Home ଜିଲ୍ଲା ପରିକ୍ରମା ଭଦ୍ରକ ଆରଏମ୍‌ଏସ ବାଲେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗ, ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ନାଗରିକ ମଂଚର ରେଳରୋକ ଚେତାବନୀ

ଭଦ୍ରକ ଆରଏମ୍‌ଏସ ବାଲେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗ, ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ନାଗରିକ ମଂଚର ରେଳରୋକ ଚେତାବନୀ

4

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳ ଷ୍ଟେସନରେ ଥିବା ଆରଏମଏସ (ରେଲ୍‌ୱେ ମେଲ୍ ସର୍ଭିସ୍‌) କୁ ବାଲେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗକୁ ନେଇ ଆଜି ଭଦ୍ରକ ନାଗରିକ ସୁରକ୍ଷା ମଂଚ ଏକ ସାମ୍ବାଦିକ ସମ୍ମିଳନୀରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଭଦ୍ରକ ଗାନ୍ଧିପଡିଆସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ରାତାରାତି ଆରଏମ୍‌ଏସକୁ ଭଦ୍ରକରୁ ବାଲେଶ୍ୱର ଓ ଯାଜପୁରକୁ ନିଆଯାଇଥିବାରୁ ଘୋର ନିନ୍ଦା କରି ସରକାର ତୁରନ୍ତ ଏଭଳି ନିଷ୍ପତିରୁ ଓହରି ପୂର୍ବଭଳି ଏଠାରେ ଉକ୍ତ ସେବା ଉପଲବ୍ଧ କରାଯିବାର ଦାବି କରିଛନ୍ତି। ସେହିଭଳି ବିଶିଷ୍ଟ ସମାଜସେବୀ ଦୀନବନ୍ଧୁ ପତି ଯୋଗଦେଇ ଦୀର୍ଘ ୫୦ ବର୍ଷର ରେଳ ଡାକ ସେବାକୁ ଡାକ ବିଭାଗର ସର୍ବୋଚ୍ଚ କର୍ତୃପକ୍ଷ ଯେଭଳି ଭାବେ ଏଠାରୁ ସ୍ଥାନାନ୍ତରର ନିଷ୍ପତି ନେଇଛନ୍ତି, ତାହାର ପୁନଃବିଚାର କରିବା ପାଇଁ ଦାବି କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଥିନେଇ ସେ ଆସନ୍ତା ୩ ତାରିଖରେ ଭେଟିବାର ଯୋଜନା ହୋଇଛି ବୋଲି କହିଥିଲେ। ଏବଂ ନିଶ୍ଚିତ ଭାବେ ଏହି ସେବା ପୂର୍ବଭଳି ଲାଗୁ ନହେଲେ ରେଳରୋକ ଭଳି ଚରମ ନିଷ୍ପତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନ୍‌ଜୀବୀ ଗଦାଧର ବଳ ଯୋଗଦେଇ ଦୀର୍ଘ ୫୦ ବର୍ଷ ପୂର୍ବରୁ ଯାହା ଭଦ୍ରକରେ ଥିଲା, ତାକୁ ଏବେ ସ୍ଥାନାନ୍ତର କରାଯାଉଥିବାରୁ ଏଭଳି ବୈମାତୃକ ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଅନ୍ୟତମ ବରିଷ୍ଠ ଶିକ୍ଷାବିତ୍ ଶାନ୍ତନୁ ମହାନ୍ତି ଯୋଗଦେଇ ଏହି ସେବାର ପୁନଃ ପ୍ରଚଳନ ଦିଗରେ ଜିଲାବାସୀ ଏକ ହେବାକୁ ଆହ୍ୱାନ ଦେଇଥିଲେ। ଯୁବ ସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ ଜିଲାବାସୀଙ୍କ ପ୍ରତି ଏଭଳି ଅବିଚାର ବିରୁଦ୍ଧରେ ଲଢେଇ ତୀବ୍ର ହେବ ବୋଲି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱରର ମୁଖ୍ୟ ଡାକମଣ୍ଡଳ ସାଧାରଣ ପରିଚାଳକ ସିପିଏମ୍ (ଜୀ) ଚିଠି ଯୋଗେ ଭଦ୍ରକ ଷ୍ଟେସନରେ ଚାଲିଥିବା ଆରଏମ୍‌ଏସ ସେବାକୁ ବାଲେଶ୍ୱର ସହ ମିଶ୍ରଣ କରିଛନ୍ତି। ଅର୍ଥାତ୍ ଏଣିକି ବାଲେଶ୍ୱର ଷ୍ଟେସନକୁ ଭଦ୍ରକ ଜିଲା ଚିଠି ନଥିପତ୍ର ଯାଇ ରାଜ୍ୟ, ଦେଶ, ବିଦେଶକୁ ନେଣଦେଣ ହେବ। ଫଳରେ ଜିଲାର ଡାକସେବାର ବହୁ ବିଳମ୍ବ ଘଟିବ। ଏହାଦ୍ୱାରା ଜିଲାରୁ ୨୫ ଲକ୍ଷ ଲୋକ ପ୍ରଭାବିତ ହେବେ। ୨୦୧୮ ମସିହାରେ ଭଦ୍ରକ ଷ୍ଟେସନରୁ ପାର୍ଶଲ ସେବା ଯାଜପୁର ରେଳ ଷ୍ଟେସନକୁ ଅପସାରଣ କରାଯାଇଥିଲା। ପୁଣି ୨୦୨୨ ଅକ୍ଟୋବର ୩୦ ରେ ସିପିଏମ୍ (ଜୀ) ଚିଠି ମୂଳେ ଭଦ୍ରକ ସ୍ପିଡ୍ ପୋଷ୍ଟ କ୍ଷମତା ହରାଇ ବସିଲା। ଏହା ବାଲେଶ୍ୱର ଆରଏମ୍‌ଏସ ସହ ଅନୁବନ୍ଧିିତ କରାଗଲା। ଫଳରେ ପାର୍ସଲ ଓ ସ୍ପିଡ୍ ପୋଷ୍ଟ ଭଦ୍ରକ ଷ୍ଟେସନରୁ ଆଉ ପଠାଯାଇପାରୁନାହିଁ। କେବଳ ରେଜେଷ୍ଟ୍ରି ଓ ଅଡିନାରୀ ଡାକ ଏଠାରୁ ଚାଲୁଥିବାବେଳେ ଗତ ୨୦୨୪ ମସିହା ଅକ୍ଟୋବର ୧୭ ତାରିଖରେ ସିପିଏମ୍ (ଜୀ) ରୁ ପୁଣି ଚିଠି ଆସିଛି। ରେଳ ଡାକସେବାରେ ଚାଲୁଥିବା ରେଜେଷ୍ଟ୍ରି କାର୍ଯ୍ୟ ଇନ୍‌ଟ୍ରା ସର୍କଲ ହେବ। ଆଇସିଏଚ୍ ସହ ମିଶିଯିବା ନେଇ ରେଳ ଡାକସେବା ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ କର୍ତୃପକ୍ଷ ନିଷ୍ପତି ନେଇଥିବାରୁ ତୁରନ୍ତ ଏହାର ପୁନଃ ବିଚାର କରିବାକୁ ଜିଲାବ୍ୟାପୀ ପ୍ରତିବାଦର ସ୍ୱର ଉଠିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.