Home ଜିଲ୍ଲା ପରିକ୍ରମା ମକର ସଂକ୍ରାନ୍ତିରେ ଉତ୍ôସବମୁଖର ଭଦ୍ରକର ମା’ କାଳୀତ୍ରା ପୀଠ

ମକର ସଂକ୍ରାନ୍ତିରେ ଉତ୍ôସବମୁଖର ଭଦ୍ରକର ମା’ କାଳୀତ୍ରା ପୀଠ

4

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟ ଉତ୍କଳ ଭୂଇଁର ଗୋଡ଼ି-ମାଟି, ନଦ-ନଦୀ, ପାଣି-ପବନ ସବୁରି ଦେହରେ ନାନା ଦେବାଦେବୀଙ୍କର ଅସ୍ତିତ୍ୱ ଏଭଳି ଲୁଚି ରହିଛି ଯେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ‘ବାରମାସରେ ତେରପର୍ବ’ ସମସ୍ତଙ୍କ ଧର୍ମର୍ୀୟ ବିଶ୍ୱାସକୁ ରୁଦ୍ଧିମନ୍ତ କରିଛି। ଯଦିଓ ସମସ୍ତଙ୍କ ପର୍ବପର୍ବାଣୀ ଓ ପୂଜା ପରମ୍ପରାର ରୀତି-ନିତୀ ଭିନ୍ନ, ତଥାପି ମନୁଷ୍ୟ ଜାତିର ବିବିଧତା ମଧ୍ୟରେ ମାନବିକତା ଓ ଧର୍ମୀୟ ଭାବନାର ଏକେଶ୍ୱରବାଦ ସଭିଙ୍କ ସଂସ୍କୃତିରେ ଦେଖିବାକୁ ମିଳିଥାଏ। ଚଳିତ ମକର ସଂକ୍ରାନ୍ତିରେ ଆମ ରାଜ୍ୟର ବିଭିନ୍ନ ଦେବାଦେବୀ ପୀଠ ଉତ୍ସବ ମୁଖର ହୋଇଉଠିଥିବାବେଳେ ସେଥିମଧ୍ୟରୁ ଭଦ୍ରକ ଜିଲାର ୫ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ମା’ କାଳୀତ୍ରା ଦେବୀ ପୀଠର ସ୍ୱତନ୍ତ୍ରତା ଅନ୍ୟତମ। ମକର ସଂକ୍ରାନ୍ତୀରେ ଏହି ପୀଠକୁ ଜିଲାର ବିଭିନ୍ନ ଅଂଚଳ ସମେତ ପଡ଼ୋଶୀ ଜିଲାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଦିବସବ୍ୟାପୀ ଲାଗିରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି ଓ ସ୍ଥାନୀୟ ନେତାମାନଙ୍କୁ ଦେଖିବାକୁ ୁ ମିଳିଥାଏ। ତେବେ ଏହି ପୀଠର ଐତିହ୍ୟ ପ୍ରାୟ ଶହେ ବର୍ଷର ବୋଲି କହିଛନ୍ତି ଭଦ୍ରକ ପଂଚାୟତ ସମିତି ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ। ତେବେ ବି ଅନ୍ୟ ପ୍ରାଚୀନ ପୀଠର ଧର୍ମୀୟ ବିଶ୍ୱାସଠାରୁ ଏହାର ମହନୀୟତା କୌଣସି ଗୁଣରେ କମ୍ ନୁହେଁ। ପ୍ରତିବର୍ଷ ଏହି ଉତ୍ସବକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ନିମନ୍ତେ ବହୁ ଶ୍ରଦ୍ଧାଳୁ ମାନସିକକାରୀ ଖେଚୁଡ଼ି ପ୍ରସାଦ ବଂଟନ କରିଆସୁଥିବାବେଳେ ଗତ କିଛିବର୍ଷ ଧରି ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ଟିକନ ପରିଡ଼ା ନିଜର ସହଯୋଗୀ କାଠିଆ ଲେଙ୍କା, ସୁଜିତ୍ ଲେଙ୍କା, ରବି ସାମନ୍ତରାୟ, ଅର୍ଜନ ଧଳ ପ୍ରମୁଖଙ୍କ ଦ୍ୱାରା ଏହି ପ୍ରସାଦ ବିତରଣ କରୁଥିବାର ଜଣାପଡ଼ିଛି। ଏହି ପୀଠର ଇତିହାସ ସଂପର୍କରେ ବିଶିଷ୍ଟ ସମାଜସେବୀ ନିର୍ମଳ କୁମାର ବେହୁରିଆ ଯାହା କୁହନ୍ତି, ଭଦ୍ରକ ବ୍ଲକ ଅଧିନସ୍ଥ ବହୁଦରଡ଼ା ଗ୍ରାମର ମଣି ବେହେରା ନାମକ ଜଣେ ଦେବୀ ଉପାସକ ରହୁଥିଲେ। ସେ ନିଜର ଯୁବାବସ୍ଥାରେ ନିକାଂଚନ ସ୍ଥାନରେ ସାଧନା କରିଆସୁଥିବା ସମୟରେ ଏକଦା ନିକଟସ୍ଥ ଅଂଚଳର ପ୍ରଭାବିତ ହେଉଥିବା ରେବ ନଦୀକୂଳ ଏକ ବରୁଣ ଗଛରେ କେଉଁ ଆବାହନକାଳରୁ ରହି ଜନୈକା ଯୁବତୀ ଦ୍ୱାରା ପୂଜାପାଇ ଆସୁଥିବା ମା’ କାଳୀତ୍ରା ତାଙ୍କୁ ସ୍ୱପ୍ନାକୃତ ହୋଇଥିଲେ। ମା’ଙ୍କ ସ୍ୱପ୍ନାଦେଶ ଅନୁସାରେ ତାଙ୍କର ଆବିର୍ଭାବ ଘନଜଙ୍ଗଲ ଘେରା ଏକ ବରୁଣ ଗଛରେ ହୋଇଥିଲା। ଯେଉଁ ସ୍ଥାନକୁ ମଣି ବେହେରା ପରବର୍ତୀ ଅବସ୍ଥାରେ ନିଜର ସାଧନର ପୀଠ ଭାବେ ବାଛି ନେଇଥିଲେ। ୩୦/୩୫ବର୍ଷର ଯୁବକ ମଣି ବେହେରା ସେହି ଘନଜଙ୍ଗଲ ଘେରା ଗନ୍ଧ ପଳାସ, ବରୁଣ, ଲିମ୍ବ ଓ ତେନ୍ତୁଳି ଗଛ ଗହଣରେ ସମ୍ପୂର୍ଣ୍ଣ ସମୟ କଟାଇବା ଭିତରେ ବରୁଣ ମୂଳର ମା’ କାଳୀତ୍ରାଙ୍କ ଦିବ୍ୟାଦେଶପାଇଁ ବାବା ମଣି ଦାସରେ ପରିଣତ ହୋଇଥିଲେ। ଏହାପରେ ଆଖପାଖ ଅଂଚଳ ସମେତ ପଡ଼ୋଶୀ ଜିଲାର ବହୁ ରୋଗୀ, ଭୋଗୀ ଏବଂ ବିଭିନ୍ନ ସମସ୍ୟା ପ୍ରପୀଡ଼ିତ ଲୋକେ ତାଙ୍କ ନିକଟକୁ ଆସି ମା’ଙ୍କ କରୁଣାରୁ ମୁକ୍ତି ପାଇଥିଲେ। ଏବେ ବି ବଂଚିଥିବା ଅଶିତିପର ବହୁ ବୃଦ୍ଧ-ବୃଦ୍ଧାଙ୍କ କହିବାମୂଳେ ବାବା ମଣି ଦାସ ବାମ ହାତରେ ଧରିଥିବା ବେତ ମାଡ଼କରି ଘା-ଘଉଡ଼ ଓ ପୂଜ ରକ୍ତରେ ଜର୍ଜରିତ ରୋଗୀଙ୍କ କ୍ଷତ ସ୍ଥାନରେ ମୁହଁ ଲଗାଇ ଶୋଷି ଆରୋଗ୍ୟ କରୁଥିଲେ। ତାଙ୍କ ମହିମା ଏଭଳି ବ୍ୟାପୀ ଯାଇଥିଲା ଯେ ଅନ୍ୟ ରାଜ୍ୟର ବହୁ ଶ୍ରଦ୍ଧାଳୁ ଭକ୍ତ ତାଙ୍କ ନିକଟକୁ ଆସି ବରୁଣ ଗଛର ସିନ୍ଦୁର ବୋଳା ସେହି ମା’ କାଳୀତ୍ରାଙ୍କୁ ଯୋଡ଼ା ଘୋଡ଼ା ଓ କଳା କୁକୁଡ଼ା ମନାସୀ ମନସ୍କାମନା ପୂର୍ଣ୍ଣ କରୁଥିଲେ। ସେହିଦିନଠାରୁ ମା’ କାଳୀତ୍ରାଙ୍କ ପୀଠରେ ପ୍ରତ୍ୟେକ ମକର ସଂକ୍ରାନ୍ତି ଦିନ ଦିବସବ୍ୟାପୀ ଉତ୍ସବ ପାଳନ କରାଯାଉଥିବାବେଳେ ଶିବରାତ୍ରୀ ଦିନ ୫ଦିନ ବ୍ୟାପୀ ହୋମଯଜ୍ଞ ସମ୍ପନ୍ନ ହୋଇଆସୁଛି। ଦୀର୍ଘ ୪୮ବର୍ଷ ତଳେ ଶତାୟୁ ବାବା ମଣି ଦାସଙ୍କର ପବିତ୍ର ଗୁରୁବାର ଏକାଦଶୀ ଚୁଲିପୂଜା ଦିନ ଦେହାନ୍ତ ହେଲାଣି। ମାତ୍ର ତାଙ୍କ ଅନ୍ତେ ମା’ଙ୍କ ପୂଜାର୍ଚ୍ଚନାର ଦାୟିତ୍ୱ ତାଙ୍କର କନିଷ୍ଠ କନ୍ୟା କମଳା ଦେବୀ ହାତକୁ ନେବା ମଧ୍ୟରେ ତାଙ୍କର ମଧ୍ୟ ଇତିମଧ୍ୟରେ ଦେହାନ୍ତ ଘଟିଛି। ଏବେ ବୃକ୍ଷବାସିନୀ ସିନ୍ଦୁରାମୟୀ ମା’ କାଳୀତ୍ରାଙ୍କ ମହିମା ଏଭଳି ପ୍ରସାର ଲାଭ କରିଛି ଯେ ଜାତୀୟ ରାଜପଥରେ ଯାଉଥିବା ପ୍ରତ୍ୟେକ ଯାନବାହାନ ନିମିଷକପାଇଁ ହେଉପଛେ ଅଟକି ଆଶୀର୍ବାଦ ନେଇଥାଏ। ଯଦିଓ ଏବେ ଏହି ପୀଠରେ ସେମିତି ଘନ ଜଙ୍ଗଲ ନାହିଁ, ତଥାପି ସରକାରଙ୍କ ପକ୍ଷରୁ ଏହି ମନ୍ଦିରର ନବୀକରଣ ସହ ଏଠାରେ କଲ୍ୟାଣ ମଣ୍ଡପ, ଭୋଗ ମଣ୍ଡପ ଓ ବହୁ ଦୋକାନ ବଜାର ଗଢିଉଠି ଥିବାବେଳେ ମା’ଙ୍କ ଆସ୍ଥାନ ଓ ବାବା ମଣିଦାସଙ୍କ ସମାଧି ପୀଠର ପ୍ରତିମୂର୍ତି ସମସ୍ତଙ୍କ ପାଇଁ କରୁଣାର ବାରି ଢ଼ାଳି ଚାଲିଛି। ଏହି ପୀଠକୁ ଆଜି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ସାଂସଦ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ ଓ ସ୍ଥାନୀୟ ନେତୃବୃନ୍ଦ ଜଗବନ୍ଧୁ ରାଉତ, ଗୟାଧର ସାମଲ, ବିକାଶ ସାମଲ ପ୍ରମୁଖ ଦର୍ଶନ କରିବାକୁ ଆସି ମା’ଙ୍କ ଆଶୀର୍ବାଦ ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.