Home ଓଡ଼ିଶା ବିଜେପୁର ମୈଦାନ; ନଂ- ୧୪ ସହ ନଂ- ୩୯ ଲଢ଼େଇ: ଜିତିବ କିଏ ?

ବିଜେପୁର ମୈଦାନ; ନଂ- ୧୪ ସହ ନଂ- ୩୯ ଲଢ଼େଇ: ଜିତିବ କିଏ ?

481

ଭୁବନେଶ୍ୱର: ଆଜି ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି।ଆଉ କିଛି ସମୟ ପରେ ପାର୍ଥି ମାନଙ୍କ ଭାଗ୍ୟ ଇଭିଏମ ମେସିନ ଭିତରେ ଲକ୍ ହୋଇଯିବ।୨୪ ତାରିଖରେ ହେବ ଭୋଟ ଗଣତି, ଏହାପରେ ଜଣାପଡ଼ିବ ବିଜେପୁର ମୈଦାନରେ କାହାର ହେଲା ବିଜୟ।ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢ଼ୁଥିବା ବେଳେ ବିଜେଡି ଏବଂ ବିଜେପି ମଧ୍ୟରେ ହିଁ ମୁଖ୍ୟ ଲଢ଼େଇ ହେବ ବୋଲି କୁହାଯାଉଛି।ତେବେ ରୀତା ସାହୁ ସିନା ବିଜେଡିରୁ ଏବଂ ସନତ ଗଡ଼ତିଆ ବିଜେପିରୁ ପାର୍ଥି ହୋଇ ନିର୍ବାଚନ ଲଢ଼ୁଛନ୍ତି, କିନ୍ତୁ ବାସ୍ତବରେ ଲଢ଼େଇ କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ।ଦେଶର ୧୪ ନମ୍ବର ଶକ୍ତିଶାଳୀ ବ୍ୟକ୍ତି ଧର୍ମେନ୍ଦ୍ରଙ୍କର ଲଢ଼େଇ ଦେଶର ୩୯ ନମ୍ବର ଶକ୍ତିଶାଳୀ ବ୍ୟକ୍ତି ନବୀନଙ୍କ ମଧ୍ୟରେ।

ରୀତା ଏବଂ ସନତ ନିଜେ ନିର୍ବାଚନ ଲଢ଼ୁଥିଲେ ସୁଧା ଲଢ଼େଇ ସେମାନଙ୍କ ମଧ୍ୟରେ ହେଉଛି ବୋଲି କହି ହେବନି।ନବୀନ ନିଜେ କହିଛନ୍ତି ବିଜେପୁର ଦାୟିତ୍ୱ ମୋର।ଓଡ଼ିଶା ଲୋକ ମଧ୍ୟ ବ୍ୟକ୍ତି ଅପେକ୍ଷା ନବୀନଙ୍କ ପାର୍ଥି ଦେଖି ଅଧିକ ଭୋଟ ଦେଇ ଆସୁଛନ୍ତି।ଏହା ପୁଣି ଉପନିର୍ବାଚନ, ଏବଂ ମୁଖ୍ୟମନ୍ତ୍ରୀ ଛାଡ଼ିଥିବା ଆସନ।ତେଣୁ ନବୀନଙ୍କ ସମ୍ମାନର ପ୍ରଶ୍ନ।ଓଡ଼ିଶାରେ ସରକାର ଗଠନ ହୋଇ ସାରିଛି।ତେଣୁ ବିଜେପୁର ନିର୍ବାଚନ ଫଳ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ କହି ଧର୍ମେନ୍ଦ୍ର ଭୋଟ ମାଗିଛନ୍ତି।କିନ୍ତୁ, ତଥାପି ଯଦି ଲୋକେ ବିଜେଡିକୁ ଜିତାଇ ଦେଲେ, ତେବେ ଜଣାପଡ଼ିବ ନବୀନ ପଟ୍ଟନାୟକ ଥିଲା ଯାଏଁ ତାଙ୍କର କେହି ବିକଳ୍ପ ନାହାଁନ୍ତି।ଆଉ ଯଦି ବିଜେପି ଜିତିଯାଏ ନବୀନଙ୍କର ଏକ ବଡ଼ ହାର ହେବ।ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବିଜୟ ହେବ, ସବୁ ଶ୍ରେୟ ତାଙ୍କୁ ହିଁ ଦିଆଯିବ।କାରଣ ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ହିଁ ଓଡ଼ିଶା ବିଜେପିରେ ସବୁ କିଛି ହେଉଛି।ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଦି ଷ୍ଟାର ପ୍ରଚାରକ ଥିଲେ ମଧ୍ୟ ଧର୍ମେନ୍ଦ୍ର ହିଁ ମୁଖ୍ୟ ବୋଲି କୁହାଯାଉଛି।ଅନ୍ୟ ନେତାମାନେ କେବଳ ଯାହା ପ୍ରଚାର କରୁଛନ୍ତି।ନବୀନଙ୍କ ରୋଡ଼- ସୋ ପରି ବିଜେପି ପକ୍ଷରୁ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କର ରୋଡ଼- ସୋ ହେଉଛି।ତେଣୁ ଏଠାରୁ ବିଜେପି ଜିତିଲେ ଧର୍ମେନ୍ଦ୍ରଙ୍କର ବିଜୟ ବୋଲି କୁହାଯିବ।କିନ୍ତୁ, ବିଜେପି ହାରିଗଲେ? ଜଣାପଡ଼ିବ, ଜଣେ ଦୁର୍ବଳ ବ୍ୟକ୍ତି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ପୁଣି ହରାଇଦେଲା!ଦେଶର ୧୪ ନମ୍ବର ଶକ୍ତିଶାଳୀ ବ୍ୟକ୍ତି ଧର୍ମେନ୍ଦ୍ର, ଦେଶର ୩୯ ନମ୍ବର ଶକ୍ତିଶାଳୀ ବ୍ୟକ୍ତି ନବୀନଙ୍କ ଠାରୁ ପୁଣି ହାରିଗଲେ ବୋଲି କୁହାଯିବ।କାହିଁକି ନାଁ, ଏଇ ନିକଟରେ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଭାରତର ୧୦୦ ପ୍ରଭାବଶାଳୀ ବ୍ୟକ୍ତି (ଆଇଇ- ୧୦୦)- ୨୦୧୯ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ ତମ ସ୍ଥାନରେ ଥିଲା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ ତମ ସ୍ଥାନରେ ଥିଲେ।ଏବଂ ଏହାକୁ ନେଇ ଓଡ଼ିଶା ବିଜେପି ଭାରି ଖୁସି ହୋଇଥିଲା।ନବୀନ ତଳକୁ ଖସିଲେ ଏବଂ ଧର୍ମେନ୍ଦ୍ର ଉପରକୁ ଉଠିଲେ କହି ଖୁସି ପ୍ରକଟ କରୁଥିଲେ ଓଡ଼ିଶା ବିଜେପିର ନେତାନେତ୍ରୀ।ତେଣୁ ଯଦି ବିଜେପୁରରେ ବିଜେପି ଜିତିଯାଏ, ତେବେ ଧର୍ମେନ୍ଦ୍ରଙ୍କର ଶକ୍ତି ବୃଦ୍ଧିକୁ ନେଇ ଖୁସି ପ୍ରକଟ କରିଥିବା ଓଡ଼ିଶା ବିଜେପି ନେତାନେତ୍ରୀ ମାନଙ୍କର ଖୁସିର ମୂଲ୍ୟ ଯେ ଅଛି ତାହା ଜଣାପଡ଼ିବ।କିନ୍ତୁ, ଯଦି ବିଜେପି ହାରିଯାଏ ତେବେ ଦେଶର ଜଣେ ୧୪ ନମ୍ବର ଶକ୍ତିଶାଳୀ ବ୍ୟକ୍ତି କାହିଁକି ଜଣେ ୩୯ ନମ୍ବର ଶକ୍ତିଶାଳୀ ବ୍ୟକ୍ତିଙ୍କ ପାଖରୁ ବାରମ୍ବାର ହାରୁଛନ୍ତି ତାହା ଭାବିବାକୁ ହେବ।ଫଳାଫଳ ଜଣାପଡ଼ିବା ପରେ ଅଯଥା ଦୋଷାରୋପର କୌଣସି ମୂଲ୍ୟ ରହିବ ନାହିଁ।ଯେପରି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଜିଲ୍ଲା ସ୍ତରରେ ପ୍ରଶାସନକୁ ଲଗାଇ ଏବଂ ଟଙ୍କା ବାଣ୍ଟି ବିଜେଡି ଜିତିଗଲା।ସେମିତି କହିଲେ ବିଜେପି ବା ଧର୍ମେନ୍ଦ୍ରଙ୍କ ପାଖରେ ତ’ ଟଙ୍କାର ଅଭାବ ନାହିଁ ଏବଂ ଏବେ ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଜିତିଲେ କ’ଣ ବିଜେପିକୁ ମଧ୍ୟ ସେଠି ସେପରି ଜିତିଲା ବୋଲି କୁହାଯିବ?//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.