Home Top News ବିଜେପି ଦାୟିତ୍ୱରେ ଅଛନ୍ତି କି? ସାବଧାନ୍; ରାତି ପାଇଲା ବେଳକୁ ..

ବିଜେପି ଦାୟିତ୍ୱରେ ଅଛନ୍ତି କି? ସାବଧାନ୍; ରାତି ପାଇଲା ବେଳକୁ ..

133

ଭୁବନେଶ୍ୱର: ଆପଣ ବିଜେପିର କୌଣସି ସାଙ୍ଗଠନିକ ଦାୟିତ୍ୱରେ ଅଛନ୍ତି କି? ତେବେ, ସାବଧାନ୍ ରୁହନ୍ତୁ। ହୁଏତ ସକାଳ ପାଇଲା ବେଳକୁ ଆପଣଙ୍କର ଦାୟିତ୍ୱ ନଥାଇପାରେ। ଆପଣ ଦାୟିତ୍ବରୁ ମୁକ୍ତ ହୋଇ ଯାଇପାରନ୍ତି। ଆପଣ ଦାୟିତ୍ୱ ଠିକ୍ ଭାବରେ ତୁଲାଉଥାଆନ୍ତୁ ଅବା ଆପଣ ବିଜେପିକୁ କେତେ ବି ଭଲ ପାଉଥାଆନ୍ତୁ, ଦଳ ପ୍ରତି କେତେବି ଆନୁଗତ୍ୟ ଥାଉ, ଏ’ ସବୁର କିଛି ମାନେ ନାହିଁ। ଯଦି ଆପଣ ଦଳର କୌଣସି ପଦପଦବୀରେ ଅଛନ୍ତି ଏବଂ ଆପଣ ଆପଣଙ୍କର ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁଛନ୍ତି, ଆଜି କିଛି କରି, କାଲି ପାଇଁ ପୁଣି କିଛି ଯୋଜନା ରଖିଛନ୍ତି, ତେବେ ଟିକେ ସତର୍କ ରହିଥାଆନ୍ତୁ। ଆପଣଙ୍କ ସହ ବିନା ଆଲୋଚନାରେ, ଆପଣଙ୍କୁ ସୂଚନା ନଦେଇ ହଠାତ୍ ଆପଣ ଯେ ଆଉ ଆପଣଙ୍କର ଦାୟିତ୍ୱରେ ନାହାଁନ୍ତି, ଏପରି ସୂଚନା ଆପଣ ପାଇପାରନ୍ତି। ଏବଂ ତାହା ବି ହୁଏତ ଏମିତି ହୋଇପାରେ, କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରୁ ଆପଣ ଏପରି ଖବର ପାଇପାରନ୍ତି।
ଏପରି ଘଟିଛି ଏବଂ ଘଟୁଛି। ଗତ ୨୫ ଅଗଷ୍ଟ ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆରେ ହଠାତ୍ ଏକ ପୋଷ୍ଟ୍ ଦେଖିବାକୁ ମିଳିଲା, ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତିଙ୍କ ଗୁରୁତର ଦଳ ବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ପ୍ରମାଣିତ ପରେ ଜିଲ୍ଲା ସଭାପତି ବାବୁ ସିଂଙ୍କ ନିର୍ଦ୍ଦେଶ କ୍ରମେ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦାୟିତ୍ବମୁକ୍ତ କରାଗଲା ଏବଂ ଏଭଳି ଅକ୍ଷମଣୀୟ କାର୍ଯ୍ୟକଳାପ ପାଇଁ ଦଳରୁ ଆଜୀବନ ବହିଷ୍କାର କରିବା ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପତ୍ର ମାଧ୍ୟମରେ ଜିଲ୍ଲା ତରଫରୁ ସୁପାରିଶ କରାଗଲା। ହଠାତ୍ ରଶ୍ମିରଞ୍ଜନଙ୍କୁ ହଟାଇ ଦିଆଗଲା ଏବଂ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ଅବସ୍ଥାପିତ କରିଦିଆଗଲା। ବାସ୍ତବରେ ରଶ୍ମିରଞ୍ଜନଙ୍କୁ ହଟାଇବାର କିଛି ଦିନ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଘୋଷଣା କରି ରଶ୍ମିରଞ୍ଜନଙ୍କ ଉପରେ ଅଙ୍କୁଶ ଲଗାଇବା ଯୋଜନା ଆରମ୍ଭ ହୋଇସାରିଥିଲା। ବିଜେପିରେ ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ପଦବୀ ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ତେଣୁ ଏଥିରୁ ପଡ଼ିଯାଉଛି ରଶ୍ମିରଞ୍ଜନଙ୍କୁ ହଟାଇବା ଯୋଜନା ପୂର୍ବରୁ ସ୍ଥିର ହୋଇ ସାରିଥିଲା। ଯଦି ବା ରଶ୍ମିରଞ୍ଜନ ସେପରି କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ ଓ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିଥିବାର ଅଭିଯୋଗ ଆସିଥିଲା, ତେବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ ନକରି, ତାଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ନଦେଇ, ହଠାତ୍ ଏପରି ହଟାଇ ଦିଆଯିବା ଦଳୀୟ ସାଙ୍ଗଠନିକ ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବେ ବି ଅନେକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କି, ରଶ୍ମିରଞ୍ଜନ ଏପରି କ’ଣ ଅକ୍ଷମଣୀୟ କାର୍ଯ୍ୟକଳାପ କରିଥିଲେ ଯେ ତାଙ୍କୁ ଏପରି ଅପ୍ରାୟସିତ ଢଙ୍ଗରେ ରାତାରାତି ହଟାଇ ଦିଆଗଲା?
ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ଏହା ନୂଆକଥା ନୁହେଁ। ଏହା ପୂର୍ବରୁ ହରେକୃଷ୍ଣ ଖୁଣ୍ଟିଆ ଜିଲ୍ଲା ସଭାପତି ଥିବା ସମୟରେ ତତ୍କାଳୀନ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କୁ ହଠାତ୍ ଦାୟିତ୍ବରୁ ହଟାଇ ଦିଆଯାଇଥିଲା। ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀଙ୍କୁ ହଠାତ୍ ଅପସାରିତ କରି ନୂତନ ଭାବରେ ତନୁଶ୍ରୀ ପଟେଲଙ୍କୁ ନିଯୁକ୍ତି ଦେଇଥିଲେ। ମିନାକ୍ଷୀଙ୍କ ସହିତ ଅନ୍ୟାୟ କରାଗଲା। ସମାଧାନ କରିବାକୁ କେହି ଉଦ୍ୟମ କଲେ ନାହିଁ। କାରଣ ନିଷ୍ପତ୍ତି ଯେ, ମନ୍ତ୍ରୀଙ୍କ ଖାସ୍ ଲୋକ ବୋଲାଉଥିବା ହରି ଖୁଣ୍ଟିଆଙ୍କର ଥିଲା। ହରି ଖୁଣ୍ଟିଆଙ୍କ ପାଇଁ ଦଳ ଜଣେ ଭଲ ନେତ୍ରୀଙ୍କୁ ହରାଇଲା। ପରବର୍ତ୍ତୀ ମୁହୂର୍ତ୍ତରେ ମିନାକ୍ଷୀ ପ୍ରିୟଦର୍ଶିନୀ ଯାଇ ବିଜେଡିରେ ଯୋଗଦେଲେ। ଏଣେ ନୂତନ ଭାବରେ ଦାୟିତ୍ୱ ପାଇଥିବା ତନୁଶ୍ରୀ ପଟେଲଙ୍କୁ ସଙ୍ଗଠନରେ କାମ କରିବା ଦେଖିବାକୁ ମିଳିଲା ନାହିଁ। ଏହା ପୂର୍ବରୁ ମଧ୍ୟ ଜିଲ୍ଲାରେ ବିଭିର୍ଣ୍ଣ ସ୍ତରରେ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ହଠାତ୍ ଦାୟିତ୍ୱ ମୁକ୍ତ କରାଯାଇଥିବାର ନଜିର ମଧ୍ୟ ରହିଛି। ଜିଲ୍ଲା ଟିମରେ କିଏ ରହିବ କିଏ ନାହିଁ, ଏହା ସଭାପତିଙ୍କର ଇଚ୍ଛାଧୀନ ବେପାର। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରେ ବାବୁ ସିଂହ ଏବେ ଜିଲ୍ଲା ସଭାପତି ଅଛନ୍ତି। କିନ୍ତୁ, ସେ କେବଳ ଏକ ମୋହରା। ହରି ଖୁଣ୍ଟିଆ ସୁପର୍ ସଭାପତି ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି। ତାଙ୍କ ଇଚ୍ଛାରେ ଭୁବନେଶ୍ୱରରେ ସଙ୍ଗଠନ ଚାଲିଛି ଏବଂ ତାଙ୍କ ଇଙ୍ଗିତରେ କେତେବେଳେ କାହାର ପତା କାଟି ଦିଆଯାଉଛି ତ’ କାହାକୁ ମୁଣ୍ଡରେ ବସାଇ ଦିଆଯାଉଛି। ଏହା ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ମନରେ ଶଙ୍କା, ସନ୍ଦେହ ଏବଂ ଅସୁରକ୍ଷିତ ଭାବନା ସୃଷ୍ଟି କରୁଛି। ଦଳ ଏଥିପ୍ରତି ଦୃଷ୍ଟିଦେଇ ଏହାର ସମାଧାନ ନକଲେ ଆଗକୁ ଭୁବନେଶ୍ୱରରେ ବିଜେପି ସଙ୍ଗଠନ ଉପରେ ଜବରଦସ୍ତ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.