Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ, ଭିନ୍ନକ୍ଷମମାନେ ଦୁର୍ବଳ ନୁହଁନ୍ତି

ଜିଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ, ଭିନ୍ନକ୍ଷମମାନେ ଦୁର୍ବଳ ନୁହଁନ୍ତି

5

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରି ସେମାନଙ୍କ ସୃଜନଶୀଳତା, ଦକ୍ଷତା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଦିଗରେ ପ୍ରେରଣା, ପ୍ରୋତ୍ସାହନ, ସହଯୋଗ ଓ ସହାନୁଭୂତି ଆଦି ପ୍ରଦାନ ଦିଗରେ ସମୀକ୍ଷା ସ୍ମୃତିଚାରଣ କରିବା ଭିନ୍ନକ୍ଷମ ଦିବସ ପାଳନର ମୁଖ୍ୟ ଆଭିମୁଖ୍ୟ। ସାଧାରଣତଃ ଭାବୁ ଭିନ୍ନକ୍ଷମମାନେ ସମାଜ ପାଇଁ ବୋଝ। ସେମାନେ ସମାଜ ଉପରେ ନିର୍ଭରଶୀଳ, ଅନ୍ୟର ଦୟାରେ ସେମାନେ ବଂଚିବାକୁ ବାଧ୍ୟ। କିନ୍ତୁ ବାସ୍ତବରେ ତାହା ନୁହେଁ। ସମୟ ବଦଳିବା ସଂଗେ ସଂଗେ ସେ ଅତୀତର ଛବି ଏବେ ବଦଳିଯାଇଛି। ସ୍ୱାବଲମ୍ବୀ ହୋଇ ନିଜ ଗୋଡରେ ଛିଡା ହେବା ସହ ସମାଜରେ ସେମାନେ ଅନେକ କିଛି ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ଅନନ୍ୟ ପ୍ରତିଭାର ଉଦାହରଣ ଛାଡି ଯାଇଛନ୍ତି। ସୃଜନଶୀଳତା ଠାରୁ ପ୍ରଯୁକ୍ତି ବିଜ୍ଞାନ, ପ୍ରଶାସନିକ ସେବା ଠାରୁ କ୍ରୀଡା କସରତ କ୍ଷେତ୍ରରେ ଭିନ୍ନକ୍ଷମ ମାନେ ନିଜର ଦକ୍ଷତା ଓ ପ୍ରତିଭାର ସ୍ୱତନ୍ତ୍ରତା ସୃଷ୍ଟି କରିବାରେ କେବଳ ସକ୍ଷମ ହୋଇନାହାଁନ୍ତି, ସଫଳତାର ଶୀର୍ଷକୁ ଛୁଇଁ ଅନ୍ୟ ପାଇଁ ପ୍ରେରଣାର ଅଫୁରନ୍ତ ଉତ୍ସ ହୋଇଯାଇଛି ବୋଲି ଧାମନଗରସ୍ଥିତ ଶ୍ରଦ୍ଧାଳୟ ପରିସରରେ ଆୟୋଜିତ ଆଜି ଭଦ୍ରକ ଜିଲାସ୍ତରୀୟ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ସମାରୋହରେ ଅତିଥିମାନେ ନିଜ ବକ୍ତବ୍ୟ ପ୍ରସଙ୍ଗରେ ମତ ରଖିଛନ୍ତି। ଭଦ୍ରକ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ପାଳିତ ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱପ୍ନ ପୂରଣ ପାଇଁ ଭିନ୍ନକ୍ଷମମାନେ ବଦ୍ଧ ପରିକର ହୁଅନ୍ତୁ। ଦୁର୍ବଳତାକୁ ସଫଳତାର ଚାବିକାଠି ରୂପେ ଗ୍ରହଣ କରିପାରିଲେ, ସମସ୍ତଙ୍କର ସମସ୍ୟାର ସମାଧାନ ସହଜ ହେବ ବୋଲି ମତବ୍ୟକ୍ତ କରିଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀରଞ୍ଜନ ନାୟକ, ଧାମନଗର ବିଡିଓ ବନବିହାରୀ ଦିଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଯୋଗଦେଇ ଭିନ୍ନକ୍ଷମମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାର ବାର୍ତା ଦେଇଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ ମଂଚ ଆହ୍ୱାନ କରିବା ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶ୍ରୀ ସେଠୀ ସ୍ୱାଗତ ଭାଷଣ ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସୁବିଧା ସୁଯୋଗ ଆଦି ସମ୍ବନ୍ଧରେ ସୂଚନା ଦେଇଥିଲେ। ସେବା ନିବୃତ ଜିଲା ସୂଚନା ଅଧିକାରୀ ରମେଶ ନାୟକ ମଂଚ ପରିଚାଳନା କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଏକପାଦ ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସ, ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ପ୍ରତିଭା ନମିତା ବେହେରା, ଦିବ୍ୟାଙ୍ଗଙ୍କ ଉତ୍ସର୍ଗୀକୃତ ସେବା ନେଇ ସିଆରଏସଆର ଓ ଡିଏସ୍‌ଏସ୍‌ଆର ର ପ୍ରତିଷ୍ଠାତା ଓ ପରିଚାଳକ ଡାକ୍ତର ଭଗବାନ ପରିଡା, ଫିଜିଓଥେରାପି ଡାକ୍ତର ସବ୍ୟସାଚୀ ପାତ୍ର, ସଂଘ କର୍ମକର୍ତା ମନୋରଂଜନ ତ୍ରିପାଠୀ, ହରିହର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଓ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ପ୍ରତିଭାଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବାହ୍ନ ଅଧିବେଶନରେ ଶ୍ରୀ ନାୟକ ଓ ବୀଣାପାଣି ହେଲେନ କେନ୍ଦ୍ରର ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷୟିତ୍ରୀ ବନଲତା ଡାଙ୍ଗୁଆଙ୍କ ପରିଚାଳନାରେ ଜିଲାର ୫ଟି ସ୍ୱତନ୍ତ୍ର ବିଦ୍ୟାଳୟର ବିଭିନ୍ନ ବର୍ଷର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଆମେ ହସିଲେ ତୁମେ ହସିବ’ ଅନୁଷ୍ଠିତ ହୋଇଥିଲା। ଜିଲା ଆଇନ୍‌ସେବା ପ୍ରାଧିକରଣ ଭଦ୍ରକର ସଂପାଦକ ପୂଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦିବସ ଭିତିକ ଶୁଭେଚ୍ଛା ବାର୍ତା ଦେବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ମାଗଣାରେ ଆଇନ୍ ସେବା ପ୍ରଦାନର ବ୍ୟବସ୍ଥା ନିଃଶୁଳ୍କ ଯୋଗାଯୋଗ ନମ୍ବର ୧୫୧୦୦ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ହେଲେନ୍ କେଲେନ ଲାଙ୍ଗୁଡି, ସିଆରଏସଆର ଚରମ୍ପା, ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ଗେଲପୁର, ରଙ୍କନିଧି ମୂକବଧିର ବିଦ୍ୟାଳୟ ଧାମନଗର, ଦୃଷ୍ଟିହୀନ ବିଦ୍ୟାଳୟ, ଧାମନଗର ସ୍ୱତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀମାନେ ସମ୍ବଲପୁର ଲୋକନୃତ୍ୟ ସହ ସାମାଜିକ ମୂଲ୍ୟବୋଧ ଭିତିକ ସଂଗୀତ ଗାନ କରିଥିଲେ। ଏହି ଦିବସ ଉପଲକ୍ଷେ ଭଦ୍ରକ ସହରରେ ଓ ଧାମନଗର ବ୍ଲକ୍‌ରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଜିଲାପାଳ ଶ୍ରୀ ରାଉତରାଏ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.