Home ଜିଲ୍ଲା ପରିକ୍ରମା ଡ଼େଙ୍ଗୁ ନିରାକରଣ ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟତା ନେଇ ଜିଲ୍ଲାସ୍ତରୀୟ ବୈଠକ, ଦାୟିତ୍ୱ ନିର୍ବାହ ପାଇଁ ସଂପୃକ୍ତ...

ଡ଼େଙ୍ଗୁ ନିରାକରଣ ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟତା ନେଇ ଜିଲ୍ଲାସ୍ତରୀୟ ବୈଠକ, ଦାୟିତ୍ୱ ନିର୍ବାହ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

9

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡେଙ୍ଗୁ ପ୍ରବଣ ସମୟ ଆରମ୍ଭ ହୋଇ ଯାଇଥିବାରୁ ଏହାର ନିରାକରଣ ନିମନ୍ତେ ମଶା ଉତ୍ପତି ସ୍ଥଳ ନଷ୍ଟ କରିବା, ଡ଼େଙ୍ଗୁଜ୍ୱର ପରୀକ୍ଷା ଓ ତ୍ୱରିତ୍ ଚିକିତ୍ସା, ମଶା ଠାରୁ ଦୂରେଇ ରହିବା, ସଚେତନତା ଆଦି ଦିଗରେ କାର୍ଯ୍ୟାନ୍ୱୟନ ନିମନ୍ତେ ଆଭାସି ଜରିଆରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ବୈଠକର ଆବାହକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପ୍ରଭାତ କୁମାର ବେହେରା ଓ ବିଭିନ୍ନ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏହି ବୈଠକ ସହିତ ଯୋଡ଼ି ହୋଇଥିଲେ । ବାହକ-ବାହିତ ରୋଗର ଜିଲ୍ଲା ପରାମର୍ଶଦାତା ସୁପ୍ରିୟା ପାଢ଼ୀଙ୍କ ଦ୍ୱାରା ଦୃଶ୍ୟ ଫଳକ ମାଧ୍ୟମରେ ଉପସ୍ଥାପିତ ତଥ୍ୟ ଓ କାର୍ଯ୍ୟସୂଚୀ ଆଧାରରେ ବୈଠକରେ ସମୀକ୍ଷା କରାଯାଇଥିଲା । ଡ଼େଙ୍ଗୁ ଚିହ୍ନଟ ପାଇଁ ପରୀକ୍ଷା, ଚିକିତ୍ସା ଦିଗରେ ସଂପୃକ୍ତ ସ୍ୱାସ୍ଥ୍ୟ କର୍ମୀ, ଡ଼ାକ୍ତର ବିଶେଷ ଯତ୍ନବାନ ହେବା, ଘନ ଜନବସତି ଅଞ୍ଚଳରେ ଜମି ରହୁଥିବା ପାଣି ଜାଗାରେ, ନାଳ ନର୍ଦ୍ଦମାରେ ମଶା ମରା ତେଲ ବ୍ୟବହାର କରିବା, ସହରାଂଚଳରେ ଅତିକମ୍‌ରେ ସପ୍ତାହକୁ ଥରେ ମଶା ଧୁଆଁ ବୁଲାଇବା, ସହରାଂଚଳ, ଗ୍ରାମାଂଚଳ ଏବଂ ବିଶେଷ କରି ସ୍କୁଲ, କଲେଜ, ବ୍ୟବସାୟପେଣ୍ଠ ଜନଗହଳୀ ସ୍ଥାନମାନଙ୍କରେ ଆଇ.ଇ.ସି. କାର୍ଯ୍ୟକ୍ରମ ଜରିଆରେ, ବିଭିନ୍ନ ସମୟରେ ହେଉଥିବା ବିଭିନ୍ନ ବୈଠକରେ ଆଶା, ଅଙ୍ଗନବାଡ଼ି କର୍ମୀମାନଙ୍କ ଜରିଆରେ ମଶାରୀ ବ୍ୟବହାର, ମଶା ଠୁ ରୂରେଇ ରହିବାର ବିଭିନ୍ନ ଉପାୟ ସମ୍ବନ୍ଧରେ ସଚେତନ କରାଇବା ଦିଗରେ କାର୍ଯ୍ୟାନ୍ୱୟନ ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ଗର୍ଭବତୀମାନେ ଏ ଜ୍ୱରରେ ଶିକାର ନହେବା, ଘରୋଇ ପରୀକ୍ଷାଗାରରେ ପରୀକ୍ଷା ଦ୍ୱାରା ଚିହ୍ନଟ ଡ଼େଙ୍ଗୁ ସମ୍ବନ୍ଧରେ ସରକାରୀ ଡ଼ାକ୍ତରଖାନାକୁ ଅବଗତ କରାଇବା ନେଇ ସଚେତନ କରାଇବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପ୍ରଦତ ତଥ୍ୟାନୁଯାୟୀ ୨୦୨୩ ବର୍ଷରେ ଜିଲ୍ଲାରେ ସମୁଦାୟ ୧୨୦ଟି ଡ଼େଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲା । ସେଥି ମଧ୍ୟରେ ୨୭ଟି ନିଜସ୍ୱ ଅଞ୍ଚଳରୁ ଏବଂ ୯୩ଟି ବାହାରୁ ଆସିଥିବା ଲୋକଙ୍କ ଠାରେ ଦେଖାଯାଇଥିଲା । ଆଗରପଡ଼ାରେ ୧୨, ବରପଦାରେ ୨୩, ବାସୁଦେବପୁରେ ୧୪, ଭଣ୍ଡାରିପୋଖରୀ ରେ ୧୦, ଚାନ୍ଦବାଲିରେ ୮, ଧାମନଗରେ ୨୧, ତିହିଡ଼ିରେ ୧୬, ଭଦ୍ରକ ପୌରାଞ୍ଚଳରେ ୧୬ଟି କେସ୍ ଥିଲା । ୨୦୨୪ ବର୍ଷରେ ଜୁଲାଇ ସୁଦ୍ଧା ଚିହ୍ନଟ ହୋଇଥିବା ସମୁଦାୟ ୩୦ଟି ରୁ ୭ଟି ନିଜସ୍ୱ ଅଞ୍ଚଳର ହୋଇଥିବା ବେଳେ ୨୩ଟି ବାହାରୁ ଆସିଥିବା ରିପୋର୍ଟ ପ୍ରଦାନ କରାଯାଇଛି । ସେଥି ମଧ୍ୟରେ ଆଗରପଡ଼ାରେ ୬, ବରପଦାରେ ୪, ବାସୁଦେବପୁରରେ ୭, ଭଣ୍ଡାରିପୋଖରୀରେ ୩, ଚାନ୍ଦବାଲିରେ ୩, ଧାମନଗରରେ ୩, ତିହିଡ଼ିରେ ୪ଟି ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟକି ୧ ରୁ ୫ବର୍ଷ , ୬ ରୁ ୧୫ବର୍ଷ ବୟସ ବର୍ଗରେ ଡ଼େଙ୍ଗୁ ଚିହ୍ନଟ ଶୂନ ଥିବା ବେଳେ ୧୬ରୁ ୪୫ବର୍ଷ ବୟସ ଭିତରେ ୨୩ଜଣ ଓ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବର୍ଗରେ ୭ଜଣ ଅଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ମିହଳା ଓ ୨୭ଜଣ ପୁରୁଷ ଅଛନ୍ତି । ଆହୁରି ମଧ୍ୟ ଦେଖାଯାଇଛି ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଡ଼େଙ୍ଗୂୁ ଚିହ୍ନଟ ଶୂନ ଥିବାବେଳେ ଏପ୍ରିଲ ରେ ୧ ମଇ ରେ ୭ ଜୁନ୍‌ରେ ୨ ଓ ଜୁଲାଇରେ ୨୦ ଜଣ ଡ଼େଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟକି ୨୦୨୩-୨୪ରେ ଅଦ୍ୟାବଧି ଡ଼େଙ୍ଗୁରେ ମୃତ୍ୟୁ ସଂଖ୍ୟା ଶୁନ୍ ଅଛି । ଡ଼େଙ୍ଗୁର ନିୟନ୍ତ୍ରଣ ଓ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ପରି, ସି.ଏଚ୍‌.ସି., ସବ୍‌-ସେଣ୍ଟର ସ୍ତରରେ ସମନ୍ୱୟ ବୈଠକ କରି ମଶା ଉତ୍ପତି ସ୍ଥଳ ଚିହ୍ନଟ ଓ ହ୍ରାସ ପାଇଁ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସଚେତନ କରାଯିବା, ଜ୍ୱର କେଶ୍ କୁ ଟ୍ରାକ୍ କରି ନିରାକରଣ ଉପାୟ ଅବଲମ୍ବନକୁ ତ୍ୱରାନ୍ୱିତ କରିବା, ଡ଼େଙ୍ଗୁ ପରିଚାଳନାରେ ସହରାଞ୍ଚଳରେ ଘରକୁ ଘର ବୁଲିବା, ଗତ ବର୍ଷ ଚିହ୍ନଟ ସ୍ଥାନରେ ମଶା ଉତ୍ପତି ସ୍ଥଳ ସମ୍ପୂର୍ଣ୍ଣ ନଷ୍ଟ କରିବା, ସଚେତନତା ଉଦ୍ଦେଶ୍ୟରେ ପ୍ରଚାରପତ୍ର, ହୋଡ଼ି, ପୋଷ୍ଟର, ବ୍ୟାନର ର ଉପଯୋଗ କରାଯିବା ଆଦି ଦିଗରେ ଯଥା ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଭଦ୍ରକ ପୌରାଂଚଳ ପାଇଁ ୪ଜଣ, ଧାମନଗର ସି.ଏଚ୍‌.ସି. ପାଇଁ ୩ଜଣ ଓ ବରପଦା ସି.ଏଚ୍‌.ସି. ପାଇଁ ୩ଜଣ ଡ଼େଙ୍ଗୁ ଭଲ୍ୟୁଂଟିଅର ନିଯୁକ୍ତ ହୋଇଛନ୍ତି । ଡ଼େଙ୍ଗୁ ରୋଗୀଙ୍କ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି ଶଯ୍ୟା, ଡ଼େଙ୍ଗୁ ଜ୍ୱର ପରିଚାଳନା ପାଇଁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଓ ମେଡ଼ିକାଲ ଅଫିସର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.