Home ଜିଲ୍ଲା ପରିକ୍ରମା ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ ସଭା ଓ ଗଣଧାରଣା

ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ ସଭା ଓ ଗଣଧାରଣା

45

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ୨୦୦୮ରୁ ଏଯାବତ୍ ନିଯୁକ୍ତିର ନ୍ୟାୟ ଆଶାରେ ସଂଘର୍ଷ ଜାରି ରଖିଥିବା ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ଗାଁସାଥୀମାନଙ୍କର ପଞ୍ଚାୟତ, ବ୍ଳକ ଓ ଜିଲ୍ଲା ସଂଗଠକମାନେ ଆଜି କେତେକ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ପ୍ରତିବାଦ ସଭା କରିଥିଲେ। ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡିଶା ପ୍ରଦେଶର ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସଂଘର ୧୫ ଦଫା ଦାବି ଉପସ୍ଥାପନ କରାଯିବା ସହିତ ଜିଲ୍ଳାର ୫ଗୋଟି ପ୍ରମୁଖ ସାମାଜିକ ଦାବି ଉପସ୍ଥାପନ କରାଯାଇଥିଲା। ଓଡ଼ିଶାର ଗାଁସାଥୀ (ମେଟ୍‌)ଙ୍କୁ ଗ୍ରାମୀଣ ସ୍ତରରେ ପର୍ଯ୍ୟାପ୍ତ ସରକାରୀ କାର୍ଯ୍ୟ ପ୍ରଦାନ ସହିତ ମାସିକ ୮ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ସରକାର ଦେଇଥିବା ୩ଥର ପ୍ରତିଶୃତି ପୂରଣ କରି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ।

ବର୍ଷବର୍ଷ ଧରି କାର୍ଯ୍ୟ କରି ପ୍ରାପ୍ୟ ପାଇ ନ ଥିବା ଗାଁସାଥୀ (ମେଟ୍‌)ଙ୍କୁ ତୁରନ୍ତ ପ୍ରଦାନ କରିବା, ମନରେଗାରେ ଗାଁସାଥୀ (ମେଟ୍‌)ଙ୍କୁ ଅଣଦେଖା ନକରିବା, ଜିଲ୍ଳାରେ ମନରେଗାରେ ହୋଇଥିବା ବ୍ୟାପକ ଦୁର୍ନୀତିର ସଠିକ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭଳି ସଂଘର ଦାବି ସହିତ ଭଦ୍ରକ ଜିଲ୍ଳାର ସାମାଜିକ ବିକାଶ ମୂଳକ ଦାବି ଭାବେ ଭଦ୍ରକ କଲେଜକୁ ନଭେମ୍ବର ୧ ସୁଦ୍ଧା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ, ଭଦ୍ରକରେ ଏକ ମେଡ଼ିକାଲ କଲେଜ ସ୍ଥାପନ, ରାଣୀତାଲଠାରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଭଦ୍ରକ ବାଇପାସ୍ ଛକରେ କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଏହାକୁ କାନ୍ତକବି ଗୋଲେଇ ନାମରେ ନାମିତ କରିବା, ଧାମରା ବନ୍ଦର ଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ଭଳି ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା। ଭଦ୍ରକ ଜିଲ୍ଳା ଭଣ୍ଡାରିପୋଖରୀ ବ୍ଳକର ତେସିଂଗା ଗ୍ରାମରେ ମନରେଗାରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ଗ୍ରାମବାସୀ ଧରିବା ସହିତ ଏ ନେଇ ପ୍ରଶାସନ ଓ ଗଣମାଧ୍ୟମର ଦୃଷ୍ଟିକୁ ଆଣିଥିଲେ ମଧ୍ୟ ପ୍ରଶାସନର ଉଦାସୀନତାକୁ ସଭାରେ ତୀବ୍ର ନିନ୍ଦା କରାଯାଇଥିଲା। ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା। ଏହି ସମସ୍ତ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଳାପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଏହି ପ୍ରତିବାଦ ସଭାରେ ଗାଁସାଥୀ ସଂଗଠନର ପ୍ରମୋଦ ସାମଲ, ମନୋଜ ପାଢୀ, ଭରତ ବାରିକ, ଅକ୍ଷୟ ଜେନା, ଅମର ମଲ୍ଳିକ, କଳ୍ପନା ପଣ୍ଡା, ବୈଷ୍ଣବ ଦାସ, ରବିନ୍ଦ୍ର ମାଝୀ, ବିକାଶ ସାହୁ, ଚିତ୍ତରଂଜନ ଶଙ୍ଖୁଆ, ଗିରିଜା ସାହୁ, ଲୀଳାବତୀ ମଲ୍ଲିକ, ମମତା ନାୟକ, ନିରୂପମା ମିଶ୍ର ପ୍ରମୁଖ ଯୋଗ ଦେଇ ଦାବି ସମ୍ପର୍କରେ ଆଲୋଚନା କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋର୍‌ଦାର କରିବାକୁ ଚେତାବନୀ ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଗାଁସାଥୀ (ମେଟ୍‌)ର ଏକ ୮ଜଣିଆ ପ୍ରତିନିଧିଙ୍କ ସହିତ ଅପରାହ୍ଣରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୈଠକ ହୋଇ ଆଲୋଚନା ହୋଇଥିଲା। ଆଲୋଚନାରେ ଗାଁସାଥୀଙ୍କ ବକେୟା ଦେୟ ୧୫ ଦିନ ମଧ୍ୟ ପ୍ରଦାନ କରାଯିବା, ଗାଁସାଥୀ (ମେଟ୍‌)ଙ୍କୁ ବିଶ୍ୱାସକୁ ନେଇ ସରକାରୀ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟ ପ୍ରଦାନ ଭଳି ୧୫ ଦଫା ଦାବି ମଧ୍ୟରୁ ୭/୮ଟି ଦାବିର ସମାଧାନ ହେବା ସହ ତୁରନ୍ତ ପୂରଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା। ଦାବି ପୂରଣରେ ଯିଏ ଅନ୍ତରାୟ ହେବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପ୍ରଶାସନିକ ପ୍ରତିଶୃତି ଦିଆ ଯାଇଥିଲା। ଏହି ବୈଠକରେ ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଂଯୋଜକ ଶ୍ରୀ ବିଶ୍ୱାଳଙ୍କ ସହିତ ପିଡି ଇନ୍ଦ୍ରମଣି ନାୟକ, ଜିଲ୍ଳାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଏପିଡି ପ୍ରହଲ୍ଳାଦ ରଣା, ଉପଜିଲ୍ଲପାଳ ମନୋଜ ପାତ୍ର, ମନରେଗା ସଂଯୋଜିକା ସସ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.