Home ଓଡ଼ିଶା ହୀରାକୁଦ ଡ଼େମରୁ ଅଧିକ ବନ୍ୟାଜଳ ନିଷ୍କାସନ ପାଇଁ ଅତିରିକ୍ତ ୫ ସ୍ଲୁଇସ ଫାଟକ ନିର୍ମାଣ କରାଯିବ

ହୀରାକୁଦ ଡ଼େମରୁ ଅଧିକ ବନ୍ୟାଜଳ ନିଷ୍କାସନ ପାଇଁ ଅତିରିକ୍ତ ୫ ସ୍ଲୁଇସ ଫାଟକ ନିର୍ମାଣ କରାଯିବ

498

ସମ୍ବଲପୁର, ୩୧/୭ (ଓଡ଼ିଆ ପୁଅ) ହୀରାକୁଦ ଜଳଭଂଡ଼ାରର ବାମ ପାର୍ଶ୍ୱ ଡ଼ାଇକରେ ଅତିରିକ୍ତ ସ୍ପିଲ ୱେ ନିର୍ମାଣ କାମ ଆରମ୍ବ ହୋଇଛି। ବିଶ୍ୱ ବ୍ୟାଙ୍କ ପାଣ୍ଠିରେ ହେଉଥିବା ଏହି ପ୍ରକଳ୍ପକୁ ଟାଟା ପ୍ରୋଜେକ୍ଟ ଏବଂ ତୁର୍କିର ଏଜିଇ ଗ୍ରୁପ ନିର୍ମାଣ ଠିକା ପାଇଛନ୍ତି। ଏବେ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ପରେ ମାଟି ଉଠାଇବା କାମ ଚାଲିଛି। ବର୍ଷା ପରେ ନିର୍ମାଣ କାମ ଜୋର ଧରିବ। ୨୦୨୧ର ମାର୍ଚ୍ଚ ମାସ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରସ୍ତାବିତ ସ୍ପିଲ ୱେର ଲମ୍ବ ୯୧ ମିଟର ବିଶିଷ୍ଟ ହେବ ଏବଂ ଏଥିରେ ୫ ଟି ସ୍ଲୁଇସ ଗେଟ ବା ଫାଟକ ରହିବ। ଏହି ସ୍ପିଲ ୱେରୁ ତିନିଶହ ମିଟର ଚଉଡ଼ା ଓ ୧.୯ କିଲୋମିଟର ଚେନାଲ ଦେଇ ମହାନଦୀରେ ଜଳଭଣ୍ଡାରର ଉଦବତ୍ତ ଜଳ ନିଷ୍କାସନ କରାଯିବ। ଗାଂଧି ମିନାର ନିକଟରୁ ଏହି ସ୍ପିଲ ୱେ ବାହାରି ଜବାହାର ଉଦ୍ୟାନ ପାଖରେ ମହାନଦୀକୁ ଜଳ ଛାଡ଼ିବ। ପ୍ରକଳ୍ପ ପୁରା କରିବା ସକାଶେ ୩୬୯ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଦେଶର ସମସ୍ତ ବୃହତ ଜଳ ଭଣ୍ଡାରର ଜଳ ନିଷ୍କାସନ କ୍ଷମତାକୁ ୧.୫ ଗୁଣ ବଢାଇବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ସୁପାରିଶ କରିବା ପରେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଏହି ସୁପାରିଶ କାର୍ଯ୍ୟକାରୀ କରାଯାଉଛି। ପାଣିପାଗ ପରିବର୍ତ୍ତନ ଓ ଆତର୍କିତ ଆସନ୍ନ ବନ୍ୟାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ଜଳ ନିଷ୍କାସନ କ୍ଷମତା ବଢାଇବା ସକାଶେ ଏହି ସ୍ପିଲ ୱେ ନିର୍ମାଣ କରାଯାଉଥିବା ଜଣାପଡ଼ିଛି।

ଏବେ ହୀରାକଦ ଡ଼୍ୟାମରୁ ଜଳ ନିଷ୍କାସନ ପାଇଁ ୯୮ଟି ଫାଟକ ରହିଛି। ଏଥିରୁ ୬୪ଟି ସ୍ଲୁଇସ ଏବଂ ୩୪ଟି କ୍ରେଷ୍ଟ ଫାଟକ ଅଟେ। ଏହି ସମସ୍ତ ଫାଟକ ଦେଇ ପ୍ରତି ସେକେଣ୍ଡରେ ୧୫ ଲକ୍ଷ ଘନଫୁଟ ଜଳ ଖଲାସ କରାଯାଇପାରେ। ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜଳଭଣ୍ଡାରରୁ ଜଳ ନିଷ୍କାସନ କ୍ଷମତା ୧୮ ଲକ୍ଷ ଘନଫୁଟକୁ ବୃଦ୍ଧିପାଇବ। ଏହି ପକଳ୍ପ ପାଇଁ ରୋଲିଂ କଲୋନୀ, କେବୁଲ କଲୋନୀ, ପ୍ରେମନଗର, ଗୁଜାତଲ, ଗାଂଧିନଗର ଆଦି ବସତିର ୧, ୪୧୫ ପରିବାର ପ୍ରଭାବିତ ହେବେ। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ଦ୍ୱାରା ଉଦବାସ୍ତୁ ହେବାକୁ ଥିବା ୩୩୭ ପରିବାରଙ୍କ ପାଇଁ କ୍ଷତିପୂରଣ ରାଶି ମଞୁର ହୋଇସାରିଛି। ଏହି ୩୩୭ ପରିବାରକୁ କ୍ଷତିପୂରଣ ଆକାରରେ ରାଶି ପ୍ରଦାନ ପାଇଁ ବିଶ୍ୱ ବେଙ୍କ ୧୨ କୋଟି ଟଙ୍କା ପ୍ରଦାନ କରିଛି। ଏହି ଟଙ୍କା ଜିଲ୍ଲା ଭୂଅଧିଗ୍ରହଣ ବିଭାଗର ଜମାଖାତାକୁ ଆସିଲେ କ୍ଷତିପୂରଣ ବିତରଣ କରାଯିବ। ପରେ ପରେ ଦ୍ୱିତୀୟ ପର୍ଯ୍ୟାୟର ଅନ୍ୟ ଉଦବାସ୍ତୁ ପରିବାରଙ୍କୁ ମଧ୍ୟ ଧାର୍ଯ୍ୟ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ୨୦୧୫ ର ଅପ୍ରିଲ ମାସରେ ବିଶ୍ୱ ବେଙ୍କର ଏକ ୧୨ ଜଣିଆ ବିଶେଷଜ୍ଞ ଦଳ ହୀରକୁଦ ପରିଦର୍ଶନରେ ଆସି ଅତିରିକ୍ତ ସ୍ପିଲ ୱେ ପାଇଁ ଜାଗା ନିରୂପଣ କରିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ମାଟି ପରୀକ୍ଷାରେ ନିର୍ମାଣ ପାଇଁ ଉପଯୁକ୍ତ ନହେବାରୁ ଦ୍ୱିତୀୟ ଥର ଆଉ ଏକ ଜଗାରେ ଜାଗା ଚିହ୍ନଟ କରାଯାଇଥିଲା। ତାହା ଜଳଭଣ୍ଡାରର ବାମ ପାର୍ଶ୍ୱ ଡ଼ାଇକର ଗାଂଧି ମୀନାର ପାଖରେ ଅବସ୍ଥିତ। ଯେଉଁଠାରେ ଏବେ ନିର୍ମାଣ କାମ ଆରମ୍ବ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.