Home ଜିଲ୍ଲା ପରିକ୍ରମା ବୈତରଣୀରେ ବଡ ବନ୍ୟା, ବିପଦସଙ୍କେତର ୨ ମିଟର ଉପରେ ଜଳସ୍ତର, କଣ୍ଟିଘାଇ ଡେଇଁ ପଶିଲା ବନ୍ୟାପାଣି,...

ବୈତରଣୀରେ ବଡ ବନ୍ୟା, ବିପଦସଙ୍କେତର ୨ ମିଟର ଉପରେ ଜଳସ୍ତର, କଣ୍ଟିଘାଇ ଡେଇଁ ପଶିଲା ବନ୍ୟାପାଣି, ବନ୍ୟାଂଚଳରେ ଜିଲ୍ଲାପାଳ, ମୁକାବିଲା ପାଇଁ ଏନ.ଡି.ଆର.ଏଫ. ଟିମ ସହ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

25

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷାଋତୁ ବିଳମ୍ବରେ ବୈତରଣୀ ନଦୀରେ ବଡଧରଣର ବନ୍ୟା ଆସିଛି । ଶୁଷ୍କ ପଡିଥିବା ନଦୀ ବୁଧବାର ଫୁଲି ଉଠି ମଧ୍ୟାହ୍ନ୍ନ ୧୨.୩୫ ମିନିଟରେ ଆଖୁଆପଦା ଠାରେ ବିପଦସଙ୍କେତ ସ୍ତର ଅତିକ୍ରମ କରି ଘଣ୍ଟାପ୍ରତି ୧୧ମି.ମି. ବେଗରେ ବୃଦ୍ଧି ପାଉଛି । ଅପରାହ୍ନ ୫ଟା ସୁଦ୍ଧା ନଦୀର ଜଳସ୍ତର ଆଖୁଆପଦା ଠାରେ ୧୯.୨୭ମିଟରରେ ପ୍ରବାହିତ ହେଉଛି । ନଦୀରେ ବନ୍ୟାଜଳସ୍ତର ସର୍ବାଧିକ ୨୦.୫ମିଟରକୁ ଛୁଇଁପାରେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ନାହିଁ ନଥିବା ବର୍ଷା ହୋଇଛି । ସେଥିମଧ୍ୟରୁ ଠାକୁରମୁଣ୍ଡାରେ ସର୍ବାଧିକ ୨୬୪.୦ମି.ମି., ସ୍ୱାମୀପାଟଣାରେ ୧୭୦.୨ମି.ମି., କେନ୍ଦୁଝରରେ ୧୪୪.୮ ମି.ମି., ଚମ୍ପୁଆରେ ୧୧୧.୪ମି.ମି., ଆନନ୍ଦପୁରରେ ୯୬.୨ ମି.ମି. ଓ ଆଖୁଆପଦାରେ ୬୮.୮ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭଣ୍ଡାରିପୋଖରୀ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨ ମି.ମି ବର୍ଷା ହୋଇଥିବା ନେଇ ବ୍ଲକ ବନ୍ୟାଜଳ ମାପକ ଯନ୍ତ୍ର ରେକର୍ଡ କରିଛି । ଲଗାଣ ବର୍ଷା ଯୋଗୁଁ ବନ୍ୟାପ୍ରବଣ ତଳିହା ଅଂଚଳ ଜଳବନ୍ଦୀ ହୋଇଥିବା ବେଳେ କଣ୍ଟିଘାଇ ମଧ୍ୟଦେଇ ପ୍ରବାହିତ ସୁଉଚ୍ଚ ବନ୍ୟାଜଳ ଜନବସତି ପ୍ରତି ଘାତକ ସାବ୍ୟସ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । କଣ୍ଟିଘାଇ ଉପର ଦେଇ ୧୦ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହୋଇ ଜନବସତିକୁ ବୁଡାଇ ଦେଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାସ, ଥାନାଧିକାରୀ ତପନ ପ୍ରଧାନ ବନ୍ୟାଞ୍ଚଳ ଗସ୍ତ କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

ମଣିନାଥପୁର ବନ୍ୟା ଆଶ୍ରୟସ୍ଥଳୀ ଓ ବନ୍ଦାଳୋ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି । ବନ୍ୟାଞ୍ଚଳ ମାଳଦାକୁ ଗୋଟିଏ ବୋଟ ଓ ବନ୍ଦାଳୋକୁ ଅନ୍ୟ ଏକ ବୋଟ ପଠାଯାଇଛି । ଭଣ୍ଡାରପୋଖରୀ ବନ୍ୟାଞ୍ଚଳ ପାଇଁ ଗୋଟିଏ ଏନ.ଡି.ଆର.ଏଫ. ଦଳ ଆସି ପହଞ୍ଚଛନ୍ତି । ବନ୍ୟା ମୁକାବିଲା ପାଇଁ ବ୍ଲକର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରିଗାଁ, ବାଲିପୋଖରୀ, ରଣଜିତ(ଆଂଶିକ), ଝୁଟୁଣା, ବନ୍ଦାଳୋ-ମଢିଆଳି ପଞ୍ଚାୟତର ସରପଞ୍ଚମାନଙ୍କ ବୈଠକ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବନ୍ୟାପ୍ରବଣ ସମସ୍ତ ପଞ୍ଚାୟତ ଗୋଦାମରେ ଚାଉଳ, ଶୁଖିଲା ଖାଦ୍ୟ ମହଜୁଦ କରି ରଖାଯାଇଛି । ମେଡିକାଲ ପକ୍ଷରୁ ବନ୍ୟାଂଚଳରେ ହେଲଥ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, ଯନ୍ତ୍ରୀ କେଶବଚନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ପ୍ରମୁଖ ନଦୀବନ୍ଧ ଉପରେ ସତର୍କ ଦୃଷ୍ଟି ରତ୍କଛନ୍ତି । ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ଗୁରୁବାର ଆହୁରି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଫଟୋ-ଆଖୁଆପଦାରେ ବନ୍ୟାଜଳସ୍ତର, ଆଖୁଆପଦାରେ ଜିଲ୍ଲାପାଳ, ବନ୍ୟାଂଚଳରେ ତହସିଲଦାର, ବିଡିଓ, ଏନଡିଆରଏଫ ଟିମ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.