ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ନାହିଁ ନ ନଥିବା ଗୁଳୁଗୁଳି ଭଦ୍ରକର ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଦେଇଥିବା ବେଳେ ପୌର ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଜଳ ଛତ୍ର ଅନେକ ସ୍ଥାନରେ ଠପ ହୋଇଯାଇଛି। କେବଳ ଯାହା ବନ୍ତ ଛକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିଛି ମହିଳା କିଛି ସମୟ ପାଇଁ ଧର୍ମକୁ ଆଖିଠାର ଭଳି ଜଳ ବାଣ୍ଟୁଥିବା ବେଳେ ପ୍ରତି ବର୍ଷ ଭଳି ଭଦ୍ରକ ଲ୍ୟାନ୍ସ କ୍ଲବ ସାଧାରଣ ପଥଚାରୀଙ୍କ ପାଇଁ ଥଣ୍ଡା ଦହି ସର୍ବତ, ପୁଦିନା ପାଣି, ଲେମ୍ବୁ ପାଣି ଓ ଜଳାଜିରା ଭଳି ଶୀତଳ ପାନୀୟର ସୁ ବନ୍ଦୋବସ୍ତ କରିଛି ସହରର ନୂଆ ବଜାର ଥାନା ଛକ ସ୍ଥିତ ସୁଭଦ୍ରା ସୋ ରୁମ ସମ୍ମୁଖରେ। ଏହି ଜଳ ଛତ୍ର କୁ ସ୍ଥାନୀୟ ଯୁବ ବିଧାୟକ ସୀତାଂଶୁ ମହାପାତ୍ର ନିଜେ ଶୁଭ ଉଦଘାଟନ କରିବା ସହ ତୃଷାର୍ତ୍ତଙ୍କ ଶୋଷ ମେଣ୍ଟାଇ ଥିଲେ। ଏବଂ ଏଭଳି ସେବା ଓ ସମର୍ପଣ ମନୋବୃତ୍ତିର ମହତ କାର୍ଯ୍ୟକୁ କ୍ଲବର କର୍ମକର୍ତାମାନେ ବାଛିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଲ୍ୟାନ୍ସ ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର-୨ଅଶୋକ ମହାନ୍ତି, ପିଡ଼ିଜି ପ୍ରକାଶ ଜେନା, ନିରଞ୍ଜନ ଲାଲ ଗୁପ୍ତା, ଅଶୋକ ପଟ୍ଟନାୟକ, ଶରତ ମହାନ୍ତି, ପ୍ରୀତିରଞ୍ଜନ ଦାସ, ଅଜୟ ଦାସ, ହରମୋହନ ପଣ୍ଡା ପ୍ରମୁଖ ଉପସ୍ଥିତ ଥାଇ ଏହା ଦୀର୍ଘ ଏକ ମାସ ଧରି ଲୋକଙ୍କୁ ସେବା ଯୋଗାଇବା ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ।








