Home ଜିଲ୍ଲା ପରିକ୍ରମା କୃଷିକବି ଅରୁଣ ପାତ୍ରଙ୍କୁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର

କୃଷିକବି ଅରୁଣ ପାତ୍ରଙ୍କୁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର

10

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷିହିଁ ଆମର ଜୀବନ ଓ ଜୀବିକା । ସମ୍ପ୍ରତି ଆମେ ପାରମ୍ପରିକ କୃଷିରୁ ଆଧୁନିକ କୃଷିରେ ପ୍ରବେଶ କରିଛୁ । କୃଷିଜ୍ଞାନ କୌଶଳ ସାଧାରଣତଃ ଗଦ୍ୟ ଆକାରରେ ବିଜ୍ଞାନାଗାରରୁ କୃଷକଙ୍କ ନିକଟକୁ ସମ୍ପ୍ରସାରିତ ହୋଇଥାଏ । ମାତ୍ର ଏଥିରେ ବ୍ୟତିକ୍ରମ ଆଣିଛନ୍ତି ଭଦ୍ରକ ଜିଲ୍ଲା ବିଷ୍ଣୁପୁର ବିନ୍ଧା ଗ୍ରାମରେ ଜନ୍ମିତ କୃଷିବିତ୍ ଅରୁଣ କୁମାର ପାତ୍ର । ସେ ଓଡ଼ିଶାର ଗଦ୍ୟଧର୍ମି କୃଷି ଜ୍ଞାନକୌଶଳକୁ ପଦ୍ୟରେ ରୂପାନ୍ତରୀତ କରିଛନ୍ତି । ତାଙ୍କ ରଚିତ୍ “ଭାଗବତ ଛନ୍ଦେ କୃଷି ବିଜ୍ଞାନ”, “ଅରୁଣ କୃଷି ବଚନ”, “କୃଷିବୋଲି ହୋ ଚାଷର ଭାଇ ହୋ”, “କୃଷି ଚାଳିଶା ଓ କୃଷି ଚଉତିଶା,” କୃଷି ଭିତ୍ତିକ ବିଭିନ୍ନ ଗୀତିନାଟ୍ୟର ସାମଗ୍ରିକ ପ୍ରକାଶନ ପ୍ରାୟ ୧୦ ହଜାର ପଦ୍ୟ ସମ୍ବଳିତ “କୃଷକଙ୍କ ଭାଷାରେ କୃଷି ବିଜ୍ଞାନ” ପୁସ୍ତକ ୨୦୨୧ ବର୍ଷ ପାଇଁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଦ୍ୱାରା ସାଧାରଣ ବର୍ଗରେ ଶ୍ରେଷ୍ଠ ପୁସ୍ତକ ଭାବେ ବିବେଚିତ ହୋଇଛି । ଏଥିପାଇଁ ଶ୍ରୀ ପାତ୍ରଙ୍କୁ “ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର” ପ୍ରଦାନ କରାଯାଇଛି । ଗତ ଜାନୁଆରୀ ୧୮ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଦ୍ୱାରା ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ଅରୁଣ କୁମାର ପାତ୍ରଙ୍କୁ ଓଡ଼ିଶାର ବିଜ୍ଞାନ ଓ କାରିଗରି ବିଭାଗ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତରୀୟ, ମାନପତ୍ର ଓ ନଗଦ ଅର୍ଥରାଶି ସହ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ପାତ୍ର ବିଗତ ଦୀର୍ଘ ଚାରିଦଶନ୍ଧି ଧରି ପଦ୍ୟଧର୍ମୀ କୃଷି ରଚନା କରିବାରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରାୟ ୩୦ ଗୋଟି କୃଷି ପୁସ୍ତକ ରଚନା ସହିତ ସେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଗୀତାଞ୍ଜଳି ପୁସ୍ତକ ଇଂରାଜୀ ଓ ବଙ୍ଗଳାରୁ ଓଡ଼ିଆ ଭାଷାକୁ ଅନୁବାଦ କରିଛନ୍ତି । “ଓଡ଼ିଆ ସାହିତ୍ୟରେ ନୂତନ ଢ଼ଗଢ଼ମାଳି”, ଆଧୁନିକ ଗୀତି କବିତା “ଫଗୁଣ କନ୍ୟା” ସକାରାତ୍ମକ ଚିନ୍ତାଧାରାର ପୁସ୍ତକ “ସଫଳ ଜୀବନ ପାଇଁ ଶହେଟି ସଫଳ କାହାଣୀ” ଓ “ସଫଳ ବ୍ୟକ୍ତି ହେବେ କିପରି” ଆଦି ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଉଭୟ ବିଜ୍ଞାନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରୀ ପାତ୍ର ଲେଖନୀ ଚାଳନା କରି ଭଦ୍ରକ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ପ୍ରକାଶ ଥାଉକି ଶ୍ରୀ ପାତ୍ର ବର୍ତ୍ତମାନ ଓଡ଼ିଶା ସରକାରଙ୍କ କୃଷି ବିଭାଗରେ କୃଷି ଜିଲ୍ଲାଧିକାରୀ ଭାବେ ଯାଜପୁର ରୋଡ଼ରେ ଅବସ୍ଥାପିତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.