Home ଅପରାଧ ଗୋପ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପିର ନିନ୍ଦା: କହିଲା ତାଲିବାନ୍ ଶାସନ ..

ଗୋପ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପିର ନିନ୍ଦା: କହିଲା ତାଲିବାନ୍ ଶାସନ ..

152

ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ଥାନା ମହଲପଡ଼ା ପଞ୍ଚାୟତ ଅନ୍ତର୍ଗତ ରେଢ଼ୁଆ ଗ୍ରାମର ୩୦ ଜଣଙ୍କୁ ପୋଲିସ ଉଠାଇନେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି। ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ସହ ଗୋପ ସରପଞ୍ଚ ସୁଶାନ୍ତ ସ୍ଵାଇଁ, ସୌଦାମିନୀ ସେନାପତି, ବିଜୟ କୁମାର ନାୟକ, ଗୋବିନ୍ଦ ପାଢ଼ୀ, ରାଜ କିଶୋର ନାୟକ, ପ୍ରମୋଦ କୁମାର ପାଇକରାୟ ଏବଂ ତପସ୍ୱିନୀ ବେହେରା ଆଦି ଏକ ଟିମ୍ ରେଢ଼ୁଆ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଟିମ୍ ପକ୍ଷରୁ ପୋଲିସର ଏପରି କାର୍ଯ୍ୟକଳାପକୁ ଦୃଢ଼ ଭାଷାରେ ନିନ୍ଦା କରାଯାଇଛି। ଟିମ୍ କହିବା ଅନୁଯାୟୀ, ଆମେ ଜାଣିବାକୁ ପାଇଲୁ ଯେ ଏକ ଛୋଟ ଘଟଣାକୁ ନେଇ ଏପରି ହୋଇଛି। କୌଣସି ଏକ ଘଟଣାରେ ପୋଲିସ କିଛି ଲୋକଙ୍କୁ ଗିରଫ କରିବାକୁ ଆସିଥିଲା ବେଳେ ଗ୍ରାମବାସୀ ଗିରଫର କାରଣ ପଚାରିବାରୁ ପୋଲିସ ରାଗ ରଖି ଏପରି କରୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଗ୍ରାମ ଜନଶୂନ୍ୟ ହୋଇଯାଇଛି। ଯେଉଁ ଅଳ୍ପ କିଛି ଗ୍ରାମବାସୀ ଗ୍ରାମରେ ଅଛନ୍ତି, ସେମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏପରିକି ପୋଲିସ ମଧ୍ୟ ୨୦ ଜଣ ମହିଳାଙ୍କୁ ଉଠାଇ ନେଇଛି। ପୋଲିସ ଏଠାରେ ତାଲିବାନ ଶାସନ ଭଳି ଘରେ ପସି ଲୋକମାନଙ୍କୁ ମାଡ଼ ମାରି ଉଠାଇ ନେଇଛି। ବହୁ ବୃଦ୍ଧ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ତି।ଗ୍ରାମ ମୁରବି ଶୂନ୍ୟ ହୋଇଯାଇଛି।ଛୋଟ ପିଲାମାନଙ୍କ ଆଖିର ଲୁହରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି କହିଛନ୍ତି ପ୍ରଭାତୀ। ନବୀନ ସରକାରରେ କ’ଣ ଜନସାଧାରଣଙ୍କ ଭଲରେ ବଞ୍ଚିବାର ଅଧିକାର ନାହିଁ। ଖୋଦ ମୁଖ୍ୟମନ୍ତ୍ରୀ “୫- ଟି’ ଏବଂ “ମୋ ସରକାର” କଥା କହୁଥିଲା ବେଳେ ପୋଲିସ ଜନସାଧାରଣଙ୍କ ସହିତ ବନ୍ଧୁତା ଭଳି ଭାବନା ବଦଳରେ ପୋଲିସ ହଁ ଜନସାଧାରଣଙ୍କୁ ଶତୃ ବୋଲି ଭାବି ଅତ୍ୟାଚାର କରୁଛି। ମନେ ହେଉଛି ଯେ ଶାସକ ଦଳର ଚାପରେ ଏହା ହେଉଛି। ଏହା ଯଦି ଚାଲୁ ରହେ ଭାରତୀୟ ଜନତା ପାର୍ଟି ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ସହ ଲୋକଙ୍କୁ ନ୍ୟାୟ ଦେବାରେ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା।

ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଢ଼ୁଆ ଗାଁକୁ ଯାଇଥିଲା ଗୋପ ଥାନା ପୋଲିସ। କିନ୍ତୁ ଅଭିଯୁକ୍ତଙ୍କୁ ନ’ଛାଡ଼ି ୨ ଜଣ ଏସ୍‌ଆଇଙ୍କ ସମେତ ୧୦ ପୋଲିସ କର୍ମୀଙ୍କୁ ୫ ଘଣ୍ଟା ଧରି ଗ୍ରାମବାସୀ ଅଟକ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। ଖବର ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତ ୬ ତାରିଖ ବିଳମ୍ୱିତ ରାତିରେ ଗୋପ ଥାନା ପୋଲିସ ରାଢ଼ୁଆ ଗ୍ରାମକୁ ଯାଇଥିଲା। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବା ବେଳେ ପୋଲିସ କ’ଣ ପାଇଁ ଏତେ ରାତିରେ ଗ୍ରାମକୁ ଆସିଛି କହି ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସର ୨ଟି ଗାଡ଼ି ସମେତ ଯାଇଥିବା ୧୦ ଜଣ ପୋଲିସ କର୍ମଚାରୀଙ୍କୁ ୫ ଘଣ୍ଟା ଧରି ଅଟକ ରଖିଥିଲେ। ଖବର ପାଇ ପରଦିନ ସକାଳୁ ନିମାପଡ଼ା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସହ କୋଣାର୍କ, ନିମାପଡ଼ା, କାକଟପୁର ଥାନା ଆଇସି ଏବଂ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିପିଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗାଁ ଲୋକ ଅଟକ ରଖିଥିବା ପୋଲିସ ଗାଡ଼ି ଏବଂ ପୋଲିସ କର୍ମଚାରୀଙ୍କୁ ଛାଡ଼ିଥିଲେ। ଏହାପରେ ପୋଲିସ କର୍ମଚାରୀଙ୍କୁ ଅଟକ ରଖିବା, ସରକାରୀ କାମରେ ବାଧା ଉପୁଜାଇବା ଆଦି ଅଭିଯୋଗରେ ଗୋପ ପୋଲିସ ରାତି ଅଧିଆ ସଂପୃକ୍ତ ଗ୍ରାମକୁ ଯାଇ ମହିଳା ଏବଂ ନାବାଳକଙ୍କ ସମେତ ୩୦ ଜଣଙ୍କୁ ଉଠାଇ ନେଇଥିଲା। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.