Home Top News ମୁଖ୍ୟମନ୍ତ୍ରୀଙ୍କ ଚିଠି ମିଛର ଗୁମର ଖୋଲିଲା: ବସନ୍ତ ପଣ୍ଡା

ମୁଖ୍ୟମନ୍ତ୍ରୀଙ୍କ ଚିଠି ମିଛର ଗୁମର ଖୋଲିଲା: ବସନ୍ତ ପଣ୍ଡା

111

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠିରେ ମିଛର ଗୁମର ଖୋଲିଛି। ଚିଠିରେ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ କାରଣରୁ ହିଁ ଗରିବ ଲୋକମାନେ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଜେପି ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଗରିବ ଲୋକମାନେ ନିଜ ହକ୍ ପାଇବାରୁ ବଞ୍ଚିତ ହେବା ନେଇ ଯେଉଁ ଦାବି କରି ଆସୁଥିଲା ସେ କଥାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ସତ ବୋଲି ସ୍ୱୀକାର କରିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ମୁଖ୍ୟମନ୍ତ୍ରୀ ନିଜେ ଆଜିର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାର ଆବାସ ପ୍ଲସ ଅଧୀନରେ ଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ମାର୍ଚ୍ଚ ୭, ୨୦୧୯ ପର୍ଯ୍ୟନ୍ତ ସମୟ ଦେଇଥିଲେ ଏବଂ ରାଜ୍ୟ ସରକାର ସେ ସମୟ ମଧ୍ୟରେ କେବଳ ୩୫ ହଜାର ହିତାଧିକାରୀ ଚିହ୍ନଟ କରିପାରିଥିଲେ ଏବଂ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଥିଲେ। ଯାହାର ମୁଖ୍ୟ କାରଣ ହେଉଛି ରାଜ୍ୟ ସରକାର ନିଜର ସରକାରୀ କଳକୁ ନିର୍ବାଚନ ପ୍ରସ୍ତୁତି ପାଇଁ ବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ଲେଖିଥିବା ନିଜ ପତ୍ରରେ ଏହା ଦର୍ଶାଇଛନ୍ତି। ଏଥିରୁ ଦିବାଲୋକରେ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କ କାରଣରୁ ହିଁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ପାଇବାକୁ ବଞ୍ଚିତ ହୋଇଛନ୍ତି ବୋଲି ବସନ୍ତ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଫନୀ ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସ୍ପେଶାଲରେ ୧.୮୪ ଲକ୍ଷ ଘର ଦେବା ସହ ଜନଜାତି ଏବଂ କେବିକେ ଅଞ୍ଚଳରେ ଗରବ ଲୋକଙ୍କୁ ଯେଉଁ ଘର ଦେବାର ଦାବି କରିଛନ୍ତି, ତାହା ଅମୂଳକ। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କୁ ଭୂଆଁ ବୁଲାଇବା ସହ ନିଜର ଅପାରଗତା ଏବଂ ଆବଣ୍ଟନରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଭ୍ରମାତ୍ମକ ଚିଠି ଲେଖିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏହିପରି ଭାବରେ ଭ୍ରମାତ୍ମକ ଚିଠି ଲେଖିବେ ବୋଲି ରାଜ୍ୟବାସୀ ଜାଣିଛନ୍ତି। ଫନି ବାତ୍ୟା ହେବାର ଅଢ଼େଇ ବର୍ଷ ହେଲାଣି। ଏତେ ବର୍ଷ ଭିତରେ ଫନି ପ୍ରଭାବିତଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିଲା? ପଞ୍ଚାୟତ ନିର୍ବାଚନ ଆସିବା ସମୟରେ ଘରକୁ ପଶିବା ମାତ୍ରେ ମୁଣ୍ଡ ବାଜିଲା ପରି ଆବାସ ଯୋଜନାର କଥା ମୁଖ୍ୟମନ୍ତ୍ରୀଙ୍କ ମନେ ପଡ଼ିବା ଓ ଗରିବଙ୍କ ପାଇଁ ଆନ୍ତରିକତା ହଠାତ୍ ଜାଗ୍ରତ ହେବା ବିଡ଼ମ୍ବନାର ବିଷୟ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀରେ ପ୍ରତିବାଦ କରିବାରୁ ଆମ ଦଳର ଦୁଇ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ମାହାଙ୍ଗାରୁ ପ୍ରତିନିଧିତ୍ୱ କରୁଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିପ୍ତ ଥିବା କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖିବେ କି?

ବସନ୍ତ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆସୁଥିବା ଅର୍ଥର ବାଟମାରଣା ହେଉଥିବା ବେଳେ ଦଳୀୟ ଆଧାରରେ ଘର ଆବଣ୍ଟନ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ସରକାରରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଣ୍ଟନରେ ଅନିୟମିତତା ତଥା ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ହେଲେ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲ। ରାଜ୍ୟ ସରକାର ପ୍ରକୃତ ଯୋଜନାର ହିତାଧିକାରୀଙ୍କୁ ଘର ନଦେଇ ନିଜ ଦୋଷକୁ ଲୁଚାଇ କେବଳ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଦିନରେ ଲଣ୍ଠନ ଦେଖାଇବା ସଦୃଶ। ପ୍ରଧାନମନ୍ତ୍ରୀ ସବୁ ସମୟରେ ଓଡ଼ିଶା ସହ ଚଟଣାର ସହ ଛିଡା ହୋଇ ଫନି ପ୍ରଭାବିତ ସମୟରେ ଫନି ପ୍ରଭାବିତଙ୍କ ପାଇଁ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପଠାଇଲେ। ରାଜ୍ୟ ମାଗିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଅଗ୍ରୀମ ୩୪୦ କୋଟି, ତ୍ୱରିତ ୧୦୦୦ କୋଟି ଟଙ୍କା ଏବେ ପରେ ଅତିରିକ୍ତ ଟଙ୍କା ପଠାଇଥିଲେ। ପୂର୍ବରୁ କେନ୍ଦ୍ରୀୟ ରିପୋର୍ଟରୁ ଜଣାପଡ଼ିଛି ଯେ ଫୋନୀ ପରବର୍ତ୍ତୀ ସମୟରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟିତ ଘର ମାମଲାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପଦାକୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ କେବିକେ ସମେତ ଆକାଂକ୍ଷୀ ଜିଲ୍ଲାକୁ ନଗଣ୍ୟ କରାଯାଇଛି।

କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନାରେ ଆବାସ ଦେବା ପାଇଁ ନିରନ୍ତର ପ୍ରୟାସ କରିଛି କିନ୍ତୁ ରାଜ୍ୟ ସରକାର ହିଁ ବିଫଳ ହୋଇଛନ୍ତି। ନିକଟରେ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ୨.୯୫ କୋଟି ହିତାଧିକାରୀଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତି ନେଇଛନ୍ତି। ଆମେ ଦୃଢ଼ ନିଶ୍ଚିତ ଯେ ଓଡ଼ିଶା ଲୋକମାନେ ଏହାର ଲାଭ ପାଇବ। ଜନଜାତି ଓ କେବିକେ ଅଞ୍ଚଳରେ ଗରିବଙ୍କୁ ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ଟଙ୍କା ଦିଆଯିବା ସତ୍ତ୍ୱେ ସେ ଟଙ୍କା ଯାଉଛି କୁଆଡେ? ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର ଆବଣ୍ଟନ ଶୂନ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଣ୍ଟନ କରାଯାଇଛି। ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ଜଣାପଡ଼ିଥିବା ବେଳେ ଅନେକ ଘର ଅସମ୍ପୂର୍ଣ୍ଣ ରହିଛି ଯଥା କେତେ ସ୍ଥାନରେ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ପଡ଼ିନାହିଁ, ଶୌଚାଳୟ ନଥିବା ମଧ୍ୟ ଉକ୍ତ ତଦନ୍ତରୁ ଜଣାପଡ଼ିଥିଲା। ପୂର୍ବ କେନ୍ଦ୍ରୀୟ ରିପୋର୍ଟରୁ ଓଡ଼ିଶା ସରକାରଙ୍କ ଏଥିରୁ ଏହି ଜିଲ୍ଲା ପ୍ରତି ସମ୍ବେଦନଶୀଳତା କ’ଣ ଅଛି ସ୍ପଷ୍ଟ ବାରିହୋଇ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଦାବି ଅଯୁକ୍ତିକର। ମୁଖ୍ୟମନ୍ତ୍ରୀ ଖାଲି ଚିଠି ଲେଖି ପ୍ରହସନ ନକରି ନିଜର ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ କରନ୍ତୁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରିବା ପାଇଁ ନିଜେ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ପଣ୍ଡା ଦାବି କରିଛନ୍ତି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.