ପୁରୀ/ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନୂଆଶାସନ ପଞ୍ଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପାର୍ଥିଙ୍କ ବିଜୟ ହୋଇଛି। ବିଜେପି ସମର୍ଥିତ ପାର୍ଥି ସୌମ୍ୟକାନ୍ତ କାନ୍ତ ଦାଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ସମର୍ଥିତ ପାର୍ଥି ଡା: ଚିନ୍ମୟ ମହାପାତ୍ରଙ୍କ ଠାରୁ ୮୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୌମ୍ୟକାନ୍ତ ୧୯୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ଚିନ୍ମୟ ୧୮୮୭ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ସମର୍ଥିତ ପାର୍ଥି ପ୍ରଶାନ୍ତ କୁମାର ପ୍ରଧାନ ମାତ୍ର ୩୦ ଖଣ୍ଡ ଭୋଟ୍ ପାଇଛନ୍ତି। ଗତ ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନୂଆଶାସନ ପଞ୍ଚାୟତରୁ ପ୍ରଫୁଲ୍ଲ କୁମାର ମେକାପ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ତେବେ, ପ୍ରଫୁଲ୍ଲଙ୍କ ୩ଟି ସନ୍ତାନ ଥିବା ଦର୍ଶାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୌମ୍ୟକାନ୍ତ ଦାଶ ଅଦାଲତରେ ମାମଲା ରୁଜୁ କରିଥିଲେ। ମାମଲାର ବିଚାର କରି ଅଦାଲତ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିବା ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା।
ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ବିଧାନସଭା କ୍ଷେତ୍ର ପାଇଁ ଆଗକୁ ଉପନିର୍ବାଚନ ହେବାକୁ ଥିବା ବେଳେ ଏବଂ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପାଇଁ ବ୍ୟାପକ ଅନୁଦାନ ରାଶି ଘୋଷଣା କରିଥିବା ଭିତରେ ନୂଆଶାସନ ଉପନିର୍ବାଚନ ଗୁରୁତ୍ୱ ବହନ କରୁଥିଲା। ଏମିତିରେ ବିଭିନ୍ନ ଉପ ନିର୍ବାଚନ ଗୁଡ଼ିକରେ ଶାସକ ବିଜେଡି ବାଜିମାତ୍ କରୁଥିବା ବେଳେ ନୂଆଶାସନରେ ବିଜେପିର ବିଜୟ ଦଳ ଭିତରେ ଏକ ଉତ୍ସାହ ଭରି ଦେଇଛି। ବିଜେଡି ସମର୍ଥିତ ପାର୍ଥିଙ୍କ ପାଇଁ ବିଜେଡିର ବରିଷ୍ଠ ନେତା ସାଂସଦ ପ୍ରତାପ ଦେବଙ୍କ ସମେତ ମନ୍ତ୍ରୀ ସମୀର ଦାସ, ବିଧାୟକ ଉମା ସାମନ୍ତରାୟ, ସଞ୍ଜୟ ଦାସ ବର୍ମା, ମହେଶ୍ୱର ମହାନ୍ତିଙ୍କ ଭଳି ନେତା ଲାଗି ପଡ଼ିଥିବା ଥିବା ବେଳେ ବିଜେପି ସମର୍ଥିତ ପାର୍ଥିଙ୍କ ପାଇଁ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ସମେତ ପୂର୍ବତନ ପୁରୀ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର ଏବଂ ଅଭିନେତା ହରିହର ମହାପାତ୍ର ଆଦି ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ବିଜେପିର ଏହି ବିଜୟ କର୍ମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ଆଣି ଦେଇଥିବା ବେଳେ ବିଜୟର ଶ୍ରେୟ ମୁଖ୍ୟତଃ ଆଶ୍ରିତ ପଟ୍ଟନାୟକଙ୍କ ସମେତ ପ୍ରଭାତୀ ପରିଡ଼ାଙ୍କୁ ଯାଉଛି ବୋଲି କୁହାଯାଉଛି। ତେବେ ଏହି ବିଜୟର ଶ୍ରେୟ ନୂଆଶାସନ ଜନସାଧାରଣଙ୍କୁ ଯାଉଛି ବୋଲି ଉଭୟ କହିଛନ୍ତି।
-@Dr








