ପିପିଲି ୧୬-୮ (ଓଡ଼ିଆ ପୁଅ) ପିପିଲି ନିକଟସ୍ଥ ରଇଁଶୋଲ ଗ୍ରାମସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବ ମନ୍ଦିର ପରିସରରେ ନମକ ଚମକ ବିଧିରେ ଶତରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସୂର୍ଯ୍ୟାର୍ଘ୍ୟ ଦାନ, ପାର୍ଶ୍ୱ ଦେବତା ପୂଜନ, ଦ୍ୱାରପାଳ ପୂଜନ, ମନ୍ଦିର ପ୍ରବେଶ କାର୍ଯ୍ୟ ପରେ ଶିବାର୍ଚ୍ଚନା କରାଯାଇଥିଲା। ଶିବାର୍ଚ୍ଚନର ମହାସ୍ନାନ ବିଧିରେ ଶୁକ୍ଳ ଯଜୁର୍ବେଦୀୟ କାନ୍ୱଶାଖୀୟ ଶତରୁଦ୍ରାଭିଷେକକୁ ନମକ ଚମକ ବିଧିରେ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ କର୍ମକାଣ୍ଡୀ ବ୍ରାହ୍ମଣ ଓ ବେଦପାଠୀ ଯୋଗ ଦେଇ ବେଦପାଠ କରିଥିଲେ। ଛଅ ଘଂଟାରୁ ଅଧିକ ସମୟ ଧରି ବେଦ ପାଠରେ ସାରା ଅଂଚଳ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ଆୟୋଜିକ ଏକ ଉସ୍ୱବରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବେଦ ବିଭାଗ ମୁଖ୍ୟ ଡକ୍ଟର ଦିବାକର ମହାପାତ୍ର ବେଦର ପ୍ରାସଙ୍ଗିକତା ଓ ଏହାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଦୀକ୍ଷା ମିଶନର ମହାସଚିବ ଶ୍ରୀ ଅଖଣ୍ଡ ସ୍ଥାନୀୟ ଜନସାଧାରଣ କିଭଳି ଭାବେ କର୍ମ ମଧ୍ୟରେ ଆଧ୍ୟାତ୍ମିକତାକୁ ଆପଣେଇବେ ସେ ବିଷୟରେ ଆଲୋକପାତ କରାଇଥିଲେ। ଆୟୋଜକ କମିଟିର ଆବାହକ ପଣ୍ଡିତ ଶରତ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗଦେଇଥିବା ବ୍ରାହ୍ମଣ ପଣ୍ଡିତମାନଙ୍କୁ ପ୍ରଫେସର ମହାପାତ୍ରଙ୍କ ରଚିତ ରୁଦ୍ରାଷ୍ଟାଧ୍ୟାୟୀ ଓ ଶ୍ରୀ ଅଖଣ୍ଡଙ୍କ ରଚିତ ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ମିଶ୍ର, ସୂର୍ଯ୍ୟ ପ୍ରସାଦ ଦାଶ, ମହାଦେବ ଶତପଥୀ, ହେମନ୍ତ କୁମାର ମିଶ୍ର, ଲକ୍ଷ୍ମୀଧର ଦାଶ, ତପନ କୁମାର ଦାଶ, ଡ. ପ୍ରକାଶ ମିଶ୍ର, ବନମାଳୀ ମିଶ୍ର, ଭିକାରୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ରଇଁଶୋଲ ଗ୍ରାମବାସୀଙ୍କ ଅବଦାନକୁ ସମସ୍ତେ ପ୍ରଶଂସା କରିଥିଲେ। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।






