାଇଛନ୍ତି।

ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ

ଗାଲଭାନ ଉପତ୍ୟକାରେ ଚୀନ୍ ସୈନିକଙ୍କ ସହ ହିଂସାତ୍ମକ ସଂଘର୍ଷ ପରେ ପୂର୍ବ ଲଦାଖର ସ୍ଥିତିର ସମୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ସେନାମୁଖ୍ୟମାନଙ୍କ ସହ କ୍ରମାଗତ ଦୁଇଥର ବୈଠକ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏକ ବୈଠକ ପରେ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମଗ୍ରିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିବା ସୂତ୍ରରୁ ପ୍ରକାଶ।

ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଲାଗି ରହିଛି।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଏକ ବୈଠକ କରିଛନ୍ତି।

ଏହି ବୈଠକରେ ପୂର୍ବ ଲଦାଖର ସ୍ଥିତିକୁ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଖବର ଅନୁଯାୟୀ, ପେଙ୍ଗାଙ୍ଗ ସୋ, ଗାଲୱାନ ଉପତ୍ୟକା, ଡେମୋକୋକ ଏବଂ ପୂର୍ବ ଲଦାଖର ଡଲାଟ ବେଗ ଓଲଡି ଭଳି ଅଞ୍ଚଳରେ ଭାରତର ସାମରିକ ଦକ୍ଷତାକୁ ଆହୁରି ଦୃଢ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଭାରତରେ ସିରିଜ୍ ବୈଠକ ଜାରି
ସୀମାର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜେ ଦିଲ୍ଲୀରେ ସିଡିଏସ୍ ଭିପିନ ରାୱତ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସହ ଏକ ବଡ଼ ବୈଠକ କରିଥିଲେ। ରାଜନାଥ ସିଂଙ୍କ ସରକାରୀ ବାସଭବନ ୨୪ ଆକବର ରୋଡରେ ଆୟୋଜିତ ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାନେ, ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ଏବଂ ନୌସେନା ମୁଖ୍ୟ କରାମବୀର ସିଂ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.