Home Top News ମାହାଙ୍ଗା ବିଜେପି ନେତା କୁଳମଣିଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଡିଜିପି ଅଫିସ ଘେରାଉ କଲା...

ମାହାଙ୍ଗା ବିଜେପି ନେତା କୁଳମଣିଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଡିଜିପି ଅଫିସ ଘେରାଉ କଲା ବିଜେପି

22

କଟକ/ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣିଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଆଜି କଟକ ଠାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ମାତା ମଠ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଡିଜପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପିର ଅଭିଯୋଗ ଅନୁଯାୟୀ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁ’ରେ ଏତଲା ଦିଆଯାଇଛି। କିନ୍ତୁ ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ’ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ଡିଜିପି ଅଫିସ ଘେରାଉ କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ନେତା କୁଳମଣି ବରାଳ ସବୁବେଳେ ପ୍ରତିବାଦ କରି ଆସୁଥିଲେ। ଏହି କାରଣରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କର ଏକାନ୍ତ ଅନୁଗତ ପୂର୍ବ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଓ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡିର କିଛି କାର୍ଯ୍ୟକର୍ତ୍ତା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲେ। ମୃତ୍ୟୁ ପୂର୍ବରୁ କୁଲମଣି ବରାଳ ଓ ଦିବ୍ୟସିଂହ ବରାଳ ମୃତ୍ୟୁକାଳୀନ ଜମାନବନ୍ଦୀରେ ଆକ୍ରମଣକାରୀଙ୍କ ନାମ ପରିବାର ଲୋକଙ୍କୁ ଜଣାଇଥିଲେ। ସେହି ଜମାନବନ୍ଦୀ ଆଧାରରେ କୁଳମଣି ବରାଳଙ୍କ ପୁଅ ଥାନାରେ ଏତଲା ଦେଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କରୁନାହିଁ କି ଗିରଫ କରିନାହିଁ। ଗତ ୨ ବର୍ଷ ତଳେ ବିଜେପି ପଞ୍ଚାୟତ ସଭାପତି ଅନୁସୂଚିତ ଜାତି ବର୍ଗର ବିକାଶ ଜେନାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ହତ୍ୟାକାରୀ ମାନେ ଫେରାର୍ ହୋଇଥିବା କଥା ପୋଲିସ କହୁଥିବା ସମୟରେ ସେମାନେ ଗାଁ’ରେ ରହି ଉପଦ୍ରବ କରିବା ସହ ଅନେକ ସମୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସାଙ୍ଗରେ ରହୁଥିଲେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରମାଣ ରହିଛି। କୁଳମଣି ବରାଳ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯିବା ପରେ ପୋଲିସ ଏହାକୁ ହେୟଜ୍ଞାନ କରିଥିଲା ବୋଲି ବିଜେପିର ନେତୃବୃନ୍ଦ ପୋଲିସ ଡିଜିପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

ବିଜେପି ନେତାଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ। ରାଜ୍ୟରେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା କଥା କିନ୍ତୁ ଶାସକ ଦଳର ହାତବାରେସୀ ସାଜି ପୋଲିସ କାର୍ଯ୍ୟ କରୁଛି। ପୁରୀରେ ହାଜତ ମୃତ୍ୟୁ, ନୟାଗଡ଼ରେ ପରୀ ହତ୍ୟାକାଣ୍ଡ ଏବଂ ମାହାଙ୍ଗାରେ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ଗୁଡ଼ିକରେ କିଛି ଚାଟୁକାର ପୋଲିସ ଅଫିସର ମାମାନଙ୍କ ପାଇଁ ଆଜି ପୂରା ପୋଲିସ ପ୍ରଶାସନ ବଦନାମ ହୋଇଛି। ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ନହେବା ଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଚେତାବାନୀ ଦେଇଛନ୍ତି। ମୋଦିଜୀଙ୍କ ଲୋକପ୍ରିୟତା ଦେଖି ଶାସକ ବିଜେଡି ଭୟଭୀତ ହୋଇପଡ଼ିଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେପି କାର୍ଯ୍ୟକର୍ତ୍ତା ମାନେ କେବେ ହିଂସା କରନ୍ତି ନାହିଁ। କିନ୍ତୁ ଯଦି ରାଜନୈତିକ ହିଂସା ପରାୟଣ ହୋଇ ସେମାନଙ୍କୁ ହତ୍ୟା କରାଯିବ କାର୍ଯ୍ୟକର୍ତ୍ତା ମାନେ ଏହାକୁ ବରଦାସ୍ତ କରିବେ ନାହିଁ। ଯେଉଁ ପୋଲିସ ଅଧିକାରୀ ମାନେ ଶାସକ ଦଳ ଇଙ୍ଗିତରେ କାମ କରୁଛନ୍ତି ସେମାନେ ସର୍ତକ ହୋଇଯାନ୍ତୁ, କାରଣ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟ ପାଲ ସିଂ ତୋମର ଚେତାବନୀ ଦେଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡିଛି। ୨୦୧୯ ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫.୭ ପ୍ରତିଶତ ଦଣ୍ଡହାର ରହିଛି। ମହିଳା ଅପରାଧରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ସାଇବର କ୍ରାଇମରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ବିଗତ ଦିନରେ ବିଜେପିର ୧୭ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା କରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ୧୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା। ଆଉ ଏବେ ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଛି। ଏ ସମସ୍ତ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ କେତେବାଟ ଆଗେଇଛି ଏବଂ କେତେ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି ତାହା ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି।

ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀଙ୍କ କଣ୍ଠୋରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ଶାସକ ବିଜେଡି ପଛାଉ ନାହିଁ। ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟ ସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହେବା କାରଣର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହି ମିଛଠାରେ ବାହା ବାହା ନେବାର ଅପଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ହିଂସାକୁ ପ୍ରଶୟ ଦେବା ସହ ରାଜନୈତିକ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି। ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି। ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ମନମୋହନ ସାମଲ ଓ ସୁରମା ପାଢ଼ୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ପ୍ରକାଶ ସୋରେନ, ରାଜ୍ୟ ଉପସଭାନେତ୍ରୀ  ପ୍ରଭାତୀ ପରିଡ଼ା ଓ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ ଓ ପିଙ୍କି ପ୍ରଧାନ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସୀସ ଆଚାର୍ଯ୍ୟ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡ଼ୁ, ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି, ସାରଦା ପ୍ରଧାନ, ଦିଲୀପ ମଲ୍ଲିକ, ବିଜୟ କୁମାର ଦଳ ବେହେରା, ଶୁଭ୍ରାଂଶୁ ପାଢ଼ୀ, ବିଜୟ କୁମାର ଦଳବେହେରା, ରଶ୍ମିରେଖା ଦାସ, ଯାଜ୍ଞସେନୀ ଜେନା, ମନସ୍ମିତା ଖୁଣ୍ଟିଆ, ଅନୁ ଚୌଧୁରୀ, ବ୍ରଜେନ୍ଦ୍ର କୁମାର ରାୟ, ଛବି ମଲ୍ଲିକଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.