Home ଜିଲ୍ଲା ପରିକ୍ରମା ମୃତ କୃଷକ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ, ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଶକ୍ତି ସଚିବଙ୍କ...

ମୃତ କୃଷକ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ, ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଶକ୍ତି ସଚିବଙ୍କ ଏନ୍‌ଏଚ୍‌ଆରସିଙ୍କୁ ସୂଚନା

24

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜୀବନ୍ତ ତାର ସ୍ପର୍ଶରେ ମୃତ୍ୟୁବରଣ କରିଥିବା ଏହି ଜିଲାର ତଳଗୋପବିନ୍ଧା ଗ୍ରାମର ଜଣେ କୃଷକଙ୍କ ପରିବାରକୁ ଚଳିତ ମାସ ୩ ତାରିଖରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ଦିଆଯାଇଥିବା ବିଷୟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଶକ୍ତି ସଚିବ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ଙ୍କୁ ପ୍ରମାଣ ସହ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ନିବାସୀ ସର୍ବୋଚ୍ଚ ନ୍ୟାୟାଳୟର ଆଇନ୍‌ଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏନଏଚଆରସିରେ କରିଥିବା ରିପୋର୍ଟ ମୂଳେ ତାଙ୍କ ଆବେଦନକୁ କାର୍ଯ୍ୟକାରୀ କରି ଏନଏଚଆରସି ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଉକ୍ତ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ତଳଗୋପବିନ୍ଧା ଗ୍ରାମର ଅଶ୍ୱିନୀ ଜେନା (୬୫) ଜଣେ ଗରିବ କୃଷକ ଥାଇ ନିଜ ଚାଷଜମିକୁ ୨୦୨୩ ଅକ୍ଟୋବର ୨୩ ତାରିଖ ଦିନ କାର୍ଯ୍ୟ କରିବାକୁ ଯାଇ ଛିଡି ପଡିଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିଲା। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତ୍ୟୁ ବିଦ୍ୟୁତ୍ ସ୍ପର୍ଶ ଜନିତ ହୃଦଘାତ ବୋଲି ଜଣାପଡିଥିଲା। ଏହି ଘଟଣାରେ ଗରିବ କୃଷକ ପରିବାର ପକ୍ଷରୁ ଜିଲା ପ୍ରଶାସନ ମାଧ୍ୟମରେ ବିଦ୍ୟୁତ୍ ବିଭାଗ ଟିପିଏନ୍‌ଓଡିଏଲ୍‌ଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଇଲେକ୍ଟ୍ରିକାଲ ଇନ୍ସିପେକ୍ଟରଙ୍କ ୧୬୧ ବୟାନ ମଧ୍ୟ ଗ୍ରହଣ କରାଯାଇନଥିଲା। ଫଳରେ ଏହି ଘଟଣାରେ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ମୂଳେ ଜାତୀୟ ମାନବାଧିକାର ଆୟୋଗ ୨୦୨୩ ନଭେମ୍ବର ୨୮ ରେ ଭିଡିଓ ମାଧ୍ୟମରେ ଏସ୍‌ପି ଓ ଜିଲାପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗଙ୍କ ଠାରୁ ରିପୋର୍ଟ ମାଗିଥିଲେ। ଆୟୋଗଙ୍କ ନିର୍ଦ୍ଦେଶ ମୂଳେ ଏସ୍‌ପି ୨୦୨୩ ଡିସେମ୍ବର ୨୬ ରେ ରିପୋର୍ଟ ଗ୍ରହଣ କରାଯାଇଥିବାର ସୂଚନା ଦେଇ ମୃତ୍ୟୁର ସମସ୍ତ କାରଣର ସତ୍ୟତା ଜଣାଇଥିଲେ। କିନ୍ତୁ ଜିଲାପାଳ ଓ ମୁଖ୍ୟ ଶାସନ ସଚିବ ଶକ୍ତି ବିଭାଗ, ଭୁବନେଶ୍ୱର କାର୍ଯ୍ୟାଳୟରୁ କୌଣସି ରିପୋର୍ଟ ଗ୍ରହଣ କରାଯାଇନାହିଁ ବୋଲି ଜଣାପଡିବା ପରେ ଆୟୋଗ ୨୦୨୪ ଜାନୁଆରୀ ୧୫ ରେ ପୁନର୍ବାର ସେମାନଙ୍କୁ ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଉତରରେ ଭଦ୍ରକ ଜିଲାପାଳ ୨୦୨୪ ମାର୍ଚ୍ଚ ୬ ରେ ରିପୋର୍ଟ ଗ୍ରହଣ କରାଯାଇଥିବାର ସୂଚାଇ ଏକ ବ୍ୟକ୍ତିଗତ ସ୍ଥାନରେ ଉକ୍ତ ଅଘଟଣ ଘଟିଥିବାର ସୂଚାଇଥିଲେ। ଏଥିରେ ଟିପିଏନ୍‌ଓଡିଏଲ୍‌ର ଅଧିକାରୀମାନଙ୍କ କୌଣସି ଭୂମିକା ନଥିବାର କୁହାଯାଇଥିଲା। ତେବେ ୨୦୨୪ ମାର୍ଚ୍ଚ ୨୮ ରେ ଅନ୍ୟ ଏକ ରିପୋର୍ଟ ସ୍ୱତନ୍ତ୍ର ଶକ୍ତି ସଚିବଙ୍କ କାର୍ଯ୍ୟାଳୟରୁ ଗ୍ରହଣ କରାଯାଇଥିଲା। ଏବଂ ସେଥିରେ କୃଷକ ମୃତ ଅଶ୍ୱିନୀର ମୃତ୍ୟୁ ପଛରେ ଟିପିଏନ୍‌ଓଡିଏଲ୍‌ର କ୍ଷେତ୍ର ଅଧିକାରୀମାନେ ଦାୟୀ ବୋଲି ଜଣାପଡିଥିଲା। ଏବଂ ୬ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ମୃତ କୃଷକଙ୍କ ପରିବାରକୁ କାହିଁକି ୫ ଲକ୍ଷ ଟଙ୍କା ଦେବେ ନାହିଁ ବୋଲି ଆୟୋଗ ଯୁକ୍ତି ରଖିଥିଲେ। ତେବେ ବହୁ ବାଦ୍ ବିବାଦ ପରେ ୨୦୨୪ ନଭେମ୍ବର ୨୧ ତାରିଖ ଦିନ ଆୟୋଗ କର୍ତୃପକ୍ଷଙ୍କ ସର୍ତମୂଳକ ସମନ ଜାରି କରି ଡିସେମ୍ବର ୫ ତାରିଖ ସୁଦ୍ଧା ଦେୟ ପ୍ରଦାନର ଆବଶ୍ୟକ ଅନୁପାଳନ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଗଙ୍କ ନିର୍ଦ୍ଦେଶ ମୂଳେ ସଂପୃକ୍ତ ବିଭାଗ ଗତ ୩ ତାରିଖରେ ସ୍ୱର୍ଗତଃ ଜେନାଙ୍କ ପରିବାରକୁ ଉକ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ ସହିତ ସମସ୍ତ ପ୍ରମାଣ ଦାଖଲ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଏହି ମାମଲାରେ ଶ୍ରୀ ତ୍ରିପାଠୀଙ୍କ ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.