Home ଓଡ଼ିଶା ବୈଜୟନ୍ତଙ୍କର ବଢ଼ୁଛି, ଧର୍ମେନ୍ଦ୍ରଙ୍କର ଛିଡ଼ୁଛି! କି’ ବିଜେପିରେ ପ୍ରଭାବ?

ବୈଜୟନ୍ତଙ୍କର ବଢ଼ୁଛି, ଧର୍ମେନ୍ଦ୍ରଙ୍କର ଛିଡ଼ୁଛି! କି’ ବିଜେପିରେ ପ୍ରଭାବ?

1376

ଭୁବନେଶ୍ୱର:ଓଡ଼ିଶା ବିଜେପିରେ ଏବେ ବୈଜୟନ୍ତ ପଣ୍ଡାଙ୍କର ପତିଆରା ବଢ଼ିବାରେ ଲାଗିଛି।ବିଜେଡି ଛାଡ଼ିବା ପରେ ବୈଜୟନ୍ତ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଲା।କିନ୍ତୁ ବୈଜୟନ୍ତଙ୍କର ବିଜେପିକୁ ଆସିବା ବିଳମ୍ବ ହେଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ସମୟରେ ବୈଜୟନ୍ତ ଯୋଗଦେବେ ବୋଲି ଆଲୋଚନା ହେଲା।କିନ୍ତୁ ସେପରି କିଛି ହେଲା ନାହିଁ।କିନ୍ତୁ ଏବେ ବୈଜୟନ୍ତ ବିଜେପିରେ ଯୋଗ ଦେଇ ସାରିଛନ୍ତି।ବୈଜୟନ୍ତ ବିଜେପିରେ ଯୋଗ ଦେବେ,ଏହା ତ’ ପୂର୍ବରୁ ଜଣାପଡ଼ି ସାରିଥିଲା।ବୈଜୟନ୍ତଙ୍କ ଢଙ୍ଗଢାଙ୍ଗ ସବୁ ସେୟା କହୁଥିଲା।

ବିଜେଡିରେ ଥିବା ବେଳୁ ବୈଜୟନ୍ତ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ଟ୍ୱିଟ କରୁଥିଲେ।କଂଗ୍ରେସ ଯେତେବେଳେ ସଂସଦ ଚଲାଇ ଦେଲା ନାହିଁ, ସେତିକି ଦିନର ଦରମା ଗ୍ରହଣ ନ’ କରିବାକୁ ମୋଦୀ ନିଜ ସାଂସଦ ମାନଙ୍କୁ ଆଗ୍ରହ କରିଥିଲେ।ବୈଜୟନ୍ତ ବିଜେପି ସାଂସଦ ନ’ ହୋଇ ମଧ୍ୟ ସେବେ ତାହାକୁ ମାନି ଦରମା ଗ୍ରହଣ ନ’କରିବା ନିଷ୍ପତି ନେଇଥିଲେ।ବୈଜୟନ୍ତଙ୍କ ପିତା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ପରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ବୈଜୟନ୍ତଙ୍କ ଘରକୁ ଆସି ଦିଲ୍ଲୀ ଫେରିଗଲେ।ରାଜ୍ୟ ବିଜେପିର କୌଣସି ନେତା ଟେର ପାଇଲେ ନାହିଁ।ଏହା ବ୍ୟତୀତ ବୈଜୟନ୍ତ ପଣ୍ଡାଙ୍କୁ ବିଭିନ୍ନ ପ୍ଲାଟଫର୍ମରେ ବାରମ୍ବାର ରାମ ମାଧବ,ସଂଘ (ଆରଏସଏସ)ର ସର କାର୍ଯ୍ୟବାହ ଭାୟାଯୀ ଯୋଶୀ ଏବଂ ବିଜେପିର ଅନେକ ବରିଷ୍ଠ ନେତାଙ୍କ ସହିତ ଦେଖାଯାଇଛି।ସର ସଂଘଚାଳକ (ସଂଘ ପ୍ରମୁଖ) ମୋହନ ଭାଗବତଙ୍କ ଉପସ୍ଥିତିରେ ଆୟୋଜିତ ସଂଘ କାର୍ଯ୍ୟକ୍ରମକୁ ଯାଇଛନ୍ତି ବୈଜୟନ୍ତ ପଣ୍ଡା।ସଂଘ ବିଚାରଧାରା ଏବଂ ମୋହନ ଭାଗବତଙ୍କ ଚିନ୍ତାଧାରାକୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି।ଗୋଟେ ଦିନ ସଂଘ କାର୍ଯ୍ୟକ୍ରମକୁ ଯାଇଛନ୍ତି,୨ୟ ଦିନ କାର୍ଯ୍ୟକ୍ରମ ଟିଭିରେ ଲାଇଭ ଦେଖିଛନ୍ତି।ତେଣୁ ଏ’ ସବୁକୁ ନେଇ ବୈଜୟନ୍ତ ଯେ ବିଜେପିରେ ମିଶିବେ ଜଣା ପଡ଼ିଯାଉଥିଲା।କିନ୍ତୁ ବିଜେପିକୁ ଆସିବାରେ ବୈଜୟନ୍ତଙ୍କର ବହୁତ ବିଳମ୍ବ ହେଲା।ତେବେ କାହିଁକି?

କୁହାଗଲା ବୈଜୟନ୍ତଙ୍କର ବିଜେପିକୁ ଆସିବାରେ ବାଟ ଓଗାଳି ଥିଲେ ରାଜ୍ୟ ବିଜେପିର ମଙ୍ଗୁଆଳ।ଏହା କାହାକୁ ଅଛୁପା ନୁହେଁ ଓଡ଼ିଶା ବିଜେପିର ମଙ୍ଗୁଆଳ ଜଣଙ୍କ କିଏ?ନିଜର ଦବଦବା ରଖିବା ପାଇଁ ସେ, ଓଡ଼ିଶା ବିଜେପିରେ କୌଣସି ପ୍ରଭାବୀ ନେତାଙ୍କୁ ରଖାଇ ଦେଉନଥିଲେ ଏବଂ ନିଜ ଅକ୍ତିଆରରେ ରହି ନ’ପାରିବା ଭଳି କୌଣସି ପ୍ରଭାବୀ ନେତାଙ୍କୁ ସେ ଦଳରେ ସାମିଲ କରାଇ ଦେଉନଥିଲେ ବୋଲି ଆଲୋଚନା ହୁଏ।ଯାହା ଯୋଗୁଁ ରାମକୃଷ୍ଣ ପଣ୍ଡା,ଐର ଖାରବେଳ ସ୍ୱାଇଁ,ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଏବଂ ଏବେ ସୁବାସ ଚୌହାନ,ରାଜକିଶୋର ଦାସ ପରି ନେତା ବିଜେପି ଛାଡ଼ି ଦେଇଥିଲେ।ଏବଂ ବୋଧେ ତାଙ୍କ ଯୋଗୁଁ ହିଁ ବୈଜୟନ୍ତଙ୍କର ଆସିବା ବିଳମ୍ବ ହେଲା,ଯାହା ଆଲୋଚନା ହୁଏ।!

ତେବେ ବୈଜୟନ୍ତ ଏବେ ଆସୁ ଆସୁ ବିଜେପି ଭିତରେ ନିଜର ପତିଆରା ବଢ଼ାଇ ଦେଇଛନ୍ତି।ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ନେଇ ବହୁ କିଛି ଆକଳନ କରାଗଲା।ଧର୍ମେନ୍ଦ୍ରଙ୍କ ବଦଳରେ ସେ ଓଡ଼ିଶା ବିଜେପିର ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଲା।ସାଧାରଣରେ ଏପରି ଆଲୋଚନା ହେଉଥିବା ବେଳେ ଅପରାଜିତା ମଧ୍ୟ ସେହପରି କିଛି ଇସାରା ଦେଉଥିଲେ।ସୋସିଆଲ ମିଡିଆରେ ପୋଷ୍ଟ ଗୁଡ଼ିକରେ ବା ଗଣ ମାଧ୍ୟମରେ ମତ ରଖିବା ବେଳେ ସାରା ଓଡ଼ିଶାର ବିକାଶ କଥା କହୁଥିଲେ।ପୋଷ୍ଟର/ବ୍ୟାନର ଗୁଡ଼ିକରେ ମୋଦୀ ଏବଂ ଶାହାଙ୍କ ସହିତ ତାଙ୍କ ଫଟୋ ଦେଖିବାକୁ ମିଳିଲା।ଆଶା କରାଯାଉଥିଲା ଅପରାଜିତା ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପାର୍ଥି ତ’ ହେବେ,ଏହା ସହ ଓଡ଼ିଶା ସାରା ବୁଲିବେ।କିନ୍ତୁ କିଛି ଦିନ ପରେ ସବୁ ଓଲଟି ଗଲା।ଅପରାଜିତା ଭୁବନେଶ୍ୱରରୁ ସାଂସଦ ପାର୍ଥି ତ’ ହେଲେ,କିନ୍ତୁ ସେତିକିରେ ସୀମିତ ରହିଗଲେ।ତାଙ୍କ ପୁରୁଣା ପୋଷ୍ଟର ହଟାଇ ଦିଆଗଲା।ନୂଆ ପୋଷ୍ଟର ମରାଗଲା।ଏ’ ପୋଷ୍ଟରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ନେତୃତ୍ୱଙ୍କର ଫଟୋ ରହିଲା।ଏବଂ ପ୍ରଚାର କାମରେ ଏ’ ପର୍ଯ୍ୟନ୍ତ ଅପରାଜିତାଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବ୍ୟତୀତ ଅନ୍ୟ ସ୍ଥାନରେ ଦେଖିବାକୁ ମିଳିଲାନି।କୁହାଯାଉଛି,ଅପରାଜିତାଙ୍କ ଉପରେ ନଜର ରଖି ତାଙ୍କୁ ସଂପୂର୍ଣ୍ଣ ଅକ୍ତିଆରକୁ ଆଣି ଦିଆଗଲା।

ତେବେ ବୈଜୟନ୍ତଙ୍କ କଥା ଭିନ୍ନ।ଦଳକୁ ଆସୁ ଆସୁ ରାଷ୍ଟ୍ରୀୟ ଉପ ସଭାପତି ସାଙ୍ଗରେ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ।କେନ୍ଦ୍ରାପଡ଼ାରୁ ସେ ସାଂସଦ ପାର୍ଥି।କିନ୍ତୁ ପ୍ରଚାରରେ ବୁଲୁଛନ୍ତି ରାଜ୍ୟ ସାରା।ପ୍ରତାପ ଷଡ଼ଙ୍ଗୀଙ୍କ ପରି ରାଜ୍ୟ ବିଜେପିର ହେଭିୱେଟ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ହୋଇ ଯାଉଛନ୍ତି ବାଲେଶ୍ୱର।ନୟାଗଡ଼ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ ଯେତିକି ବୈଜୟନ୍ତଙ୍କର ମଧ୍ୟ ସେତିକି,ବା ହୁଏତ ତା’ଠୁ ଅଧିକ ଜଣା ପଡୁଥିଲା ବୈଜୟନ୍ତ ପଣ୍ଡାଙ୍କର।ଏବେ ପୁଣି ପୁରୀ ପାର୍ଥି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଆସି ଯାଇଛନ୍ତି।ବିଜେପିର ମିଶ୍ରଣ ପର୍ବ,ଏବଂ ରାଜ୍ୟ ସ୍ତରୀୟ ବିଭିନ୍ନ ମୁଖ୍ୟ କାର୍ଯ୍ୟକ୍ରମ ଗୁଡ଼ିକରେ ଧର୍ମେନ୍ଦ୍ରଙ୍କ ସମେତ ବୈଜୟନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହୁଛନ୍ତି।ବୈଜୟନ୍ତଙ୍କର ପ୍ରଭାବ ଆଗରେ ଧୀରେ ଧୀରେ ମଳିନ ପଡିଯିବେ କି ଆଉ ଧର୍ମେନ୍ଦ୍ର ପ୍ରଧାନ?

ପୂର୍ବରୁ ତ’ ଥିଲା,କିନ୍ତୁ ଟିକେଟ ବଣ୍ଟନ ପରେ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଦଳ ଭିତରେ ଅସନ୍ତୋଷ ବଢ଼ିଛି।ଧର୍ମେନ୍ଦ୍ର ପୋଷ୍ଟର ପୋଡ଼ା ଯାଉଛି।ସୁବାସ ଚୌହାନ ଏବଂ ରାଜ କିଶୋର ଦାସ ଦଳ ଛାଡ଼ିବାର କାରଣ ହେଲେ ଧର୍ମେନ୍ଦ୍ର।ପୂର୍ବରୁ ଧର୍ମେନ୍ଦ୍ରଙ୍କ କାରଣରୁ ହିଁ ବିଜୟ ମହାପାତ୍ର,ଦିଲ୍ଲୀପ ରାୟ, ଖାରବେଳ ଆଦି ଦଳ ଛାଡ଼ିଥିବା କୁହାଯାଏ।କିନ୍ତୁ ଏବେ ଖାରବେଳଙ୍କ ପରେ ବିଜୟ ମହାପାତ୍ର ପୁଣି ଦଳକୁ ଫେରିଛନ୍ତି।ଆଣିଛନ୍ତି ବୈଜୟନ୍ତ ପଣ୍ଡା।ଧର୍ମେନ୍ଦ୍ରଙ୍କ କାରଣରୁ ବରିଷ୍ଠ ନେତା ଦଳ ଛାଡୁଥିବା ବେଳେ ବୈଜୟନ୍ତ ପଣ୍ଡା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂକୁ ସାଙ୍ଗରେ ନେଇ ବିଜୟ ମହାପାତ୍ରଙ୍କ ଘରକୁ ଯାଇ ତାଙ୍କ ମାନଭଞ୍ଜନ କରି ତାଙ୍କୁ ସାଙ୍ଗରେ ଧରି ଆଣିଥିଲେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ।ଏବଂ ବିଜୟ ମହାପାତ୍ର ଫେରିଲେ ବିଜେପିକୁ।ବୈଜୟନ୍ତ ପଣ୍ଡା ଏବଂ ଅରୁଣ ସିଂ ଙ୍କ ସହ ଦୀର୍ଘ ସମୟ ଆଲୋଚନା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଫୋନରେ କଥା ହେବା ପରେ ସେ ଦଳକୁ ଫେରିଛନ୍ତି।ଅର୍ଥାତ,ଏଠି ଧର୍ମେନ୍ଦ୍ର ପ୍ରଧାନଙ୍କର କିଛି ଭୂମିକା ନାହିଁ।ଦଳକୁ ଫେରିଥିବା ଅନ୍ୟତମ ହେଭିୱେଟ ନେତା ଖାରବେଳ ସ୍ୱାଇଁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପସନ୍ଦ କରନ୍ତି ନାହିଁ।ବୈଜୟନ୍ତଙ୍କ ପରି ସେ ମଧ୍ୟ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ବିଜେପିକୁ ଆସିଛନ୍ତି ବୋଲି କହିଛନ୍ତି।ମିଶ୍ରଣ ପର୍ବରେ ବିଜେପିରେ ମିଶୁଥିବା ଅନ୍ୟ ନେତାଙ୍କ ପରି ଏ ଉଭୟ କେହି ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇ ନାହାଁନ୍ତି।ଧର୍ମେନ୍ଦ୍ର ପ୍ରଧାନଙ୍କ କଣ୍ଟ୍ରୋଲରେ ନ’ରହି ମଧ୍ୟ ବୈଜୟନ୍ତ ପଣ୍ଡା ଓଡ଼ିଶା ବିଜେପିର ପ୍ରଥମ ନେତା ଯିଏ ଦଳ ଭିତରେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି।ତେଣୁ,ଏ’ ସବୁ ଦେଖିଲେ ଲାଗୁଛି,ଓଡ଼ିଶା ବିଜେପିରେ ଧୀରେ ଧୀରେ ବୈଜୟନ୍ତ ପଣ୍ଡାଙ୍କ ପ୍ରଭାବ ବଢ଼ୁଛି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କର ଛିଡୁଛି!?//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.