ଭୁବନେଶ୍ୱର: ବିଜେଡି ସରକାର ଓଡ଼ିଶାର ଯୁବକ ମାନଙ୍କୁ ବୋକା ବନେଇ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ଗଠନ କରିଥିଲେ। କିନ୍ତୁ, ଏହି ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଓଡ଼ିଶା ଲୋକଙ୍କ ଝାଳବୁହା ପଇସାରେ ଯୁବକ ମାନଙ୍କୁ ପଥଭ୍ରଷ୍ଟ କରି ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଇରାସିସ କହିଛନ୍ତି ଯେ, ୨୦୧୩ ଷ୍ଟେଟ ୟୁଥ ପଲିସିକୁ ଆଧାର କରି ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ “ବିଜୁ ଯୁବ ଶକ୍ତିକରଣ ଯୋଜନା” ତିଆରି କରିଥିଲେ ତାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ। ୧୪ ମାର୍ଚ୍ଚ ୨୦୧୮ରେ କ୍ୟାବିନେଟ୍ ବୈଠକରେ ଏହା ପାଳିତ ହୋଇଥିଲା। ସେତେବେଳେ କୁହାଗଲା ଓଡ଼ିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ। ୬୭୯୯ ଗ୍ରାମ ପଞ୍ଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟି ପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍ର ପ୍ରାବଧାନ କରାଗଲା। ରାଷ୍ଟ୍ର ନିର୍ମାଣ ଦିଗରେ ଯୁବକ ମାନେ କାର୍ଯ୍ୟ କରିବା, ନିଜର ବ୍ୟକ୍ତିତ୍ୱ ବିକାଶ କରିବା, ବୃକ୍ଷ ରୋପଣ କରିବା, ପରିବେଶକୁ ସବୁଜ ଓ ନିର୍ମଳ ରଖିବା, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା, ନିଶା ନିବାରଣ ସଂପର୍କରେ ସଚେତନ କରିବା, ବାଲ୍ୟ ବିବାହ ଓ ଯୈାତୁକ ପ୍ରଥା ବିରୁଦ୍ଧରେ ସଚେତନ କରାଇବା, ପଞ୍ଚାୟତରେ ଲୋକଙ୍କୁ ସାକ୍ଷର କରାଇବା ଏବଂ ନିଜେ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ଏଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ଠିକ୍ ଓଲଟା ସବୁ ଘଟିଲା। ଯୁବ ବାହିନୀର ଗୁଣ୍ଡାମାନେ ବାଇକ ଚୋରି କରିବା, ସାମ୍ବାଦିକଙ୍କୁ ମାଡ଼ ମାରିବା, ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ କରିବା, ନିର୍ବାଚନ ବେଳେ ଲୋକଙ୍କୁ ଟଙ୍କା ବାଣ୍ଟି ଭୋଟ ହାତେଇବା ଆଦି କାର୍ଯ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଏହି ଯୋଜନା ଟିକୁ ଘୋଷଣା କଲାବେଳେ କହିଥିଲେ, ବିଜୁ ଯୁବ ବାହିନୀ ଯୁବବର୍ଗଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ, ଦାୟିତ୍ୱ ବୋଧ, ସମାଜ ସେବା, ନେତୃତ୍ୱ ଗଠନରେ ଉଲ୍ଲେଖନୀୟ କାର୍ଯ୍ୟ ଗ୍ରହଣ କରିବ। ୨୦୧୮ରେ ସାରା ରାଜ୍ୟରେ ବିଜୁ ଯୁବ ବାହିନୀ ମାର୍ଫତରେ ମୁଁ ହିରୋ ଅଭିଯାନ ଆରମ୍ଭ କରାଗଲା। ମୁଁ ହିରୋ ମାଧ୍ୟମରେ ବିଜୁ ଯୁବ ବାହିନୀ ସମାଜରେ ପରିବର୍ତ୍ତନର ଧାରା ଆଣିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କଟକ ସମାବେଶରେ କହିଥିଲେ। ପୂର୍ବତନ ଆଇପିଏସ୍ ଅଫିସର ଅନୁପ ପଟ୍ଟନାଏକଙ୍କୁ “State youth welfare Board” ଅଧ୍ୟକ୍ଷ ନିଯୁକ୍ତ କରି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଏହି ଗୁଣ୍ଡା ବାହିନୀର ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଥିବା ୧୫ ରୁ ୩୫ ବର୍ଷର ପ୍ରାୟ ୩ ଲକ୍ଷ ଯୁବକ ଯୁବତୀକୁ କିଛି ଦିନ ମାସିକିଆ ଭତା ଦେଇ ନବୀନ ବାବୁ ପୁଣି ସେମାନଙ୍କୁ ବେକାର କରିଦେଲେ ବୋଲି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ଇରାସିସ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୨ ତାରିଖ ପ୍ରଶ୍ନ ସଂଖ୍ୟା ୧୫୬୫ରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନ ଉତ୍ତରରେ ଯୁବ ଓ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା “ବିଜୁ ଯୁବ ବାହିନୀ”ର ଅନୁଷ୍ଠାନିକ ଭାବରେ ମୃତ୍ୟୁ ଘଟିଛି ବୋଲି ସ୍ୱୀକାର କରିଛନ୍ତି। ତେବେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ କାହିଁକି ଗଠନ କରିଥିଲେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ। ଯୁବ ବାହିନୀ ନାଁ’ରେ ବିଗତ ତିନି ବର୍ଷରେ ୪୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜକୋଷରୁ ଖର୍ଚ୍ଚ କରି ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର। କେବଳ ଭୋଟ ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ବର୍ବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ଝାଳବୁହା ପଇସା ଓ କରଦାତାଙ୍କ ୪୫୦ କୋଟି ଟଙ୍କାର ବିନିମୟରେ କ’ଣ ଉପଲବ୍ଧି ହେଲା? ଓଡ଼ିଆ ଯୁବକ ଯୁବତୀ ମାନଙ୍କର ପ୍ରତିଭା ଏବଂ ଦକ୍ଷତାର କ’ଣ ବିକାଶ ହେଲା? ବିଜୁ ଯୁବ ବାହିନୀ ପାଇଁ ଗଞ୍ଜି, ସାର୍ଟ, ମୋବାଇଲ, ନାଚ ଗୀତର ଆସର, ସିଙ୍ଗାପୁର ଗ୍ରସ୍ତ ଖର୍ଚ୍ଚର ହିସାବ ରାଜ୍ୟ ସରକାର ଦେବେ କି? ଏହାର ଫାଇନାନସିଆଲ ଏବଂ ସୋସିଆଲ ଅଡିଟ୍ କରିବେ କି? ରାଜ୍ୟରେ ଆଜି ଖେଳର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି। ୨୧ ବର୍ଷର ସ୍ଥିର ସରକାର ଏବଂ ବିଜୁ ଯୁବ ବାହିନୀ ନାଁ’ରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲାପରେ ଏହି ଯୋଜନାରୁ କେତେଜଣ ଖେଳାଳୀ ଉପକୃତ ହୋଇଛନ୍ତି? କେତେ ଜଣ ଖେଳାଳୀ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ନାମ ଅର୍ଜନ କଲେ? କେତେ ଜଣ ଖୋଳାଳୀଙ୍କୁ ଉପଯୁକ୍ତ କୋଚ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମିଳିଛି? ଓଡ଼ିଶାର ଯୁବକ ମାନଙ୍କର ଏ’ ସଙ୍ଗିନ ସ୍ଥିତି ପାଇଁ ଦାୟୀ କିଏ ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଇରାସିସ ଆଚାର୍ଯ୍ୟ ଆହ୍ୱାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ପ୍ରକାଶ ଦଳେଇ, ବିକ୍ରମ ବିଶ୍ୱାଳ ଏବଂ ମିଡିଆ ସଂଯୋଜକ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
-@Dr