ଜଣେ ରାଜା ତାଙ୍କର କର୍ମଚାରୀମାନଙ୍କୁ ପଚାରିଲେ ଯଦି କୌଣସି ମୂଲ୍ୟବାନ ଜିନିଷ ମିଳେ ତେବେ କ”ଣ କରିବା ଉଚିତ ? ଜଣେ କହିଲା ଜିନିଷଟି ମିଳିସାରିବା ପରେ ଚିନ୍ତା କରିବି, ଜଣେ କହିଲା ପ୍ରଥମେ ମା’ବାପାଙ୍କୁ ଜଣେଇବି, ଜଣେ କହିଲା ସ୍ତ୍ରୀ କୁ ପ୍ରଥମେ କହିବି, ତା’ପରେ ଜଣେ କହିଲା ଯତ୍ନର ସହିତ ଜିନିଷଟିକୁ ରଖିବି। ଜଣକ ପରେ ଜଣେ ନିଜ ନିଜର ମତାମତ ଦେଲେ କିନ୍ତୁ କୌଣସି ଉତ୍ତର ରାଜାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ। ରାଜାଙ୍କ ଆଦେଶକ୍ରମେ ରାଜ୍ୟସାରା ପ୍ରଚାର କରାଗଲା ଯେ ଯିଏ ସଠିକ ଉତ୍ତର ଦେବ ତାକୁ ପୁରସ୍କୃତ କରାଯିବ। ଲୋକମାନେ ଭାବିଲେ ଯଦି ଉତ୍ତର ଭୁଲ ହୁଏ ତେବେ ରାଜା ରାଗିକି କିଛି ଦଣ୍ଡବିଧାନ ବି କରିପାରନ୍ତି ତେଣୁ କେହି ଆଉ ଉତ୍ତର ଦେବାକୁ ଇଛା ପ୍ରକାଶ କଲେ ନାହିଁ। କିଛିଦିନ ପରେ ଗୋଟେ ଲୋକ ରାଜାଙ୍କ ପାଖକୁ ଖବର ଦେଲା ଯଦି କୌଣସି ଅମୁଲ୍ୟ ଜିନିଷ ମୋତେ ମିଳେ ତେବେ ପ୍ରଚାର ନକରି ଚୁପ ରହିବି। ଉତ୍ତରଟି ଶୁଣି ରାଜା ଖୁସି ହେଲେ ତେଣୁ ସେ ଲୋକଟିକୁ ଦେଖା କରିବାକୁ ତାର ଘରକୁ ଗଲେ। ରାଜା ଲୋକଟିକୁ କହିଲେ ତୁମର ଉତ୍ତରରେ ମୁଁ ସନ୍ତୁଷ୍ଟ ତେଣୁ ଯାହା ଦରକାର ମୋତେ ମାଗ। ଲୋକଟି କହିଲା ମୁଁ ଏତିକି ମାଗୁଛି ଯେ ଆପଣ କେବେ ମୋ ଘରକୁ ଆସିବେ ନାହିଁ କିମ୍ବା ମୋତେ ମଧ୍ୟ କେବେ ଆପଣଙ୍କ ରାଜଦରବାରକୁ ଡାକିବେ ନାହିଁ ଯଦି ମୋର କିଛି ଆବଶ୍ୟକ ହୁଏ ତେବେ ମୁଁ ଆପଣଙ୍କୁ ଦେଖା କରିବି। ଏ ପ୍ରକାର କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ ତୁମ କଥାର ଅର୍ଥ ମୁଁ ବୁଝିପାରିଲି ନାହିଁ। ଲୋକଟି କହିଲା ଯଦି ଆପଣ ମୋ ଘରକୁ ଆସିବେ, ଚାରିଆଡ଼େ ପ୍ରଚାର ହୋଇଯିବ ଯେ, ଆପଣଙ୍କ ସହିତ ମୋର ଭଲ ସମ୍ପର୍କ ଅଛି। ତା’ପରେ କିଏ କହିବ ରାଜାଙ୍କୁ କହି ମୋତେ ଚାକିରି ଖଣ୍ଡେ କରେଇଦିଏ, କିଏ କହିବ ରାଜାଙ୍କୁ କହି ମୋର ଦରମା ବୃଦ୍ଧି କରିଦେ ପୁଣି କିଏ କହିବ ରାଜାଙ୍କୁ କହି ମୋର ଦଣ୍ଡ କୋହଳ କରିଦେ, ଏମିତି ଅନେକ କଥା କହିବେ। ଯଦି କାହାର କାର୍ଯ୍ୟ ନହୁଏ ସେ ମୋର ଶତ୍ରୁ ହୋଇଯିବେ। ଅନେକ ଲୋକ ବିନା କାରଣରେ ମୋତେ ସନ୍ଦେହ ଚଷୁରେ ଦେଖିବେ। ଲୋକମାନେ ମୋତେ ଆଉ ଉଠେଇ ବସେଇ ଦେବେ ନାହିଁ ଯାହାଫଳରେ ମୋର ଜଞ୍ଜାଳ ବଢ଼ିଯିବ, ତେଣୁ ଜଞ୍ଜାଳ ବଢେଇବି କାହିଁକି ?
ଡଃ ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା