ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରୁ ଭଦ୍ରକ ଦେଇ ବାହାରକୁ ଯାଉଥିବା ଚଳନ୍ତା ଟ୍ରେନ୍ରୁ କୋଇଲା ଚୋରି ହେବା ଏବେ ସାଧାରଣ ଘଟଣାରେ ପରିଣତ ହୋଇଛି। ଏ ଦିଗରେ ଧାମରାରୁ ଭଦ୍ରକ ମଧ୍ୟରେ ଥିବା ବିଭିନ୍ନ ଥାନା ଅଂଚଳର ବହୁ ମାଫିଆ ଏଥିରେ ସଂପୃକ୍ତ ଥାଇ ଲକ୍ଷ ଲକ୍ଷ ଟଙ୍କା ବେଆଇନ୍ ଭାବେ ରୋଜଗାର କରୁଛନ୍ତି। ତେବେ ନୂତନ ଏସ୍ପିଙ୍କ ଯୋଗଦାନ ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ଥାନା ଗୁଡିକ ସକ୍ରୀୟ ହୋଇପଡିଛି। ପ୍ରତିଦିନ କୌଣସି ନା କୌଣସି ଅଂଚଳରୁ ଏହି ଚୋରା କୋଇଲା ଜବତ ହେଉଥିବାବେଳେ ପୁଣି ଥରେ ସାବରଙ୍ଗ ଥାନା ଅଂଚଳର ଇଚ୍ଛାପୁର ମାରାପୁର ଅଂଚଳର ଏକ ଇଟା କାରଖାନାରୁ ୩ ଶହ ବ୍ୟାଗ୍ ଚୋରା କୋଇଲା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୪ ହଜାର ଟଙ୍କା ହେବ ବୋଲି ପୁଲିସ୍ କହିଛି। ଥାନା କେଶ୍ ନଂ ୩୦୬/୨୪ ମୂଳେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଘଟଣାରେ ଇଟା କାରଖାନାର ମାଲିକ ନାରାୟଣ ପ୍ରଧାନ ପୁଲିସ୍ ଆସିବାର ଖବର ପାଇ ଫେରାର ହୋଇଯାଇଥିବାବେଳେ ତାଙ୍କ ସାନଭାଇ ଘନଶ୍ୟାମ ପ୍ରଧାନଙ୍କୁ ପୁଲିସ୍ ଗିରଫ କରିଛି।