Home ଜିଲ୍ଲା ପରିକ୍ରମା ନବୀନ ସରକାରଙ୍କ ଅମଳର ମୁକ୍ତା ଯୋଜନା ବନ୍ଦ ହେବାକୁ ଯାଉଛି, ରାଜ୍ୟର ୬୨୦ କର୍ମଚାରୀଙ୍କ ଭବିଷ୍ୟତ...

ନବୀନ ସରକାରଙ୍କ ଅମଳର ମୁକ୍ତା ଯୋଜନା ବନ୍ଦ ହେବାକୁ ଯାଉଛି, ରାଜ୍ୟର ୬୨୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରରେ

8

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଜେପି ସରକାର କ୍ଷମତାକୁ ଆସିଛନ୍ତି। ତେବେ ସରକାର ବଦଳିବା ପରେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ଯୋଜନା) କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରୀ ନବୀକରଣ ଗତ ସେପ୍ଟେମ୍ବର ମାସ ୩୦ ରୁ ଠପ୍ ହେବା ଫଳରେ ଭଦ୍ରକ ଜିଲାରେ ୫ ଜଣ କର୍ମଚାରୀଙ୍କ ସମେତ ରାଜ୍ୟର ୬୨୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଏବଂ ଏହି ଯୋଜନା ବନ୍ଦ ରହିବା ଫଳରେ ଏହି ଜିଲାରେ କାର୍ଯ୍ୟାଦେଶ ସଂପୂର୍ଣ୍ଣ ହୋଇଥିବା ସହରରୀ ସୌନ୍ଦର୍ଯୀକରଣ, ବର୍ଷାଜଳ ସଂରକ୍ଷଣ, ଖୋଲା ଜିମ୍ ନିର୍ମାଣ, ଶିଶୁ ଉଦ୍ୟାନ ଏବଂ ରାସ୍ତାପାଶ୍ୱର୍ ଟଏଲେଟ୍ ଭଳି କ୍ଷୁଦ୍ର ଶ୍ରମଭିତିକ ୩୬ଟି ପ୍ରକଳ୍ପରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇନପାରି ପଡିରହିଛି। ଗତବର୍ଷ ଏହି ଯୋଜନାରେ ୭୧ ଟି ପ୍ରକଳ୍ପ ନିର୍ମାଣ ପାଇଁ ୬ କୋଟି ୫୮ ଲକ୍ଷ ଟଙ୍କାର ଆର୍ଥିକ ମଂଜୁରୀ ମିଳିଥିଲା। ସେଥିରୁ ୩୫ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଅବଶିଷ୍ଟ ୩୬ଟି ପ୍ରକଳ୍ପ କାର୍ଯ୍ୟାଦେଶ ସରି କାର୍ଯ୍ୟ ଅପେକ୍ଷାରେ ରହିଥିଲା। ତେବେ ସରକାର ବଦଳିବା ମାତ୍ରେ ଏହି ଯୋଜନାରେ କୌଣସି ନୂତନ କାମ ଆରମ୍ଭ ନକରିବାକୁ ନିର୍ଦ୍ଦେଶ ରହିଥିଲା। ଫଳରେ କାର୍ଯ୍ୟାଦେଶ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି ଯୋଜନାରେ ୩୬ଟି ପ୍ରକଳ୍ପ କାମ ହୋଇନପାରି ପଡିରହିଛି। ଅନ୍ୟପକ୍ଷରେ ପ୍ରକଳ୍ପ କାମ ବନ୍ଦ ରହିବା ଯୋଗୁଁ ଏହି ଯୋଜନାରେ ମଂଜୁର ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ନହୋଇପାରି ପଡିରହିଛି। ତାହା ଆଗକୁ ଖର୍ଚ୍ଚ ହେବ ଅଥବା ରାଜକୋଷକୁ ଫେରିଯିବ, ତାକୁ ନେଇ ଏବେ ଅନିଶ୍ଚିତତା ଲାଗି ରହିଛି। ଏହି ମୁକ୍ତା ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏ ସଂପର୍କରେ ପଚରାଯିବାରୁ ସରକାର ମୁକ୍ତା ଯୋଜନା ବନ୍ଦ ହେବା ଅଥବା ଏଥିରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ କରିଦିଆଯିବା ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନଥିଲେ ମଧ୍ୟ ନୂଆ କାମ ବନ୍ଦ ରଖିବା ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରୀ ଅବଧି ସରିଯାଇଥିଲେ ମଧ୍ୟ ଏହାର ନବୀକରଣ ନକରି ଝୁଲାଇ ରଖିବା ଉକ୍ତ ଯୋଜନାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁକ୍ତା ଯୋଜନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଚାକିରୀକାଳ ଗତ ସେପ୍ଟେମ୍ବର ୩୦ ରେ ଶେଷ ହୋଇଯାଇଥିଲେ ମଧ୍ୟ ସରକାର ଏହା ଆଗକୁ ବଳବତର ରହିବ ଅଥବା ରଦ୍ଦ କରିଦିଆଯିବ, ସେ ନେଇ କୌଣସି ନିଷ୍ପତି ଗ୍ରହଣ କରିନାହାଁନ୍ତି। ଫଳରେ ଏହି ଯୋଜନାରେ ୩ ପୁରୁଷ ଧରି କାର୍ଯ୍ୟ କରିଆସୁଥିବା ଜିଲାରେ ୫ ଜଣ କର୍ମଚାରୀଙ୍କ ସମେତ ରାଜ୍ୟରେ ୬୨୦ ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତ ମଧ୍ୟରେ ଗତି କରୁଛି। ଗୋଟିଏ ପଟରେ ସରକାର ଏହି ଯୋଜନାରେ ନୂଆ କାମକୁ ନା କରିଦେଇଥିବାବେଳେ ଅନ୍ୟପଟରେ ନିୟୋଜିତ କର୍ମଚାରୀଙ୍କ ଚାକିରୀ ନବୀକରଣ ଉପରେ ଅଂକୁଶ ଜାରି କରିବା, ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ମୁକ୍ତା ଯୋଜନାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ କୋଭିଡ୍ ସମୟରେ ସହରାଂଚଳରେ ବସବାସ କରୁଥିବା ଗରିବ ଦିନ ମଜୁରିଆ ଲୋକ ଏବଂ ବାହାରୁ ପଳାଇ ଆସିଥିବା ଶ୍ରମିକ ଶ୍ରେଣୀର ଲୋକଙ୍କୁ ତୁରନ୍ତ କର୍ମ ସଂସ୍ଥାନ ଯୋଗାଇଦେବାକୁ ରାଜ୍ୟ ସରକାର ସେତେବେଳେ ଅର୍ବାନ ୱେଜ୍ ଏମ୍‌ପ୍ଲୋଇମେଂଟ ଇନ୍‌ସିଏଟିଭ୍ (ୟୁଡବ୍ଲୁଇଆଇ) ନାମକ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିରେ କାନ୍ଥରେ ଚିତ୍ରାଙ୍କନ, ନାଳ ନର୍ଦ୍ଦମା ସଫେଇ, ପରିବେଶ ସୁରକ୍ଷା ଭଳି କ୍ଷୁଦ୍ର ଶ୍ରମଭିତିକ କାର୍ଯ୍ୟ କରିବାକୁ କୁହାଯାଇଥିଲା। ତେବେ କୋଭିଡ୍ ସଂକଟ ହଟିଯିବା ପରେ ତତ୍‌କାଳୀନ ସରକାର ୨୦୨୧ ଫେବୃୟାରୀ ୧ ତାରିଖ ଠାରୁ ଯୋଜନାର ନାମ ବଦଳାଇ ଏହାକୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ନାମକରଣ କରି ଯୋଜନାକୁ ଅଧିକ ବ୍ୟାପକ କରିବାର ପ୍ରୟାସ କରିଥିଲେ। ଏବଂ ଉପରୋକ୍ତ ନିର୍ମାଣ କାର୍ଯ୍ୟ ପାଇଁ ଅନୁମୋଦନ କରିଥିଲେ। ଫଳରେ କେବଳ ସହରର ପରିବେଶ ସରସ ସୁନ୍ଦର ହେଉନଥିଲା। ଏଥିରେ ବସବାସ କରୁଥିବା ଗରିବ ଶ୍ରମଜୀବୀ ଲୋକ ଏବଂ ମହିଳା ଗୋଷ୍ଠୀ ଉପକୃତ ହୋଇଆସୁଥିଲେ। କିନ୍ତୁ ବର୍ତମାନର ସରକାର ଏହା ଉପରେ ଅଂକୁଶ ଲଗାଇବା ଫଳରେ ରାଜ୍ୟରେ ୬୨୦ କର୍ମଚାରୀ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଯାହା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.