ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫେବୃୟାରୀ ୧୩ ତାରିଖରୁ ନେହେରୁ ଷ୍ଟାଡ଼ିୟମ୍ ପରିସରରେ ପଲ୍ଲୀଶ୍ରୀ ମେଳା ଓ କୃଷି ଯନ୍ତ୍ରପାତି ମେଳାକୁ ନେଇ ଅନୁଷ୍ଠିତ ହୋଇ ଆସିଥିବା ୫ ଦିନିଆ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ସୋମବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସନ୍ଧ୍ୟା ଆସରରେ ଅନ୍ୟତମ ଅତିଥି ଭାବେ ଭଦ୍ରକ ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ସରୋଜ କୁମାର ଦତ ଯୋଗ ଦେଇ ଭଦ୍ରାୟଣୀର ସଫଳ ଭେଟି ଏବଂ ଆଗାମୀ ବର୍ଷମାନଙ୍କରେ ଭଦ୍ରାୟଣୀର କଳେବର ଆହୁରି ଅଧିକ ଆକର୍ଷଣୀୟ ହେଉ ବୋଲି ପ୍ରକାଶ କରିଥିଲେ । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ସାରା ସହରବାସୀ ଉଲ୍ଲସିତ ଓ ଏକ ଉତ୍ସବ ମୁଖର ପରିବେଶରେ ଭରପୂର ହୋଇ ନିଜର ଆବଶ୍ୟକତା ଭିତିରେ ବିଭିନ୍ନ ଦ୍ରବ୍ୟ କ୍ରୟ କରିବା ସହିତ ସନ୍ଧ୍ୟାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ଏଥିରେ ସମୁଦାୟ ୨୪୦ଟି ଷ୍ଟଲ ହୋଇଥିଲା । ତନ୍ମଧ୍ୟରୁ ୯୦ଟିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଓରମାସ ପ୍ରାୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, ଗ୍ରାମୀଣ ଉଦ୍ୟୋଗ ପାର୍କ, ପ୍ରଡ଼୍ୟୁସର ଏଣ୍ଟରପ୍ରାଇଜ୍ ଓ କାରିଗରମାନେ ଭାଗ ନେଇଥିଲେ । ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଭାଗ ନେଇଥିଲେ । ୧୦ଟି ଷ୍ଟଲରେ ରାଜ୍ୟ ବାହାରର କାରିଗରମାନେ ଭାଗ ନେଇଥିଲେ । ଯେଉଁଥିରେ କି ବାଉଁଶ କାରିଗର, ବନାରସୀ ଶାଢ଼ୀ, ପିତଳ ଦ୍ରବ୍ୟ, ଡ଼୍ରେସ, କାଠକାମ, ଧୂପ, ବେଡ଼ସିଟ୍, ବିଭିନ୍ନ ଜୁଏଲାରୀ ଆଦି କରିଗର ଭାଗ ନେଇଥିଲେ । ଏକ ଥିମ୍ ଷ୍ଟଲରେ ହସ୍ତତନ୍ତ୍ରର ଲାଇଭ୍ ଡ଼େମୋନଷ୍ଟ୍ରେସନ୍ ହେଉଥିଲା । ୬ଟି ଷ୍ଟଲରେ ସେବା ସଂସ୍ଥା ଥିଲେ, ୨୧ଟି ଷ୍ଟଲରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରିବା ପାଇଁ ବିଭିନ୍ନ ବିଭାଗମାନେ ଅଂଶ ଗ୍ରହଣ କରିଥିଲେ । ୩ଟି ଷ୍ଟଲରେ ବ୍ୟାଙ୍କ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଲ୍ପ ବିଭାଗର ୩୫ଟି ଷ୍ଟଲ, କୃଷି ବିଭାଗର ୪୦ଟି ଷ୍ଟଲ, ଖାଦ୍ୟ ନିମନ୍ତେ ୩୫ଟି ଷ୍ଟଲ ଖୋଲା ଯାଇଥିଲା । ଉକ୍ତ ମହୋତ୍ସବରେ ଜିଲ୍ଲାର ଅଂଶ ଗ୍ରହଣ କରିଥିବା ସମସ୍ତ ବିଭାଗ ମଧ୍ୟରୁ ସର୍ବୋତମ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ଉଦ୍ୟାନ, କୃଷି, ସର୍ବାଧିକ ବିକ୍ରୟ ବିଭାଗ, କୃଷି ଓ ଉତ୍ପାଦ ନିର୍ଦ୍ଦେଶାଳୟ, ଭଦ୍ରକ, ସର୍ବୋତମ ଅଭିନବ ଉତ୍ପାଦକ ନିମନ୍ତେ ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗକୁ ପୁରସ୍କୃତ କରାଯାଇଥିଲା । ସେହିପରି ସର୍ବୋତମ ପ୍ରଦର୍ଶନ ନିମନ୍ତେ ଗ୍ରାମୀଣ ଉଦ୍ୟୋଗ ପାର୍କ, ନର୍ସରୀ ଲାଇଭ, ଯାଜପୁର, ସର୍ବାଧିକ ବିକ୍ରେତା ଭାବେ ଜୟହନୁମାନ ଉତ୍ପାଦକ ଗୋଷ୍ଠୀ, ସୁବର୍ଣ୍ଣପୁର, ସର୍ବୋତମ ଉତ୍ପାଦ ପାଇଁ ମା ଭବାନୀ ଶୁଖୁଆ ଉତ୍ପାଦକ ଗୋଷ୍ଠୀ, ଚାନ୍ଦବାଲି, ଭଦ୍ରକ ଓ ସର୍ବଶ୍ରେଷ୍ଠ ଉଦ୍ୟୋଗୀ ଭାବେ କେ.ସି.ଏସ୍. ପାୱାର (ଶ୍ୟାମ ନୀମ୍କିନ୍) ସୁରଜ କୁମାର ସାହୁ, ଅସୁରାଳୀକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମେଳାରେ ଦଶ କୋଟି ୮୯ଲକ୍ଷ ସାତ ହଜାର ଆଠରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥିଲା ଯାହାକି ବିଗତ ବର୍ଷ ପଲ୍ଲୀଶ୍ରୀ ମେଳାରେ ବ୍ୟବସାୟର ଦୁଇଗୁଣ । ଭଦ୍ରାୟଣୀ ମଂଚରେ ପ୍ରତିଦିନର ଆଂଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପରିଚାଳନାରେ ଆନୁସଙ୍ଗିକ ଦାୟୀତ୍ୱ ନିର୍ବାହ କରିଥିବା ଡ଼େପୁଟୀ କଲେକ୍ଟର କାର୍ତିକନାଥ ମଣ୍ଡଳ, ଉଦ୍ଘୋଷିକା କାଦମ୍ବରୀ କରଶର୍ମା, ସଂଗୀତ ଗୁରୁ ରାମନାରାୟଣ ମହାନ୍ତି, ଉଦ୍ଘୋଷକ ହାସ୍ୟକଳାକାର ସେକ୍ ନିଜାମ ମହମ୍ମଦ ଏବଂ ପଲ୍ଲୀଶ୍ରୀ ମେଳାର ସଂଯୋଜିକା ଓରମାସ୍ର ଉପମୁଖ୍ୟ କାର୍ଯ୍ୟକାରି ଅଧିକାରିଣୀ ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖଙ୍କ ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଭଦ୍ରାୟଣୀ ଆୟୋଜନରେ ପ୍ରମୁଖ ସେବା ପ୍ରଦାନକାରୀ ବିଭାଗୀୟ ଅଧିକାରୀ ଓ ତାଙ୍କ ଦଳ ହିସାବରେ ଭଦ୍ରକ ପୌରପାଳିକା, ଅଗ୍ନିଶମ ବିଭାଗ, ବିଦ୍ୟୁତ, ଜନସ୍ୱାସ୍ଥ୍ୟ, ପୂର୍ତ ବିଭାଗକୁ ମଧ୍ୟ ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ହସ୍ତଶିଳ୍ପ ପ୍ରଦର୍ଶନରେ ସାମୁହିକ ଶଙ୍ଖ କାର୍ଯ୍ୟ ପାଇଁ ଶ୍ରୀଧର ଖିଲାର, ଟେରାକୋଟା ପାଇଁ ନିରୂପମା ସାହୁ, କ୍ଲେ ଆର୍ଟ ପାଇଁ ସୁରେନ୍ଦ୍ର ସାହୁ ଏବଂ ବାଲୁକା କଳା ପାଇଁ ଶିଳ୍ପୀ ଜୟନ୍ତ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସ୍.ପି., ଡ଼ି.ଆଇ.ବି. ଅଂଶୁମାନ ଦ୍ୱିବେଦୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ପ୍ରମୁଖ ଏହି ସବୁ ପୁରସ୍କାର ବଂଟନ କରିଥିଲେ । ମୟୁରଭଞ୍ଜରୁ ଆସିଥିବା ପ୍ରୋଜେକ୍ଟ ଛାଉଣୀ ଛଉଦଳ ଦ୍ୱାରା ଆକର୍ଷଣୀୟ ଯୁଦ୍ଧ ନୃତ୍ୟ, ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ନିଆରା ଲୋକକଳା ଢ଼ୋଲକବାଦ୍ୟ ଏବଂ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଖୁବ୍ ଉଚ୍ଚକୋଟୀର ନୃତ୍ୟ, ସଂଗୀତ , ଲୋକକଳା, ପିରାମିଡ଼, ଟାଇକୋଣ୍ଡ ଆଦି ପ୍ରଦର୍ଶନ ଭରପୁର ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
Home ଜିଲ୍ଲା ପରିକ୍ରମା ପାଂଚଦିନିଆ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଉଦ୍ଯାପିତ, ମନ ମୋହିଲା ମୟୂରଭଞ୍ଜର ଛଉ, ପଲ୍ଲୀଶ୍ରୀ ମେଳାରେ ୧୦...