Home ଓଡ଼ିଶା ବଡ଼ ଭୂମିକା ହାସଲ ପାଇଁ ବିଜେପିରେ ଲମ୍ବା ଇନିଂସ୍ ଖେଳି ପାରିବେ କି ବୈଜୟନ୍ତ ଆଉ...

ବଡ଼ ଭୂମିକା ହାସଲ ପାଇଁ ବିଜେପିରେ ଲମ୍ବା ଇନିଂସ୍ ଖେଳି ପାରିବେ କି ବୈଜୟନ୍ତ ଆଉ ଅପରାଜିତା? ଏକ ସମୀକ୍ଷା ..

301

ଭୁବନେଶ୍ୱର: ଅନେକ ନେତା ବିଜେପିରେ ଯୋଗ ଦିଅନ୍ତି କିନ୍ତୁ, ଫେରିବା ପାଇଁ ଏକ ଉପାୟ ମଧ୍ୟ ଖୋଜନ୍ତି। ଅନେକ ନେତା ବିଜେପିକୁ ଆସନ୍ତି, କିନ୍ତୁ ବିଜେପିରେ ତିଷ୍ଠି ନପାରି ପୁଣି ଫେରି ଯାଆନ୍ତି। ବିଚାରଧାରା ବାହାରୁ ବା ଅନ୍ୟ ଦଳରୁ ଆସୁଥିବା କଦବା କୋଚିତ୍ ନେତା ବିଜେପିରେ ତିଷ୍ଠି ପାରନ୍ତି। ଏହାର କାରଣ ଏମାନଙ୍କର ବିଜେପିର ମାତୃ ସଙ୍ଗଠନ ସଂଘ (ଆରଏସ୍ଏସ୍) ସହିତ ସଂପର୍କ ନଥାଏ। ବିଜେପିରେ ତିଷ୍ଠି ରହିବାକୁ ହେଲେ ସଂଘ ସହିତ ସଂପର୍କ ରହିବା ଜରୁରୀ। ନିଜକୁ ସଂଘ ବିଚାରଧାରା ସହିତ ଖାପ ଖୁଆଇବା ଜରୁରୀ। ନହେଲେ ବିଜେପିରେ ଏକ ଲମ୍ବା ଇନିଂସ୍ ଖେଳିବା ପ୍ରାୟତଃ ଅସମ୍ଭବ, ଦଳରେ କିମ୍ବା ସରକାରରେ ହୁଏତ କୌଣସି ଛୋଟମୋଟ ଭୂମିକା ମିଳିପାରେ ମାତ୍ର, ଏକ ପ୍ରମୁଖ ଭୂମିକା ହାସଲ କରିବା ସମ୍ଭବପର ନୁହେଁ। ବିଜେପିରେ ରହି ରାଜନୀତିରେ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିଲେ ବିଜେପିରେ ଏକ ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ପଡ଼ିବ। ଆଉ ବିଜେପିରେ ଏକ ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ଚାହୁଁଥିଲେ ସଂଘ ସହିତ ସଂପର୍କ ବଢ଼ାଇବାକୁ ପଡ଼ିବ।

ସଂଘ ସଂପର୍କରେ ସିନ୍ଧିଆ –
ବୋଧେ ଏହା ବୁଝି ପାରିଛନ୍ତି ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଜେପି ସଙ୍ଗଠନ ସମେତ ସଂଘ (ଆରଏସ୍ଏସ୍) ସହିତ ନିଜକୁ ବାନ୍ଧି ରଖିବାକୁ ପ୍ରୟାସ କରୁଛନ୍ତି ସିନ୍ଧିଆ। ସିନ୍ଧିଆଙ୍କୁ ବିଜେପି ରାଜ୍ୟସଭାକୁ ପଠାଇଛି। ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀ କରାଯିବାର ମଧ୍ୟ ସମ୍ଭାବନା ରହିଛି। କଂଗ୍ରେସ ଛାଡ଼ିବା ପରେ ଗୋଟିଏ ପଟେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ସିନ୍ଧିଆ ଦର୍ଶାଇଛନ୍ତି ଯେ କ୍ଷମତାକୁ ଆସିବା ପରେ ନିର୍ବାଚନ ସମୟରେ ଦିଆଯାଇ ଥିବା ପ୍ରତିଶ୍ରୁତି ପାଳନ କରିବାରେ କଂଗ୍ରେସ ବିଫଳ ହୋଇଥିବାରୁ ସେ କଂଗ୍ରେସ ଛାଡ଼ିଛନ୍ତି। ଏହା ସହ ସିନ୍ଧିଆ ବିଜେପି ସଙ୍ଗଠନର ସମସ୍ତ କାର୍ଯ୍ୟକଳାପରେ ନିଜର ଅଂଶ ଗ୍ରହଣକୁ ବୃଦ୍ଧି କରିଛନ୍ତି। ଏହାସହ ନିକଟରେ ସିନ୍ଧିଆ ନାଗପୁରର ସ୍ଥିତ ସଂଘ (ଆରଏସ୍ଏସ୍) ମୁଖ୍ୟାଳୟକୁ ଯାଇ ସର- ସଂଘଚାଳକ (ସଂଘ ପ୍ରମୁଖ) ମୋହନ ଭଗବତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହା ପରେ ଭୋପାଳ ଫେରି ସେଠାରେ ଥିବା ସଂଘ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ସଙ୍ଗଠନର ବରିଷ୍ଠ ଅଧିକାରୀ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ବୋଧେ ସିନ୍ଧିଆ ବିଜେପିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଜାଣିଛନ୍ତି, ଯଦି ସେ ସଂଘ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି, ତେବେ ଯାଇ ଏହା ସମ୍ଭବ। ସିନ୍ଧିଆ ତାଙ୍କ ଯୋଜନା ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଜେପିରେ ହିଁ ରହିବାକୁ ପଡ଼ିବ, କଂଗ୍ରେସକୁ ଫେରିବାର ସମ୍ଭାବନା କ୍ଷୀଣ। ତେଣୁ ସଂଗଠନ ତଥା ସଂଘର ନିକଟତର ହେବା ଆବଶ୍ୟକ। ଅନେକ ନେତା ବିଜେପିରେ ଯୋଗ ଦିଅନ୍ତି କିନ୍ତୁ, ଫେରିବା ପାଇଁ ଏକ ଉପାୟ ମଧ୍ୟ ଖୋଜନ୍ତି। କିନ୍ତୁ ସିନ୍ଧିଆଙ୍କ କ୍ଷେତ୍ରରେ ଏପରି ଲାଗୁ ନାହିଁ। ସିନ୍ଧିଆ ଲମ୍ବା ଇନିଂସ ଖେଳିବାକୁ ଚାହୁଁଛନ୍ତି। ଯଦି ସେ ବିଜେପିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ସଂଘର ଭରଷା ଜିତିବାକୁ ପଡ଼ିବ। ସଂଘ ପ୍ରମୁଖ କୁହନ୍ତି, ପ୍ରଥମେ ସଂଘକୁ ଜାଣ, ସଂଘକୁ ବୁଝ। ଯେତେବେଳେ ଆପଣ ସଂଘର ରୀତିନୀତି ସହ ସହମତ ହୁଅନ୍ତି, ସେତେବେଳେ ସଂଘ ସହିତ ଯୋଡ଼ି ହୁଅନ୍ତୁ, କାମ ମଧ୍ୟ କରନ୍ତୁ। ସିନ୍ଧିଆ ତାହା ହିଁ କରୁଛନ୍ତି।

ସଂଘ ସଂପର୍କ ଜରୁରୀ –
ଓଡ଼ିଶାରେ ଏହିପରି ଜଣେ ନେତା ଆଉ ଜଣେ ନେତ୍ରୀ ବିଜେପିରେ ସାମିଲ ହୋଇଛନ୍ତି ଯାହାଙ୍କ ପାଖରେ ସମ୍ଭାବନା ରହିଛି। ସେମାନେ ହେଲେ ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କେବଳ ଏକ ସାଂସଦ ହେବା ପାଇଁ କିମ୍ବା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିମ୍ବା ରାଷ୍ଟ୍ରୀୟ ପ୍ରବକ୍ତା ହେବା ପାଇଁ ବିଜେଡିରେ ଯଥେଷ୍ଟ ପ୍ରାଧାନ୍ୟ ଥାଇ ବୈଜୟନ୍ତ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇ ନାହାଁନ୍ତି କି, ୧୧ ବର୍ଷର ପ୍ରଶାସନିକ ସେବା ଚାକିରୀ ଛାଡ଼ି ଅପରାଜିତା ରାଜନୀତିରେ ଯୋଗ ଦେଇନାହାଁନ୍ତି। ଉଭୟଙ୍କର ଉଚ୍ଚ ଅଭିଳାଷ ଥିବା ସ୍ପଷ୍ଟ ବାରି ହେଉଛି। ଛୋଟମୋଟ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିଲେ ସବୁ ଠିକ୍ ଥିଲା। କିନ୍ତୁ, ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିଲେ ବୈଜୟନ୍ତ ଏବଂ ଅପରାଜିତା ଉଭୟଙ୍କୁ ବିଜେପିରେ ଏକ ବଡ଼ ଇନିଂସ୍ ଖେଳିବାକୁ ହେବ ଏବଂ ଏଥିପାଇଁ ସଂଘକୁ ଜାଣିବାକୁ, ବୁଝିବାକୁ ପଡ଼ିବ। ସଂଘ ରୀତିନୀତି ସହ ସହମତ ହୋଇ, ସଂଘ ସହିତ ଯୋଡ଼ି ହୋଇ, ସଂଘ କାମ କରି, ସଂଘର ବିଶ୍ୱାସ ଭାଜନ ହୋଇ, ସଂଘର ଭରଷା ପ୍ରାପ୍ତ କରିବାକୁ ପଡ଼ିବ। ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିଲେ, ବିଜେପିରେ ଏକ ବଡ଼ ଇନିଂଙ୍ଗ୍ସ୍ ଖେଳିବାକୁ ପଡ଼ିବ। ଆଉ ବିଜେପିରେ ଏକ ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ଚାହୁଁଥିଲେ ସଂଘ ସହିତ ସଂପର୍କ ବଢ଼ାଇବାକୁ ପଡ଼ିବ।

ବୈଜୟନ୍ତ ପଣ୍ଡା –
ଅବଶ୍ୟ ବୈଜୟନ୍ତ ପଣ୍ଡା ପ୍ରାୟତଃ ସେହି ଭୂମିକାରେ ଅଛନ୍ତି। ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଜାତୀୟ ସ୍ତରରେ ଯେଉଁ ରାଜ୍ୟରେ ବା ଯେ କୌଣସି ଦାୟିତ୍ୱ ତାଙ୍କୁ ଦିଆଯାଉଛି ସେ ତାହା ସୂଚାରୁ ରୂପେ ତୁଲାଉଛନ୍ତି। ସଂଘ (ଆରଏସ୍ଏସ୍) ସହିତ ଭଲ ସମ୍ପର୍କରେ ଅଛନ୍ତି ବୈଜୟନ୍ତ। କୌଣସି ନାଁ କୌଣସି ପ୍ଲାଟଫର୍ମରେ ବିଜେପିର କେନ୍ଦ୍ରୀୟ ନେତା ଏବଂ ସଂଘର ରାଷ୍ଟ୍ରୀୟ ପଦାଧିକାରୀଙ୍କ ସମ୍ପର୍କରେ ରହୁଛନ୍ତି ବୈଜୟନ୍ତ। ବିଜେପିରେ ଯୋଗ ଦେବା ପୂର୍ବରୁ ନାଗପୁର ସ୍ଥିତ ସଂଘ ମୁଖ୍ୟାଳୟରେ ଚାଲିଥିବା ଶିବିରକୁ ଯାଇଥିଲେ ବୈଜୟନ୍ତ। ପ୍ରଥମ ଦିନ ଯାଇଥିଲେ ଏବଂ ଦୂତୀୟ ଦିନ ସଂଘ କାର୍ଯ୍ୟକ୍ରମ ଲାଇଭ୍ ଟେଲିକାଷ୍ଟ ଘରେ ବସି ଦେଖୁଥିଲେ। ସଂଘକୁ ଜାଣିବାକୁ ଇଛୁକ ଥିବା ଜଣେ ବାହାର ବ୍ୟକ୍ତି ଭାବରେ ସେ ଏହା କରୁଥିଲେ ବୋଲି ସେତେବେଳେ ବୈଜୟନ୍ତ ଟ୍ୱିଟ କରି କହିଥିଲେ। ଏହା ସହ ସର- ସଂଘଚାଳକ ମୋହନ ଜୀ’ ଭାଗବତଙ୍କର ଗାନ୍ଧି, ଡଃ କଲାମ, କୁରୀୟନ, ନେହେରୁ, କଂଗ୍ରସ ଏପରିକି ବାମପନ୍ଥୀଙ୍କ ପ୍ରତି ସହଯୋଗ, ସମ୍ବିଧାନ ପ୍ରତି ବଚନବଦ୍ଧତା ଏବଂ ସବୁ ଧର୍ମକୁ ସ୍ୱୀକୃତି, ସମ୍ମାନ ଦେବା ଭାବନାକୁ ଅନୁଭବ କରି ବୈଜୟନ୍ତ ତାଙ୍କ ଟ୍ୱିଟରରେ ପ୍ରଶଂସା ମଧ୍ୟ କରିଥିଲେ। ବିଜେପି ନେତାଙ୍କ ଦ୍ୱାରା ଆୟୋଜିତ ବିଭିର୍ଣ୍ଣ କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡାଙ୍କୁ ଦେଖିବାକୁ ମଧ୍ୟ ମିଳେ। ସଂଘରୁ ବିଜେପିକୁ ଆସିଥିବା ପ୍ରଭାବଶାଳୀ ନେତା ରାମ ମାଧବଙ୍କ ଦ୍ୱାରା ’ଇଣ୍ଡିଆ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଇଣ୍ଡିଆ ଆଇଡିଆଲ୍ କନକ୍ଲେଭ୍ କାର୍ଯ୍ୟକ୍ରମ ସମେତ ସଂଘ ସର- କାର୍ଯ୍ୟବାହ ଭାୟାଯୀ ଯୋଶୀଙ୍କ ସହ ବୈଜୟନ୍ତଙ୍କୁ କେତେଥର ଦେଖିବାକୁ ମିଳିଛି। ସେହିପରି ରାମ ମାଧବଙ୍କ ସହିତ ବୈଜୟନ୍ତ ପଣ୍ଡାଙ୍କୁ ଆଉ କିଛି ପ୍ଲାଟଫର୍ମରେ ଦେଖିବାକୁ ମିଳିଥିବା ବେଳେ ବୈଜୟନ୍ତଙ୍କ ପିତା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ଭୁବନେଶ୍ବର ସ୍ଥିତ ବୈଜୟନ୍ତଙ୍କ ଘରକୁ ଆସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାମ ମାଧବ। ଏପରିକି ରାମ ମାଧବ ଭୁବନେଶ୍ୱର ଆସି ଫେରି ଯାଇଥିଲେ ମଧ୍ୟ ଟେର୍ ପାଇନଥିଲେ ଓଡ଼ିଶା ବିଜେପିର କୌଣସି ନେତୃତ୍ୱ। ବୈଜୟନ୍ତ ଦଳୀୟ ଦୃଷ୍ଟିକୋଣରୁ ଶୃଙ୍ଖଳିତ ଅଛନ୍ତି, ସଂଘର ରାଷ୍ଟ୍ରୀୟ ପଦାଧିକାରୀଙ୍କ ସହିତ ମଧ୍ୟ ଭଲ ସମ୍ପର୍କରେ ଅଛନ୍ତି। କିନ୍ତୁ, ରାଜ୍ୟରେ ସଂଘ ସହିତ ସେତେଟା ସଂପର୍କ ବଢ଼ାଇ ପାରିନାହାଁନ୍ତି। ଯାହାର ମଧ୍ୟ ଆବଶ୍ୟକତା ରହିଛି। ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଜ୍ୟ ପଦାଧିକାରୀଙ୍କ ସମେତ ତୃଣମୂଳ ସ୍ତରର ସ୍ୱୟଂ ସେବକ ମାନଙ୍କ ସହିତ ସଂପର୍କ ବୃଦ୍ଧି ଏବଂ ରାଜ୍ୟ ତଥା ସ୍ଥାନୀୟ ସ୍ତରରେ ସଂଘ କାର୍ଯ୍ୟକ୍ରମରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିବାକୁ ପଡ଼ିବ।

ଅପରାଜିତା ଷଡ଼ଙ୍ଗୀ –
ଅପରାଜିତା ଷଡ଼ଙ୍ଗୀ କିନ୍ତୁ, ଏଥିରୁ ସଂପୂର୍ଣ୍ଣ ବିଚ୍ୟୁତ ଅଛନ୍ତି। ନିର୍ବାଚନ ପୂର୍ବରୁ “ମୁଁ ନୁହେଁ, ଆମେ” କହୁଥିବା ଅପରାଜିତା ଏବେ “ଆମେ ନୁହେଁ, ମୁଁ” ଶୈଳୀରେ କାର୍ଯ୍ୟ କରୁଛନ୍ତି। କିଛି ଦିନ ତଳେ ଆରଏସ୍ଏସର ରାଷ୍ଟ୍ରୀୟ ସ୍ତରର କାର୍ଯ୍ୟକର୍ତ୍ତା ମାନଙ୍କର ଏକ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା। ସଂଘକୁ ଜାଣିବା, ସଂଘକୁ ବୁଝିବା ପାଇଁ ରାଜ୍ୟ ବିଜେପି ସମେତ ବିବିଧ କ୍ଷେତ୍ରର ପ୍ରତ୍ୟେକ କ୍ଷେତ୍ର କାର୍ଯ୍ୟକର୍ତ୍ତା ମାନଙ୍କୁ ଦିନକ ପାଇଁ ସଂଘ ପ୍ରଚାରକ ମାନଙ୍କ ସହିତ ମିଶି ଭୋଜନ କରିବା ସହିତ ଭୋଜନ ପରିବେଷଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜୟ ମହାପାତ୍ରଙ୍କ ପରି ନେତା ଉପସ୍ଥିତ ହୋଇଥିଲେ। ଭୋଜନ ପରିବେଷଣ କରିଥିଲେ, ଭୋଜନ ମଧ୍ୟ କରିଥିଲେ। କିନ୍ତୁ, ଭୁବନେଶ୍ୱରରେ ଥାଇ ମଧ୍ୟ ଉପସ୍ଥିତ ନଥିଲେ ଅପରାଜିତା। କେବଳ ସେତିକି ନୁହେଁ ସଂଘ ସହିତ ଆଦୌ ସଂପର୍କରେ ରହୁ ନାହାଁନ୍ତି ଅପରାଜିତା। ସଂଘ ବିଚାରଧାରାର ଅନୁଷ୍ଠାନ ବିଦ୍ୟା ଭାରତୀ ଅଧିନସ୍ତ ଶିକ୍ଷାନୁଷ୍ଠାନ ଶିଶୁ ମନ୍ଦିର କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କଲେ ଯାଆନ୍ତି ନାହିଁ ଅପରାଜିତା। ଏପରିକି କେତେଥର ଯିବାକୁ ପ୍ରତିଶ୍ରୁତି ଦେଇ ଯାଇ ନାହାଁନ୍ତି ମଧ୍ୟ। ଏଥିପାଇଁ ସେମାନଙ୍କ ଭିତରେ ଅପରାଜିତାଙ୍କ ପ୍ରତି ଏକ ଅସନ୍ତୋଷ ରହିଛି। କାହାର ପରାମର୍ଶ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରୁଥିବା ଅପରାଜିତା ସୂଚନା ଅନୁଯାୟୀ, ଜଣେ ଅଧେ ସଂଘ କାର୍ଯ୍ୟକର୍ତ୍ତାଙ୍କ ସଂପର୍କରେ ରହି ସେମାନଙ୍କ ଭୁଲ୍ ପରାମର୍ଶ ଗ୍ରହଣ କରି ଚାଲିଛନ୍ତି। ‘ଅଜିତା’ ନାମରେ ଏକ ମହିଳା ସଙ୍ଗଠନ, ‘ୟୁଥ୍ ଫର୍ ଆକ୍ସନ୍’ ନାମରେ ଏକ ଯୁବା ସଙ୍ଗଠନ ଏବଂ ବରିଷ୍ଠ ବୁଦ୍ଧିଜୀବୀ ନାଗରିକଙ୍କୁ ନେଇ ‘ସମର୍ଥ’ ନାମରେ ସଙ୍ଗଠନ କରି ଦଳ ଭିତରେ ଏକ ପରାଲାଲ୍ ସଙ୍ଗଠନ କରୁଛନ୍ତି ଅପରାଜିତା। ତେଣୁ, ଓଡ଼ିଶା ରାଜନୀତିରେ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାର ଆଶା ରଖୁଥିଲେ ମଧ୍ୟ ବିଜେପି ଭିତରେ ଏକ ବଡ଼ ଇନିଂଙ୍ଗ୍ସ୍ ଖେଳିବା ଲକ୍ଷରେ ନଥିଲା ପରି ଲାଗୁଛନ୍ତି ଅପରାଜିତା। ଅପରାଜିତାଙ୍କ ଏପରି ଆଚରଣ ବିଜେପିରେ ରହି ତାଙ୍କୁ ବଡ଼ ଭୂମିକା ମିଳିବାର ସମ୍ଭାବନା କ୍ଷୀଣ। ଓଡ଼ିଶା ବିଜେପି ରାଜନୀତିର ସାଂପ୍ରତିକ ପରିସ୍ଥିତରେ ବୈଜୟନ୍ତ ଏବଂ ଅପରାଜିତାଙ୍କ ମଧ୍ୟରୁ ଯେ କେହି ନିଜକୁ ସଂଘର ବିଶ୍ୱାସ ଭାଜନ କରାଇ, ନିଜକୁ ସଂଘ ଭରଷାକୁ ଆଣି, ବିଜେପିରେ ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ନିଜକୁ ପ୍ରସ୍ତୁତ କରାଇ ପାରିବ, ଆଗାମୀ ଦିନରେ ତାଙ୍କୁ ହୁଏତ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାର ସୁଯୋଗ ମିଳିପାରିବ। କିନ୍ତୁ, ବିଜେପିରେ ରହି ରାଜନୀତିରେ ଏକ ବଡ଼ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚାହୁଁଥିଲେ ବିଜେପିରେ ଏକ ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ପଡ଼ିବ। ଆଉ ବିଜେପିରେ ଏକ ଲମ୍ବା ଇନିଂଙ୍ଗ୍ସ୍ ଖେଳିବାକୁ ଚାହୁଁଥିଲେ ସଂଘ ସହିତ ସଂପର୍କ ବଢ଼ାଇବାକୁ ପଡ଼ିବ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.