‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଗଷ୍ଟ ୧୩ ରୁ ୧୫ ଯାଏଁ ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିବେଦନ
ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ପାଇଁ ନାଗରିକଙ୍କୁ ପରାମର୍ଶ
‘ଶହୀଦ ବୀର ବାଜି ରାଉତ ସ୍ମୃତିପୀଠ’ ସ୍ଥିତ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ
ଢ଼େଙ୍କାନାଳ ଜିଲ୍ଲା ସଦର ମହକୁମାରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ କେନ୍ଦ୍ରମନ୍ତ୍ରୀ
ଭାରତର ଲୋକ ପରମ୍ପରା ବିଶ୍ୱ ସ୍ତରକୁ ନେବାରେ ପିଏମ୍ ମନ କି ବାତ୍ ଗୋଟିଏ ବଡ଼ ମାଧ୍ୟମ
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା
ଢ଼େଙ୍କାନାଳ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ ପରିଦର୍ଶନ କଲେସ୍କୁଲ ପାଠ୍ୟ ଖସଡ଼ାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ ପରାମର୍ଶ
ଭୁବନ/ଢ଼େଙ୍କାନାଳ, ଜୁଲାଇ ୩୧ (ଓଡ଼ିଆ ପୁଅ) – ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଢ଼େଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପଦଯାତ୍ରା ମାଧ୍ୟମରେ ଶ୍ରୀ ପ୍ରଧାନ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ଯାଏଁ ତିନି ଦିନ ଧରି ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କୁ ନିବେଦନ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳର ଭୁବନ ଠାରୁ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମମାଟି ନୀଳକଣ୍ଠପୁର ପର୍ୟ୍ୟନ୍ତ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଥିଲେ। ‘ଶହୀଦ ବୀର ବାଜି ରାଉତ ସ୍ମୃତିପୀଠ’ ପରିସରରେ ଏହି ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶହୀଦ ବାଜି ରାଉତ ବ୍ରିଟିଶ ଶାସନ ଆଗରେ ମଥା ନ ନୁଆଇଁ ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ। ତାଙ୍କ ଭଳି ଅନେକ ସଂଗ୍ରାମୀଙ୍କ ବଳିଦାନ କାରଣରୁ ଆଜି ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିଛି। ଏଭଳି ନେତୃତ୍ୱଙ୍କୁ ମନେ ପକାଇବା ପାଇଁ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛୁ। ଏହି ପରିପ୍ରେକ୍ଷୀରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି, ଧର୍ମ ଓ ଦଳ ମତ ନିର୍ବିଶେଷରେ ଆସନ୍ତା ଅଗଷ୍ଟ ୧୩ରୁ ୧୫ ପର୍ୟ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ଏବଂ ଏଥିପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି। ସେ କହିଛନ୍ତି ସମସ୍ତେ ଦେଶଭକ୍ତିର ଭାବନାରେ ଏହି ଅଭିଯାନରେ ଓତପ୍ରୋତଃ ଭାବେ ସାମିଲ ହେବା। ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ନେବା।
ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳ ଜିଲ୍ଲା ସଦର ମହକୁମାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଥିଲେ। ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ, ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ୭୫ ଐତିହାସିକ ରେଳ ଷ୍ଟେସନକୁ ଦେଖିବା ଓ ସାଧାରଣ ଲୋକ ମାନଙ୍କ ମନର କଥାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଲୋକ ଉତ୍ସବ, ଜନସହଭାଗୀତା, ସଫଳ ମହୁମାଛି ବ୍ୟବସାୟୀ, ଅଭିନବ ଉପାୟରେ ଅର୍ଥ ଉପାର୍ଜନ ଏବଂ ବିଶେଷତଃ ଭାରତୀୟ ଖେଳନାର ବଢ଼ୁଥିବା ବ୍ୟବସାୟିକ ଚାହିଦା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଭାରତର ଲୋକ ପରମ୍ପରା ବିଶ୍ୱ ସ୍ତରକୁ ନେବାରେ ପିଏମ ମନ କି ବାତ୍ ଗୋଟିଏ ବଡ଼ ମାଧ୍ୟମ। ପିଏମ ମନ୍ କି ବାତ୍ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେଇଛି। ମନ କି ବାତ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆମେ ସମସ୍ତେ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ଢ଼େଙ୍କାନାଳ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡ଼ିଆଇଇଟି) ପରିଦର୍ଶନ କରିଥିଲେ। ଶିକ୍ଷକ ମାନଙ୍କ ସହ ନୂଆ ଜାତୀୟ ଶିକ୍ଷା ନୀତି ସହ ସମ୍ବନ୍ଧିତ ବିଷୟରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷାଦାନ, ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଥିଲେ। ସ୍କୁଲ ପାଠ୍ୟ ଖସଡ଼ାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ବୀରତ୍ୱ ଗାଥାର କାହାଣୀ, ଭଦ୍ରକର ଇରମ ଗୁଳିକାଣ୍ଡ, ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଏବଂ ଓଡ଼ିଶାର ପାହାଡ଼ ଜଙ୍ଗଲର ସୌନ୍ଧଯ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।








