Home ଓଡ଼ିଶା ଗରିବ ଆଦିବାସୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ବିଜେପି

ଗରିବ ଆଦିବାସୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ବିଜେପି

100

ଭୁବନେଶ୍ୱର/ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରୁଥିବା ୪୫ଟି ପରିବାର ପ୍ରଶାସନିକ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି। ଆର୍ଥିକ ଅନାଟନ କାରଣରୁ ଘର ଛାଉଣୀ କରିପାରୁନଥିବା ଏହି ଆଦିବାସୀ ପରିବାର ପଲିଥିନ ତଳେ ବସବାସ କରୁଥିବା ବେଳେ ରାଜନୈତିକ ହୀନ ଉଦ୍ଦେଶ୍ୟ ରଖି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ ଦିଆଯାଇଛି ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ନେତା ବଦ୍ରି ନାରାୟଣ ଧଳ ଅଭିଯୋଗ କରିଛନ୍ତି। ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଦ୍ରୀ ଧଳ ପ୍ରଶାସନକୁ ତୀବ୍ର ସମାଲୋଚନା କରିବା ସହିତ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଆଜି ଗରୀବ ଆଦିବାସୀ ମାନେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଗ୍ୟାସ ସଂଯୋଗ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ, ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ରାସନ କାର୍ଡ, ଭୋଟର ପରିଚୟପତ୍ର ପାଇଥିବା ବେଳେ ଘରଡିହ ପଟା ନଥିବା ଦର୍ଶାଇ ସେମାନଙ୍କୁ ସରକାରୀ ଆବାସ ଯୋଜନାରୁ ବାଦ ଦିଆଯାଇଛି ବୋଲି କହିଛନ୍ତି। ସରକାରୀ ଅର୍ଥରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଓ ନଳକୂପ ଖୋଲାଯାଇଥିବା ବେଳେ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରଶାସନର ଟାଳଟୁଳ ନୀତିକୁ ସମାଲୋଚନା କରିଛି ବିଜେପି। ସରକାର ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଘରଡିହ ଯୋଗାଉଥିବା ବେଳେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ଗରିବ ଆଦିବାସୀ ଏଥିରୁ ବାଦ ପଡ଼ିଛନ୍ତି। ଘରଡିହ ପଟା ନଥିବାରୁ ଏମିତିକି ଛାତ୍ରଛାତ୍ରୀ ମାନେ ଜାତି ପ୍ରମାଣ ପତ୍ର ବିଦ୍ୟାଳୟ ରେ ଦାଖଲ ନକରିପାରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏ’ ସମ୍ପର୍କରେ ଜାତୀୟ ଆଦିବାସୀ କମିଶନଙ୍କୁ ବଦ୍ରୀ ନାରାୟଣ ଧଳ ଭେଟି ଆଲୋଚନା କରିଥିବା ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହରେ ନିର୍ବାଚନମଣ୍ଡଳୀର ଭୂମିହୀନଙ୍କୁ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକଲେ ଜାତୀୟ ଆଦିବାସୀ କମିଶନ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବଦ୍ରୀ ଧଳ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ପ୍ରଦ୍ୟୁମ୍ନ ସେନାପତି, ପ୍ରହଲ୍ଲାଦ ସାହୁ, ସ୍ୱରାଜ ମହାପାତ୍ର, ମିନତୀ ରାଉତ, କୃପାସିନ୍ଧୁ ବାରିକ, ଅମୂଲ୍ୟ ସେଠୀ, ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.