Home ଜିଲ୍ଲା ପରିକ୍ରମା କାଳଜୟୀ ସୃଷ୍ଟି ଓ ସ୍ରଷ୍ଟାଙ୍କୁ ଉତ୍ତରପିଢ଼ି ନ ଜାଣିବା ସମାଜ ପାଇଁ ଶୁଭଙ୍କର ନୁହେଁ, ଜିଲ୍ଲାସ୍ତରୀୟ...

କାଳଜୟୀ ସୃଷ୍ଟି ଓ ସ୍ରଷ୍ଟାଙ୍କୁ ଉତ୍ତରପିଢ଼ି ନ ଜାଣିବା ସମାଜ ପାଇଁ ଶୁଭଙ୍କର ନୁହେଁ, ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ପାଳିତ

14

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସ୍କୃତ ସାହିତ୍ୟର କାଳଜୟୀ ମହାକାବ୍ୟ ଗୀତଗୋବିନ୍ଦର ସ୍ରଷ୍ଟା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀକୁ ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ଜରିଆରେ ପାଳନ କରାଯାଇଛି । ଏହି ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଂକୀର୍ତ୍ତନ ପରିକ୍ରମା ଆରମ୍ଭ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ସଂଯୋଜନାରେ ଆୟୋଜିତ ଯୁରା ଗାଡ଼ିଆ ବାସୁଦେବପୁର ରୁ ଆସିଥିବା ନାଣ୍ଡିମାତା କୀର୍ତ୍ତନ ଦଳର ଏହି ଶୋଭାଯାତ୍ରାକୁ ସହକାରୀ ଜିଲ୍ଲାପାଳ ଅନୂପ କୁମାର ବେହେରା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସହର ପରିକ୍ରମା ପରେ ଜିଲ୍ଲା ସଂସ୍କୃତି ଭବନରେ ଜୟଦେବଙ୍କ ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ଓ ସାଧାରଣ ସଭା ଆୟୋଜନ କରାଯାଇଥିଲା । ସଂସ୍କୃତି ଅଧିକାରୀ ଶ୍ରୀମତୀ ସିର୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମନୋଜ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରେଫେସର ଡ଼. କ୍ଷୀରୋଦ ଚନ୍ଦ୍ର ସାମଲ, ସମ୍ମାନିତ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପିକା ଡ଼. ରାଧାରାଣୀ ମହାପାତ୍ର ଏବଂ ସମ୍ମାନିତ ଅତିଥିଭାବେ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ନାୟକ ଯୋଗ ଦେଇଥିଲେ ।

ଜୟଦେବ ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟକୁ ଆରମ୍ଭ କରାଯାଇଥିଲା । ଶ୍ରୀଜଗନ୍ନାଥ ସାଂସ୍କୃତିକ କଳାକାର ସଂଘର ସଂଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକଙ୍କ ନେତୃତ୍ୱରେ ଗୀତ ଗୋବିନ୍ଦ ଗାନ କରାଯାଇଥିଲା । ଅତିଥିମାନେ ଜୟଦେବଙ୍କ ଜନ୍ମ, ବାଲ୍ୟ ଜୀବନ ସମ୍ବନ୍ଧୀୟ କଥାବସ୍ତୁ କୁ ବକ୍ତବ୍ୟ ପ୍ରସଙ୍ଗରେ ଉପସ୍ଥାପନ କରିବା ସହିତ ତାଙ୍କ କୃତି ଓ କୀର୍ତ୍ତି ସର୍ବକାଳଜୟୀ ମହାକାବ୍ୟ ଗୀତଗୋବିନ୍ଦ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଗାମୀ ପିଢ଼ି ଏ ସବୁ ସ୍ରଷ୍ଟା ଓ ସୃଷ୍ଟି ବିଷୟରେ ଜାଣିବାକୁ କେମିତି ବିମୁଖ ହେଉଛନ୍ତି ସେ ନେଇ ଅତିଥିମାନେ କ୍ଷୋଭ ପ୍ରକାଶ କରିଥିଲେ । ଚାନ୍ଦବାଲି ବ୍ଲକ କଳାକାର ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ଅତିଥି ପରିଚୟ ଦେଇଥିଲେ । ଭଦ୍ରକ ବ୍ଲକ କଳାକାର ସଂଘର ଉପସଭାପତି ପ୍ରଶାନ୍ତ ବେହେରା, ଧାମନଗର ବ୍ଲକ୍ କଳାକାର ସଂଘର ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ, ଭଦ୍ରକ ନଗର କଳାକାର ସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ପରିଡ଼ା ପ୍ରମୁଖଙ୍କ ସହ ଗାନ୍ଧୀବାଳାଶ୍ରମର ବିଦ୍ୟାର୍ଥୀ ସଂକୀର୍ତ୍ତନ କଳାକାର ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଭାଗୀୟ କର୍ମଚାରୀ ଦେବାଶିଷ ମହାନ୍ତି, ରଙ୍ଗାଧର ଯେନା ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁଷଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.