Home ଜିଲ୍ଲା ପରିକ୍ରମା ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

20

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଧୁନିକ ଜୀବନଶୈଳୀ ସାଙ୍ଗକୁ ଖାଦ୍ୟପେୟର ଅନିୟମିତତା, ଧୁମପାନ, ମାଦକଦ୍ରବ୍ୟ ସେବନ ଓ ଶାରୀରିକ ପରିଶ୍ରମର ଅବହେଳା ଯୋଗୁଁ ମଧୁମେହ ଭଳି ରୋଗ ସୁସ୍ଥଲୋକଙ୍କ ଦେହରେ ସୃଷ୍ଟି ହୋଇଥାଏ । ଶରୀର ରକ୍ତରେ ସର୍କରା ମାତ୍ରା ବଢିଗଲେ ଏହି ମଧୁମେହ ବା ଡାଇବେଟିସ୍ ରୋଗ ହୋଇଥାଏ । ଏହାକୁ ପ୍ରତିରୋଧ କରିବା ପାଇଁ ଆମର ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ସହ ଜନ ସଚେତନତାର ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ବିଶ୍ୱ ମଧୁମେହ ଦିବସ ଅବସରରେ ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକର ପାନ୍ଥିକା ଠାରେ ଆୟୋଜିତ ଏହି ଉତ୍ସବରେ ଭଦ୍ରକ ଜିଲା ଚିକିତ୍ସକ ସଂଘର ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ, ଫାଉଣ୍ଡେସନର ଉପସଭାପତି ଡାକ୍ତର ପ୍ରଦୀପ କୁମାର ନାୟକ, ବରିଷ୍ଠ ଚିକିତ୍ସକ ଝସକେସନ ମହାନ୍ତି, ଅସ୍ଥି ଓ ଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ଉମାକାନ୍ତ ଜେନା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅବସରପ୍ରାପ୍ତ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ଦାସ, ସନାତନ ପାତ୍ର ଓ ସମାଜସେବୀ ସୁଧାକର ରାଉତ ପ୍ରମୁଖ ଯୋଗଦେଇଥିଲେ ।

ରୂପକ ବିହାରୀ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଫାଉଣ୍ଡେସନର ପ୍ରତିଷ୍ଠାତା ଡାକ୍ତର ରଣଜିତ୍ ଖୁଣ୍ଟିଆ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବାବେଳେ ସଂପାଦକ ବସୁମିତ୍ରା ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଷ୍ଣୁମୋହନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଇ ବିଦ୍ୟାବିହାରର ଛାତ୍ରମାନେ ବେଦପାଠ କରିଥିଲେ । ଏହି ଅବସରରେ ‘ଭଦ୍ରକ ଡାଇବେଟିସ୍ ଭଏସ୍‌’ ପୁସ୍ତକ ଓ ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନର ପ୍ରତୀକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ମାଗଣା ମଧୁମେହ ଚିକିତ୍ସା ଶିବିରରେ ରକ୍ତ ପରୀକ୍ଷା, ଇସିଜି, ଥାଇରଏଡ, ଭିପିଟି ଭଳି ଆଧୁନିକ ପ୍ରଣାଳୀରେ ପରୀକ୍ଷା କରାଯାଇ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ବହୁ ସ୍ୱେଚ୍ଛାସେବୀ ତଥା ଔଷଧ ବିତରକ କଂପାନୀର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ । ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାତଃରେ ଯୋଗଗୁରୁ କେଦାରନାଥ ଗୁପ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏବଂ ଏକ ସଚେତନତା ଶୋଭାଯାତ୍ରା ଟ୍ରେଜେରୀ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସମାଜସେବୀ ଅଜୟ ନାୟକ, ପଙ୍କଜ ବଳ, ଶିକ୍ଷାବିତ୍ ଶାନ୍ତନୁ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଉତ୍ସବଟିକୁ ପଙ୍କଜ ନାୟକ, ରଂଜନ ରାଉତ, ରାଜକିଶୋର ସାହୁ ଓ ସମୀରକାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.