Home ଜିଲ୍ଲା ପରିକ୍ରମା ଭୂତକୋଠି ପାଲଟିଛି ଆୟୁର୍ବେଦିକ ଡାକ୍ତରଖାନା!

ଭୂତକୋଠି ପାଲଟିଛି ଆୟୁର୍ବେଦିକ ଡାକ୍ତରଖାନା!

31

ଭଦ୍ରକ, ୧୫ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ମୌଳିକ ଆବଶ୍ୟକତା ମଧ୍ୟରେ ସ୍ୱାସ୍ଥ୍ୟ ସେବା ଆଗରେ। ସେଥିପାଇଁ ସରକାରଙ୍କ ତହବିଲରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ଅର୍ଥ ବ୍ୟୟ କରାଯାଉଛି। ଲକ୍ଷ୍ୟ ଜନସାଧାରଣଙ୍କୁ ହାତପାଆନ୍ତାରେ ସେବା ମିଳିବ। ହେଲେ ଅରଣ୍ଡୁଆ ପଂଚାୟତରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଚିତ୍ର ସ୍ୱାସ୍ଥ୍ୟ ସେବାକୁ ଉପହାସ କରୁଛି। ଡାକ୍ତରଖାନାକୁ କାହାରି ପାଦ ପଡୁନି। ଭାଙ୍ଗିରୁଜି ଗଲାଣି ଘର। ଅନାବନା ଲଟା ବୁଦାରେ ସ୍ୱାସ୍ଥ୍ୟ କେନ୍ଦ୍ର ଲୁଚିବାକୁବି ବସିଲାଣି। ଯଦିଓ ନିକଟରେ ଜଣେ କର୍ମଚାରୀ ୨/୫ ଦିନ ଅନ୍ତରରେ ଆସୁଛନ୍ତି କେନ୍ଦ୍ର ଭିତରକୁ ପଶିବା ତାଙ୍କପାଇଁ ସମ୍ଭବ ନୁହେଁ। କେନ୍ଦ୍ରର ସ୍ଥିତି ବୟାନ କରୁଛି ଭୂତକୋଠି ପାଲଟିଛି ଅୟୁର୍ବେଦିକ ଚିକିତ୍ସାଳୟ। ସରକାରୀ ଡାକ୍ତରଖାନାରେ ବର୍ଷବର୍ଷଧରି ତାଲା ଝୁଲୁଛି। କେବେ ତାଲାଖୋଲି ସେବା ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି। ଡାକ୍ତରଖାନାର ଆଗ ଅଷ୍ପଷ୍ଟ ଲେଖାରୁ ବୁଝାପଡୁଛି ୧୯୮୦ ସସିହାରେ ଆୟୁର୍ବେଦିକ ଚିକିତ୍ସାଳୟ ଗଢିଉଠିଥିଲା। ଏହାର କାର୍ଯ୍ୟକ୍ଷମପରେ ସ୍ଥାନୀୟ ଅଂଚଳବାସୀ ଖୁସି ହୋଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ପାଇଁ କେନ୍ଦ୍ରକୁ ଧାଇଁ ଆସୁଥିଲେ। ଖାଲି ଅରଣ୍ଡୁଆ ପଂଚାୟତ ନୁହେଁ; ବ୍ରାହ୍ମଣଗାଁ, ନରସିଂହପୁର ଅଂଚଳର ଲୋକ ନିର୍ଭର କରୁଥିଲେ। ନିୟମିତ ଡାକ୍ତରଖାନା ଖୋଲା ଯାଉଥିଲା। ପ୍ରତିଦିନ ୪୦/୫୦ ଜଣ ରୋଗୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିଲେ। ଡାକ୍ତର ନରେନ୍ଦ୍ର ପ୍ରସାଦ ସାହୁଙ୍କ ଅବସର ପରେ ଡାକ୍ତରଖାନାର ଅବସ୍ଥା ଧିରେ ଧିରେ ଖରାପ ହେବାକୁ ଲାଗିଲା। ଯାହାକୁ ଦାଇତ୍ୱ ମଳିଲା ସେ ନିୟମିତ ଆସିଲେନାହିଁ। ପରବର୍ତି ସମୟରେ ଡାକ୍ତରଖାନା ଏକପ୍ରକାର ବନ୍ଦ ରହିଲା। ଏଭଳି ସ୍ଥିତିରେ କେନ୍ଦ୍ର କାନ୍ଥ ଦୁର୍ବଳ ହେଲାଣି। କେତେକ ସ୍ଥାନରେ ପଲସ୍ତରା ଖସିଗଲାଣି। ଝରକା କବାଟ ଅବସ୍ଥା ନକହିବା ଭଲ। ଡାକ୍ତରଖାନା ଖୋଲା ଯାଉନି ବୋଲି ସରପଂଚଞ୍ଚ ପ୍ରତିନିଧି ମୁକ୍ତିକାନ୍ତ ନାୟକ, ଶିକ୍ଷାବିତ ଅନିରୁଦ୍ଧ ଲେଙ୍କା, ଗୌରାଙ୍ଗ ବେହେରା, ପଦ୍ମଲୋଚନ ପଣ୍ଡା, ଭାଗିରଥୀ ପଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ବ୍ଲକ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଥିବା କହିଛନ୍ତି ସରପଂଚଙ୍କ ପ୍ରତିନିଧି ଶ୍ରୀ ନାୟକ। ସେଆହୁରି କହିଛନ୍ତି, ବର୍ଷବର୍ଷଧରି ଭୂତକୋଠି ପାଲଟିଥିବା ଡାକ୍ତରଖାନାକୁ ଦେଖିଲେ ଆମକୁ ଡରଲାଗିଛୁ, ଆସିଥିବା ଜଣେ କର୍ମଚାରୀ କ’ଣ କରିବେ। ତା’ଛଡା ଡାକ୍ତର ଏଠି ନିଯୁକ୍ତି ପାଇଛନ୍ତିକି ନାହିଁ ସେକଥା ଆମେ ଜାଣିପାରୁନୁ। ବିଭାଗକୁ ଫୋନକଲେ କେହି ଉଠାଉ ନାହାନ୍ତି ବୋଲି କହିଛନ୍ତି। ସ୍ୱାସ୍ଥ୍ୟ ସେବାପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏଭଳି ସ୍ଥିତି ସ୍ଥାନୀୟ ଅଂଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଉଛି। ଡାକ୍ତରଖାନା ବନ୍ଦ ପଡିଥିବା, ଡାକ୍ତର ଆସୁନଥିବା ସମ୍ପର୍କରେ ଜିଲା ଆୟୁର୍ବେଦିକ(ଡିଏଏମଓ)ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେବି ତାଙ୍କର ପ୍ରତିକ୍ରିୟା ମିଳିପାରିନି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.