Odiapua.com

ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

କଟକ/ଭୁବନେଶ୍ୱର: ଜଣେ ଆଇଏଏସ ଏବଂ ଜଣେ ଆଇପିଏସ।ଜଣେ କଠୋର ଏବଂ ଆଉ ଜଣେ କୋମଳ।ଉଭୟ ଏବେ ରାଜନୀତିରେ।କିନ୍ତୁ ତା’ର ପରିଣାମ?

ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଏବେ ରାଜନୀତିରେ।ସେ ଏବେ ଭାଜପାର ଭୁବନେଶ୍ୱର ସାଂସଦ।ସେହିପରି ଆଉ ଜଣେ ହେଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର।ସେ ମଧ୍ୟ ଭାଜପାରୁ କଟକ ଲୋକସଭା ପାଇଁ ପାର୍ଥି ହୋଇଥିଲେ।କିନ୍ତୁ ପରାଜୟ ବରଣ କରିଥିଲେ।ତେବେ ଏହି ଦୁଇ ଆଇଏଏସ ଏବଂ ଆଇପିଏସଙ୍କ କାର୍ଯ୍ୟଶୈଳୀ ଭିନ୍ନଭିନ୍ନ।ଆଇଏଏସ ଅପରାଜିତା ଷଡ଼ଙ୍ଗୀ କଠୋର।କିନ୍ତୁ ଆଇପିଏସ ପ୍ରକାଶ ମିଶ୍ର କୋମଳ।ଏହି କଠୋରତା ଏବଂ କୋମଳତାର ପ୍ରଭାବ ଦେଖିବାକୁ ମିଳିଛି ସେମାନଙ୍କ ରାଜନୈତିକ କ୍ଷେତ୍ରରେ।

ଜୁଲାଇ ୬ ତାରିଖରୁ ବିଜେପି ଆରମ୍ଭ କରିଛି “ସଦସ୍ୟତା ଅଭିଯାନ”।ସେହି କ୍ରମରେ ଭୁବନେଶ୍ୱର ଏବଂ କଟକ ସଂସଦୀୟ କ୍ଷେତ୍ରରେ ୭ ତାରିଖ ଦିନ ଥିଲା “ସଦସ୍ୟତା ଅଭିଯାନ”ର ଏକ କାର୍ଯ୍ୟକ୍ରମ।କଟକରେ ଟାଉନ୍ ହଲ୍ ଠାରେ କାର୍ଯ୍ୟକ୍ରମ ଥିଲା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଖୋର୍ଦ୍ଧାଠାରେ ଥିଲା କାର୍ଯ୍ୟକ୍ରମ।ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ “ସଦସ୍ୟତା ଅଭିଯାନ”ର ରାଜ୍ୟ ସହ ପ୍ରଭାରୀ ସାରଦା ଶତପଥି।ଖୋର୍ଦ୍ଧାରେ କାର୍ଯ୍ୟକ୍ରମ ଠିକଠାକରେ ହେଲା।କିନ୍ତୁ କଟକରେ ଗଣ୍ଡଗୋଳ ହେଲା।ଚେୟାର ଫିଙ୍ଗାଫିଙ୍ଗି, ଠେଲାପେଲା, ଗାଳିମନ୍ଦ ହୋଇ କାର୍ଯ୍ୟକ୍ରମ ବାତିଲ ହେଲା।ତେବେ ସବୁଠାରୁ ବଡ଼ କଥା ପ୍ରକାଶ ମିଶ୍ରଙ୍କୁ ମଧ୍ୟ ସେଠାରେ ଅପମାନିତ କରାଗଲା।ଓଡ଼ିଶାର ପୂର୍ବତନ ଡିଜି ବିଶୃଙ୍ଖଳିତ କାର୍ଯ୍ୟକର୍ତ୍ତାଙ୍କ ଆଚରଣ ଦେଖି ନିରବ ରହିଲେ।କାରଣ ପ୍ରକାଶ କୋମଳ ସ୍ୱଭାବର ଲୋକ ଏବଂ କୋମଳ ଭାବନା ହିଁ ପ୍ରକାଶ କଲେ।କିନ୍ତୁ ତା’ର ଫଳ କ’ଣ ମିଳିଲା?

ଅପରପକ୍ଷେ ଖୋର୍ଦ୍ଧା କାର୍ଯ୍ୟକ୍ରମରେ ଅପରାଜିତାଙ୍କର କଠୋର ଆଭିମୁଖ୍ୟ ଥିଲା।ଦଳୀୟ ଶୃଙ୍ଖଳା ଭିତରେ ରହୁନଥିବା କାର୍ଯ୍ୟକର୍ତ୍ତାଙ୍କୁ ତାଗିତ୍ କଲେ।ଦଳ ବିରୋଧୀ ମନୋଭାବ ରଖୁଥିବା କାର୍ଯ୍ୟକର୍ତ୍ତାଙ୍କ ଲିଷ୍ଟ ତାଙ୍କ ପାଖରେ ଅଛି ବୋଲି କହିଲେ।ଭିତରେ କେହି ମୋବାଇଲରେ ରେକଡ଼ିଂ କରି ପାରିବେ ନାହିଁ ବୋଲି କହିଲେ।ଗୋଟେ ପ୍ରକାର ସମସ୍ତଙ୍କୁ ସେ ଅନୁଶାସନର ପାଠ ପଢ଼ାଇଲେ।ସମସ୍ତେ ନିରବ ହୋଇ ଶୁଣିଲେ।ଏପରିକି ଶେଷରେ ତାଳି ମାରିବା ବେଳକୁ ତାହାକୁ ବି ବାରଣ କଲେ ଅପରାଜିତା।କଟକରେ ହୋଇଥିବା ବିଶୃଙ୍ଖଳାର ସମାନ କାରଣ ଭୁବନେଶ୍ୱରରେ ମଧ୍ୟ ରହିଛି।ଯେଉଁ ଦୁଇଟି ପ୍ରମୁଖ କାରଣ ପାଇଁ କଟକରେ ଗଣ୍ଡଗୋଳ ଘଟିଲା ସେହି ସମାନ କାରଣ ଭୁବନେଶ୍ୱରରେ ମଧ୍ୟ ଅଛି, ଏବଂ ଅଧିକ ମାତ୍ରାରେ ଅଛି।କିନ୍ତୁ ପ୍ରକାଶଙ୍କ କୋମଳତାର ସୁଯୋଗ ନେଇ ସେଠି ବିଶୃଙ୍ଖଳା ସୃଷ୍ଟି କରାଯାଇଥିବା ବେଳେ ଏଠି କିନ୍ତୁ ଅପରାଜିତାଙ୍କ କଠୋର ଆଭିମୁଖ୍ୟ ବିଶୃଙ୍ଖଳାକୁ ଦମନ କରିରଖିଛି।//ଦେବଦତ୍ତ ରଥ

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ: ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ହଙ୍ଗମା; ପ୍ରକାଶ ମିଶ୍ର ହେଲେ ଅପମାନିତ, ନାଟର ଗୋବର୍ଦ୍ଧନ କିଏ?