ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲି, ଚିପସ୍, ମୋରମ୍ ଭଳି ଲଘୁ ଖଣିଜ ପରିବହନ କ୍ଷେତ୍ରରେ ରାଜ୍ୟ ସରକାର ବାଲି ବୋଝେଇ ହାଇୱା ଓ ଟ୍ରକ୍ ଗୁଡିକରୁ ୪ ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରିବା ନେଇ ଯେଉଁ ଆଇନ୍ ପ୍ରଣୟନ କରିଛନ୍ତି ତାର ପ୍ରତ୍ୟାହୃତ ଦାବିରେ ଭଦ୍ରକ ମଲ୍ଟି ଏକ୍ସଲ ଟିପ୍ପର ୱନର ଆସୋସିଏସନ୍ ପକ୍ଷରୁ ଗତ ୫ ତାରିଖରେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଥିଲା । ଏବଂ ୧୦ ତାରିଖ ସୁଦ୍ଧା ସରକାର ଏହାର ପୁନର୍ବିଚାର ନକଲେ ସଂଘ ପକ୍ଷରୁ ଅଖ ଚକ ବନ୍ଦ କରିଦିଆଯିବାର ଚେତାବନୀ ଦିଆଯାଇଥିଲା । ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଙ୍କ ସହ ଆଲୋଚନା କାଳରେ ବହୁ ବେକାର ବ୍ୟକ୍ତିବିଶେଷ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ସେମାନଙ୍କର ଗାଡି ଗୁଡିକ ଉପରୋକ୍ତ ଲଘୁ ଖଣିଜ ପରିବହନ କ୍ଷେତ୍ରରେ ବ୍ୟବହାର କରିଆସୁଛନ୍ତି ବୋଲି ଦର୍ଶାଯାଇଥିଲା । କିନ୍ତୁ କେଉଁ ପଏଂଟ ଗୁଡିକ ଆଇନଗତ ଭାବେ ସରକାରଙ୍କ ପକ୍ଷରୁ ଉପଲବ୍ଧ, ତାହା ସେମାନେ ଜାଣି ପାରୁନାହାଁନ୍ତି । ଏପରିକି ଗାଡି ଚାଳକ ଯେଉଁଠାରୁ ମାଇନିଂ ପେପର ଆଣୁଛନ୍ତି, ତାହାକୁ ଉପରୋକ୍ତ ଅଧିକାରୀ ଜାଲ ବୋଲି କହୁଛନ୍ତି । ଏଣୁ ଖଣି ବିଭାଗ କେଉଁ ପଏଂଟ ଗୁଡିକରୁ ବାଲି, ଚିପ୍ସ ଓ ମୋରମ୍ ଉଠାଯିବ, ସେଗୁଡିକ ଆଇନଗତ ଚିହ୍ନଟ କରି ଲୋକ ରଖିଲେ ସେମାନେ ଉପରୋକ୍ତ ଲଘୁ ଖଣିଜ ଗୁଡିକ ସଠିକ୍ ଭାବେ ଉଠାଇ ପାରିବେ ବୋଲି ଦାବି କରିଥିଲେ । ସେମାନେ ଗାଡିର ଇନ୍ସ୍ୟୁରାନ୍ସ ଓ ଟ୍ୟାକ୍ସ ଉଚିତ୍ ସମୟରେ ଦେଇଆସୁଥିବାବେଳେ ବାଲି ଖାଦାନର ମାଲିକ ସେମାନଙ୍କୁ ଟ୍ରାଂଜିଟ୍ ପାସ୍ ଦେଉନାହିଁ । ଏଣୁ ବାଲି ଭଳି ଲଘୁ ଖଣିଜ ପରିବହନ କ୍ଷେତ୍ରରେ ସରକାରୀ ଭାବେ ବିଭାଗୀୟ କର୍ତୃପକ୍ଷ ପଏଂଟ ଗୁଡିକ ଚିହ୍ନଟ କରି ସେଠାରେ କାଗଜ ପ୍ରଦାନ କଲେ ସେମାନେ ତାହା ଉଠାଇପାରିବେ ବୋଲି ଦାବି କରିଥିଲେ । ଏବଂ ଡିଡିଏମ୍ଙ୍କ ଗାଡି ଡ୍ରାଇଭର ହାଇୱା ଡ୍ରାଇଭରମାନଙ୍କୁ ମାଡ ମାରିବା ସହ ସେମାନଙ୍କ ଠାରୁ ମୋବାଇଲ୍ ଛଡାଇନେବା ଭଳି ଅଭିଯୋଗ ମଧ୍ୟ କରିଥିଲେ । ଏ ସଂପର୍କରେ ରାଜ୍ୟସ୍ତରରେ ବିଭାଗୀୟ ମନ୍ତ୍ରୀ ଓ ସଂଘ ସହ ଦୁଇଦିନ ତଳେ ଆଲୋଚନା ହୋଇଥିଲେ ମଧ୍ୟ ଆଜି ହଠାତ୍ ଭଦ୍ରକର ଚାରିଘରିଆ ଛକ ନିକଟରେ ୧୪ ଟି ବାଲି ବୋଝେଇ ହାଇୱା ଗୁଡିକୁ ଡିଡିଏମ୍ ପକ୍ଷରୁ ଅଟକାଯାଇ ଜରିମାନା ଆଦାୟ କରାଯିବାରୁ ସଂଘ ପକ୍ଷରୁ ିଡିଟିଏମ୍ଙ୍କ ଗାଡି ସମ୍ମୁଖରେ ଭଦ୍ରକ ମଲ୍ଟି ଏକ୍ସଲ ଟିପ୍ପର ୱନର ଆସୋସିଏସନ୍ର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କର, ସଂପାଦକ ସୁରେଶ ନାୟକଙ୍କ ନେତୃତ୍ୱରେ ଅଜୟ ବେହେରା, କୁନି କବି, ରାଜା ମହାପାତ୍ର, ଗଂଗୁ ମିଶ୍ର, ଗୌତମ ରାଉତ ପ୍ରମୁଖ ଧାରଣା ଦେଇଥିଲେ । ପରବର୍ତୀ ସମୟରେ ଉପଜିଲାପାଳ ସୌରଭ ଚକ୍ରବର୍ତୀ ଓ ତହସିଲଦାର ସଂଗ୍ରାମ ଖୁଂଟିଆ ଘଟଣାସ୍ଥଳରେ ପହଂଚି ଗାଡି ପିଛା ୭୦ ହଜାର ଟଙ୍କା ଜରିମାନା କଟାଯାଇ ଗାଡିଗୁଡିକୁ ସିଜ୍ କରାଯାଇଥିବାରୁ ତାହାର ସର୍ବନିମ୍ନ ଜରିମାନା ୨୦ ହଜାର ଟଙ୍କା ସ୍ଥିର କରାଯାଇଥିଲା ବୋଲି କହିଥିଲେ । ଏବଂ ପରବର୍ତୀ ସମୟରେ ଜିଲାପାଳ ଓ ବିଭାଗୀୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ସେମାନଙ୍କର ଦାବି ପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉକ୍ତ ଧାରଣା ହଟିଥିଲା ।
Home ଜିଲ୍ଲା ପରିକ୍ରମା ଡିଡିିଏମ୍ ପକ୍ଷରୁ ବାଲି ବୋଝେଇ ହାଇୱା ଗାଡିକୁ ଅଟକାଇ ଜରିମାନା ଆଦାୟ, ସଂଘ ପକ୍ଷରୁ ରାସ୍ତାରୋକ,...