Home Top News ଶ୍ରାବଣମାସର ୨ୟ ସୋମବାର, ବାବା ଆଖଣ୍ଡଳମଣିଙ୍କୁ ଜଲଲାଗି କଲେ ୪୦ ହଜାର କାଉଡିଆ

ଶ୍ରାବଣମାସର ୨ୟ ସୋମବାର, ବାବା ଆଖଣ୍ଡଳମଣିଙ୍କୁ ଜଲଲାଗି କଲେ ୪୦ ହଜାର କାଉଡିଆ

86

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣମାସର ୨ୟ ସୋମବାରରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଲଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହାତକୁ ନିଆଯାଇଥିଲେ ମଧ୍ୟ କେତେକ ଅବ୍ୟବସ୍ଥା ଯୋଗୁଁ ଭିଡ ନିୟନ୍ତ୍ରଣ କରିବାରେ ନାକେଦମ ହେବାକୁ ପଡିଥିଲା ପୁଲିସ୍‌କୁ। ଏପରିକି ଆଗନ୍ତୁକ କାଉଡିଆଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲାସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଭିଡ ନିୟନ୍ତ୍ରଣ କରିବା, ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡକୁ ସଜାଗ ରଖିବା ଆଦିରେ ଢିଲା ମନୋଭାବ ଯୋଗୁଁ କାଉଡିଆମାନେ ଧାଡିରେ ଦୀର୍ଘ ସମୟ ନରହି ବିନା ଟିକେଟରେ ଏଣେତେଣେ ଅର୍ଥାତ୍ କୃତିମ ମହାଦେବ ଓ ବାସୁଆଙ୍କ ଉପରେ ଜଳଲାଗି କରିଥିଲେ। ଏପରି ଘଟଣାକୁ ଉଭୟ ପ୍ରଶାସନ ଓ ପୁଲିସ୍ ଦେଖିଥଲେ ମଧ୍ୟ ନଦେଖିବା ପରି ଚୁପ୍ ରହିବାରୁ ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲା ମନ୍ଦିର। ପୀଠରେ ୪୦ ହଜାରରୁ ଉର୍ଦ୍ଧ୍ୱ କାଉଡିଆଙ୍କ ଆଗମନ ହୋଇଥିଲେ ମଧ୍ୟ ଏପରି ଅବ୍ୟବସ୍ଥା ଯୋଗୁଁ ମାତ୍ର ୨୧ ହଜାର କାଉଡିଆଙ୍କ ଟିକଟ ଅସୁଲ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତା ସହିତ ମନ୍ଦିର ଭିତର ବେଢା ଓ ବାହାର ବେଢାରେ ଭକ୍ତଙ୍କ ସୁଗମ ଯାତାୟତ ନିମନ୍ତେ ଆଂଶିକ ସଂପ୍ରସାରଣ କରାଯାଇଥିଲା। ହେଲେ କେତେକ ସେବାୟତ ମନ୍ଦିର ଆଇନ୍‌କୁ ଖୋଲମ ଖୁଲା ଉଲ୍ଲଂଘନ କରି ଦୀପ ଦୋକାନ ବସାଇବା ସହ କୃତିମ ମହାଦେବ, ନାଗ, ବାସୁଆ ବସାଇ ଭକ୍ତଙ୍କ ଠାରୁ ଦକ୍ଷିଣା ଆଦାୟ କରୁଥିବାରୁ ଦର୍ଶନ ଓ ଜଳଲାଗି ସ୍ଥାନରେ ଭିଡ ନିୟନ୍ତ୍ରଣ କରିବାରେ ସମସ୍ୟା ଦେଖାଦେଉଛି। ଆଗନ୍ତୁକ ହଜାର ହଜାର କାଉଡିଆମାନେ ରବିବାର ସନ୍ଧ୍ୟା ୫ଟାରୁ ସୋମବାର ସନ୍ଧ୍ୟା ୫ ଟା ଯାଏ ୨୪ ଘଣ୍ଟା ଧରି ଧାଡିରେ ରହି ମଣିବାବାଙ୍କ ନିକଟରେ ଜଳଲାଗି କରିଥିଲେ। ଚଳିତ ସେମାବାରରେ ଅଧିକ ସଂଖ୍ୟକ ମହିଳା କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଏପରିକି ବୈତରଣୀ ଓ ସାଳନ୍ଦୀ ନଦୀରେ ଡଙ୍ଗା ଦ୍ୱାରା ପାରି ହୋଇଆସୁଥିବା ତିନିଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ। ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ଜଣେ ମାଜିଷ୍ଟ୍ରେଟ୍‌, ଜଣେ ଏଏସ୍‌ପି, ୬ ଜଣ ଡିଏସ୍‌ପି, ୧୫ ଜଣ ଇନ୍ସିପେକ୍ଟର, ୫୪ ଜଣ ଅଫିସରଙ୍କ ସହ ୮ ପ୍ଲାଟୁନ ଫୋର୍ସ ଆଦି ନିୟୋଜିତ ହୋଇଥିବା ଏଏସ୍‌ପି ଜତିନ ପଣ୍ଡା କହିଛନ୍ତି। କାଉଡିଆ ଯେପରି ସୁବିଧାରେ ଜଳଲାଗି କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.