ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ୩ ଲକ୍ଷ ୭ ହଜାର ଜମାକାରୀ ଚିଟ୍ଫଣ୍ଡ ଅର୍ଥ ଫେରସ୍ତ ଅପେକ୍ଷାରେ ଅଛନ୍ତି । ଚିଟ୍ଫଣ୍ଡର ଶୀକାର ହୋଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତରେ ଅହେତୁକ ବିଳମ୍ବ ଘଟୁଛି । ଏଥିପାଇଁ ସରକାର ଉଦ୍ବେଗ୍ ପ୍ରକାଶ କରୁଛନ୍ତି । ତହସିଲଦାରମାନଙ୍କ ଅବହେଳା ଯୋଗୁଁ ବିଳମ୍ବ ଘଟୁଥିବା ନେଇ ଆରଡିସି ଓ ଜିଲାପାଳ ବିଭିନ୍ନ ରାଜସ୍ୱ ସମୀକ୍ଷା ବୈଠକରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜମାକାରୀଙ୍କୁ ଶୀଘ୍ର ଅର୍ଥ ଫେରସ୍ତ ପାଇଁ ଜିଲାପାଳ ମାସିକିଆ ରାଜସ୍ୱ ବୈଠକରେ କଡା ତାଗିଦ କରିଚାଲିଛନ୍ତି । ତେବେ ଅନୁସନ୍ଧାନରୁ ଜଣାଯାଇଛି ଯେ ଜମାକାରୀଙ୍କୁ ଚିହ୍ନଟ କରିବା ଓ ଅର୍ଥ ଫେରାଇବା ଦାୟିତ୍ୱରେ ଆର.ଆଇ.ମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି । ତେବେ ଅର୍ଥ ଫେରସ୍ତ ପାଇଁ ପୂର୍ବରୁ ତରବରିଆ ଭାବେ ଆର.ଆଇ. ମାନେ ଚିହ୍ନଟ କରିଥିବା ଜମାକାରୀଙ୍କୁ ନେଇ ଏବେ ଅଡୁଆରେ ପଡିଛନ୍ତି । ଏବେ ଅର୍ଥ ଫେରସ୍ତ ସମୟରେ ବାସ୍ତବରେ ଜମାକାରୀମାନଙ୍କୁ ଚିହ୍ନଟ କରିପାରୁନଥିବାର ଜଣାଯାଇଛି । ଅପରପକ୍ଷରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜମାକାରୀମାନଙ୍କ ଇଣ୍ଡେମିଣ୍ଟ ବଣ୍ଡ ଓ ଜମା ଅର୍ଥର ଅର୍ଜିନାଲ ରସିଦ୍ ଦାଖଲ କରିବା ପରେ ଅର୍ଥ ଫେରସ୍ତ ହେବ । ଅର୍ଜିନାଲ ମନି ରସିଦରେ ଯେତିକି ଟଙ୍କାର ଜମା ଦେଇଥିବେ, ସେତିକି ପେମେଣ୍ଟ ପାଇବେ । ଯଦି ମନି ରସିଦ୍ରେ ଅଧିକ ଜମା ଥାଏ, ତେବେ ସରକାର ମଂଜୁର କରିଥିବା ସେତିକି ଟଙ୍କା ପାଇବାର ନିର୍ଦ୍ଦେଶ ରହିଛି ।
ଏହି କାଗଜପତ୍ର ଦାଖଲ କରିବା ପରେ ଆର.ଆଇ. ଏହାକୁ କ୍ୟାନସଲ କରି ଅର୍ଥ ପ୍ରଦାନ ପାଇଁ ସୁପାରିଶ କରିବାର ବ୍ୟବସ୍ଥା ରହିଛି । ପରେ ପ୍ରଶାସନର ବିଧିବଦ୍ଧ ତନଖି ପରେ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ । ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଜମାକାରୀମାନେ ସହଜରେ ଗ୍ରହଣ ନକରି ସନ୍ଦେହ ଘେରରେ ରହୁଥିବାର ଜଣାଯାଇଛି । ଯାହାଫଳରେ କେତେକ ଜମାକାରୀ ଅର୍ଜିନାଲ ବଣ୍ଡ ଓ ମନି ରସିଦ୍ ଦାଖଲ କରିବାକୁ ଅରାଜି ହେଉଥିବାର ଜଣାଯାଇଛି । ଯାହାଫଳରେ ଅର୍ଥ ଫେରସ୍ତର ଲକ୍ଷ୍ୟଧାର୍ଯ୍ୟ ପୂରଣ ହେବାରେ ବିଳମ୍ବ ଘଟୁଛି । ସୂଚନାଯୋଗ୍ୟ ଜମାକାରୀମାନେ ଅତୀତରେ ରୋଜ୍ଭେଲି ସହ ସିସୋର, ବେସିଲ, କୋଲକାତା ୱୟାର, ଗ୍ରୀନ୍ ରଏ, ଏନେଜଲ ଅଲିୱାର୍ଡ, ଟୁର୍ ଟ୍ରାଭେଲ, ଏମ୍ଜିଏଲ୍, ଇନ୍ଫ୍ରାଷ୍ଟ୍ରକଚର ଭଳି ବହୁ ଚିଟଫଣ୍ଡ ସଂସ୍ଥାରେ ଅର୍ଥ ଜମା ରଖିଥିଲେ । ବିଭିନ୍ନ ଚିଟଫଣ୍ଡରେ ଅର୍ଥ ଜମା କରିଥିବା ହିତାଧିକାରୀମାନଙ୍କ କାଗଜପତ୍ରକୁ କମିଶନର ତଦନ୍ତ କରିବା ପରେ ପେମେଣ୍ଟ ପାଇଁ ପ୍ରଶାସନକୁ ବିଭିନ୍ନ ପର୍ଯ୍ୟାୟରେ ରିପୋର୍ଟମାନ ପଠାଇଛନ୍ତି । ଅଦ୍ୟାବଧି କମିଶନଙ୍କ ରୋଜ ଭେଲି ସହ ରିପୋର୍ଟ-୧, ୨, ୩, ୪, ୫, ୬ ଓ ୭ ପ୍ରଶାସନର ହସ୍ତଗତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ପ୍ରଶାସନ ତରଫରୁ ଜିଲାର ୭ ଟି ତହସିଲକୁ ଅର୍ଥ ପେମେଣ୍ଟ ନେଇ କମିଶନ ରିପୋର୍ଟ ଗୁଡିକର ତନଖି ପାଇଁ ପଠାଯାଇଛି ।
ତେବେ ପ୍ରଶାସନିକ ସୂଚନାରୁ ଜଣାଯାଇଛି ୨୦୨୦ ରେ ରୋଜଭେଲି ଚିଟଫଣ୍ଡର ୨୭୮୪୯ ଜମାକାରୀଙ୍କୁ ଅର୍ଥ ପ୍ରଦାନ ପାଇଁ ୧୨ କୋଟି ୯ ଲକ୍ଷ ୮ ହଜାର ୮୯୭ ଟଙ୍କା ସରକାର ମଂଜୁର କରିଥିଲେ । ଏହାମଧ୍ୟରୁ ୨୦୯୬୪ ଜଣ ଜମାକାରୀଙ୍କୁ ୯ କୋଟି ୧୧ ଲକ୍ଷ ୭୩ ହଜାର ୦୧୨ ଟଙ୍କା ପ୍ରଦାନ କରାଯାଇଛି । ୪୮୨୩ ଜଣ ଜମାକାରୀଙ୍କୁ ଚିହ୍ନଟ କରାଯାଇପାରିନାହିଁ । ଭଦ୍ରକ ତହସିଲରେ ୩୩୮, ବାସୁଦେବପୁରରେ ୨୫୨, ବନ୍ତରେ ୬୯, ଭଣ୍ଡାରିପୋଖରୀରେ ୯୦, ଚାନ୍ଦବାଲିରେ ୨୧୦୯, ଧାମନଗରରେ ୪୬୫ ଓ ତିହିଡିରେ ୧୫୦୦ ଜଣ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇପାରିନାହିଁ । ସେହିପରି କମିଶନଙ୍କ ରିପୋର୍ଟ ୧ ଓ ୨ ରେ ୭ଟି ତହସିଲରେ ୧୬ ଜଣଙ୍କୁ ଅର୍ଥ ପ୍ରଦାନ କରାଯାଇନାହିଁ । ଅନ୍ୟପକ୍ଷରେ ରିପୋର୍ଟ-୩ ରେ ୯୨୩, ରିପୋର୍ଟ-୪ ରେ ୧୦୩୩, ରିପୋର୍ଟ-୫ ରେ ୪୯୫୩, ରିପୋର୍ଟ-୬ ରେ ୫୬୩୩ ଓ ରିପୋର୍ଟ-୭ ରେ ୧୯୦୮୦ ଜମାକାରୀଙ୍କ ଅର୍ଥ ପ୍ରଦାନ କରାଯାଇପାରିନାହିଁ । ସେହିପରି ଏମଏସ୍ ଗୋଲଡେନ ଚିଟଫଣ୍ଡରେ ୬ ଜଣ ଓ ହାଇଟେକ୍ ଚିଟଫଣ୍ଡରେ ୫୬୯ ଜଣଙ୍କୁ ମିଶାଇ ସମୁଦାୟ ଜିଲାର ୩ ଲକ୍ଷ ୭ ହଜାର ୩୬ ଜମାକାରୀଙ୍କୁ ଚିଟଫଣ୍ଡର ମଂଜୁର ଅର୍ଥ ଫେରସ୍ତ କରାଯାଇପାରିନାହିଁ ।