Home ଜିଲ୍ଲା ପରିକ୍ରମା ଧାମନଗର:ପରିତ୍ୟକ୍ତ ଅବସ୍ଥାରେ ବିଭିନ୍ନ ଜଳାଶୟ, ସଂସ୍କାର ଅଭାବରୁ ପୋଖରୀ ଏବେ ପୋତି ହୋଇଯାଉଛି’, ଜଳ ସଂରକ୍ଷଣ...

ଧାମନଗର:ପରିତ୍ୟକ୍ତ ଅବସ୍ଥାରେ ବିଭିନ୍ନ ଜଳାଶୟ, ସଂସ୍କାର ଅଭାବରୁ ପୋଖରୀ ଏବେ ପୋତି ହୋଇଯାଉଛି’, ଜଳ ସଂରକ୍ଷଣ ନେଇ ବଢୁଛି ଚିନ୍ତା

2

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ବିଶ୍ୱ ଯେତେବେଳେ ‘ବିଶ୍ୱ ଜଳ ଦିବସ’ ପାଳନ କରିବାକୁ ପ୍ରସ୍ତୁତ ହେଉଛି, ସେତିକି ବେଳେ ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ଜଳାଶୟ ଗୁଡ଼ିକର ଦୁରାବସ୍ଥା ଏବେ ସ୍ଥାନୀୟ ଅଂଚଳରେ ଚିନ୍ତାର ବିଷୟ ପାଲଟିଛି। ବିଶେଷ କରି ଧାମନଗର, ଦୋବାଲ, ଧୂଷୁରୀ ଓ ଆସୁରାଳି ଜୋନ୍‌?ର ଅନେକ ପୁରାତନ ପୋଖରୀ ଏବେ ପୁନରୁଦ୍ଧାର ଅଭାବରୁ କେବଳ ଏକ ପରିତ୍ୟକ୍ତ ‘ଗଡ଼ିଆ’ରେ ପରିଣତ ହୋଇଛି।ଏହି ଅଂଚଳ ଗୁଡ଼ିକରେ ଥିବା ଅନେକ ପୋଖରୀ ଏବେ ଦଳ ଓ ଅନାବନା ଘାସରେ ପରିପୂର୍ଣ୍ଣ ହୋଇ ରହିଛି। ସଂସ୍କାର ଅଭାବରୁ ଜଳାଶୟ ଗୁଡ଼ିକର ଗଭୀରତା କମିବାରେ ଲାଗିଛି। ଫଳରେ ବର୍ଷା ଜଳ ସଂରକ୍ଷଣ ହୋଇ ରହିପାରୁ ନାହିଁ। କେଉଁଠି ପୋଖରୀ ହୁଡ଼ା ଭୁଶୁଡ଼ି ପଡ଼ିଛି ତ କେଉଁଠି ପୋଖରୀକୁ ମୂତ୍ରାଶୟ କିମ୍ବା ଆବର୍ଜନା ପକାଇବା ସ୍ଥାନ ଭାବେ ବ୍ୟବହାର କରାଯାଉଛି।ଗାଧୋଇବା ପାଇଁ ହେଉ କିମ୍ବା ଚାଷ କାର୍ଯ୍ୟ, ପୋଖରୀ ଜଳ ଉପରେ ଏହି ଅଂଚଳର ଶହ ଶହ ପରିବାର ନିର୍ଭର କରିଥାନ୍ତି। କିନ୍ତୁ ପୋଖରୀ ପୋତି ହୋଇଯିବା ଯୋଗୁଁ ଖରାଦିନେ ଜଳାଭାବ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଯଦି ଏହି ପୋଖରୀଗୁଡ଼ିକର ଠିକ୍ ସମୟରେ ଖୋଳାଯାଇ ପୁନରୁଦ୍ଧାର କରାଯାନ୍ତା, ତେବେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକେ ବହୁଳ ଭାବେ ଉପକୃତ ହୋଇ ପାରନ୍ତେ।ଅମୃତ ସରୋବର ଓ ଅନ୍ୟାନ୍ୟ ଜଳ ସଂରକ୍ଷଣ ଯୋଜନା ମାଧ୍ୟମରେ ପୋଖରୀ ସଂସ୍କାର ପାଇଁ ଅର୍ଥ ବ୍ୟବସ୍ଥା ଥିଲେ ମଧ୍ୟ ଏହି ସବୁ ଜୋନରେ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଳା ଯୋଗୁଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଦାବି ଅନୁଯାୟୀ, ବିଶ୍ୱ ଜଳ ଦିବସ ରେ ଶପଥ ନେଇ ଏହି ପୁରାତନ ଜଳାଶୟଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରୁ, ଯାହାଦ୍ୱାରା ଧାମନଗର ଅଂଚଳରେ ଜଳ ସଙ୍କଟ ଦୂର ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.