Home ଜିଲ୍ଲା ପରିକ୍ରମା ଖରିଫ୍ ୨୦୨୪-୨୫ ଧାନ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତୁତି ବୈଠକ

ଖରିଫ୍ ୨୦୨୪-୨୫ ଧାନ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତୁତି ବୈଠକ

26

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୪-୨୫ ବର୍ଷର ଖରିଫ ଋତୁରେ ଅମଳ ଧାନ କ୍ରୟ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଯୋଗ ଦେଇଥିଲେ। ଧାନ କ୍ରୟ ନେଇ ନୂତନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ମଣ୍ଡି ଜରିଆରେ କେବଳ ଉତମ ଗୁଣବତା (ଏଫ୍‌.ଏ.କ୍ୟୁ) ମାନର ଧାନ ଚାଷୀମାନଙ୍କ ଠାରୁ କ୍ରୟ କରାଯିବ। ସଂପୂର୍ଣ୍ଣ ପରିଷ୍କାର ଏବଂ ଶୁଖିଲା ଧାନକୁ ଏଫ୍‌.ଏ.କ୍ୟୁ. ମାନର ଧାନ ବିବେଚିତ କରାଯାଇଥାଏ। ଏଥିପାଇଁ ମାଟି, ବାଲି, ଗୋଡ଼ି, ଧୂଳି, ଅଗାଡ଼ି ନଥିବା ସଂପୂର୍ଣ୍ଣ ପରିଷ୍କାର ଏବଂ ଜଳୀୟଅଂଶ ବିନା ସଂପୂର୍ଣ୍ଣ ସୁଖିଲା ଧାନ ଧାନମଣ୍ଡିକୁ ବିକ୍ରୟ ପାଇଁ ଆଣିବାକୁ ଚାଷୀମାନଙ୍କୁ ଏତଦ୍‌ଦ୍ୱାରା ସୂଚାଇ ଦିଆଯାଉଛି। ଏଥିରେ କଟନୀ ଛଟନୀ ରହିବ ନାହିଁ। ସମସ୍ତ ଧାନ କେବଳ ଅଖା ବ୍ୟାଗ୍‌ରେ ହିଁ କିଣାଯିବ। ମିଲରମାନେ ହିଁ ଧାନ ମଣ୍ଡିକୁ ଅଖା ବ୍ୟାଗ୍ ଯୋଗାଇବେ। ସୂଚନା ଯୋଗ୍ୟକି ଧାନ ବିକ୍ରୟ ପାଇଁ ଜିଲ୍ଲାରେ ସମୁଦାୟ ୮୦,୫୩୩ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ଏ.ଆର.ସି.ଏସ୍‌.ଙ୍କ ଦ୍ୱାରା ଚାଷୀମାନଙ୍କ ନାମ ପଞ୍ଜିକରଣ, ଜମି ତଦନ୍ତ, ବୈଧତା ପରୀକ୍ଷଣ, ଅପ୍‌ଡେସନ ଆଦି କାର୍ଯ୍ୟକ୍ରମ ସମାପ୍ତି ହୋଇଥିବା ବୈଠକରେ ପ୍ରକାଶ କରାଯାଇଥିଲା। ସନ୍ଦେହ ଯୁକ୍ତ ପ୍ଲଟ୍ ଗୁଡ଼ିକର ସାଟେଲାଇଟ ପରୀକ୍ଷଣ ସରକାରଙ୍କ ଦ୍ୱାରା ନଭେମ୍ବରରେ କରାଯିବ। ଏଥିପାଇଁ ସୁପରଭାଇଜର ଓ ସର୍ଭେ ପାଇଁ ଅଧିକାରୀ ମାନଙ୍କ ଚୟନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଗତ ଖରିଫ୍‌ରେ ୧୦୨ ପାକସ୍ ଓ ୫୭ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ସମୁଦାୟ ୧୫୯ ଟି ଧାନ କିଣା କେନ୍ଦ୍ର ଜରିଆରେ ଧାନ କିଣାଯାଇଥିଲା। ଏ ବର୍ଷ ପାଇଁ ଅକ୍ଟୋବର ୨୧ ସୁଦ୍ଧା ଯୋଗ୍ୟ ପାକସ୍ ମାନଙ୍କ ପାଇଁ ଏ.ଆର.ସି.ଏସ୍‌. ଓ ମହିଳା ଗୋଷ୍ଠୀ ପାଇଁ ଡି.ଏସ୍‌.ଡ଼ବ୍ଲୁ.ଓ. ନାମ ତାଲିକା ପ୍ରଦାନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ସେହିପରି ଧାନ କିଣିବା ପାଇଁ ଭଦ୍ରକ ଜିଲ୍ଲାର ପୂର୍ବ ବର୍ଷର ୨୦ ମିଲରଙ୍କ ସହ ଏବର୍ଷ ପାଇଁ ୨ ନୂଆ ମିଲର ସମୁଦାୟ ୨୨ ମିଲର ନିଜ ନିଜର ସମ୍ମତି ଜଣାଇଛନ୍ତି। ପ୍ରକାଶ ଥାଉ କି ଗତବର୍ଷ ଜିଲ୍ଲା ବାହାରୁ ୨୫ ଜଣ ମିଲର ଏହି ଧାନ କିଣାରେ ଅଂଶ ଗ୍ରହଣ କରିଥିଲେ। ୨୦୨୩-୨୪ ଖରିଫରେ ବାକିଥିବା ୭୩ ହଜାର ୨୫ କ୍ୱିଂଟାଲ ୯୦ କି.ଗ୍ରା. ଚାଉଳ ଅକ୍ଟୋବର ୩୧ ସୁଦ୍ଧା ଯୋଗାଇ ଦେବାକୁ ସଂପୃକ୍ତ ମିଳର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଧାନ ମଣ୍ଡିର ଭିତିଭୂମି ଓ ସ୍ଥିତାବସ୍ଥା, ମଣ୍ଡିରେ ଧାନର ମାନ ପରୀକ୍ଷଣ ପାଇଁ ଆନୁସଙ୍ଗିକ ଉପକରଣ ସମ୍ବନ୍ଧରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ଧାନ କିଣା କାର୍ଯ୍ୟରେ ସାମିଲ ହେବାକୁ ଥିବା ସମସ୍ତ ସଂପୃକ୍ତ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ, ପ୍ରତି ଧାନମଣ୍ଡିରେ ଧାନକିଣା ସମୟ ପାଇଁ ସୁପରଭାଇଜର ଓ ନୋଡ଼ାଲ ଅଧିକାରୀ ନିଯୁକ୍ତି, ପ୍ରତିମଣ୍ଡି ପାଇଁ ସମିତି ସ୍ତରୀୟ କମିଟି ଗଠନ ନେଇ ବି.ଡ଼ି.ଓ. ମାନଙ୍କ ଦ୍ୱାରା ବିଜ୍ଞପ୍ତି, କଟନୀ ଛଟନୀ ବନ୍ଦ ପାଇଁ ସମବାୟ ସମିତି ଦ୍ୱାରା ବଡ଼ ବଡ଼ ମଣ୍ଡିରେ ଡ୍ରାୟର ଓ କ୍ଲିନର ବ୍ୟବସ୍ଥା ଉପଲବ୍‌ଧ କରାଇବା, ସି.ଏସ୍‌.ଓ, ଏ.ଆର.ସି.ଏସ୍‌. ଓ ଡି.ଏସ୍‌. ଡବ୍ଲୁ..ଓ କାର୍ଯ୍ୟାଳୟରେ ଏଥିପାଇଁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯିବା ଆଜି ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମଣ୍ଡିରେ ଧାନ ବିକ୍ରୟ ପାଇଁ ଉତମ ଗୁଣବତ୍ତା ବା ଏଫ୍‌.ଏ.କ୍ୟୁ ମାନ ଧାନର ଆଧାର ବା ସର୍ତାବଳୀ ସମ୍ବନ୍ଧରେ ସୂଚନା ଶିକ୍ଷା ସଂଚାର କାର୍ଯ୍ୟକ୍ରମ ଜରିଆରେ ସଚେତନତା ରଥ ପରିକ୍ରମା, ପ୍ରଚାର ପତ୍ର ବଂଟନ, ବୈଦ୍ୟୁତିକ ଗଣମାଧ୍ୟମ ଆଦିର ଉପଯୋଗ କରାଯାଇ ଚାଷୀ ମାନଙ୍କୁ ସଚେତନ କରାଯିବା ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏ.ଆର.ସି.ଏସ୍‌. ପ୍ରଚୀତା ଜେନା, ଆର୍‌.ଏମ୍‌.ସି. ସମ୍ପାଦକ ସଞ୍ଜୟ କୁମାର ଦାସ, ଡ଼ି.ଏସ୍‌.ଡବ୍ଲ୍ୟୁ.ଓ ପୁଷ୍ପଲତା ପାତ୍ର, ଏସି.ଏସ୍‌.ଓ ଶରତ ବେହେରା ପ୍ରମୁଖଙ୍କ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.