Home ଜିଲ୍ଲା ପରିକ୍ରମା ଷଷ୍ଠ ଜିଲ୍ଲାପରିଷଦ ବୈଠକ, କୃଷି, ଜଳସେଚନ, ରାସ୍ତା, ପାନୀୟଜଳ ଉପରେ ପ୍ରାଧାନ୍ୟ

ଷଷ୍ଠ ଜିଲ୍ଲାପରିଷଦ ବୈଠକ, କୃଷି, ଜଳସେଚନ, ରାସ୍ତା, ପାନୀୟଜଳ ଉପରେ ପ୍ରାଧାନ୍ୟ

7

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ବିଭିନ୍ନ ବିଭାଗ ଅନ୍ତର୍ଭୁକ୍ତ ଯୋଜନାର କାର୍ଯ୍ୟାନ୍ୱୟନର ସ୍ଥିତାବସ୍ଥା, ସଫଳତା, ସମସ୍ୟା, ଅଭିଯୋଗ ଆଦି ସମ୍ବନ୍ଧରେ ସମୀକ୍ଷା ନେଇ ୬ଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଜିଲ୍ଲାପରିଷଦର ଉପସଭାପତି ଟୁନିବାଳା ବିଶ୍ୱାଳ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ସାଧାରଣ ଜନତାଙ୍କ ସମସ୍ୟା, ଅଭିଯୋଗ ସମାଧାନ କରିବା ସହ ସରକାରୀ ଯୋଜନାର ସଫଳତା, ସୁବିଧା, ସୁଯୋଗ ଯେପରି ଜଣେ ସାଧାରଣ ଲୋକ ପାଖରେ ପହଂଚି ପାରିବ ସେଥିପାଇଁ ରାଜନୈତିକ ଦଳୀୟ ଭାବନାରୁ ଉର୍ଦ୍ଧ୍ୱରେ ରହି ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନେ କାମକରିବା ଆବଶ୍ୟକ ବୋଲି ସାଂସଦ ଓ ବିଧାୟକମାନେ ବୈଠକରେ ପ୍ରକାଶ କରିଥିଲେ । ଜିଲ୍ଲାପରିଷଦ ବୈଠକରେ ଯାହା ସବୁ ନିଷ୍ପତି ଗ୍ରହଣ କରାଯିବ ସେସବୁକୁ କାର୍ଯ୍ୟକାରୀ କରାଇବାକୁ ଗୁରୁତର ସହ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ କୃଷି, ଶିକ୍ଷା, ପାନୀୟଜଳ, ଜଳ ସମ୍ପଦ, ଯୋଗାଣ, ଗ୍ରାମ୍ୟଉନ୍ନୟନ, ପୂର୍ତ, ପଂଚାୟତ ରାଜ, ଜଳସେଚନ ଆଦି ବିଭାଗର କାର୍ଯ୍ୟଧାରା ଉପରେ ସମୀକ୍ଷା କରାଯାଇଥିଲା । ଅଦ୍ୟାବଧି ସ୍ୱାଭାବିକ ବର୍ଷାଠାରୁ ୩୦୦ ମି.ମି. କମ୍ ବର୍ଷା ହୋଇଥିବାରୁ କୃଷି କାର୍ଯ୍ୟରେ ବାଧାସୃଷ୍ଟି ହୋଇ ମରୁଡ଼ି ଭଳି ପରିସ୍ଥିତି ଉପୁଜିଥିବା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । କୃଷି ଭଦ୍ରକ ଜିଲ୍ଲାର ମୁଖ୍ୟ ଜୀବିକା ହୋଇଥିବାରୁ ଏଥିପାଇଁ ଆବଶ୍ୟକ ଜଳସେଚନ ବ୍ୟବସ୍ଥାର ସମୀକ୍ଷା କରି ସ୍ଥାୟୀ ସମାଧାନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା ।

ଅଧିକାଂଶ ଉଠାଜଳସେଚନ ପ୍ରକଳ୍ପ ଅଚଳ, କେନାଲ ର ତଳମୁଣ୍ଡକୁ ଆଦୌ ପାଣି ନଯିବା, ଜଳ ନ ମାଡ଼ି କର ଆଦାୟ ହେଉଥିବା ଆଦି ସମସ୍ୟା ସମ୍ବନ୍ଧରେ ଜନପ୍ରତିନିଧିମାନେ ଅଭିଯୋଗ ଉତ୍‌ଥାପନ କରିଥିଲେ । ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‌, ଚାନ୍ଦବାଲି ଏନ୍‌.ଏ.ସି., ବାସୁଦେବପୁର, ତିହିଡ଼ି ଓ ଧାମନଗର ବ୍ଲକ୍ ପାଇଁ ପାନୀୟ ଜଳ ଯୋଗାଣ ନିମନ୍ତେ ଚାନ୍ଦବାଲି ଠାରେ ଓ ଭଣ୍ଡାରିପୋଖରୀ ପାଇଁ ଭଣ୍ଡାରିପୋଖରୀ ଠାରେ ନିର୍ମାଣ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପର କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିବା, ଠିକାଦାରକୁ ଅଧିକ ଅର୍ଥ ପଇଠ କରାଯାଇଥିବା ନେଇ ବୈଠକରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଏଥିରେ ଥିବା ଦୁର୍ନୀତିରେ ଭିଜିଲାନସ ତଦନ୍ତ ପାଇଁ ସାଂସଦ ଦାବୀ କରିଥିଲେ । ବିଶେଷ କରି ଲୁଣି ଅଂଚଳରେ ପାନୀୟ ଜଳ ସମସ୍ୟା ଜଟିଳ ଥିବାରୁ ଏହି ପ୍ରକଳ୍ପର ନିର୍ମାଣକୁ ତ୍ୱରାନ୍ୱିତ କରାଯିବା ଉପରେ ପ୍ରାଧାନ୍ୟ ଦେବାକୁ ଦାବୀ କରାଯାଇଥିଲା । ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ସାରିବା ନେଇ ବିଭାଗୀୟ ଅଧିକ୍ଷଣଯନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ । ଗ୍ରାମ୍ୟ ଉନ୍ନୟନ, ପୂର୍ତ, ପଂଚାୟତ ରାଜ ଅଧୀନରେ ଥିବା ରାସ୍ତା ମରାମତି, ନିର୍ମାଣ, ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରିତ୍ ବେଗରେ ହେଉନଥିବା ଅଭିଯୋଗ ଆଗତ ହୋଇଥିଲା । ବିଶେଷ କରି ଆରଡ଼ି ରାସ୍ତା ସମ୍ପୂର୍ଣ୍ଣ ନ ହେବା ନେଇ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ । ରାସ୍ତା ପ୍ରଶସ୍ତିକରଣ କ୍ଷେତ୍ରରେ ବିଦ୍ୟୁତ ଖୁଂଟ ସ୍ଥାନାନ୍ତର, ଗଛକାଟିବା, ଜବରଦଖଲ ଉଚ୍ଛେଦ ସମସ୍ୟା କିପରି ବାଧକ ହେଉଛି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରକାଶ କରିଥିଲେ । କେଉଁ ବିଭାଗ ଅଧୀନରେ କେଉଁ ରାସ୍ତା ଅଛି ତାର ତାଲିକା ଓ ନକ୍‌ସା ବିଧାୟକ ଓ ସାଂସଦଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସାବରଙ୍ଗ ଏମ୍‌.ଇ. ସ୍କୁଲରେ ପିଲା ତଳେ ଜରିପକାଇ ବସିବା, ବିଦ୍ୟାଳୟର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ଜଙ୍ଗଲ ଘେରା ଓ ଜବରଦଖଲ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଶିକ୍ଷକ ଅଭାବ ସମସ୍ୟା ପୂରଣ ନିମନ୍ତେ ଆବଶ୍ୟକ ଶିକ୍ଷକ ସଂଖ୍ୟା ସମ୍ବନ୍ଧରେ ରିପୋର୍ଟ କରିବାକୁ କୁହାଯାଇଥିଲା । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, କେତେକ ଜାଗାରେ ରେସନ ଚାଉଳ ପ୍ରଦାନରେ ଅନିୟମିତତା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଉପାଧ୍ୟକ୍ଷା ଶ୍ରୀମତୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.