ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲବି) ପ୍ରଦାନକୁ ଅନୁମୋଦନ କରାଯାଇଛି। ଏହାଫଳରେ ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫଓ, ଇଏସଆଇସି ଇତ୍ୟାଦି ସଂସ୍ଥାର ୧୬.୯୭ ଲକ୍ଷ ଅଣଗେଜେଟେଡ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାରଙ୍କୁ ୨, ୭୯୧ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ। ସେହିପରି ଅଣଉତ୍ପାଦକତା ଭିତ୍ତିକ ବା ଆଡହକ ବୋନସ ମଧ୍ୟ ୧୩.୭୦ ଲକ୍ଷ ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ଏବାବଦ ୯୪୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବାକୁ ପଡିବ।
ଏହି ବୋନସ ଘୋଷଣା ଦ୍ଵାରା ମୋଟ ୩୦.୬୭ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏବାବଦ ସରକାରଙ୍କୁ ୩, ୭୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ।
ପୂର୍ବ ବର୍ଷ ମାନଙ୍କରେ ଅଣଗେଜେଟେଡ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଲାଗି ବୋନସ ସାଧାରଣତଃ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ। ଉଭୟ ଉତ୍ପାଦକ ଭିତ୍ତିକ ଓ ଆଡହକ ବୋନସ ଅଣଗେଜେଟେଡ କର୍ମଚାରୀଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି।
**********