ଭୁବନେଶ୍ୱର/ପୁରୀ: ବାହୁଡା଼ ଯାତ୍ରା ପରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଲାଗି ହୋଇଥାଏ। ରଥାରୂଢ଼ ଠାକୂର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ। ସ୍ଵତ୍ତ୍ଵଲିପି ଅନୁଯାୟୀ ବାହୁଡା଼ ଦଶମୀ ଦିନ ରଥ ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା। ତେବେ, ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହେଉଥିଲା। କିନ୍ତୁ, ଏବେ ଏହା ଏକାଦଶୀ ଦିନ ମଧ୍ୟ ହୋଇ ନ’ପାରି ଦ୍ଵାଦଶୀ ତିଥିରେ ଏହି ଅଧର ପଣା ଭୋଗ କରାଯାଉଛି। ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ, କୃଷ୍ଣଙ୍କ ଉଦ୍ଦେଶ୍ୟରେ ଦୁଇଟି ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ଗୋଟିଏ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା। କିନ୍ତୁ ଏବେ ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ଟି ହାଣ୍ଡି ଅଧର ପଣା ଭୋଗ ହେଉଛି।
ଠାକୂର ମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ। କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ’ଥାଏ। ପାଣିଆ ଆପଟ ସେବକମାନେ ଗରା ମାନଙ୍କରେ ଜଳ ଆଣି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାଆନ୍ତି। ପୂର୍ବେ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରେ ଆସୁଥିଲା। ପରବର୍ତ୍ତୀ ସମୟରେ ସିଂହଦ୍ଵାରା ସମ୍ମୁଖ କୂପରୁ ଏହି ଜଳ ଅଣାଯାଉଛି।
ଜଳବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀ ମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ଜଳକୁ ସ୍ପର୍ଶ କରିପାରିବେ ନାହିଁ। ଅଧରପଣା ଭୋଗ ପୂରରୁ ମହାସୁଆର ମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାଆନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ପକାଯାଏ। ଜଳ ଛାଣିବା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ଅଛି। ମହାସୁଆର ମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବ ବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥରେ ପୂଜା କରନ୍ତି ଏବଂ ଏହାପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାଆନ୍ତି।
-/Dr